ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ କ୍ଷମତାସୀନ ହୋଇଥିବା ବିଜେପି ସରକାର ଏବେ ବାହ୍ୟ ଶତ୍ରୁ ଅପେକ୍ଷା ଆଭ୍ୟନ୍ତରୀଣ ସଂଘର୍ଷରେ ଅଧିକ ଛନ୍ଦି ହୋଇପଡ଼ିଥିବା ମନେହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସାଧାରଣ ଆଦିବାସୀ ନେତାରୁ ଶାସନ ଗାଦି ଅଳଂକୃତ କରିବା ପରେ ତାଙ୍କୁ ଜନମାନସରେ ‘ଅପାରଗ’ ପ୍ରମାଣିତ କରିବା ପାଇଁ ଦଳ ଭିତରେ ଏକ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି। ଏହି ରାଜନୈତିକ ନାଟକର ମୁଖ୍ୟ ନାୟକ ଭାବେ ଏବେ ସ୍ୱାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନାମକୁ ନେଇ ଦଳୀୟ ମହଲରେ ବ୍ୟାପକ ଚର୍ଚ୍ଚା ହେଉଛି।
ବିଧାୟକ ଦରମା ବୃଦ୍ଧି: ଏକ ସୁଚିନ୍ତିତ ‘ରାଜନୈତିକ ଫାଶ’?
ମୋହନ ମାଝୀଙ୍କ ରାଜନୈତିକ ଛବିକୁ ସବୁଠାରୁ ବେଶି କ୍ଷତି ପହଞ୍ଚାଇଥିବା ପ୍ରସଙ୍ଗ ହେଲା—ବିଧାୟକଙ୍କ ଦରମା ବୃଦ୍ଧି ବିଲ୍। ଦଳୀୟ ସୂତ୍ର ଅନୁସାରେ, ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ମନରୁ ନୁହେଁ, ବରଂ ମୁକେଶ ମହାଲିଙ୍ଗଙ୍କ ମସ୍ତିଷ୍କର ଉତ୍ପାଦ।
ମୁକେଶ ମହାଲିଙ୍ଗ କହିଥିଲେ—ଏହାରୁ ବିଧାୟକମାନେ ସନ୍ତୁଷ୍ଟ ହେବେ, ସରକାର ସ୍ଥିର ରହିବ। ଏହି ଆଶ୍ୱାସନରେ ଭରସା କରି ମୋହନ ମାଝୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମୁକେଶଙ୍କୁ ସମସ୍ତ ଦାୟିତ୍ୱ ଦେଲେ।
ଦଳୀୟ ସୂତ୍ର ଅନୁସାରେ, ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱାସ ଦେଇଥିଲେ ଯେ କେନ୍ଦ୍ରୀୟ ନେତୃତ୍ୱ ଏହି ଦରମା ବୃଦ୍ଧି ପ୍ରସଙ୍ଗରେ ସମ୍ମତି ପ୍ରଦାନ କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ଅବଗତ କରାଯାଇନଥିବା କୁହାଯାଉଛି।
ବିଧାୟକ ଦରମା ବୃଦ୍ଧି ନେଇ ଯେତେବେଳେ ରାଜ୍ୟରେ ଭୟଙ୍କର ଜନମତ ଗଢ଼ିଉଠିଲା, ସେତେବେଳେ ସମସ୍ତ ଦୋଷ ଆସି ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଉପରେ। କେନ୍ଦ୍ରୀୟ ନେତୃତ୍ୱଙ୍କ ଭର୍ତ୍ସନା, ମିଡିଆ ଟ୍ରାଏଲ୍ ଓ ବିରୋଧୀଙ୍କ ଆକ୍ରମଣ—ସବୁକିଛି ମୋହନ ମାଝୀଙ୍କୁ ଏକ ଅପରିପକ୍ୱ ନେତା ଭାବେ ଉପସ୍ଥାପନ କଲା।
ଏଠାରେ ମୁକେଶ ମହାଲିଙ୍ଗ ସୁରକ୍ଷିତ ରହିଲେ। ଯିଏ ଯୋଜନା କଲେ, ସେ ପଛକୁ ହଟିଗଲେ; ଯିଏ ଭରସା କଲେ, ସେ ଦୋଷୀ ସାବ୍ୟସ୍ତ ହେଲେ।
ମୁଖ୍ୟମନ୍ତ୍ରୀ ନିଜେ କେନ୍ଦ୍ରୀୟ ନେତାଙ୍କ ସହ ସିଧାସଳଖ ଆଲୋଚନା ନକରି ମୁକେଶଙ୍କ ଉପରେ ଭରସା କରିବା ତାଙ୍କ ପାଇଁ ‘ବୁମେରାଂ’ ସାବ୍ୟସ୍ତ ହେଲା। ପରିଣାମସ୍ୱରୂପ, ସରକାରଙ୍କୁ ଜନତାଙ୍କ ଆକ୍ରୋଶ ଓ କେନ୍ଦ୍ରର ଭର୍ତ୍ସନା ସହିବାକୁ ପଡ଼ିଲା।

‘ଛାଇ’ ଭଳି ପଛରେ ରହି ଷଡ଼ଯନ୍ତ୍ର ରଚନା
ଦଳୀୟ ମହଲରେ ଯେଉଁ କଥା ଆଲୋଚନା ହେଉଛି, ତାହା ହେଲା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନଠାରୁ ହିଁ ତାଙ୍କୁ ଅସଫଳ ସାବ୍ୟସ୍ତ କରିବାର ଯୋଜନା ଆରମ୍ଭ ହୋଇଯାଇଥିଲା। ଏହି ଯୋଜନାର ମୁଖ୍ୟ କାର୍ଯ୍ୟକର୍ତ୍ତା ଭାବେ ଯାହାଙ୍କ ନାମ ସାମ୍ନାକୁ ଆସୁଛି, ସେ ହେଲେ ମୁକେଶ ମହାଲିଙ୍ଗ। ଶପଥ ଗ୍ରହଣ ଦିନଠାରୁ ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ବ୍ୟକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିଥିଲେ। ସେ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ ପଛେ ପଛେ ରହି ନିଜକୁ ଦଳର ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଦର୍ଶାଇବାକୁ ଚାହୁଁଥିଲେ। ରାଜନୈତିକ ସମୀକ୍ଷକଙ୍କ ମତରେ, ଏହା ଏକ ପ୍ଲାନ-ବି ଥିଲା, ଯାହା ଅଧୀନରେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ପରାମର୍ଶ ଦେଇ ତାଙ୍କୁ ବିବାଦୀୟ କରିବା ଏବଂ ପରେ ଗାଦିଚ୍ୟୁତ କରିବା ପାଇଁ ପଥ ପରିଷ୍କାର କରିବା।
ହଇଜା ଓ ରଥଯାତ୍ରା ଭଣ୍ଡୁର କରିବାର ଯୋଜନା!
ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଆସିଥିବା ଅନ୍ୟଏକ ସାଙ୍ଘାତିକ ଅଭିଯୋଗ ହେଉଛି ଜୁନ୍ ମାସରେ ବ୍ୟାପିଥିବା ହଇଜା। ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ଏହି ସଙ୍କଟକୁ ସମାଧାନ କରିବା ପରିବର୍ତ୍ତେ ଏହାକୁ ଅଣଦେଖା କରିଥିବା କୁହାଯାଉଛି।
ଉଦ୍ଦେଶ୍ୟ ଥିଲା ଯଦି ହଇଜା ବ୍ୟାପକ ରୂପ ନିଏ, ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବ ଏବଂ ରଥଯାତ୍ରା ଶୃଙ୍ଖଳିତ ଭାବେ ହୋଇପାରିବ ନାହିଁ। ଏହାଦ୍ୱାରା ନୂତନ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ଏବଂ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବାର୍ତ୍ତା କେନ୍ଦ୍ର ପାଖକୁ ଯିବ।
ଅଦୃଶ୍ୟ ଶକ୍ତିର ଇଙ୍ଗିତ ଓ ନୂଆପଡ଼ା ରାଜନୀତି
ଦଳୀୟ ପଦାଧିକାରୀ ମହଲରେ ଚର୍ଚ୍ଚା ହେଉଛି ଯେ ମୁକେଶ ମହାଲିଙ୍ଗ ଏହିସବୁ କାର୍ଯ୍ୟ କୌଣସି ଜଣେ ‘ଅଦୃଶ୍ୟ ଶକ୍ତି’ ବା ପ୍ରଭାବଶାଳୀ ନେତାଙ୍କ ନିର୍ଦ୍ଦେଶରେ କରୁଛନ୍ତି। ଏପରିକି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ, ତାହା ପରବର୍ତ୍ତୀ ସମୟରେ ରାଜ୍ୟ ନେତୃତ୍ୱଙ୍କ ନଜରକୁ ଆସିଥିଲା। ମୁକେଶଙ୍କୁ ଏକ ମୋହରା ଭାବେ ବ୍ୟବହାର କରି ମୋହନ ମାଝୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକ ବଡ଼ ଗେମ୍ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ—ଏହି ସବୁ କାଣ୍ଡ କି ମୁକେଶ ମହାଲିଙ୍ଗଙ୍କ ନିଜସ୍ୱ ଉଦ୍ୟମ, ନା କୌଣସି ‘ଅଦୃଶ୍ୟ ଶକ୍ତି’ର ଇଙ୍ଗିତରେ ସେ ମୋହରା ସାଜିଛନ୍ତି?
ଏବେ ସତର୍କ ହେବା ଜରୁରୀ
ବିଜେପି ଭଳି ଏକ ଶୃଙ୍ଖଳିତ ଦଳରେ ମନ୍ତ୍ରୀ ପରିଷଦ ଭିତରେ ଏଭଳି ଅବିଶ୍ୱାସର ବାତାବରଣ ଶାସନ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏବେ ନିଜର ‘ହିତାକାଂକ୍ଷୀ’ ଓ ‘ଷଡ଼ଯନ୍ତ୍ରକାରୀ’ଙ୍କ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ। ଯଦି ମୁକେଶ ମହାଲିଙ୍ଗଙ୍କ ଭୂମିକାକୁ ନେଇ ଉଠୁଥିବା ପ୍ରଶ୍ନରେ ସତ୍ୟତା ଅଛି, ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ହେବ। ନଚେତ୍, ଦଳ ଭିତରର ଏହି ଗୋଷ୍ଠୀ କନ୍ଦଳ ଓ ଅଦୃଶ୍ୟ ଶକ୍ତିର ଖେଳ ଓଡ଼ିଶାରେ ବିଜେପିର ପ୍ରତିଛବିକୁ ଧୂଳିସାତ୍ କରିଦେବ। ମୋହନଙ୍କୁ ଭିଲିଆନ୍ ସଜାଇବାକୁ ଚେଷ୍ଟା କରୁଥିବା ନେତାମାନେ ହୁଏତ ଭୁଲିଯାଉଛନ୍ତି ଯେ, ଶାସନ ଗାଦିରେ ପରିବର୍ତ୍ତନ ପାଇଁ ଜନମତ ନୁହେଁ, ବରଂ ଜନବିଶ୍ୱାସର ଆବଶ୍ୟକତା ରହିଛି।
ମୋହନ ଚରଣ ମାଝୀ ଅପାରଗ କି ନୁହେଁ, ତାହା ଭବିଷ୍ୟତ ନିର୍ଣ୍ଣୟ କରିବ। କିନ୍ତୁ ଏତେଟା ସ୍ପଷ୍ଟ—ଯଦି ଦଳ ଭିତରେ ଏପରି ଷଡ଼ଯନ୍ତ୍ର, ଅନ୍ତଃଘାତ ଓ ଅଦୃଶ୍ୟ ଶକ୍ତିର ଖେଳ ଚାଲିଥାଏ, ତେବେ ସରକାର ନୁହେଁ, ସମଗ୍ର ଦଳର ଭରସା ଭାଙ୍ଗିପଡ଼ିବ।
ଆଜି ପ୍ରଶ୍ନ ମୋହନଙ୍କ କ୍ଷମତା ଉପରେ ନୁହେଁ; ପ୍ରଶ୍ନ ହେଉଛି—ଦଳ ମଧ୍ୟରେ ଥିବା ମୁକେଶମାନେ କାହା ପାଇଁ କାମ କରୁଛନ୍ତି?
ଯଦି ଏହି ପ୍ରଶ୍ନର ଉତ୍ତର ଦଳ ଠିକଣା ସମୟରେ ଖୋଜିପାରିବ ନାହିଁ, ତେବେ ମୋହନ ନୁହେଁ—ଆଗାମୀକାଲି ଆଉ କେହି ଏହି ଷଡ଼ଯନ୍ତ୍ରର ଶିକାର ହେବ।
AlsoRead; https://purvapaksa.com/find-out-which-bills-were-passed-in-the-2025-parliament/

