ହିନ୍ଦୁ ଦେବାଦେବୀଙ୍କର ବାହନ ରହିଛି । ଦେବୀ ଦୁର୍ଗାଙ୍କର ଯଦି ବାହାନ ସିଂହ ତେବେ ଦେବୀ ସରସ୍ୱତୀଙ୍କ ବାହନ ହେଉଛି ହଂସ । କିନ୍ତୁ ଏଭଳି ଦୁଇ ଦେବୀ ଅଛନ୍ତି,ଯାହାଙ୍କ ବାହାନ ହେଉଛି ଗଧ । ଭାରତୀୟ ସଂସ୍କୃତି ଅନୁସାରେ, ଦେବୀମାନଙ୍କର ଏହି ବାହନ ଆଶ୍ଚର୍ଯ୍ୟଜନକ ମନେ ହୁଏ, କିନ୍ତୁ ଗଧକୁ ସେମାନେ ନିଜର ବାହନ କାହିଁକି ବାଛିଲେ, ଏହା ପଛରେ ଏକ କାହାଣୀ ଓ ପ୍ରତୀକ ରହିଛି। ହାଡଫୁଟି ଓ ମିଳିମିଳା ଭଳି ରୋଗରୁ ମୁକ୍ତି ଦେଉଥିବା ଦେବୀ ଶୀତଳା ମାତାଙ୍କର ବାହନ ହେଉଛି ଗଧ, ଆଉ ନବରାତ୍ରୀରେ ପୂଜା କରାଯାଉଥିବା ଦେବୀ କାଳରାତ୍ରିଙ୍କର ବାହନ ମଧ୍ୟ ଗଧ। ଗ୍ରୀକୋ-ରୋମାନ ଓ ଏସୀୟ ଲୋକକଥାରେ ଗଧକୁ ହଠ ଓ ମୂର୍ଖତାର ପ୍ରତୀକ ଭାବେ ଜଣାଯାଏ, କିନ୍ତୁ ଖ୍ରୀଷ୍ଟିଆନ, ଇହୁଦୀ ଓ ଇସଲାମ ଧର୍ମରେ ଏହାକୁ ଅତ୍ୟନ୍ତ ସକାରାତ୍ମକ ଓ ସମ୍ମାନଜନକ ସ୍ଥାନ ମିଳିଛି।
ଖ୍ରୀଷ୍ଟ ଧର୍ମରେ ଗଧ ନମ୍ରତା, ସେବା ଓ ଶାନ୍ତିର ପ୍ରତୀକ। ଯୀଶୁ ଖ୍ରୀଷ୍ଟ ଯେରୁଜେଲମରେ ଗଧ ଉପରେ ଚଢ଼ି ପହଞ୍ଚିଥିଲେ। ବାଇବେଲରେ ଗଧକୁ ପରିଶ୍ରମୀ ଓ ବିଶ୍ୱସନୀୟ ପଶୁ ଭାବେ ଦର୍ଶାଯାଇଛି। ଇହୁଦୀ ଧର୍ମରେ ଏହା ବୁଦ୍ଧିମାନ ପ୍ରାଣୀ ଭାବେ ଦେଖାଯାଏ। କିନ୍ତୁ ଭାରତ ଓ ପାଶ୍ଚତ୍ୟ ଦେଶରେ ଗଧକୁ “ବୋଝ ବୋହୁଥିବା ମୂର୍ଖ”ର ପ୍ରତୀକ ଭାବେ ଗଣାଯାଏ। ହୋମର ଓ ଈସୋପଙ୍କ କାହାଣୀରେ ଗଧକୁ ସାଧାରଣତଃ ଅଳସୁଆ, ଜିଦିଆ, ମୂର୍ଖ ଓ ନିମ୍ନ ଶ୍ରେଣୀର ପ୍ରତୀକ ଭାବେ ବିବେଚନା କରାଯାଇଥିଲା।
ଗଧ ରୋଗ ପ୍ରତିରୋଧକ ଶକ୍ତିର ପ୍ରତୀକ
ଏବେ ଆମେ ଆପଣଙ୍କୁ କହିବୁ କାହିଁକି ଶୀତଳା ମାତା ଗଧକୁ ନିଜର ବାହନ କଲେ। ଏହା ପଛରେ ଏକ କାରଣ ଓ ଏକ କାହାଣୀ ରହିଛି। ଶୀତଳା ମାତାଙ୍କୁ ହାଡ଼ଫୁଟି,ମିଳିମିଳା ଭଳି ରୋଗରୁ ମୁକ୍ତି ଦେଉଥିବା ଦେବୀ ବୋଲି ବିବେଚନା କରାଯାଏ। ସେ ଗଧକୁ ନିଜର ବାହନ କରିଥିଲେ କାରଣ ସେମାନଙ୍କୁ ଧୈର୍ଯ୍ୟ, ସହନଶୀଳତା ଓ ରୋଗ ପ୍ରତିରୋଧକ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଏ ।
ଗଧ ଅତ୍ୟନ୍ତ ସହନଶୀଳ ପ୍ରାଣୀ। ଏହା ସମସ୍ତ ପରିସ୍ଥିତିରେ କାମ କରେ। ଏହା ସହଜରେ ରୋଗାକ୍ରାନ୍ତ ହୁଏ ନାହିଁ। ଶୀତଳା ମାତା ରୋଗ ଦୂରକାରୀ ଦେବୀ, ତେଣୁ ଗଧ ତାଙ୍କ ପାଇଁ ରୋଗରୁ ଲଢ଼ିବାର କ୍ଷମତା ଓ ଧୈର୍ଯ୍ୟର ପ୍ରତୀକ। ଗଧକୁ ନମ୍ର ଓ ସାଧାରଣ ପଶୁ ବୋଲି ମାନାଯାଏ। ଶୀତଳା ମାତାଙ୍କର ଏହି ସ୍ୱରୂପ ଦର୍ଶାଏ ଯେ ସେ ସବୁଠାରୁ ସାଧାରଣ ରୂପରେ ମଧ୍ୟ ଭକ୍ତମାନଙ୍କ ପାଇଁ ଉପଲବ୍ଧ। ତାଙ୍କର ପୂଜା ସାଦାସିଧା ଭାବେ କରାଯାଏ।
ଶୀତଳା ମାତାଙ୍କର ଗୋଟିଏ ହାତରେ ଝାଡ଼ୁ ଓ ଅନ୍ୟ ହାତରେ କଳସ ଥାଏ। ଝାଡ଼ୁ ସ୍ୱଚ୍ଛତା ଓ ଶୁଦ୍ଧତାର ପ୍ରତୀକ। କଳସରେ ଶୁଦ୍ଧ ଜଳ ରହିଛି। ଗଧ ଉପରେ ଚଢ଼ି ସେ ଏହି ସନ୍ଦେଶ ଦିଅନ୍ତି ଯେ ରୋଗରୁ ରକ୍ଷା ପାଇବା ପାଇଁ ସ୍ୱଚ୍ଛତା ଓ ଧୈର୍ଯ୍ୟ ଅତ୍ୟନ୍ତ ଜରୁରୀ।
ଏହା ପଛରେ କାହାଣୀ କ’ଣ?
ଏବେ ଜାଣନ୍ତୁ ଗଧକୁ ବାହନ କରିବା ପଛର ଥିବା କାହାଣୀ ବାବଦରେ । ସ୍କନ୍ଦ ପୁରାଣ ଓ ଲୋକକଥା ଅନୁସାରେ, ଦେବୀ ଶୀତଳା ଜଣେ ବୃଦ୍ଧା ମହିଳା ରୂପରେ ପୃଥିବୀରେ ବୁଲୁଥିଲେ। ସେତେବେଳେ ସେ ରୋଗର ତାତିରେ ଜଳୁଥିଲେ। ସେ ସାହାଯ୍ୟ ପାଇଁ ଜଣେ କୁମ୍ଭାରୀଣୀର ଘରକୁ ଗଲେ। କୁମ୍ଭାରୀଣୀ ସଚ୍ଚା ଶ୍ରଦ୍ଧାରେ ମାତାଙ୍କର ସେବା କଲା, ତାଙ୍କ ଶରୀର ଉପରେ ଥଣ୍ଡା ଜଳ ଢାଳି ଶାନ୍ତି ଦେଲା।
କୁମ୍ଭାରୀଣୀ ଗରିବ ଥିଲା, ତା’ ପାଖରେ ମାତାଙ୍କୁ ବସାଇବା ପାଇଁ କୌଣସି ଜିନିଷ ନଥିଲା। ସେ କହିଲା ଯେ ତା’ ପାଖରେ ମାତାଙ୍କୁ ବସାଇବା ପାଇଁ କୌଣସି ଚୌକି କିମ୍ବା ଆସନ ନାହିଁ। ତେବେ ମାତା କହିଲେ, ତୁମେ ଚିନ୍ତା କର ନାହିଁ। ସେ କୁମ୍ଭାରୀଣୀର ଘର ବାହାରେ ଠିଆ ହୋଇଥିବା ଗଧ ଉପରେ ଆସନ ଗ୍ରହଣ କଲେ। ଏହାପରେ ମାତା ନିଜ ହାତରେ ଧରିଥିବା ଝାଡ଼ୁରେ କୁମ୍ଭାରୀଣୀର ଘରୁ ଦାରିଦ୍ର୍ୟ ଓ ରୋଗକୁ ଝାଡ଼ି ଫୋପାଡ଼ି ଦେଲେ। ଏହାପରେ ଗଧ ତାଙ୍କର ବାହନ ହେଇଗଲା।
ଦେବୀ କାଳରାତ୍ରି କାହିଁକି ଗଧ ଉପରେ ବସନ୍ତି?
ନବଦୁର୍ଗାର ସପ୍ତମ ସ୍ୱରୂପ ଦେବୀ କାଳରାତ୍ରିଙ୍କର ବାହନ ମଧ୍ୟ ଗଧ। ସେ ଦୁର୍ଗାଙ୍କର ସବୁଠାରୁ ଉଗ୍ର ରୂପ, ଯିଏ ଅନ୍ଧକାର ଓ ଦୁଷ୍ଟ ଶକ୍ତିର ବିନାଶ କରନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ, ଗଧ ଅଜ୍ଞତା ଓ ଅହଙ୍କାରର ପ୍ରତୀକ। ଦେବୀ କାଳରାତ୍ରି ଗଧ ଉପରେ ଚଢ଼ି ଦର୍ଶାନ୍ତି ଯେ ସେ ନିଜ ଭକ୍ତମାନଙ୍କ ଜୀବନରୁ ଅଜ୍ଞତା ଓ ଅହଙ୍କାରକୁ ନଷ୍ଟ କରନ୍ତି।
ଗଧ ସାଧାରଣତଃ ଧୀର ଗତି ଓ ସହନଶୀଳତାର ପ୍ରତୀକ। ତେଣୁ ଦେବୀ କାଳରାତ୍ରିଙ୍କର ଗଧ ଉପରେ ଚଢ଼ିବା ଏହି ସନ୍ଦେଶ ଦିଏ ଯେ ସର୍ବୋଚ୍ଚ ଶକ୍ତିର ସଠିକ ବ୍ୟବହାର ତାହା ହିଁ ସମ୍ଭବ ଯେତେବେଳେ ମନ ଓ ଇନ୍ଦ୍ରିୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ। ଉଗ୍ର ସ୍ୱରୂପ ହେବା ସତ୍ତ୍ୱେ, ଗଧ ଉପରେ ଚଢ଼ିବା ଦର୍ଶାଏ ଯେ ତାଙ୍କର ଶକ୍ତି ଓ କୃପା ସମସ୍ତ ଭକ୍ତଙ୍କ ପାଇଁ ସହଜ ଓ ସୁଲଭ, ସେମାନଙ୍କର ସାମାଜିକ କିମ୍ବା ଭୌତିକ ସ୍ତର ଯାହା ହେଉ ନା କାହିଁକି।
ଗଧର ୫ଟି ବିଶେଷତା
୧. ଗଧ ଅତ୍ୟନ୍ତ କଠିନ ଓ ଶୁଷ୍କ ପରିବେଶରେ ମଧ୍ୟ କାମ କରିବାର ଆଶ୍ଚର୍ଯ୍ୟଜନକ କ୍ଷମତା ରଖେ। ଏହା କମ ଖାଦ୍ୟ ଓ ଜଳରେ ମଧ୍ୟ ଜୀବିତ ରହିପାରେ। ଅସମ ପାହାଡ଼ି ରାସ୍ତାରେ ନ ଥକି ଦୀର୍ଘ ସମୟ ଧରି ଭାରୀ ବୋଝ ବୋହିପାରେ। ଏହି ବିଶେଷତା ହେତୁ ଶତାବ୍ଦୀ ଧରି ଏହାକୁ “ବୋଝ ବୋହୁଥିବା ପଶୁ” ଭାବେ ବ୍ୟବହାର କରାଯାଇଛି।
୨. ଗଧକୁ ଅନେକ ସମୟରେ ଜିଦିଆ କିମ୍ବା ମୂର୍ଖ ମନେ କରାଯାଏ, କିନ୍ତୁ ଏହା ତାର ଗଭୀର ବୁଦ୍ଧିମତା ଓ ଆତ୍ମରକ୍ଷା ପ୍ରବୃତ୍ତିର ପରିଣାମ। ଯଦି ଗଧକୁ ଲାଗେ ଯେ କୌଣସି ରାସ୍ତା ଅସୁରକ୍ଷିତ କିମ୍ବା ତା’ ଉପରେ ଲଦାଯାଇଥିବା ବୋଝ ତାର ସହନଶକ୍ତି ଠାରୁ ଅଧିକ, ତେବେ ସେ ସେଠାରୁ ହଲିବାକୁ ମନା କରିଦିଏ। ଏହା ଜିଦି ନୁହେଁ, ବରଂ ବିବେକପୂର୍ଣ୍ଣ ନିଷ୍ପତ୍ତି। ସେମାନେ ବିପଦକୁ ତୁରନ୍ତ ଆକଳନ କରିପାରନ୍ତି। ତେଣୁ ସେମାନଙ୍କୁ ମେଣ୍ଢା କିମ୍ବା ଛେଳି ପହ୍ଲର ସୁରକ୍ଷା ପାଇଁ ବ୍ୟବହାର କରାଯାଏ।
୩. ଗଧର ସ୍ମରଣଶକ୍ତି ବହୁତ ତୀକ୍ଷ୍ଣ। ସେମାନେ ସେହି ରାସ୍ତା ଓ ସ୍ଥାନକୁ ଦୀର୍ଘ ସମୟ ମନେ ରଖିପାରନ୍ତି, ଯେଉଁଠାକୁ ସେମାନେ ମାତ୍ର ଥରେ ଯାଇଥାଆନ୍ତି।
୪. ସେମାନେ ପରିସ୍ଥିତି ଅନୁସାରେ ଖାପ ଖୁଆଇପାରନ୍ତି। ଏକାକୀ କିମ୍ବା ଛୋଟ ଗୋଷ୍ଠୀରେ ମଧ୍ୟ କାମ କରିପାରନ୍ତି, ଯାହା ସେମାନଙ୍କୁ କୃଷକ ଓ ପଶୁପାଳକମାନଙ୍କ ପାଇଁ ଏକ ଆଦର୍ଶ ପଶୁ କରିଥାଏ।
୫. ଗଧ ମୂଳତଃ ଆଫ୍ରିକାର ମରୁଭୂମି ଅଞ୍ଚଳରୁ ଆସିଛି, ଯାହା ହେତୁ ସେମାନେ ଗରମ ଓ ଶୁଷ୍କ ପରିବେଶକୁ ସହଜରେ ସହ୍ୟ କରିପାରନ୍ତି। ସେମାନଙ୍କର ଚର୍ମ ମୋଟା ହୋଇଥାଏ। ସେମାନେ ନିଜ ଶରୀରର ଓଜନର ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଜଳର ଅଭାବକୁ ସହିପାରନ୍ତି, ଯେଉଁଠାରେ ଘୋଡ଼ା ମାତ୍ର ୧୫ ପ୍ରତିଶତ ପର୍ଯ୍ୟନ୍ତ ସହିପାରେ।
ALSO READ https://purvapaksa.com/akshaye-khanna-plays-asur-guru-shukracharya-in-mahakali/
