ଗଣତନ୍ତ୍ରରେ ଜନମତର ଶକ୍ତି ଅପାର କିନ୍ତୁ ସେହି ଜନମତ ଯେତେବେଳେ କ୍ଷମତାର ଅହଂକାରରେ ପରିଣତ ହୁଏ, ସେତେବେଳେ ଶାସନ ବ୍ୟବସ୍ଥାରେ ଫାଟ ଦେଖାଦେବା ସ୍ୱାଭାବିକ । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ପ୍ରାୟ ୧୮ ମାସ ବିତିଯାଇଥିଲେ ହେଁ, ଦଳ ଭିତରେ ସମନ୍ୱୟର ଘୋର ଅଭାବ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ଜନସାଧାରଣଙ୍କ ମନରେ ଆଶା ଥିଲା ଯେ ଏକ ‘ଡବଲ ଇଞ୍ଜିନ’ ସରକାର ରାଜ୍ୟରେ ବିକାଶର ନୂତନ ଗତି ପ୍ରଦାନ କରିବ। କିନ୍ତୁ ସରକାର ଗଠନର ୧୮ ମାସ ବିତିଯାଇଥିଲେ ହେଁ, ବିକାଶର ଗତି ଅପେକ୍ଷା ଦଳୀୟ ନେତାଙ୍କ ମଧ୍ୟରେ ଥିବା ବିବାଦ ଅଧିକ ଶିରୋନାମା ମଣ୍ଡନ କରୁଛି। ଶାସନ କଳ ଓ ସଙ୍ଗଠନ ମଧ୍ୟରେ ତାଳମେଳର ଅଭାବ ଏବେ ଏପରି ଏକ ସ୍ତରରେ ପହଞ୍ଚିଛି, ଯାହାକୁ ‘ଶୀତଳ ଯୁଦ୍ଧ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ପରିବର୍ତ୍ତନର ଆଶା ନେଇ ଓଡ଼ିଶାବାସୀ ଏକ ନୂତନ ସରକାର ଗଠନ କରିଥିଲେ, ସେଠାରେ ଏବେ ‘ମନ୍ତ୍ରୀ ବନାମ ସାଂସଦ’ ଏବଂ ‘ସରକାର ବନାମ ସଙ୍ଗଠନ’ର ଏକ ଅପ୍ରୀତିକର ଚିତ୍ର ସାମ୍ନାକୁ ଆସୁଛି। ଯାହାକୁ ଗତକାଲି ଅପରାଧ କହୁଥିଲେ, ଆଜି ସେହିଟା ନୀତି ବିଜେଡି ସରକାର ସମୟରେ ବିଜେପି ନେତାମାନେ ଯେଉଁ ଅଭିଯୋଗ କରୁଥିଲେ-“ସାଂସଦଙ୍କୁ ଡକାଯାଉନି ସମ୍ମାନ ମିଳୁନି”। ଆଜି ସେହି ଅଭିଯୋଗ ଶତଗୁଣ ତୀବ୍ର ହୋଇ ବିଜେପି ସରକାର ଉପରେ ଫେରିଆସିଛି।
ତେବେ ପ୍ରଶ୍ନ ଉଠୁଛି-
ବିଜେଡି କଲେ ଭୁଲ, ବିଜେପି କଲେ ଶାସନ?
ଶାସନ ବଦଳିଲା, କିନ୍ତୁ ଅହଂକାର ଆହୁରି ଗଭୀର ହେଲା?
ପୁରୁଣା ଅଭ୍ୟାସର ପୁନରାବୃତ୍ତି

ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ବିଜେପି ସାଂସଦମାନେ ବାରମ୍ବାର ଅଭିଯୋଗ କରୁଥିଲେ ଯେ ସରକାରୀ କଳ ସେମାନଙ୍କୁ ଅଣଦେଖା କରୁଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସରକାରୀ ଉତ୍ସବକୁ ନ ଡାକିବା ଘଟଣାରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ନିଜ ଦଳର ଶାସନ କ୍ଷମତାକୁ ଆସିବା ପରେ ମଧ୍ୟ ସାଂସଦମାନଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ବରଂ ଏହି ‘ଏକଘରକିଆ’ କରିବା ପ୍ରବୃତ୍ତି ଏବେ ଶାସକ ଦଳ ବିଜେପି ଭିତରେ ଏକ ଶୀତଳ ଯୁଦ୍ଧର ରୂପ ନେଇଛି।
ସରକାର ଭିତରେ ସମନ୍ୱୟ ନାହିଁ—ଏକ ଭୟଙ୍କର ସଙ୍କେତ
ଯେଉଁ ସରକାର ଦଳ ଏକତା, ଶିଷ୍ଟାଚାର ଓ ‘ଡବଲ ଇଞ୍ଜିନ’ ସରକାରର ଦାବି ନେଇ କ୍ଷମତାକୁ ଆସିଥିଲା, ସେହି ସରକାରର ନେତାମାନଙ୍କ ଭିତରେ ଏବେ ସ୍ପଷ୍ଟ ତାଳମେଳର ଅଭାବ ଦେଖାଯାଉଛି। ମନ୍ତ୍ରୀ–ସାଂସଦ, ବିଧାୟକ–ସାଂସଦ, ମନ୍ତ୍ରୀ–ପ୍ରଶାସନ—ସମସ୍ତ ସ୍ତରରେ ମୁହାଁମୁହିଁ ପରିସ୍ଥିତି ଦଳର ଆଭ୍ୟନ୍ତରୀଣ ଶକ୍ତି ସଂଘର୍ଷକୁ ପ୍ରକାଶ କରୁଛି।
ଏହା ଗୋଟିଏ ଅପବାଦ ନୁହେଁ, ବରଂ ଏକ ପ୍ରବୃତ୍ତି।
ଶୀତଳ ଯୁଦ୍ଧର ବାସ୍ତବ ଚିତ୍ର
ସମ୍ବଲପୁରରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ, ସବୁଠି ସମାନ କାହାଣୀ। ୨୧ ଏପ୍ରିଲ ୨୦୨୫ରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ବିଧାୟକ ଜୟନାରାୟଣ ମିଶ୍ରଙ୍କ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଏବଂ ସେଠାରେ ସ୍ଥାନୀୟ ସାଂସଦଙ୍କ ଅନୁପସ୍ଥିତି ସ୍ପଷ୍ଟ କରୁଛି ଯେ, ଦଳୀୟ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି।
ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରର ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିର ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜିଲ୍ଲାର ମନ୍ତ୍ରୀ ବିଧାୟକମାନେ ଯୋଗ ଦେଇଥିବାବେଳେ ସ୍ଥାନୀୟ ବିଜେପି ସାଂସଦକୁ ଡକାନଯିବା ଘଟଣା ଦଳ ଭିତରେ ଗୋଷ୍ଠୀ ବିବାଦ ବଢ଼ିଥିବା ଦର୍ଶାଉଛି। କ’ଣ ମନ୍ତ୍ରୀମାନେ ନିଜକୁ ସାଂସଦଙ୍କଠାରୁ ଊର୍ଦ୍ଧ୍ୱରେ ବୋଲି ଭାବୁଛନ୍ତି?

କଟକରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତି ଜିଲ୍ଲାପାଳଙ୍କ ଅସୌଜନ୍ୟମୂଳକ ବ୍ୟବହାର ଏବଂ ତାହା ଉପରେ ସରକାରଙ୍କ ନୀରବତା ଏକ ଭୟଙ୍କର ସଙ୍କେତ। ଏହା କଣ ପ୍ରଶାସନିକ ସ୍ୱାଧୀନତା ନା ମନ୍ତ୍ରୀମାନଙ୍କ ପରୋକ୍ଷ ସମର୍ଥନ?
ଝାରସୁଗୁଡ଼ାର କୃଷକ ସମାବେଶ ତ ଆହୁରି ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥିଲା। ସାଂସଦ ପ୍ରଦୀପ ପୁରୋହିତଙ୍କୁ ନିମନ୍ତ୍ରଣ କରାଗଲା ସତ, କିନ୍ତୁ ବିଜ୍ଞାପନ ଓ ବ୍ୟାନରରୁ ତାଙ୍କ ଫଟୋକୁ ଗାୟବ କରିଦିଆଗଲା। ଏହା କୌଣସି ଭୁଲ ନୁହେଁ, ବରଂ ଏକ ସୁଚିନ୍ତିତ ଯୋଜନା ବୋଲି ଚର୍ଚ୍ଚା ହେଉଛି। ଯଦିଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସେଠାରେ କ୍ଷମା ମାଗି ପରିସ୍ଥିତି ସମ୍ଭାଳିଥିଲେ, କିନ୍ତୁ ଏହା ପ୍ରଶ୍ନ ଉଠାଉଛି ଯେ କଣ ଜିଲ୍ଲାପାଳ ଓ ସରକାରୀ ଅଧିକାରୀମାନେ ମନ୍ତ୍ରୀମାନଙ୍କ ଚାପରେ ଏପରି କରୁଛନ୍ତି?
ଝାରସୁଗୁଡ଼ା କୃଷକ ସମାବେଶରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଫଟୋ ବ୍ୟାନରରେ ନ ରହିବା ଘଟଣା ଏବଂ ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କ୍ଷମା ପ୍ରାର୍ଥନା ଦର୍ଶାଉଛି ଯେ, ବରିଷ୍ଠ ନେତାମାନେ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସରକାରୀ କଳ ଓ ନୂଆ ମନ୍ତ୍ରୀମାନେ ନିଜ ମର୍ଜିରେ ଚାଲିଛନ୍ତି। ମନ୍ତ୍ରୀ ଓ ପ୍ରଶାସନ ନିଜକୁ ସର୍ବୋପରି ଭାବୁଛନ୍ତି, ସାଂସଦମାନେ ଅପ୍ରାସଙ୍ଗିକ ହୋଇଯାଉଛନ୍ତି। ଝାରସୁଗୁଡ଼ାର କୃଷକ ସମାବେଶରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଫଟୋ ବ୍ୟାନରରୁ ହଟିଯିବା ଘଟଣା ଏହି ଅବହେଳାର ଚରମ ଉଦାହରଣ। ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନାରେ ଘଟଣା ଶାନ୍ତ ହେଲା ସତ୍ୟ, କିନ୍ତୁ ପ୍ରଶ୍ନ ରହିଗଲା—ଏପରି ‘ଭୁଲ’ ବାରମ୍ବାର କାହିଁକି?
ଅନଭିଜ୍ଞତା ଓ କ୍ଷମତାର ନିଶା
ଏହି ବିବାଦର ମୂଳ କାରଣ ବିଷୟରେ ସମୀକ୍ଷକମାନେ କହନ୍ତି ଯେ, ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ଅଧିକାଂଶ ସଦସ୍ୟ ପ୍ରଥମ ଥର ପାଇଁ ବିଧାୟକ ହୋଇ ସିଧା ମନ୍ତ୍ରୀ ପଦ ପାଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପାଖରେ ଶାସନ ଚଳାଇବାର ପୂର୍ବ ଅଭିଜ୍ଞତା ନାହିଁ। କ୍ଷମତାର ନୂଆ ସ୍ୱାଦ ଏମାନଙ୍କୁ ‘ଉପରମୁହାଁ’ କରିଦେଇଛି। ଜଣେ ନିର୍ବାଚିତ ସାଂସଦଙ୍କୁ ସମ୍ମାନ ଦେବା ଏକ ସାମ୍ବିଧାନିକ ଓ ଶିଷ୍ଟାଚାରର ବିଷୟ, କିନ୍ତୁ ବର୍ତ୍ତମାନର ମନ୍ତ୍ରୀମାନେ ବୋଧହୁଏ ସଂଘୀୟ ବ୍ୟବସ୍ଥାର ଏହି ମର୍ଯ୍ୟାଦାକୁ ଭୁଲିଯାଇଛନ୍ତି।
ଦରମା ବୃଦ୍ଧି ଓ ନୈତିକତାର ଅଭାବ

କେବଳ ନେତାମାନଙ୍କ ମଧ୍ୟରେ କନ୍ଦଳ ନୁହେଁ, ସରକାରୀ ନିଷ୍ପତ୍ତିରେ ମଧ୍ୟ ଏକପାଖିଆ ମନୋଭାବ ପ୍ରତିଫଳିତ ହେଉଛି। ନିକଟରେ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ଏବଂ ପରେ ଜନଅସନ୍ତୋଷ ଭୟରେ ତାହାକୁ ପ୍ରତ୍ୟାହାର କରିବା ଘଟଣା ‘ଛେପ ଢୋକିଲା’ ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହା ଦର୍ଶାଉଛି ଯେ ସରକାରଙ୍କ ନିକଟରେ ଦୂରଦୃଷ୍ଟିର ଅଭାବ ରହିଛି ଏବଂ ସେମାନେ କେବଳ ନିଜସ୍ୱ ସୁବିଧା ପାଇଁ ବ୍ୟଗ୍ର। ଏହି ଘଟଣା ଓଡ଼ିଶାର ଏହି ସରକାରର ଚରିତ୍ରକୁ ନଗ୍ନ କରିଦେଲା। ଏହା ସେବା ମନୋଭାବ ନୁହେଁ, ଏହା “ପାଇଲେ ଖାଇବା, ଧରା ପଡ଼ିଲେ ମୁହଁ ଲୁଚାଇବା” ନୀତି।
ଯଦି ଶାସକ ଦଳ ନିଜ ଭିତରେ ତାଳମେଳ ରଖିପାରିବ ନାହିଁ, ତେବେ ରାଜ୍ୟର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସୁନିଶ୍ଚିତ। ମନ୍ତ୍ରୀମାନେ ମନେ ରଖିବା ଉଚିତ ଯେ, କ୍ଷମତା ସ୍ଥାୟୀ ନୁହେଁ। ଯେଉଁ ଜନତା ସେମାନଙ୍କୁ ଆଶୀର୍ବାଦ ଦେଇ ଉଚ୍ଚ ସିଂହାସନରେ ବସାଇଛନ୍ତି, ସେହି ଜନତା ମଧ୍ୟ ଅହଂକାରୀ ଶାସକଙ୍କୁ ଉଚିତ ଶିକ୍ଷା ଦେବାକୁ ଜାଣନ୍ତି। ଦଳର ଶୀର୍ଷ ନେତୃତ୍ୱ ଯଦି ଏହି ଶୀତଳ ଯୁଦ୍ଧକୁ ତୁରନ୍ତ ସମାପ୍ତ ନକରନ୍ତି, ତେବେ ଆଗାମୀ ଦିନରେ ବିଜେପି ପାଇଁ ଓଡ଼ିଶାରେ ନିଜର ଗଡ଼ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। ‘ଉପରମୁହାଁ’ ନ ହୋଇ ମାଟି ସହ ଯୋଡ଼ି ହୋଇ ରହିବା ହିଁ ଜଣେ ପ୍ରକୃତ ଜନପ୍ରତିନିଧିର ଲକ୍ଷଣ ହେବା ଉଚିତ।
ଓଡ଼ିଶାର ଜନତା ମୂର୍ଖ ନୁହେଁ।
ସେମାନେ ଦେଖୁଛନ୍ତି-
କିଏ କାମ କରୁଛି, କିଏ ଅହଂକାର ଦେଖାଉଛି।
ଆଜି ସାଂସଦଙ୍କୁ ଅପମାନ,
କାଲି କର୍ମୀଙ୍କୁ ଅବହେଳା,
ତା‘ ପରଦିନ ଜନତାଙ୍କୁ ଅଣଦେଖା-
ଏହି ଧାରାର ଶେଷ ଦିନେ ବାଲେଟ୍ ବକ୍ସ ନିଜ ଉତ୍ତର ଦେଇଥାଏ।
ସମୟ ଥାଉଥିଲେ ସଂଶୋଧନ କରନ୍ତୁ।
ନଚେତ୍, ଓଡ଼ିଶାର ଇତିହାସ ଆଉ ଗୋଟିଏ ଅହଂକାରୀ ଆତ୍ମମୁଗ୍ଧ ସରକାରର ପତନ ଲେଖିବାକୁ ପ୍ରସ୍ତୁତ।
ALSO READ https://purvapaksa.com/why-does-everyone-wait-until-december-31st-to-buy-a-car/


