ଏବେ ମୁକ୍ତାକାଶର ବିହଙ୍ଗ
ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍’କୁ ଖୁଆଡ଼ରୁ ବାହାର କରାଯାଇ ଜଙ୍ଗଲରେ ଛାଡ଼ିଛି ବନ ବିଭାଗ। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି। ରାତି ପ୍ରାୟ ୯ଟା ୩୦ରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ ସୂଚନା ଦେଇଛନ୍ତି। ଜଙ୍ଗଲରେ ତାକୁ ୩ଟି ଟିମ ୨୪ ଘଣ୍ଟିଆ ମନିଟରିଂ କରିବେ । ଗତ ୧୩ ତାରିଖରେ ମହାରାଷ୍ଟ୍ରର ତାଡବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ (ଟିଏଟିଆର)ରୁ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା।
ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଆଣିଥିଲେ। ଶିମିଳିପାଳରେ ଗତ ୧୪ ତାରିଖ ସନ୍ଧ୍ୟାରେ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ ତାକୁ ଖୁଆଡ଼ାରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ଖୁଆଡ଼ରେ ଏକ ଘୁଷୁରୀକୁ ଶିକାର କରି ଖାଇଥିଲା ଜିନତ। ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନ୍ଟିସିଏ ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ବାଘୁଣୀ ଜିନତ ଓ ଯମୁନାକୁଙ୍କୁ ଅଣା ଯାଇଛି। ଗତ ଅକ୍ଟୋବର ୨୮ ତାରିଖରେ ଓଡ଼ିଶା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଅଢ଼େଇ ବର୍ଷର ବାଘୁଣୀ ଯମୁନାକୁ ଟିଏଟିଆରରୁ ଶିମିଳିପାଳ ଆଣିଥିଲେ। କିଛି ଦିନ ତଳେ ସେ ଏକ ଏନକ୍ଲୋଜରରେ ରହିବା ପରେ ତାଙ୍କୁ ଶିମିଳିପାଳକୋର ଅଞ୍ଚଳକୁ ଛାଡ଼ି ଦିଆଯାଇଥିଲା।
ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବା ବେଳେ ସେଥି ମଧ୍ୟରୁ ୧୫ଟି ହେଉଛନ୍ତି କଳା ବାଘ। ଏ ସବୁ ବାଘଙ୍କ ରଙ୍ଗ କଳା ହେବାର କାରଣ ଜିନଗତ ସମସ୍ୟା ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଗୋଟିଏ ଗୋଷ୍ଠୀ ମଧ୍ୟରେ ପ୍ରଜନନ ପ୍ରକ୍ରିୟା ହେଉଥିବା ଯୋଗୁ ବାଘ ବଂଶରେ ଜେନେଟିକ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଥିପାଇଁ ବାହାର ରାଜ୍ୟରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି।
ଫଳରେ ଏଠାରେ ଥିବା କଳା ବାଘଙ୍କୁ ନୂଆ ସାଥି ମିଳିବେ। ଭବିଷ୍ୟତରେ ଶିମିଳିପାଳରେ ଆଉ ବାଘ ବଂଶରେ ଜେନେଟିକ ସମସ୍ୟା ଦେଖାଯିବନି ବୋଲି ଆଶା ରହିଛି। ଏହାବାଦ ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟପ୍ରଦେଶରୁ ଗୋଟିଏ ପୁରୁଷ ଓ ଦୁଇଟି ମାଈ ସମେତ ଆଉ ୩ଟି ବାଘ ଆଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।
previous article: https://purvapaksa.com/uncontrol-sambhal-violence-3-dead/
