Uttam mohanty: ଜିଲ୍ଲାପାଳ ଓ ଡିସିପି ପ୍ରଦାନ କରିବେ ଶ୍ରଦ୍ଧାଞ୍ଜଳି
ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଯାଇଛନ୍ତି ଉତ୍ତମ। ଆଜି ଉତ୍ତମଙ୍କ ମରଶରୀର ଦିଲ୍ଲୀରୁ ଆସୁଥିବାବେଳେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ | ପ୍ରଯୋଜକ ରବୀନ୍ଦ୍ର ନାଥ ପଣ୍ଡା ଏନେଇ ସୂଚନା ଦେଇଛନ୍ତି | ସତ୍ୟନଗର ମଶାଣିରେ ଶେଷକୃତ୍ୟ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି | ଉଲ୍ଲେଖ ଥାଉ କି ଦିନ ୧୧ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ।
ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମରଶରୀରରେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଡିସିପି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ କୁହାଯାଇଛି ଯେ, ଶ୍ରୀ ମହାନ୍ତିଙ୍କ ମର ଶରୀରକୁ ଆଜି ନୂଆଦିଲ୍ଲୀର ହସ୍ପିଟାଲ୍ରୁ ଭୁବନେଶ୍ୱର ଅଣାଯିବ। ଭୁବନେଶ୍ୱର ବିମାନ ବନ୍ଦରରୁ ସତ୍ୟନଗର ଶ୍ମଶାନ ଯାଏ ତାଙ୍କ ମର ଶରୀରକୁ ପାଇଲଟ ଏସ୍କର୍ଟ ଦିଆଯିବ। ଶୋଭାଯାତ୍ରାରେ ତାଙ୍କୁ ଅଣାଯିବ। ଏଠାରେ ଅନ୍ତିମ ମର୍ଯ୍ୟାଦା ପ୍ରଦାନ କରାଯିବ।
ଏହି ସମୟରେ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମ ହେବା ସ୍ୱାଭାବିକ। ଏଣୁ ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଲ୍ଲେଖ ଥାଉ କି ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଗତ ୬ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଗୁରୁଗ୍ରାମ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଉତ୍ତମ ଚିରବିଦାୟ ନେଇଯାଇଛନ୍ତି।
previous article:https://purvapaksa.com/starting-with-aviman-ending-in-bidyarana/
