ଭୁବନେଶ୍ୱରରେ ବହୁଆକାଂକ୍ଷିତ ମେଟ୍ରୋ ରେଳ ଚଳାଚଳର ସ୍ୱପ୍ନ ଆପାତତଃ ମଉଳି ଯାଇଛି । ପୂର୍ବ ବିଜେଡି ସରକାର ଅମଳରେ ଏଥିପାଇଁ ହୋଇଥିବା ଟେଣ୍ଡର ଏବେ ବାତିଲ୍ ହେବା ପରେ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଟେଣ୍ଡର ବାତିଲ୍ ପଛର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନଥିଲେ ମଧ୍ୟ ସରକାରୀ ଦଳକୁ ଛାଡ଼ି ପ୍ରାୟତଃ ସବୁଆଡ଼େ ଅସନ୍ତୋଷ ଓ ସମାଲୋଚନାର ସ୍ଵର ଶୁଣିବାକୁ ମିଳୁଛି ।
ନୂଆ ଡିପିଆର ଚୂଡ଼ାନ୍ତ ହେବା ଏବଂ ସାନି ଟେଣ୍ଡର ଏକ ସହଜ ପ୍ରକ୍ରିୟା ନୁହେଁ । ତା’ଛଡ଼ା ମେଟ୍ରୋ ଟ୍ରେନ୍ର ପରିବର୍ଜିତ ରୂପରେଖକୁ ନେଇ ମନ୍ତ୍ରୀପରିଷଦର ସଦସ୍ୟମାନେ ବିଭିନ୍ନ ସମୟରେ ଦେଇଥିବା ବିବୃତ୍ତିରେ ତାଳମେଳ ରହୁ ନଥିବାରୁ ଏହି ପ୍ରକଳ୍ପ ଯେ ନିକଟ ଭବିଷ୍ୟତରେ ଆରମ୍ଭ ହେବାର ନାହିଁ ତାହା ଅନୁମାନ କରାଯାଇଛି ।
ମେଟ୍ରୋ ରେଳପ୍ରକଳ୍ପ ଆଉ ବିଳାସ ହୋଇ ରହିନାହିଁ । ବରଂ କ୍ରମବର୍ଦ୍ଧିଷ୍ଣୁ ମହାନଗର ସମୂହର ଗଣପରିବହନ ଆବଶ୍ୟକତାକୁ ପୂରଣ କରିବାରେ ଅପରିହାର୍ଯ୍ୟ ହୋଇପଡ଼ିଛି । ଏପରିକି ମେଟ୍ରୋ ରେଳ ଏବେ ସହରାଞ୍ଚଳରେ ସବୁଠୁ ଲୋକପ୍ରିୟ ଗଣପରିବହନ ଏବଂ ତ୍ଵରିତ ଗମନାଗମନର ମାଧ୍ୟମ ପାଲଟିଛି । କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ବିପୁଳ ଅର୍ଥ ଓ ବୈଷୟିକ ଜ୍ଞାନକୌଶଳ ସହାୟତା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଉଛନ୍ତି | ସମ୍ପ୍ରତି ଦେଶର ୧୨ଟି ପ୍ରମୁଖ ସହରରେ ୬ ୬୦ କିମି ମେଟ୍ରୋ ରେଳପଥରେ ଟ୍ରେନ୍ ଚଳାଚଳ କରୁଛି । ଏହାବାଦ୍ ଅନ୍ୟ ୧୫ଟି ସହରରେ ୫୦୦ କିମି ମେଟ୍ରୋ ଲାଇନ୍ ନିର୍ମାଣାଧୀନ ଅଛି ।
କଟକ-ଭୁବନେଶ୍ବର ଦ୍ଵୈତନଗରୀ ଜନସଂଖ୍ୟା ଏବେ ୨୦ ଲକ୍ଷରେ ପହଞ୍ଚିଥିବା ବେଳେ ଆଇଆଇଟି ଖଡ଼ଗପୁର ରିପୋର୍ଟ ଅନୁସାରେ ଚୌଦ୍ୱାର-କଟକ- ଭୁବନେଶ୍ୱର-ଜଟଣୀ-ପିପିଲିକୁ ନେଇ ପରିକଳ୍ପିତ ବୃହତ୍ ସହରାଞ୍ଚଳର ଜନସଂଖ୍ୟା ୨୦୫୦ ବେଳକୁ ୧ କୋଟି ଟପିବ । ତେଣୁ ଏବେଠାରୁ ଗଣପରିବହନ ବ୍ୟବସ୍ଥାକୁ ସୁସଂହିତ, ସୁଗମ ଓ ସୁଦୃଢ଼ ନ କଲେ ଆଉ ୨୫/୩୦ ବର୍ଷ ପରେ ପରିସ୍ଥିତି ଜଟିଳ ହେବ । ଏହି ପୃଷ୍ଠଭୂମିରେ ମେଟ୍ରୋରେଳ ଜନସାଧାରଣଙ୍କ ପାଇଁ ଯେ ଏକ ଚରମ ଆବଶ୍ୟକତା ଏହାକୁ ହୃଦୟଙ୍ଗମ କରି ଏକ ଦୂରଦୃଷ୍ଟି ସମ୍ପନ୍ନ ଦୃଷ୍ଟିକୋଣ ନେଇ ନବୀନ ପଟ୍ଟନାୟଙ୍କ ସରକାର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ କରିଥିଲେ I ଦୀର୍ଘବର୍ଷ ଧରି କେନ୍ଦ୍ର ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ ନ କରିବାରୁ ଓଡ଼ିଶା ସରକାର ନିଜସ୍ଵ ଖର୍ଚ୍ଚରେ ଏଭଳି ଏକ ସାହସିକ ପଦକ୍ଷେପ ନେଇଥିଲେ ।
ମୋଟ୍ ୬୨୫୫ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪, ଜାନୁଆରୀ ୧ ତାରିଖରେ କଟକ ଉପକଣ୍ଠ ଋଣଗଡ଼ଠାରେ କରିଥିଲେ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମୋଟ୍ ୨୬ କିମି ଦୈର୍ଘ୍ୟବିଶିଷ୍ଟ ଏହି ମେଟ୍ରୋପଥ ଚାରିବର୍ଷରେ ସମ୍ପୂର୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ଭୁବନେଶ୍ବର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା କ୍ୟାପିଟାଲ୍ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆଛକ ସମେତ ୨୦ଟି ଷ୍ଟେସନ ରହିବ ବୋଲି ଯୋଜନା ହୋଇଥିଲା । ପ୍ରଥମ ପର୍ଯ୍ୟାୟ କାମ ପାଇଁ ମୋଟ ୫୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଇଥିଲା । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ବର ମେଟ୍ରୋ ରେଳ ନିଗମ ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ଦିଲ୍ଲୀ ମେଟ୍ରୋ ନିଗମ ଆବଶ୍ୟକ ବୈଷୟିକ ପରାମର୍ଶ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ମେଟ୍ରୋ ରେଳପଥ କଟକ ଓ ପୁରୀ ଦିଗକୁ ସଂପ୍ରସାରିତ ହେବାର ଯୋଜନା ରଖାଯାଇଥିଲା। ତ୍ରିଶୂଳିଆକୁ ଏହି ମେଟ୍ରୋ ଟ୍ରେନ୍ର ପ୍ରବେଶ ପଥ ବା ମୁଖ୍ୟ ଟର୍ମିନାଲ୍ ଭାବେ ବ୍ୟବହାର କରିବାର ଉଦ୍ଦେଶ୍ୟ ଥିଲା – ବାଙ୍କୀ ଓ ଆଠଗଡ଼ ଦିଗକୁ ବଢୁଥିବା ଦୈତ ମହାନଗରୀର ଗମନାଗମନ ଆବଶ୍ୟକତା ପୂରଣ କରିବା। କିନ୍ତୁ ଏବେ ଟେଣ୍ଡର ବାତିଲ୍ ହୋଇଥିବାରୁ ଉପରୋକ୍ତ ସଂସ୍ଥାମାନେ ଯେ ପୁଣି ଓଡ଼ିଶା ପ୍ରକଳ୍ପ ପାଇଁ ଆଗ୍ରହୀ ହେବେ ସେ ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ।
ଇତିମଧ୍ୟରେ ବୈଷୟିକ ଜ୍ଞାନକୌଶଳରେ ବିକାଶ ଫଳରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଭୂମିତଳ ସୁଡ଼ଙ୍ଗ ଆଉ ଅପରିହାର୍ଯ୍ୟ ହୋଇ ରହିନାହିଁ । ଦେଶର ପ୍ରମୁଖ ବୃହତ୍ ସହରମାନଙ୍କରେ ସଡ଼କ ଉପରେ ଉଚ୍ଚ ଭାୟାଡକ୍ଟ ବା ସେତୁ ଉପରେ ରେଳ ଲାଇନ୍ ନିର୍ମାଣ ହେଉଛି। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ଏହି ପ୍ରକଳ୍ପ ମାଟି ତଳେ କରାଯିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି । ଟେଣ୍ଡର ବାତିଲ୍ ହେବା ପଛରେ ଏହା ଆଉ ଏକ କାରଣ ବୋଲି ଜଣାପଡ଼ିଛି । ଯେଉଁ ସରକାର ସମୟର ଆହ୍ବାନକୁ ବୁଝିପାରେ ନାହିଁ, ତାହାର ଦୂରଦୃଷ୍ଟିର ଅଭାବ ରହେ । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ କହିଛନ୍ତି ଯେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଟେଣ୍ଡର ବାତିଲ୍ ହେବା ପରେ ଓଡ଼ିଶା ୧୦ ବର୍ଷ ପଛକୁ ଚାଲିଯାଇଛି।
ବିଶେଷଜ୍ଞ ମହଳରେ ଏବେ ଆଲୋଚନା ହେଉଛି ସେ ଡିପିଆରରେ କିଛି ତ୍ରୁଟିବିଚ୍ୟୁତି ଥିଲେ ତାହାକୁ ସଂଶୋଧନ କରା ଯାଇପାରିଥା’ନ୍ତା । କିନ୍ତୁ ଟେଣ୍ଟର ବାତିଲ୍ ଯଦି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥାଏ ଏବଂ ପ୍ରକଳ୍ପର ଶ୍ରେୟ ବିଜେଡି ସରକର ନେଇଯିବାର ଭୟ ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାରଙ୍କୁ ଘାରିଥାଏ ତେବେ ଜନମାନସରେ ସରକାର ନିନ୍ଦିତ ହେବା ହିଁ ସାର ହେବ ।
ମେଟ୍ରୋ ଚଳାଚଳ ପାଇଁ ଡବଲ୍ ଇଞ୍ଜିନ୍ ଦକ୍ଷତା, କ୍ଷମତା ଓ ଆନ୍ତରିକତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଲାଣି। ସାନି ଡିପିଆର ପ୍ରସ୍ତୁତ ପରେ ତୁରନ୍ତ ଟେଣ୍ଡର ଚୂଡ଼ାନ୍ତ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ । ଏହାଦ୍ଵାରା ବରଂ ସରକାର ଅପବାଦରୁ ମୁକ୍ତି ପାଇବେ । ସର୍ବୋପରି କିଛିଟା ବିଳମ୍ବ ହେଲେ ମଧ୍ୟ ସ୍ୱାଧୀନ ଭାରତର ଯୁଗ୍ମପ୍ରଥମ ଯୋଜନାବଦ୍ଧ ରାଜଧାନୀ ସହର ଭୁବନେଶ୍ୱର ମେଟ୍ରୋ ରେଳ ସେବା ମଣ୍ଡିତ ହେଉ ଏହା ହିଁ ଆଶା କରିବା କଥା।
