ନୂଆବର୍ଷ ଆସିଲା। ରାଜ୍ୟର ଜନତା ଭାବିଥିଲେ — ନୂଆ ସରକାର, ନୂଆ ଆଶା, ନୂଆ ପ୍ରଶାସନିକ ଦିଗଦର୍ଶନ ମିଳିବ। କିନ୍ତୁ ସରକାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ — ପୁଣିଥରେ ‘ପାଣ୍ଡିଆନ ଇକୋସିଷ୍ଟମ’ ଶାସନକୁ ଫେରିଛି। ଆଉ ଏହି ‘ପାଣ୍ଡିଆନ ଇକୋସିଷ୍ଟମ’କୁ ବିଜେପି ସରକାର ବିନା ଦ୍ୱିଧାରେ ମୋହର ମାରି ନିଜର ଅସଲ ଚେହେରା ଦେଖାଇଛି।
• ଗତ ନିର୍ବାଚନରେ ବିଜେଡି ହାରିଲା, ବିଜେପି ଜିତିଲା।
• କିନ୍ତୁ ପ୍ରଶାସନରେ ହାରିଲା କିଏ? ତାହାହିଁ ଏବେ ବଡ଼ ପ୍ରଶ୍ନ?
• ଏହାର ଉତ୍ତର ହେଲା
• ହାରିଛି ଓଡ଼ିଆ ଅସ୍ମିତା।
ସରକାର କହିଲେ ଆମେ ମନ୍ତ୍ରିମଣ୍ଡଳକୁ ବୁଝୁଥିଲୁ। କିନ୍ତୁ ଓଡ଼ିଶାରେ ବିଗତ ତିନି ଦଶନ୍ଧି ଧରି ଏକ କଠୋର ସତ୍ୟ ଚାଲିଆସିଛି — ତାହା ହେଲା ସରକାର କହିଲେ ମନ୍ତ୍ରୀ ନୁହଁନ୍ତି, ଆଇଏଏସ ଅଫିସର ହିଁ ହେଉଛନ୍ତି ଅସଲ ସରକାର।
ସେମାନେ ଯାହା କହିବେ ମନ୍ତ୍ରୀମାନେ ତାଙ୍କ ନିର୍ଦ୍ଦେଶ ମାନି କେବଳ ଦସ୍ତଖତ କରିବେ। କାରଣ ଯେତିକି ନେତା ମନ୍ତ୍ରୀ ହୋଇଥିଲେ ବା ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ କି ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ କେହି ଅଫିସରମାନେ ଲେଖୁଥିବା ଇଂରାଜୀକୁ ବୁଝିପାରୁଥିବେ କି ନାହିଁ ତାହା ସନ୍ଦେହ। ଆମେ ଆମ ରାଜ୍ୟର ମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଉ ନାହୁଁ। କିନ୍ତୁ ଏହାହିଁ ବାସ୍ତବ କଥା।
ମନ୍ତ୍ରୀମାନେ କେବଳ ଦସ୍ତଖତ କରନ୍ତି,
ଫାଇଲ ଲେଖନ୍ତି ଅଫିସର।
ନୀତି ନିର୍ଣ୍ଣୟ ହୁଏ ନାହିଁ ମନ୍ତ୍ରୀଙ୍କ କ୍ୟାବିନେଟରେ,
ନୀତି ନିର୍ଣ୍ଣୟ ହେଉଛି ସଚିବାଳୟରେ ଥିବା ପାଣ୍ଡିଆନମାର୍କା କିଛି ଅଫିସରଙ୍କ କକ୍ଷରେ।
ଅନୁଗର୍ଗଙ୍କ ଗୁରୁ ଦକ୍ଷିଣା

ବର୍ତ୍ତମାନ ମୁଖ୍ୟଶାସନ ସଚିବ ହୋଇଥିବା ଅନୁ ଗର୍ଗ ପାଣ୍ଡିଆନ କ୍ୟାମ୍ପର ଜଣେ ମେରୁ ଖୁଣ୍ଟ ଥିଲେ। ତେଣୁ ସେ ପାଣ୍ଡିଆନଙ୍କୁ ଜଣେ ଓଡ଼ିଆ ଓ ଓଡ଼ିଶାର ହିତୈଶୀ ବୋଲି ପ୍ରମାଣିତ କରିବା ପାଇଁ ତତ୍କାଳୀନ ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ଅଣଦେଖା କରି ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ନିର୍ବାଚନ ପୂର୍ବରୁ ଫେବୃଆରୀ ୩ରୁ ୫ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ସମ୍ମିଳନୀ କରିଥିଲେ। ଯେଉଁଥିରେ ଓଡ଼ିଆ ଭାଷା ଓ ଓଡ଼ିଶାର ମନିଷୀମାନଙ୍କୁ ଯେପରି ଚିତ୍ରଣ ଓ ଉପହାସ କରାଗଲା ତାହା ସମସ୍ତେ ଜାଣିଛନ୍ତି। ଆଉ ସେ ବିଷୟରେ କହିବା ଆବଶ୍ୟକ ନାହିଁ। ଏହି ସମ୍ମିନଳନୀରୁ ଆରମ୍ଭ ହୋଇଥିଲା ଓଡ଼ିଆ ଅସ୍ମିତା ବଞ୍ଚାଇବାର ପ୍ରଚାର। ଅନୁଗର୍ଗ ମୁଖ୍ୟଶାସନ ସଚିବ ହେବା ପରେ ଯାହା ଆଶା କରାଯାଉଥିଲା ତାହା ହିଁ ଆରମ୍ଭ ହୋଇଛି। ସେ ପାଣ୍ଡିଆନଙ୍କୁ ଗୁରୁଦକ୍ଷିଣା ଦେଇ ଓଡ଼ିଆ ଅଫିସରମାନଙ୍କୁ ସଚିବାଳୟ ବାହାରକୁ ଫିଙ୍ଗିବା ଆରମ୍ଭ କରିଛନ୍ତି। ଅଣଓଡ଼ିଆ ଗୁରୁ ଭାଇମାନଙ୍କୁ ଗଜୁରୁତ୍ୱପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରିବା ପ୍ରକ୍ରିୟା ଉପରେ ଜୋର ଦେଇଛନ୍ତି। ଏହି କ୍ରମରେ ଗତକାଲି ନୂଆ ବର୍ଷରେ ଓଡ଼ିଆ ଅସ୍ମିତାକୁ ବଙ୍ଗୋପସାଗରରେ ଫିଙ୍ଗି ଦେଇ ଅଣଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଚିବ ପଦରେ ଅବସ୍ଥାପତି କରିଛନ୍ତି।
• ଏହା କେବଳ ଅଦଳବଦଳ ନୁହେଁ,
• ଏହା ଗୋଟିଏ ପ୍ରଶାସନିକ ବାର୍ତ୍ତା —
• “ଶାସନ ଚାଲିବ ନୂଆ ଟିମ୍ ନୁହେଁ, ପୁରୁଣା ଟିମ୍ରେ।”
ଦେଓରଂଜନଙ୍କ ଉପରେ ବିଜେପି ମେହେରବାନ

ନୂଆବର୍ଷ ଆରମ୍ଭରେ ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ନୂଆବର୍ଷରେ ଅଦଳବଦଳ କରିଛନ୍ତି । ୮ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ମିଳିଛି । ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଂଜନ କୁମାର ସିଂ ନୂଆ ଉନ୍ନୟନ କମିସନର ହୋଇଛନ୍ତି । ରାଜ୍ୟ ପ୍ରଶାସନର ଦୁଇ ନମ୍ବର ଶୀର୍ଷ ପଦବୀରେ ତାଙ୍କୁ ନିଯୁକ୍ତି ମିଳିଛି। ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପଦବୀରେ ଥିଲେ। ଦେଓରଂଜନ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ମଧ୍ୟ ରହିବେ । ତା’ ସାଙ୍ଗକୁ ରାଜସ୍ୱ ଏବଂ ପ୍ରାକୃତିକ ଦୁର୍ବିପାକ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦ ତାଙ୍କର ବଜାୟ ରହିବ । ଏହାକୁ ଅତିରିକ୍ତ ଦାୟିତ୍ୱ ଭାବେ ତୁଲାଇବେ । ଶ୍ରୀ ସିଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିଲେ । ରାଜସ୍ୱ ପର୍ଷଦ ସଦସ୍ୟ, ସ୍ୱତନ୍ତ୍ର ରିଲିଫ୍ କମିସନର, ଓଡ଼ିଶା ପ୍ରାକୃତିକ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଏବଂ ଓଡ଼ିଶା ବନ ନିଗମରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତାଙ୍କର ଦକ୍ଷତାକୁ ରାଜ୍ୟ ସରକାର ସ୍ୱୀକୃତି ଦେଇ ଏବେ ଉନ୍ନୟନ କମିସନର ଦାୟିତ୍ୱ ଦେଇଛନ୍ତି । ଏହା ପୂର୍ବରୁ ସେ ପଞ୍ଚାୟତିରାଜ ବିଭାଗରେ ରେକର୍ଡ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଚିବ ଥିଲେ। କିନ୍ତୁ ସରକାରୀ ନିୟମ ଅନୁସାରେ ଜଣେ ଗୋଟିଏ ବିଭାଗରେ ଏକାଦିକ୍ରମେ ୩ ବର୍ଷ ରହିପାରିବ। ଏହି ସମୟରେ ମଧ୍ୟ ସେ ଖଣି ବିଭାଗରେ ସଚିବ ଥିଲେ। କିନ୍ତୁ ସେ ଖଣି ବିଭାଗର ଅଫିସକୁ ନ ଯାଇ ଓଏମସି ଅଫିସରୁ କାମ ଚଳାଉଥିଲେ। ତାଙ୍କୁ କହିବାକୁ କେହି ନଥିଲେ, କାରଣ ସେ ପାଣ୍ଡିଆନଙ୍କ ଖାସ୍ ଥିଲେ।
ଓଡ଼ିଆ ଅଫିସରଙ୍କୁ ତଡ଼ିପାର
୧୯୯୧ ବ୍ୟାଚ୍ର ଓଡ଼ିଆ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦ ସଦସ୍ୟ ଭାବେ କଟକଠାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦବୀରେ ଥିଲେ । ଏଥିସହ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ନୂଆବର୍ଷର IAS ଅଦଳବଦଳ: ନାମ ବଦଳିଲା, ଇକୋସିଷ୍ଟମ ଅତୁଟ
୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଇପିକଲ୍ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳା ଓ ଶିଶୁ ବିକାଶ ବିଭାଗର ସେ ପ୍ରମୁଖ ସଚିବ ଅଛନ୍ତି । ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କର ଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ପାଇଛନ୍ତି। ଅବକାରୀ ବିଭାଗର ପ୍ରମୁଖ ସଚିବର ମୂଳ ଦାୟିତ୍ୱ ସହ ଓପିଟିସିଏଲର ସିଏମଡି ଏବଂ ଓଏସବିସିଏଲ୍ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍ ସ୍ୱତନ୍ତ୍ର ରିଲିଫ୍ କମିସନର ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ସମବାୟ ବିଭାଗର କମିସନର ତଥା ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଓଏସଡବ୍ଲ୍ୟୁସିର ଅଧ୍ୟକ୍ଷ, ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
ଏମାନେ ସମସ୍ତେ ପାଣ୍ଡିଆନ ଇକୋସିଷ୍ଟମର ଅଫିସର ଭାବେ ପରିଚିତ।
ଓଡ଼ିଆ ଅସ୍ମତା ଚୁଲିକୁ

ଗତ ନିର୍ବାଚନବେଳେ ବିଜେପି ଓଡ଼ିଆ ଅସ୍ମତା ଦ୍ୱାହି ଦେଇ ପ୍ରଚାର କରୁଥିଲା। ଲୋକମାନେ ବିଜେଡି ଶାସନ ସମୟରେ ଅଣଓଡ଼ିଆ ଅଫିସରଙ୍କ ମନମୁଖୀ ଶାସନରେ ଏତେ ଅସ୍ତବ୍ୟସ୍ତ ହୋଇଯାଇଥିଲେ ଯେ ସେମାନେ ବିଜେପିର ଏହି ନିର୍ବାଚନୀ ପ୍ରଚାରରେ ପ୍ରଭାବିତ ହୋଇ ବିଜେଡିକୁ ଶାସନ ଗାଦିରୁ ହଟାଇ ବିଜେପିକୁ ବହୁମତ ଦେଇଛନ୍ତି। ବିଜେପି କ୍ଷମତାକୁ ଆସିବାରେ ଯେଉଁ ଦୁଇଜଣଙ୍କୁ ମୁଖ୍ୟଶାସନ ସଚିବ କରିଛି ସେମାନେ ଅଣଓଡ଼ିଆ। ଓଡ଼ିଆ ଅଫିସର ବିଜେପି ନେତାମାନଙ୍କୁ ଗନ୍ଧାଉଛନ୍ତି। କେବଳ ମୁଖ୍ୟ ଶାସନ ସଚିବ ପଦବୀ ନୁହେଁ, ଲୋକଙ୍କ ସହିତ ଜଡ଼ିତ ଥିବା ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ଶକ୍ତି, ଶିଳ୍ପ, ରାଜସ୍ୱ, ପଞ୍ଚାୟତିରାଜ, ଗ୍ରାମ୍ୟଉନ୍ନୟନ, ପୂର୍ତ୍ତବିଭାଗରେ ମଧ୍ୟ ଅଣଓଡ଼ିଆ ଅଫିସର ନିଯୁକ୍ତି ହୋଇଛନ୍ତି।
ନବୀନ ଶାସନରେ ଓଡ଼ିଆ ମୁଖ୍ୟ ସଚିବ
ପ୍ରାୟ ତିନି ଦଶନ୍ଧି ଧରି ରାଜ୍ୟରେ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାରରେ କେବେବି ଏପରି ଭୁଲ ହେଉନଥିଲା। ଦୀର୍ଘ ୨୪ ବର୍ଷର ଶାସନକାଳ ଭିତରେ ସେ କୌଣସି ଅଣଓଡ଼ିଆ ଅଫିସରଙ୍କୁ ମୁଖ୍ୟଶାସନ ସଚିବ ପଦରେ ନିଯୁକ୍ତି ଦେଇନଥିଲେ। କିନ୍ତୁ ଓଡ଼ିଆ ଅସ୍ମତାର ଦ୍ୱାହି ଦେଉଥିବା ବିଜେପିର ଅସଲ ମୁଖା ଏବେ ଖୋଲିଯାଇଛି।
ରାଜ୍ୟରେ ସରକାର ବଦଳିଛି, ଶାସନ ନୁହେଁ
ନୂଆବର୍ଷ ଓଡ଼ିଶାକୁ ନୂଆ ପ୍ରଶାସନ ଦେଲା ନାହିଁ।
ଦେଲା — ପୁରୁଣା ପ୍ରଶାସନର ନୂଆ ସାଇନ୍ବୋର୍ଡ।
ପ୍ରଶ୍ନ ସ୍ପଷ୍ଟ —
• ସରକାର କିଏ?
• ମନ୍ତ୍ରୀମାନେ କାହିଁକି ଅସହାୟ?
• ଓଡ଼ିଆ ଅସ୍ମିତା କ’ଣ କେବଳ ଭୋଟ୍ ସ୍ଲୋଗାନ ଥିଲା?
ଯଦି ଏହି ପ୍ରଶ୍ନର ଉତ୍ତର ମିଳିବ ନାହିଁ,
ତେବେ ଓଡ଼ିଶାର ଲୋକ ପୁଣିଥରେ ବୁଝିବେ —
ଶାସନ ବଦଳେନି, କେବଳ ଶାସକଙ୍କ ମୁହଁ ବଦଳେ।
also read https://purvapaksa.com/todays-horoscope-2/
https://purvapaksa.com/todays-horoscope-2/


