ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କୁ ପ୍ରଖର ଖରାରୁ ରକ୍ଷା କରିବା ଏବଂ ଅକ୍ଷୟ ଶକ୍ତି ଉତ୍ସରୁ ସହରର ଭିତ୍ତିଭୂମିର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରକୁ ଖୁବ୍ଶୀଘ୍ର ପ୍ରମୁଖ ଟ୍ରାଫିକ୍ ଛକରେ ସୋଲାର ସେଡ୍ ମିଳିବ।
ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା)କୁ ପ୍ରସ୍ତାବ ଦିଆଯାଇଛି।
ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ପ୍ରଥମେ ଦୁଇଟି ପ୍ରମୁଖ ଟ୍ରାଫିକ୍ ଛକ ଏଜି ଛକ ଓ କଳିଙ୍ଗ ହସ୍ପିଟାଲ ଛକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏହାର ସଫଳତା ଅନୁଧ୍ୟାନ କରିବା ପରେ ସହରର ଅନ୍ୟ ଟ୍ରାଫିକ୍ ଛକରେ ଏହି ସେଡ୍ ସ୍ଥାପନ କରାଯିବ।
ଶ୍ରୀମତୀ ଦାସ କହିଛନ୍ତି ଯେ ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କୁ ପ୍ରବଳ ଖରାରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ଟ୍ରାଫିକ୍ ଛକରେ ଅସ୍ଥାୟୀ ସେଡ୍ ସ୍ଥାପନ କରାଯାଇଥିଲା। ଏହି ପଦକ୍ଷେପ ପାଇଁ ନାଗରିକ ସଂସ୍ଥାକୁ ବ୍ୟାପକ ପ୍ରଶଂସା କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତିବର୍ଷ ଅସ୍ଥାୟୀ ଢାଞ୍ଚା ସ୍ଥାପନ ପାଇଁ ହେଉଥିବା ଅନାବଶ୍ୟକ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ଆମେ ସୋଲାର ସେଡ୍ କରିବାକୁ ନିଷ୍ପତ୍ତି ନେଇଛୁ।
ଏକକାଳୀନ ବିନିଯୋଗରେ ଏହି ସେଡ୍ଗୁଡ଼ିକ ସ୍ଥାୟୀ ଢାଞ୍ଚା ହେବ। ଖରାରୁ ଯାତ୍ରୀଙ୍କୁ ଆଶ୍ରୟ ଦେବା ସହ ଛାତ ଉପରେ ସୋଲାର ପ୍ୟାନେଲ ଲାଗିଥିବା ସେଡ୍ଗୁଡ଼ିକ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ଏବଂ ଅନ୍ୟାନ୍ୟ ଶକ୍ତି ଭିତ୍ତିଭୂମିକୁ ବିଦ୍ୟୁତ୍ ଯୋଗାଣ କରିବ ବୋଲି ମେୟର କହିଛନ୍ତି।
ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରବଳ ପବନର ମୁକାବିଲା କରିବା ପାଇଁ ସେହ୍ଗୁଡ଼ିକୁ ଜଳବାୟୁ ସହନଶୀଳ କରାଯିବ। ଏହାବ୍ୟତୀତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ପ୍ରଭାବିତ ନ କରିବା ଭଳି ଏହି ଢାଞ୍ଚାଗୁଡ଼ିକର ଯୋଜନା କରାଯିବ।
ରାଜ୍ୟ ରାଜଧାନୀ ପାଇଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ (ଏମ୍ଏନ୍ଆରଇ)ଦ୍ୱାରା ପରିକଳ୍ପିତ ‘ଗ୍ରୀନ୍ ଏନର୍ଜି ଆଣ୍ଡ ସୋଲାର ସିଟି’ ଯୋଜନା ଅନୁଯାୟୀ ଏହି ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି। ବିଏମସି ସହ ସମନ୍ୱୟ ରକ୍ଷା କରି ଓରେଡା ଓ ଟିପିସିଓଡିଏଲ୍ ପକ୍ଷରୁ ପ୍ରାୟ ୪୨ଟି ସଡ଼କ ନେଟୱାର୍କକୁ ଚିହ୍ନଟ କରାଯାଇଛି, ଯେଉଁଠାରେ ପର୍ଯ୍ୟାୟକ୍ରମେ ଷ୍ଟ୍ରିଟ୍ ଲାଇଟ୍ର ସୌର ଶକ୍ତି ସଂଯୋଗ କରାଯିବ।
