ରାଜ୍ୟ ରାଜନୀତିକୁ ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ଦୁର୍ନୀତି ଯେତିକି ଆନ୍ଦୋଳିତ ନ କରିଛି, ତା’ଠୁ ଅଧିକ ଗମ୍ଭୀର ହୋଇଛି ଏଥିରେ ବିଭିନ୍ନ ଘରୋଇ କୋଚିଂ ଅନୁଷ୍ଠାନଗୁଡ଼ିକର ସମ୍ପର୍କ। ଆଉ ସେଇ ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକମାନଙ୍କୁ ନେଇ ରାଜ୍ୟବାସୀ ଛକ ବଜାରରେ ଅନେକ ପ୍ରକାରର ଚର୍ଚ୍ଚା କରୁଛନ୍ତି। ସରକାରୀ ଚାକିରି ଯେ ମେଧାବୀଙ୍କ ମେଧା ଓ ଭଗବାନଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ ତା’ ନୁହେଁ, ବରଂ ଏହା ବଜାରରେ ବିକ୍ରି ହେଉଥିବା ଏକ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛି। ରାଜନୀତିକ ପୃଷ୍ଠଭୂମି ଥିବା ଶିକ୍ଷା ବ୍ୟବସାୟୀମାନଙ୍କ ଦ୍ୱାରା ହିଁ ଏହା ମିଳିପାରୁଛି ବୋଲି ଏକ ଧାରଣା ମେଧାବୀଙ୍କ ମନରେ ସୃଷ୍ଟି ହେଉଛି। ଅର୍ଥାତ୍ ସରକାରୀ ବ୍ୟବସ୍ଥା ପ୍ରତି ଥିବା ଅନାସ୍ଥା ଭାବକୁ ବଢ଼ାଉଛନ୍ତି ଏହି ଶିକ୍ଷା ବ୍ୟବସାୟୀମାନେ ।
ଅର୍ଥ ବଦଳରେ ନିଶ୍ଚିତ ଚାକିରିର ପ୍ରତିଶ୍ରୁତି
ଭୁବନେଶ୍ୱରର ସିଆର୍ପି ଛକରେ ଜାତୀୟ ରାଜପଥ ଆଡ଼କୁ ମୁହଁ କରି ରହିଛି ଏହି ବିଶାଳ ଅଟ୍ଟାଳିକା। ଯେଉଁଥିରେ ପ୍ରତିବର୍ଷ ବିଭିନ୍ନ ସରକାରୀ ଚାକିରିରେ ନିଯୁକ୍ତି ଆଶା କରୁଥିବା ଯୁବକ ଯୁବତୀ କୋଚିଂ ପାଇଁ ଆସନ୍ତି। ପ୍ରତିଷ୍ଠାନର ନାଁ ହେଉଛି ବଣିକ। ପ୍ରତିଷ୍ଠାନର ଅବସ୍ଥିତି ଓ ବିଜ୍ଞାପନ ଏହାର ସଫଳତା ହାରଠାରୁ ଯଥେଷ୍ଟ ଅଧିକ। ଆଉ ଏହି ବିଜ୍ଞାପନକୁ ଦେଖି ଗାଁ ଗହଳରୁ ପିଲା ଆସନ୍ତି, ଭୁବନେଶ୍ୱରରେ ଅସ୍ଥାୟୀ ଘର ଖୋଜି ସ୍ଥାୟୀ ଚାକିରି ପଛରେ ଧାଆନ୍ତି। କିଛିବର୍ଷ ଏମିତି ଧାଇଁ ଧାଇଁ ହତାଶ୍ ହୁଅନ୍ତି। ଆଉ ଏହି ହତାଶାବୋଧରୁ ମୁକୁଳିବା ପାଇଁ ତାଙ୍କ ପାଖରେ ଡିମାଣ୍ଡ ପହଞ୍ଚେ ୨୫ ଲକ୍ଷ, ୧୫ ଲକ୍ଷର। ଆଉ ବଦଳରେ ଅଫର ରହେ ନିଶ୍ଚିତ ଚାକିରି।
ଏହା ପୁଣି ସବୁ ପିଲାଙ୍କୁ ମିଳେ ନାହିଁ ବରଂ ପିଲାଙ୍କ ପିଛିଲା ପୃଷ୍ଠଭୂମିକୁ ଦେଖି ଗୋପନରେ ଅଫର ଦିଆଯାଏ; ଆଉ ତାହାକୁ ମଧ୍ୟ ହାସଲ କରିବା ପାଇଁ ଚାଲେ ଚାକିରି କିଣାବିକା। ଏମିତି ପ୍ରତ୍ୟକ୍ଷ ପ୍ରାର୍ଥୀଙ୍କଠାରୁ ବୟାନଭିତ୍ତିକ ଅଭିଯୋଗ ପାଇବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ଗୁରୁବାର ଦିନ ବଣିକର ଦପ୍ତର ଉପରେ ଚଢ଼ଉ କରିଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଅର୍ଥାତ୍ ବଣିକ ଅନୁଷ୍ଠାନ ନୁହେଁ ବରଂ ଚୋରାରେ ଚାକିରି ବିକୁଥିବା ଏକ ଅନୁଷ୍ଠାନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
କୋଚିଂ ସେଣ୍ଟର ନିଯୁକ୍ତି ପରୀକ୍ଷା ଲାଗି ଟେଣ୍ଡର ନେଇଥିବା ସଂସ୍ଥା ସହ ଜଡ଼ିତ
ଆଗରୁ ଛୋଟ ମୋଟ ଏମିତି ଅନେକ ଅଭିଯୋଗ ରହିଥିଲା। ହେଲେ ଏହି ଯାଞ୍ଚ ପଛରେ ରହିଛି ପୁଲିସ ଏସ୍ଆଇ ନିଯୁକ୍ତିରେ ପଦବୀର ଚୋରା କାରବାର। ନିକଟରେ ୯୨୦ଟି ଏସ୍ଆଇ ପଦବୀ ନିଯୁକ୍ତି ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଆଶାୟୀଙ୍କ ଆବେଦନ ଗ୍ରହଣ କରାଯାଇଥିଲା। ଏହି ଆବେଦନ ଭିତ୍ତିରେ ଯାଞ୍ଚ କରାଯାଇ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ଏହି ତାଲିକା ଅନୁସାରେ ଲିଖିତ ପରୀକ୍ଷା ପାଇଁ ତାରିଖ ସ୍ଥିର କରାଯାଇଥିଲା। ଅକ୍ଟୋବର ୫ ଓ ୬ ତାରିଖରେ ଏହି ପରୀକ୍ଷା ହୋଇଥାଆନ୍ତା। କିନ୍ତୁ ୧ ତାରିଖ ଦିନ ପୁଲିସ ପାଖରେ ପହଞ୍ଚିଥିବା ଅଭିଯୋଗକୁ ଆଧାର କରି ଆନ୍ଧ୍ର ପ୍ରଦେଶରୁ ୧୧୭ ଜଣଙ୍କୁ ଗିରଫ କରାଗଲା।
ଏଥିରେ ୧୧୪ ଜଣ ଆଶାୟୀ ଥିଲେ। ଏମାନଙ୍କୁ ସ୍ୱତନ୍ତ୍ର କୋଚିଂ ନାଁରେ ପ୍ରଶ୍ନପତ୍ର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଆଉ ଯେଉଁ ଏଜେନ୍ସି ଏହି ଚାକିରି ଆଶାୟୀମାନଙ୍କୁ ଆନ୍ଧ୍ର ପ୍ରଦେଶ ନେଉଥିଲା ସେମାନେ ସମସ୍ତେ ନିଯୁକ୍ତି ପରୀକ୍ଷା ଲାଗି ଟେଣ୍ଡର ନେଇଥିବା ସଂସ୍ଥା ସହ ଜଡ଼ିତ ଥିଲେ। ଅର୍ଥାତ୍ ଚାକିରି ବିକ୍ରି କରିବାକୁ ସୁଚିନ୍ତିତ ଯୋଜନା ହୋଇଥିଲା। ଆଉ ଗୋଟିଏ ଚାକିରିର ଦାମ ଥିଲା ୨୫ ଲକ୍ଷ। ୧୦ ଲକ୍ଷ ଟଙ୍କା ଲେଖାଏଁ ଅଗ୍ରୀମ ନିଆଯାଇ ପିଲାଙ୍କର ସାର୍ଟିଫିକେଟ ବନ୍ଧକ ରଖାଯାଇଥିଲା। ପ୍ରମାଣପତ୍ର ଯାଞ୍ଚ ସମୟରେ ୧୫ ଲକ୍ଷ ବକେୟା ଦେଲେ ସାର୍ଟିଫିକେଟ ଦିଆଯିବାର ବ୍ୟବସ୍ଥା ହୋଇଥିଲା।
ଏଭଳି ଗୁରୁତର ଅଭିଯୋଗକୁ ଚପାଇବାକୁ ଅନେକ ଉଦ୍ୟମ ହେଲା। କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚା ଫଳରେ ସରକାର ବାଧ୍ୟ ହୋଇ ତଦନ୍ତ ଆଦେଶ ଦେଲେ। ଏ ତଦନ୍ତ ବି କଠୋର କରିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କଲେ। ଫଳରେ ଏହି ବ୍ୟବସାୟରେ ଯେଉଁ ଏଜେଣ୍ଟମାନେ ସମ୍ପୃକ୍ତ ସେମାନଙ୍କ ମଧ୍ୟରୁ କିଛି ଛୋଟ ମାଛଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଆଉ ବଡ଼ ମାଛଙ୍କ ସନ୍ଧାନରେ ଯାଇ ବଣିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି।
ବବିଙ୍କ ବଳରେ ବଳିୟାନ ସୁବ୍ରତ
କିନ୍ତୁ କାହିଁକି ବଣିକ ସଂସ୍ଥା ଏତେ ଚର୍ଚ୍ଚାକୁ ଆସିଛି? ଏହାର କାରଣ ପଛରେ ରହିଛି ରାଜନୀତିକ ପୃଷ୍ଠପୋଷକତା। ପୁଣି ଏ ପଛରେ ରହିଛି ବିଜେଡିର ୨୪ ବର୍ଷିଆ ନିରବଚ୍ଛିନ୍ନ ଶାସନ ଏବଂ ଏହାର ତୁଙ୍ଗ ନେତାଙ୍କ ଅର୍ଥ ଲୋଭ। ଅଭିଯୋଗ ହୋଇଛି ବଣିକର ମାଲିକ ସୁବ୍ରତ ଛାଟୋଇ ବି ସେଇ ଡଙ୍ଗାର ଜଣେ ନାବିକ। ଅନେକ ସମୟରେ ତାଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ନବୀନଙ୍କ ସେବକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ସହ ଦେଖିବାକୁ ମିଳିଛି।
ପୁଣି ସେ ତାଙ୍କ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିବା ଫଟୋଗ୍ରାଫ୍ଗୁଡ଼ିକରେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ବି ରହିଛନ୍ତି। ବବି ଦାସ ଏକଦା ବିଜେଡିର ସଂଗଠନର ସର୍ବେସର୍ବା ଥିଲେ। ତାଙ୍କରି ଇଙ୍ଗିତରେ ଦଳର ବଡ଼ ବଡ଼ ନେତା ଓ ସାଂସଦମାନେ ଉଠ୍ ବସ୍ ହେଉଥିଲେ। ତାଙ୍କ ସହ ଫଟୋ ଉଠାଇବାକୁ ଅଚ୍ୟୁତ ସାମନ୍ତଙ୍କ ଭଳି ଶିକ୍ଷା ବ୍ୟବସାୟୀ ତଥା ସାଂସଦ ମଧ୍ୟ ନିଜକୁ କୃତ୍ୟକୃତ୍ୟ ମନେକରୁଥିଲେ।
ସେହି ତାଲିକାରେ ସୁବ୍ରତ ବି ରହିଛନ୍ତି। ପୁଣି ସୁବ୍ରତଙ୍କ ସହ ବବିଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିବା ରାଜନୀତିକ ମହଲରେ ଚର୍ଚ୍ଚା ହୁଏ। କୁହାଯାଏ ବବି ହେଉଛନ୍ତି ସୁବ୍ରତଙ୍କ ବ୍ୟବସାୟର ଛାୟା ପାର୍ଟନର। ତାଙ୍କର ଟଙ୍କା ପଇସା ରୋଜଗାର କୁଆଡ଼େ ସୁବ୍ରତଙ୍କ ପରିବହନ, କୋଚିଂ ଏବଂ ଚୁଙ୍ଗୁଡ଼ି ବ୍ୟବସାୟରେ ଲାଗିଛି।
ଚାକିରି ଚୋରିର ଜନକ ପାଣ୍ଡିଆନ
୨୦୧୮ ମସିହାରୁ ଏହି କାରବାର ତ୍ୱରାନ୍ୱିତ ହୋଇଛି। ଯେବେଠାରୁ ରାଜ୍ୟରେ ସରକାରୀ ଚାକିରି ପୁଣିଥରେ ସାଧାରଣ ଲୋକଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଭିତ୍ତିରେ ଉନ୍ମୁକ୍ତ ହୋଇଥିଲା। ଏ କଥା କହିବା ପଛର କାରଣ ହେଉଛି, ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନକୁ ଆସିଲା ସରକାରୀ ବ୍ୟବସ୍ଥାରେ ସଂସ୍କାର କରିବା ଲାଗି ପ୍ରଥମେ ସରକାରୀ ଚାକିରି ଉପରେ ରୋକ ଲଗାଇଥିଲା। କର୍ମଚାରୀଙ୍କୁ ଛଟେଇ କରାଗଲା। ଆଉ କର୍ମଚାରୀଙ୍କୁ ବାଧ୍ୟ କରାଯାଇ ଅବସର ଦିଆଗଲା।
ଏହାପରେ ଯେତେବେଳେ କର୍ମଚାରୀଙ୍କ ଅଭାବ ହେଲା ସେତେବେଳେ ସରକାର ଘରୋଇ ଏଜେନ୍ସୀଙ୍କ ଦ୍ୱାରା ମାନବ ସମ୍ବଳ ନିଯୁକ୍ତ କଲେ। ଏମାନଙ୍କୁ ଆଉଟସୋର୍ସିଂ ବା ଠିକା କର୍ମଚାରୀ ବୋଲି କୁହାଗଲା। ଏମାନେ ସରକାରୀ ପାହ୍ୟାରେ ରହିଲେ କିନ୍ତୁ ସରକାରଙ୍କଠାରୁ ସିଧାସଳଖ ଦରମା କି ଭତ୍ତା ପାଇଲେ ନାହିଁ। ଫଳରେ ଉନ୍ନତ ମାନବ ସମ୍ବଳ ଆଉ ସରକାରୀ ଚାକିରିରେ ପ୍ରବେଶ କରିପାରିଲେ ନାହିଁ।
ଏଜେନ୍ସି ଯାହାଙ୍କୁ ଚାହିଁଲା କମିଶନ ନେଇ ନିଯୁକ୍ତି କଲା। ଉଚିତ ମାନବ ସମ୍ବଳ ଅଭାବ ପରେ ୨୦୧୮ ମସିହା ଆଡ଼କୁ ସରକାରୀ ଚାକିରି ପାଇଁ ବାଟ ଖୋଲିଲେ ସରକାର। କିନ୍ତୁ ସମୟ ସହ ତାଳ ଦେଇ ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ନିଜର ରୂପାନ୍ତରଣ କରିନଥିଲେ। ଏକଦା ରୂପାନ୍ତରଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାଣ୍ଡିଆନ୍ ଏ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଆଉ ହଠାତ୍ ଯେଉଁ ରୂପାନ୍ତରଣ ହେଲା ତାହା ଥିଲା ନିଜର କର୍ମୀ, ନେତା ଓ ସଂଗଠନକୁ ଫାଇଦା ପହଞ୍ଚାଇବା ଲାଗି ଉଦ୍ୟମ କରାଗଲା। ଆଉ ପରୋକ୍ଷରେ ଏଇଠୁ ଆରମ୍ଭ ହେଲା ଚାକିରି ଚୋରି। ଆଜି ତାହା ଅତ୍ୟନ୍ତ ଉତ୍କଟ ରୂପ ନେଇଛି।
ଘରୋଇ ଏଜେନ୍ସିଙ୍କ ଗଳାବଟରୁ ସୁବ୍ରତ ଉଠାଉଥିଲେ ଫାଇଦା
ସେତେବେଳେ ବିଭିନ୍ନ ସରକାରୀ ନିଯୁକ୍ତି ଏଜେନ୍ସି ଯେମିତି ଓପିଏସ୍ସି, ଓଏସ୍ଏସ୍ସି, ଓପିଆର୍ବି ଭଳି ନିଯୁକ୍ତି ଏଜେନ୍ସି ପାଖରେ ସମ୍ବଳ ଓ ଟେକ୍ନୋଲୋଜି ନ ଥିବାରୁ ତାଙ୍କୁ ଘରୋଇ ଏଜେନ୍ସିଙ୍କଠାରୁ ସେବା ଗ୍ରହଣ କରିବାକୁ କ୍ଷମତା ଦିଆଗଲା। ଆଉ ପରେ ସେମାନଙ୍କ ପାଖରେ ବେସରକାରୀ ତଥା କେନ୍ଦ୍ର ସରକାରଙ୍କ ଏଜେନ୍ସିମାନେ ତାଲିକାଭୁକ୍ତ ହେଲେ। କିନ୍ତୁ ସୁବ୍ରତଙ୍କ ଭଳି କିଛି ଅନୁଷ୍ଠାନର ମାଲିକ ଏହି ବ୍ୟବସ୍ଥାର ଫାଇଦା ନେଇ ଗଳା ବାଟରେ ଚାକିରି ଫିକ୍ସିଂ କରିବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୁଏ। ଏହି ଅଭିଯୋଗ ଆଧାରରେ ସୁବ୍ରତଙ୍କ ଅନୁଷ୍ଠାନ ବଣିକ ଉପରେ ଚଢ଼ଉ ହୋଇଛି।
ଟିକସ ଫାଙ୍କିରେ ବଣିକ ଅନୁଷ୍ଠାନ
ପୂର୍ବରୁ ମଧ୍ୟ ଆର୍ଥିକ ଅନିୟମିତତା, ଟିକସ ଫାଙ୍କି ଆଦି ଅଭିଯୋଗରେ ତାଙ୍କ ଅନୁଷ୍ଠାନ ଉପରେ ଚଢ଼ଉ ହୋଇଥିଲା। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୩ ମସିହାରେ ଯେତେବେଳେ ବିଜେଡି ସରକାର କ୍ଷମତାରେ ଥିଲା ସେତେବେଳେ ଟିକସ ଫାଙ୍କି ଅଭିଯୋଗ ତାଙ୍କ ଉପରେ ଆସିଥିଲା। ଆଉ କେନ୍ଦ୍ରୀୟ କର ବିଭାଗ ତାଙ୍କ ଅନୁଷ୍ଠାନ ଉପରେ ଚଢ଼ଉ କରିଥିଲେ। ୨୫ ଜଣିଆ ଟିମ୍ ତାଙ୍କର ବିଭିନ୍ନ ଶାଖା ଉପରେ ଏକ ସଙ୍ଗେ ଚଢ଼ଉ କରିଥିଲା। ଭୁବନେଶ୍ୱରରର ୩ଟି ବ୍ରାଞ୍ଚ ଏବଂ କଲିକତାର ଗୋଟିଏ ବ୍ରାଞ୍ଚ ଉପରେ ଚଢ଼ଉ ହୋଇଥିଲା। ଏହାପରେ ଚଢ଼ଉ ହୋଇଥିଲା ଏପ୍ରିଲ ୨୦୨୪ ମସିହାରେ। ସେତେବେଳେ ବି ବିଜେଡି ସରକାରରେ ଥିଲା। ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଏହି ସମୟରେ ଭୁବନେଶ୍ୱର ଏବଂ ଯାଜପୁର ଅନୁଷ୍ଠାନ ସହ ସେଠାରେ ଥିବା ଏକ ହୋଟେଲ୍ ଉପରେ ଆୟକର ଚଢ଼ଉ ହୋଇଥିଲା। ଆୟ ଅର୍ଥକୁ ଯେଉଁ ପ୍ରକାରେ ବ୍ୟୟ କରାଯାଉଥିବା ଦର୍ଶାଯାଇଥିଲା ସେଥିରେ ସନ୍ଦେହ ପ୍ରକଟ କରିଥିଲେ ଆୟକର ବିଭାଗ।
୨୦୨୫ରେ ଟିକସ ଚୋରି ନୁହେଁ; ବ୍ୟବସ୍ଥାକୁ ଖୋଳ କରିବାର ଅପଚେଷ୍ଠା
ହେଲେ ୨୦୨୫ରେ ଯେଉଁ ଅଭିଯୋଗ ଆସିଛି ତାହା ଆର୍ଥିକ ଅନିୟମିତା ନୁହେଁ, ବରଂ ସରକାରଙ୍କ ବ୍ୟବସ୍ଥାକୁ ଖୋଳ କରିବାର ପ୍ରକ୍ରିୟାକୁ ନେଇ ସନ୍ଦେହ କରାଯାଇଛି। ଏବେ ସରକାର ବଦଳିଲା ପରେ ସୁବ୍ରତଙ୍କ ପରି ଅନେକ ଲୋକଙ୍କ ଦ୍ୱାରା ସୃଷ୍ଟି ଛାଞ୍ଚକୁ ସରକାର ଠଉରାଇଛନ୍ତି। ଆଉ ପ୍ରମାଣ ଯୋଗାଡ଼ ପାଇଁ ଚଢ଼ଉ ଚାଲିଛି। ଯଦି ଏ ବାବଦରେ ପ୍ରମାଣ ମିଳେ ତେବେ କୋଚିଂ ସେଣ୍ଟର ଓ ନିଯୁକ୍ତି ଏଜେନ୍ସି ଭିତରେ ଥିବା ସମ୍ପର୍କ ପଦାକୁ ଆସିବା ସମ୍ଭାବନା ରହିଛି। ଆଉ ଯଦି ୨୦୧୮ ମସିହାରୁ ବାହାରୁଥିବା ସରକାରୀ ପଦବୀ ଓ ତା’ ପାଇଁ ହେଉଥିବା ପରୀକ୍ଷାଗୁଡ଼ିକୁ ସରକାର ତଦନ୍ତ ପରିସରଭୁକ୍ତ କରନ୍ତି ତେବେ ଏମିତି ଅନେକ ବ୍ୟକ୍ତିଙ୍କ ନାମ ଆସିପାରେ ଯେଉଁମାନେ ଚାକିରି ଚୋରି କରି ଏବେ ସରକାରୀ ବାବୁ ପାଲଟିଛନ୍ତି।
ବିଜେଡି ନେତାଙ୍କ ଚୋରିକୁ ଧରିବାରେ ବିଜେପି ସରକାର ଦୁର୍ବଳ
କିନ୍ତୁ ଏହା ହେବ କେମିତି ? ଆଜିକୁ ୧୫ ମାସ ହେଲା ସରକାର ଗଠନ କରିଥିଲେ ମଧ୍ୟ ବିଜେପି ସରକାର ବିଜେଡିର କଳା କାରନାମାକୁ ଖୋଲିବାରେ ସାହସ କରିପାରିନାହିଁ। ବିରୋଧୀ ଦଳରେ ଥିବାବେଳେ ଶାସନରେ ଦୁର୍ନୀତି ହେଉଛି ବୋଲି ବିଜେପି ଅନେକ ଅଭିଯୋଗ କରିଥିଲା; ହେଲେ ଆଜି ଯାଏ କୌଣସି ଘଟଣା ପ୍ରଘଟ ନ ହେବା ଏହା ନିଶ୍ଚିତ କରୁଛି ଯେ ସରକାରରେ ଦୁର୍ବଳତା ରହିଛି। ଏପରିକି ବିଜେଡି ସରକାରର ମୂଷାମନେ ଏବେ ବିଜେପି ସରକାରରେ କ୍ଷମତାଶାଳୀ ହୋଇଉଠିଛନ୍ତି। ଆଉ ଏଇ ଦୁର୍ବଳତା ମଧ୍ୟ ଚାକିରି ଚୋରି ପରି ଅଭିଯୋଗକୁ ପାଣିଚିଆ କରିଦେଇପାରେ ବୋଲି ଆଶଙ୍କା ଜନ୍ମିଛି।
ଘରୋଇ ଏଜେନ୍ସି ପାଇଁ ନିଯୁକ୍ତି ପ୍ରକ୍ରିୟାରେ ବିଭ୍ରାଟ
ଅପରପକ୍ଷେ ଆଗକୁ ହେଉଥିବା ସରକାରୀ ଚାକିରିରେ ନିଯୁକ୍ତି ପ୍ରକ୍ରିୟାକୁ ସଂଶୋଧିତ କରିବା ଲାଗି ଏହା ଆହ୍ୱାନ ଦେଉଛି। ମୋହନ ସରକାର କ୍ଷମତାକୁ ଆସିବା ପରେ ଦେଢ଼ ଲକ୍ଷ ସରକାରୀ ଚାକିରିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମ ଦୁଇବର୍ଷରେ ୬୫ ହଜାର ଚାକିରି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ପ୍ରାୟ ପ୍ରତି ପରୀକ୍ଷା ଓ ଚାକିରିରେ ଅନିୟମିତତାର ଅଭିଯୋଗ ହେଉଛି। ସରକାରୀ ଅନୁଷ୍ଠାନ, ବ୍ୟବସ୍ଥାକୁ ପଙ୍ଗୁ କରି ଘରୋଇ ଏଜେନ୍ସିକୁ ବ୍ୟବସ୍ଥାରେ ଭର୍ତ୍ତି କରିବା ଏହାର କାରଣ ହେଉଛି। ଏଣୁ ଆବଶ୍ୟକ ରହିଛି ପୁଣିଥରେ ସରକାରୀ ବ୍ୟବସ୍ଥାକୁ ଅତ୍ୟାଧୁନୀକରଣ କରି ଦାୟିତ୍ୱ ସମ୍ପନ୍ନ ଆଚରଣ ଗ୍ରହଣ କରିବା। ନ ହେଲେ ଆଗକୁ ସେଇ ଦେଢ଼ ଲକ୍ଷ ଚାକିରି କେବଳ ବଜାରରେ ବିକ୍ରି ପାଇଁ ହିଁ ଉଦ୍ଦିଷ୍ଟ ହେବ, ସେହି ବ୍ୟବସ୍ଥାରେ ଯାହାକୁ ବିଜେଡି ସରକାର ସମୟରେ ମୁଳଦୁଆ ପକାଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
Also readhttps://purvapaksa.com/naveen-on-bijus-path/
