ଦେଶର ସମସ୍ତ ନଜର ଏବେ ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର କ୍ରମାଗତ ନବମ ବଜେଟ ହେବ ଯାହା ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖାଯାଉଛି ।ଦେଶର ଅର୍ଥନୀତିକୁ ଅଧିକ ଶକ୍ତିଶାଳୀ କରିବା, ମଧ୍ୟବର୍ଗ ଓ ବେତନଭୋଗୀଙ୍କ ଉପରୁ ଆର୍ଥିକ ଚାପ କମାଇବା ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଆଶା କରାଯାଉଛି।

ବେତନଭୋଗୀଙ୍କ ପାଇଁ ଆୟକର ରିହାତିର ଆଶା
ଏଥର ବଜେଟରେ ବେତନଭୋଗୀ ବର୍ଗ ପାଇଁ ଆୟକର ରିହାତି ମୁଖ୍ୟ ଆକର୍ଷଣ ହୋଇପାରେ । ବର୍ତ୍ତମାନ ନୂଆ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫ ହଜାର ଟଙ୍କା ରହିଛି। କିନ୍ତୁ ବଜେଟରେ ଏହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହା ହେଲେ ବେତନଭୋଗୀଙ୍କ ହାତକୁ ଅଧିକ ଟଙ୍କା ଆସିବ ଏବଂ ଖର୍ଚ୍ଚ କରିବାର ସମର୍ଥ୍ୟ ବୃଦ୍ଧି ପାଇବ।
ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଆକର୍ଷଣୀୟ କରିବାର ପ୍ରୟାସ
ସରକାର ନୂଆ ଆୟକର ବ୍ୟବସ୍ଥାକୁ ଅଧିକ ଲୋକପ୍ରିୟ କରିବା ପାଇଁ ହେଲଥ୍ ଇନସୁରାନ୍ସ ପ୍ରିମିୟମ ଓ ହୋମ୍ ଲୋନ୍ ସୁଧ ଉପରେ କିଛି ଅତିରିକ୍ତ ରିହାତି ଦେଇପାରନ୍ତି । ଯଦି ଏପରି ଘୋଷଣା ହୁଏ, ତେବେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ ବୋଲି ଅନୁମାନ କରାଯାଉଛି ।
ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ବଦଳ ଆଶା
ପୁରୁଣା ଆୟକର ବ୍ୟବସ୍ଥାରେ ଧାରା ୮୦C ଅଧୀନରେ ଥିବା ଦେଢ଼ ଲକ୍ଷ ଟଙ୍କାର ସୀମା ବହୁ ବର୍ଷ ଧରି ବଦଳିନାହିଁ। ମହଙ୍ଗାଇ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସୀମାକୁ ବଢ଼ାଇବାକୁ ମଧ୍ୟ ବେତନଭୋଗୀ ଓ ମଧ୍ୟବର୍ଗ ଆଶା ରଖିଛନ୍ତି।
ଶେୟାର ବଜାର ନିବେଶକଙ୍କ ପାଇଁ ଭଲ ଖବର?

ଶେୟାର ବଜାରରୁ ମିଳୁଥିବା ଦୀର୍ଘମ୍ୟାଦୀ ପୁଞ୍ଜିଲାଭ (LTCG) ଉପରେ ଟ୍ୟାକ୍ସ ମୁକ୍ତ ସୀମାକୁ ବର୍ତ୍ତମାନ ୧.୨୫ ଲକ୍ଷ ଟଙ୍କାରୁ ବଢ଼ାଇ ୨ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ ଲଗାଯାଉଛି। ଏହା ହେଲେ ଶେୟାର ବଜାରରେ ନିବେଶକଙ୍କ ଆଗ୍ରହ ଅଧିକ ବଢ଼ିପାରେ। ସମଗ୍ର ଭାବେ, ଆସନ୍ତାକାଲିର କେନ୍ଦ୍ର ବଜେଟରୁ ବେତନଭୋଗୀ, ମଧ୍ୟବର୍ଗ ଓ ନିବେଶକମାନେ ଅନେକ ଆଶା ରଖିଛନ୍ତି। ବଜେଟ ଘୋଷଣା ପରେ ଏହି ଆଶା କେତେ ମାତ୍ରାରେ ପୂରଣ ହୁଏ, ସେଥିପାଇଁ ସମସ୍ତେ ଅପେକ୍ଷାରେ ରହିଛନ୍ତି।
also read https://purvapaksa.com/gold-rate-5/
Gold rate ।। ସୁନା ଓ ରୁପା ରେକର୍ଡ ପରେ ଦର କମିଲା, ଜାଣନ୍ତୁ ଆଜି କେତେ କମିଛି ?


