ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବଭାବେ ଦେଲେ ଯୋଗେ
ପୂର୍ବତନ ଆଇଏଏସ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିର୍ବାଚନ ପରେ ବିଜେଡିର ଶୋଚନୀୟ ପରାସ୍ତ ପରେ ଓ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପ୍ରତିଟି ସ୍ଥରରେ ସମାଲୋଚନା ପରେ, ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଞ୍ଜୁର କରିଥିଲେ। ଇତି ମଧ୍ୟରେ ୬ ମାସ ପରେ ଆଇଏଏସ ସୁଜାତା ପୁଣି ମଙ୍ଗଳବାର ଆଉ ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ଛୁଟି ଆବେଦନକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ। ସେତେବେଳେ ଆଇଏଏସ ସୁଜାତା ନିଜ ସାନ ଝିଅର ୧୦ମ ପରୀକ୍ଷା ନିମନ୍ତେ ୬ ମାସ ଛୁଟି ନେଇଥିଲେ ବୋଲି ରାଜ୍ୟ ସରକାର କହିଥିଲେ। ତେବେ ସୁଜାତା କାର୍ଯ୍ୟରେ ଯୋଗଦେବେ କି ନାହିଁ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସେ ସବୁର ଅନ୍ତ ଘଟାଇ ସେ ଆଜି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ ଯୋଗ ଦେଇଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଅନେକ ଥର ଅଦଳବଦଳ କରିଥିବା ବେଳେ ଆଇଏଏସ ସୁଜାତା ପୂର୍ବ ପଦବୀରେ ରହିବେ କି ବିଭାଗ ପରିବର୍ତ୍ତନ ହେବ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।
ସୂଚନା ଥାଉକି, ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ। ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ। ସୁଜାତା ନଭେମ୍ବର ୨୭ ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଦେଇଥିଲେ। ଏନେଇ ତାଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ସୁଜାତାଙ୍କୁ ଏନେଇ ଚିଠି ଲେଖି ଜଣାଇଥିଲେ।
ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନ ଥିବା ନେଇ ସୁଜାତାଙ୍କୁ ଲିଖିତଭାବେ ସ୍ପଷ୍ଟ କରିଥିଲେ। ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇଥିଲା। ଏହାପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ ଦାୟିତ୍ୱ ଦିଆଯାଇଥିଲା।
previous article: https://purvapaksa.com/international-airport-in-puri-is-relying-on-the-state-government/
