ରଥଯାତ୍ରାର ଗହଳି ଚହଳି ଭିତରେ ଆଜି ଆସନ୍ତୁ୧୯୦୨ ମସିହାର ରଥଯାତ୍ରାକୁ ଯିବା । ସେ ବର୍ଷ ଏମିତି ଘଟଣା ଘଟିଥିଲା ଯାହା ଆଜି ଯାଏ ବିରଳ ହୋଇ ରହିଛି, ପୁଣି ଏକ ବିବାଦ, ଅସନ୍ତୋଷ ପାଇଁ ଏ ବିବାଦ ଗଜପତି ମହାରାଜା ଓ ପୁଲିସ ପ୍ରଶାସନ ଭିତରେ ହୋଇଥିଲା । ଆଉ ଶ୍ରୀଜଗନ୍ନାଥଙ୍କୁ ଦେଢ଼ମାସ ଶ୍ରୀମନ୍ଦିର ବାହାରେ ରହିବାକୁ ପଡ଼ିଥିଲା। ସେ ବିଷୟର ପୃଷ୍ଠଭୂମି ଉପରେ ଆଜିର ବିଷୟ ।
୧୯୦୨ ମସିହାର କଥା, ଗୁଣ୍ଡିଚା ଉତ୍ସବ ଜୁଲାଇ ମାସ ୬ତାରିଖରେ ପଡ଼ିଥିଲା । ପ୍ରଥମ ଥର ପାଇଁ ହାୱଡ଼ାଠାରୁ ପୁରୀ ସିଧା ରେଳ ଚାଲିବାରୁ ବଙ୍ଗୀୟ ଯାତ୍ରୀଙ୍କ ଏବର୍ଷ ପୁରା ଭିଡ଼ ଦେଖାଯାଇଥିଲା । ସେତେବେଳର ରିପୋର୍ଟ ଅନୁସାରେ ରେଳ ବିଭାଗ ପକ୍ଷରୁ ଏହି ରୁଟରେ ଦିନକୁ ୧୬ ଥର ଟ୍ରେନ୍ ପୁରୀରୁ ଛାଡ଼ିବାର ବ୍ୟବସ୍ଥା ହୋଇଥିଲା । ଅର୍ଥାତ୍ ଦୂର ଯାତ୍ରୀଙ୍କ ଯା’ଆସରେ କିଛି ବି ଅସୁବିଧା ହୋଇନଥିଲା । କିନ୍ତୁ ଭକ୍ତଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପୁରୀର ପ୍ରଶାସନ ଏବଂ ମନ୍ଦିର ପରିଚାଳନା ତଥା ରାଜା ସଫଳ ହୋଇନଥିଲେ । ପୁଣି ପୂର୍ବରୁ ରାଜାଙ୍କ ଉପରେ ଇଂରେଜ ଅଧିକାରୀମାନେ କ୍ଷୁବ୍ଧ ହୋଇ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଯୁକ୍ତି ଦେଇଥିବାରୁ ଅସନ୍ତୋଷ ବ୍ୟାପକ ହୋଇଥିଲା । ଏହି ମାମଲା କୋର୍ଟରେ ଚାଲିଥିଲା । ଏହା ଅକ୍ଟୋବର୍ ୧୯୦୧ ମସିହା କଥା, ଇଂରେଜମାନଙ୍କ ଏହି ହସ୍ତକ୍ଷେପର କାରଣ ଥିଲା ରାଜାଙ୍କ ଅୟାସୀ ଓ ଅବହେଳା । ସେତେବେଳେ ତୃତୀୟ ମୁକୁନ୍ଦ ଦେବ ଗଜପତି ମହାରାଜାଭାବେ ପରିଚତ ଥିଲେ । ଅପୁତ୍ରିକ ମୁକୁନ୍ଦ ଦେବ ସୁରା ଓ ସାକୀରେ ବୁଡ଼ିଥିଲେ ଯେ ସେ ମନ୍ଦିର ପରିଚାଳନାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ରାଣୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଉନଥିବାରୁ ଓକିଲ ମଧୁବାବୁ ଏ ମାମଲାରେ ହସ୍ତକ୍ଷେପ ପାଇଁ ଇଂରେଜ ସରକାରଙ୍କୁ ଅନୁରୋଧ କରିଥିଲେ ।
ଏହି ପରିସ୍ଥିତିରେ ରଥ କାର୍ଯ୍ୟ ବେଶ୍ ଅବହେଳିତ ହୋଇଥିଲା । ନବଯୌବନ ବେଶ ନ ହୋଇପାରିବାରୁ ଯାତ୍ରୀମାନେ ବେଶ୍ ହାତାଶ ହୋଇଥିଲେ । ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲେ ମଧ୍ୟ ପୁଲିସ ପ୍ରଶାସନ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନଥିଲେ । ସେପଟେ ରଥ କାର୍ଯ୍ୟ ବିଳମ୍ବ ହେବାରୁ ଯାତ୍ରା ବାଧାପ୍ରାପ୍ତ ହେଲା । ବିଳମ୍ବରେ ଗୁଣ୍ଡିଚାଘରେ ରଥ ପହଞ୍ଚିଥିଲା । ହେଲେ କୌଣସି କାରଣ ନ ଥାଇ ଠାକୁରଙ୍କୁ ବାହୁଡ଼ିବାକୁ ଦିଆଯାଇନଥିଲା । ଫଳରେ ଶ୍ରୀଜୀଉ ସିଂହାସନରୁ ଓହ୍ଲାଇ ଜଗମୋହନରେ ଅନେକ ଦିନକାଳ ପଡ଼ି ରହିଲେ । ଏପରିକି ନା ଚିତାଲାଗି ଠିକଣା ସ୍ଥାନରେ ଅନୁଷ୍ଠିତ ହେଲା । ଖାଲି ବିଧି ତୁଲାଇବାକୁ ଯାହା ସେବାୟତମାନେ ଉଦ୍ୟମ କରିଥିଲେ । ଗୁଣ୍ଡିଚାମନ୍ଦିରର ଜଗମୋହନରେ ପୂର୍ବରୁ କେବେ ଚିତାଲାଗି ହେବାର ଦେଖାଯାଇନଥିଲା।
ଏନେଇ ବଙ୍ଗଳା ଓ ଇଂରାଜୀ ଖବରକାଗଜରେ ଅନେକ ସମାଲୋଚନାମୂଳକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଅନେକ ଦିନ ପରେ ରଥ ଦକ୍ଷିଣ ମୋଡ଼ ହେଲା । ଏହି ସମୟରେ ଜଗନ୍ନାଥଙ୍କ ରଥର ଦୁଇଚକ ଭାଙ୍ଗିଗଲା। ସେହିପରି ଅନେକ ଦିନ ରଥ ବାହାରେ ପଡ଼ିବାରୁ ବର୍ଷାରେ ଭିଜି ଦଉଡ଼ିସବୁ ଦୁର୍ବଳ ହୋଇ ଛିଡ଼ିବାରେ ଲାଗିଲା । ଯାହାକୁ ଦେଖି ରାଜା ନୂଆ ଦଉଡ଼ି ପାଇଁ ଆଦେଶ ଦେଲେ । ବାହୁଡ଼ା ପରଦିନଠାରୁ ୫ଶହ ବେଠିଆଙ୍କୁ ରାଜାଙ୍କ ପକ୍ଷରୁ ନିୟୋଜିତ କରାଯାଇ ଦଉଡ଼ି ବଳାଗଲା । ସେମାନେ ଦିନକୁ ୩ ଅଣା ଲେଖାଁ ମଜୁରି ନେଇଥିଲେ। ଏସବୁ ସରିବା ପରେ ଇଞ୍ଜିନିୟର୍ ସାର୍ଟିଫିକେଟ୍ ଦେଲାପରେ ରଥଟଣା ହେଲା। ନିଳାଦ୍ରୀ ବିଜୟ ହେଲା ଗହ୍ମା ପୂର୍ଣ୍ଣମୀ ପୂର୍ବଦିନ । ଏତେଦିନ ଯାଏଁ ଠାକୁର ବାହାରେ ରହିବା କେତେବେଳେ ଦେଖା ଯାଇନଥିଲା । ଏନେଇ ସମସ୍ତେ ଗଜପତି ମହାରାଜାଙ୍କୁ ଦାୟୀ କରିଥିଲେ।
ALSO READ https://purvapaksa.com/rained-down-from-the-sky-on-the-lord-of-the-universe/
