“ଥିଲେ ପୁଅ, ହେଲେ ଝିଅ” — ଏହି କଥାଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ସମୀରା ନାୟକ । ଜନ୍ମରୁ ସମୀର ନାୟକ ଭାବେ ପରିଚିତ ଥିବା ସମୀରା ଆଜି ଜଣେ ସଫଳ ଟ୍ରାନ୍ସ ଓମେନ୍, ଚିତ୍ରଶିଳ୍ପୀ ଓ ଅତିଥି ଅଧ୍ୟାପିକା ଭାବେ ପରିଚିତ । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ସମୀର ନାୟକ ଶୈଶବକାଳରୁ ନିଜ ମନ ଭିତରେ ଜଣେ ଝିଅର ଅସ୍ତିତ୍ୱକୁ ଅନୁଭବ କରୁଥିଲେ । ଯଦିଓ ଦେହର ଗଠନ ପୁଅ ପରି ଥିଲା, ତଥାପି ତାଙ୍କ ଆଚରଣ, ଭାବଭଙ୍ଗୀ, ରୁଚି ଓ ମନୋଭାବ ସବୁବେଳେ ଜଣେ ଝିଅ ପରି ଥିଲା। ବୟସ ବଢ଼ିବା ସହ ଏହି ମନୋଦ୍ୱନ୍ଦ୍ୱ ଆହୁରି ଗଭୀର ହୋଇଥିଲା।

ଖଲ୍ଲିକୋଟରେ ଦଶମ ଶ୍ରେଣୀ ପାସ୍ କରିବା ପରେ ସେ ଆର.ସି.ଏମ୍ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ସମାପ୍ତ କରିଥିଲେ। ପରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ ଚିତ୍ରକଳା ବିଭାଗରେ ନାମ ଲେଖାଇ ଦୀର୍ଘ ୪ ବର୍ଷ ଧରି ଚିତ୍ରକଳାରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ଭିତରେ ଲୁଚି ରହିଥିବା ଝିଅ ଗୁଣକୁ ସମାଜ ସାମ୍ନାରେ ଆଣିବା ପାଇଁ ସେ ସାହସ ଜମା କରିଥିଲେ।
ଗ୍ରାଜୁଏସନ ସମୟରେ ସେ ପରିବାରକୁ ନିଜର ପରିଚୟ ସମ୍ପର୍କରେ କହିଥିଲେ । କିନ୍ତୁ ସମାଜର ଟାହି-ଟାପରା ଭୟରେ ପରିବାର ଆରମ୍ଭରେ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିପାରିନଥିଲେ। ତଥାପି ସମସ୍ତ ମାନସିକ ଚାପ, ସମାଲୋଚନା ଓ ଯନ୍ତ୍ରଣାକୁ ଆଡେଇ ସମୀର ନିଜ ସ୍ୱପ୍ନରୁ ପଛାଇ ନଥିଲେ । ୨୦୨୪ ମସିହାରେ ସେ ଓଡ଼ିଶା ବାହାରକୁ ଯାଇ ହରମୋନ୍ ଥେରାପି ଆରମ୍ଭ କରିଥିଲେ । ଏହା ସଫଳ ହେବା ପରେ ୨୦୨୫ ମସିହା ନଭେମ୍ବରରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ସମ୍ପୂର୍ଣ୍ଣ ଭାବେ ଜଣେ ନାରୀ ଭାବେ ସମୀରା ନାୟକ ରୂପେ ଖଲ୍ଲିକୋଟ ଫେରିଥିଲେ।
ଗତ ୬ ମାସ ହେବ ସମୀରା ନିଜେ ପାଠ ପଢ଼ିଥିବା ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ପାଇଛନ୍ତି । ଶରୀର ସମ୍ପୂର୍ଣ୍ଣ ସୁସ୍ଥ ନହୋଇଥିଲେ ମଧ୍ୟ ସେ ନିଜର ଶିକ୍ଷାଦାନ କାର୍ଯ୍ୟ ନିଷ୍ଠାର ସହ ଜାରି ରଖିଛନ୍ତି । ପୂର୍ବରୁ ‘ସମୀର ଭାଇ’ ବୋଲି ଡାକୁଥିବା ଛାତ୍ରଛାତ୍ରୀମାନେ ଆଜି ଗର୍ବର ସହ ‘ସମୀରା ମ୍ୟାଡମ୍’ ବୋଲି ଡାକୁଛନ୍ତି । ସମୀରାଙ୍କ କଳାଜ୍ଞାନ, ପାଠ ପଢ଼ା ଶୈଳୀ ଓ ଦୃଢ଼ ମନୋବଳକୁ ନେଇ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରଶଂସା କରୁଛନ୍ତି । ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଚିତ୍ରଶିଳ୍ପୀ ଭାବେ ପରିଚିତ ସମୀରା ଭବିଷ୍ୟତରେ କଳା କ୍ଷେତ୍ରରେ ଅନେକ କିଛି କରିବେ ବୋଲି ଆଶା ବ୍ୟକ୍ତ କରାଯାଉଛି ।
also read https://purvapaksa.com/om-birla/


