ବିହାରର ସେହି ବାହୁବଳୀ ନେତାଙ୍କ କାହାଣୀ,ଭୋଟ୍ ଦିନ ଯାହାଙ୍କର ହୋଇଥିଲା ହତ୍ୟା । ମାଫିଆ ଓ ରାଜନୀତିର ସମ୍ପର୍କର କାହାଣୀ ବେସ ପୁରୁଣା । ଆଗରୁ ମାଫିଆ ନେତାଙ୍କୁ ସାହାଯ୍ୟ କରୁଥିଲା । କିନ୍ତୁ ଗୋଟିଏ ସମୟ ପରେ ମାଫିଆ ଭାବିଲା ଯଦି ଆମ ସାହାଯ୍ୟରେ ନେତା ରାଜନୀତି କରୁଛନ୍ତି,ତେବେ ଆମେ କାହିଁକି ନୁହେଁ। ଆଉ ଏହାଠାରୁ ଆରମ୍ଭ ହେଲା ଅପରାଧୀଙ୍କ ରାଜନୀତିକରଣ। ଅପରାଧୀଙ୍କ ରାଜନୀତିରେ ପ୍ରବେଶ ଭାରତର ସବୁ ରାଜ୍ୟରେ ଅଛି। କିନ୍ତୁ ବିହାରର କାହାଣୀ ଟିକେ ଅଲଗା। ଏଠି ବଡ଼ବଡ଼ ଦଳ ବି ବାହୁବାଳୀଙ୍କୁ ଡରନ୍ତି। ସେମାନଙ୍କ ସାହାଯ୍ୟ ବିନା ନିର୍ବାଚନୀ ବୈତରଣୀ ପାର ହେବା ସହଜ ନୁହେଁ ବୋଲି ମନେ କରନ୍ତି ।
ବିହାରର ବାହୁବଳୀମାନଙ୍କର ତାଲିକା ବେଶ୍ ଲମ୍ବା। ଅନେକ ବାହୁବଳୀ ପ୍ରଥମେ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ବଢିବା ପରେ ରାଜନୀତିକୁ ଓହ୍ଲାଇଥିଲେ। ବ୍ୟାଲେଟର ଲଢେଇ ଭିତରକୁ ଏମାନେ ବୁଲେଟ୍ ଆଣିଥିଲେ। ସେହିମାନଙ୍କ ମଧ୍ୟରୁ ଜଣେ ଥିଲେ ବାହୁବଳୀ ଦେବେନ୍ଦ୍ର ନାଥ ଦୁବେ। ଇଂଜିନିୟିରିଂ ଛାତ୍ର ଗୋଟିଏ ଛୋଟ ଘଟଣାରୁ ଅପରାଧ ଜଗତକୁ ପ୍ରବେଶ କରିଥିଲା। ଆଉ ସେଠାରୁ ରାଜନୀତିକୁ।
କିନ୍ତୁ ଦୁବେ ଯେଉଁ ବନ୍ଧୁକ ବଳରେ ବାହୁବଳୀରୁ ବିଧାୟକ ହୋଇଥିଲେ,ସେହି ବନ୍ଧୁକ ହିଁ ତାଙ୍କୁ ଦୁନିଆରୁ ବିଦା କରିଥିଲା। ୧୯୯୮ ମସିହା ଫେବୃଆରୀ ୨୨ ତାରିଖରେ ବିହାରରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିଲା ବୋଲି ଦୁବେଙ୍କୁ ହତ୍ୟା କରାଯାଇଥିଲ। ସେହି ଦିନ ଗୋବିନ୍ଦଗଞ୍ଜର ବିଧାୟକ ଦେବେନ୍ଦ୍ର ନାଥ ଦୁବେ ଗାଡ଼ିରେ ବସି କାହାକୁ ଅପେକ୍ଷା କରୁଥିଲେ। ହଠାତ୍ ଅଟୋମେଟିକ୍ ରାଇଫଲରେ ସଜ୍ଜିତ ଆକ୍ରମଣକାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ବିହାର ସରକାରର ତତ୍କାଳୀନ ମନ୍ତ୍ରୀ ବୃଜବିହାରୀ ପ୍ରସାଦଙ୍କ ସହାୟତାରେ ମୋତିହାରୀର ବିନୋଦ ସିଂହ ଏହି ଘଟଣାକୁ ଘଟାଇଥିଲେ। ଦେବେନ୍ଦ୍ର ନାଥ ଦୁବେଙ୍କ ହତ୍ୟା ପରେ ବିହାର ରାଜନୀତିରେ ଆହୁରି ରକ୍ତପାତ ଘଟିଥିଲା। ଏହି ହତ୍ୟା ପରେ ଗୋବିନ୍ଦଗଞ୍ଜ ଆସନ ଖାଲି ହେବାରୁ ଉପନିର୍ବାଚନରେ ଦେବେନ୍ଦ୍ରଙ୍କ ଭାଇ ଭୂପେନ୍ଦ୍ର ଦୁବେ ପ୍ରାର୍ଥୀ ହୋଇ ଜିତି ପରିବାରର ପ୍ରାଧାନ୍ୟ ବଜାୟ ରଖିଥିଲେ। ୨୦୦୦ ମସିହାର ନିର୍ବାଚନରେ ଦେବେନ୍ଦ୍ରଙ୍କ ସହଯୋଗୀ ରାଜନ ତିୱାରୀ ନିର୍ଦଳୀୟ ଭାବେ ପ୍ରାର୍ଥୀ ହୋଇ ଭୂପେନ୍ଦ୍ରଙ୍କୁ ହରାଇ ଦେଇଥିଲେ।
ପଢୁଆ ପିଲାରୁ ବାହୁବଳୀ
ଦେବେନ୍ଦ୍ର ଦୁବେ ପଶ୍ଚିମ ଚମ୍ପାରଣର ଟିକୁଲିୟା ଗାଁର ବାସିନ୍ଦା ଥିଲେ। ତାଙ୍କ ବାପା ପୁଲିସରେ ସିପାହୀ ଥିଲେ। ଦେବେନ୍ଦ୍ର ଛୋଟବେଳୁ ପଢ଼ିବାରେ ବେଶ୍ ତୀକ୍ଷ୍ଣ ଥିଲେ। ସେ ମାଟ୍ରିକ ଓ ଇଣ୍ଟରମିଡିଏଟ ପରୀକ୍ଷା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପଢ଼ିବାରେ ଭଲ ହେବା କାରଣରୁ ତାଙ୍କ ବାପା ତାଙ୍କୁ ଇଞ୍ଜିନିୟର କରାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟକିଛି ଲେଖା ଥିଲା। ୧୯୮୯ ମସିହାର କଥା। କୁହାଯାଏ ଯେ ଥରେ କଲେଜରେ ତାଙ୍କର ଦୂର ସମ୍ପର୍କୀୟ କିଛି ଝିଅଙ୍କୁ କିଛି ଯୁବକ କମେଣ୍ଟ ମାରିଥିଲା। ଏହା ଜାଣିବା ପରେ ଦେବେନ୍ଦ୍ର ପ୍ରତିବାଦ କରିଥିଲେ। କିନ୍ତୁ ଏକାକୀ ଥିବା ଦେବେନ୍ଦ୍ରଙ୍କୁ ତିନି ଅପରାଧୀ ମାଡ଼ ମାରିଥିଲେ। ପ୍ରତିଶୋଧ ନେବାକୁ ଦୁବେ ନିଜର ଏକ ଗ୍ୟାଙ୍ଗ ତିଆରି କରିଥିଲେ। କିଛିଦିନ ପରେ ଦୁବେ ଓ ତାଙ୍କ ସହଯୋଗୀ ସେହି ତିନିଜଣଙ୍କୁ ବିଚ୍ ବଜାରରେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଦେବେନ୍ଦ୍ର ଦୁବେ ଆସାମ ପଳାଇ ଯାଇଥିଲେ।
ଗିରଫ ପରେ ଦୁବେ ମୋତିହାରୀ ଜେଲରେ
ଦେବେନ୍ଦ୍ର ଦୁବେ ଆସାମରେ ଥିବା ସମୟରେ ମୋତିହାରୀରେ ବିନୋଦ ସିଂହ ନାମକ ଜଣେ ନୂଆ ଡନର ଉଦୟ ହୋଇଥିଲା। ଦେବେନ୍ଦ୍ର ଦୁବେ ଯେଉଁ ତିନିଜଣଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଜଣେ ଥିଲେ ବିନୋଦ ସିଂହଙ୍କ ଭାଇ। ୧୯୯୧ରେ ଦେବେନ୍ଦ୍ର ଦୁବେଙ୍କୁ ଆସାମରେ ଗିରଫ କରାଯାଇଥିଲା। ତା’ପରେ ତାଙ୍କୁ ମୋତିହାରୀ ଜେଲରେ ରଖାଯାଇଥିଲା। ସେ ଜେଲରୁ ହିଁ ନିଜର ଗ୍ୟାଙ୍ଗ ଚଳାଉଥିଲେ। ଦେବେନ୍ଦ୍ର ଦୁବେଙ୍କର ଉତ୍ତରପ୍ରଦେଶର ଜଣେ ବଡ଼ ଡନ ଶ୍ରୀପ୍ରକାଶ ଶୁକ୍ଳାଙ୍କ ସହ ମଧ୍ୟ ଭଲ ସଂପର୍କ ଥିଲା। ତେଣୁ ଚମ୍ପାରଣ ଅଞ୍ଚଳରେ ତାଙ୍କର ପ୍ରାଧାନ୍ୟ ବଢ଼ିଥିଲା। ସେ ବିନୋଦ ସିଂହ ଗ୍ୟାଙ୍ଗ ଉପରେ ଭାରୀ ପଡ଼ୁଥିଲେ। ଦେବେନ୍ଦ୍ର ଦୁବେ ଅପରାଧ ଜଗତରୁ ଯେଉଁ ଟଙ୍କା ରୋଜଗାର କରିଥିଲେ, ତାହା ସାଧାରଣ ଲୋକଙ୍କ ସାହାଯ୍ୟ ପାଇଁ ମଧ୍ୟ ଖର୍ଚ୍ଚ କରୁଥିଲେ। ଏହା ଦ୍ୱାରା ତାଙ୍କର ରବିନହୁଡ ଭଳି ଛବି ତିଆରି ହୋଇଥିଲା। ଗୋବିନ୍ଦଗଞ୍ଜ ଅଞ୍ଚଳରେ ତାଙ୍କର ପ୍ରଭାବ ସ୍ଥାପିତ ହୋଇଥିଲା। ୧୯୯୪ରେ ସେ କୋର୍ଟରେ ହାଜର ହେବାବେଳେ ବିନୋଦ ସିଂହଙ୍କ ଜଣେ ସୁଟର ତାଙ୍କ ଉପରକୁ ଗୁଳି ଚଳାଇଥିଲା। ସେ ପୁଲିସ ସୁରକ୍ଷାରେ ଥିଲେ। ପୁଲିସ ଏନକାଉଣ୍ଟରରେ ସେହି ସୁଟରକୁ ହତ୍ୟା କରିଥିଲା।
ହସ୍ପିଟାଲରେ ରାଜନୈତିକ ସମ୍ବନ୍ଧ
ଆହତ ଦେବେନ୍ଦ୍ର ଦୁବେଙ୍କୁ ଅଧିକ ଚିକିତ୍ସା ପାଇଁ ପାଟଣାକୁ ରେଫର କରାଯାଇଥିଲା। ପାଟଣାରେ ଚିକିତ୍ସା ସମୟରେ ତାଙ୍କର ଅନେକ ନେତାଙ୍କ ସହ ସମ୍ବନ୍ଧ ତିଆରି ହୋଇଥିଲା। ୧୯୯୪ରେ ନୀତୀଶ କୁମାର ଲାଲୁ ଯାଦବଙ୍କଠାରୁ ଅଲଗା ହୋଇ ସମତା ପାର୍ଟି ଗଠନ କରିଥିଲେ। ୧୯୯୫ରେ ବିଧାନସଭା ନିର୍ବାଚନ ଆସିବାରୁ ନୀତୀଶ କୁମାର ଦେବେନ୍ଦ୍ର ଦୁବେଙ୍କୁ ଗୋବିନ୍ଦଗଞ୍ଜରୁ ସମତା ପାର୍ଟିର ପ୍ରାର୍ଥୀ କରିଥିଲେ। ଦେବେନ୍ଦ୍ର ଦୁବେ ସମତା ପାର୍ଟିର ପ୍ରତୀକ ସହ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଏକ ଅପରାଧୀ ଚରିତ୍ରର ପ୍ରାର୍ଥୀକୁ ନିର୍ବାଚନରେ ଉତାରିବା ପାଇଁ ନୀତୀଶ କୁମାରଙ୍କର ତୀବ୍ର ସମାଲୋଚନା ହେବାକୁ ଲାଗିଲା। ଜର୍ଜ ଫର୍ନାଣ୍ଡିସ ଓ ନୀତୀଶ କୁମାର ନିର୍ବାଚନରେ ସମତା ପାର୍ଟିକୁ ଲାଲୁଙ୍କ ବିକଳ୍ପ ଭାବେ ଉପସ୍ଥାପନ କରୁଥିଲେ। କିନ୍ତୁ ଏହି ବିବାଦ ଯୋଗୁଁ ସେମାନଙ୍କ ଛବି ପ୍ରଭାବିତ ହେବାକୁ ଲାଗିଲା।
ସମତା ପାର୍ଟି ଟିକେଟରେ ଜିତିଲେ କିନ୍ତୁ ସ୍ୱାଧିନ ବିଧାୟକ
ବିବାଦ ବଢ଼ିବା ପରେ ସମତା ପାର୍ଟି ଘୋଷଣା କରିଥିଲା ଯେ ଦେବେନ୍ଦ୍ର ଦୁବେ ସେମାନଙ୍କ ପ୍ରାର୍ଥୀ ନୁହଁନ୍ତି। କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା। ନାମାଙ୍କନ ପ୍ରତ୍ୟାହାର କରିବାର ତାରିଖ ପାର ହୋଇଯାଇଥିଲା। ଦେବେନ୍ଦ୍ର ଦୁବେଙ୍କର ସମତା ପାର୍ଟି ପ୍ରତୀକ ସହ ଦାଖଲ ହୋଇଥିବା ନାମାଙ୍କନ ବୈଧ ରହିଥିଲା। ନିର୍ବାଚନ ପ୍ରଚାରରେ ସମତା ପାର୍ଟି ତାଙ୍କୁ କୌଣସି ସାହାଯ୍ୟ କରି ନଥିଲା। ଦେବେନ୍ଦ୍ର ଦୁବେ ଜେଲରେ ଥିଲେ। ତେଣୁ ତାଙ୍କ ସମର୍ଥକମାନେ ତାଙ୍କ ନିର୍ବାଚନ ପ୍ରଚାରର ଦାୟିତ୍ୱ ନେଇଥିଲେ। ନିର୍ବାଚନ ଫଳାଫଳ ଘୋଷଣା ହେବା ବେଳେ ଦେବେନ୍ଦ୍ର ଦୁବେ ଜନତା ଦଳର ବର୍ତ୍ତମାନ ବିଧାୟକ ଯୋଗେନ୍ଦ୍ର ପାଣ୍ଡେଙ୍କୁ ପ୍ରାୟ ୧୪ ହଜାର ଭୋଟରେ ହରାଇ ଦେଇଥିଲେ। ଏବେ ଦେବେନ୍ଦ୍ର ଦୁବେଙ୍କ ସାମ୍ନାରେ ଏକ ଜଟିଳ ସ୍ଥିତି ଥିଲା। ସେ ସମତା ପାର୍ଟିର ଟିକେଟରେ ଜିତିଥିଲେ, କିନ୍ତୁ ପାର୍ଟି ତାଙ୍କୁ ନିଜର ବୋଲି ଗ୍ରହଣ କରିବାକୁ ମନା କରି ଦେଇଥିଲା। ତେଣୁ ତାଙ୍କୁ ସ୍ୱାଧିନ ବିଧାୟକର ମାନ୍ୟତା ମିଳିଥିଲା।
ALSO READ https://purvapaksa.com/odisha-govt-mulls-to-give-financial-aid-to-old-durga-puja-pandals/


