ଗୋଟିଏ ଗାଁ, ଯେଉଁଠି ଦିନରାତି ଖଣି ଖାଦାନର ବ୍ଲାଷ୍ଟିଂ ଶବ୍ଦ ଶୁଭୁଛି। ଯେଉଁଠି ଲୋକଙ୍କ ଘରର ଛାତ ଉପରେ ଲାଲ ଓ କଳା ଧୂଳିର ଆସ୍ତରଣ ଜମି ରହୁଛି। ଯେଉଁଠି ପିଇବା ପାଣିରେ ଲୁହା ପଥରର ରଙ୍ଗ ମିଶି ପାଣି ଲାଲ୍ ଦିଶୁଛି। ସେହି ଗାଁର ଲୋକଙ୍କ କାନ୍ଦ, ସେମାନଙ୍କ ରୋଗ, ସେମାନଙ୍କ ଦୁଃଖକୁ ଦୂର କରିବା ପାଇଁ ସରକାର ଗୋଟିଏ ପାଣ୍ଠି ତିଆରି କଲେ… ଯାହାର ନାଁ ହେଲା ଡିଏମଏଫ୍ (DMF) ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ। କିନ୍ତୁ ଖଣି ପ୍ରଭାବିତ ଲୋକଙ୍କ ନାଁରେ ଆସିଥିବା ପାଖାପାଖି ଏକ ହଜାର କୋଟି ଟଙ୍କା ଏମିତି ଏକ ଜାଗାରେ ଖର୍ଚ୍ଚ ହୋଇଛି, ଯେଉଁଠି ଖଣି କ’ଣ ଲୋକେ ଜାଣି ନାହାନ୍ତି… କ’ଣ ଆପଣ ବିଶ୍ୱାସ କରିବେ?
ଆମ ରାଜ୍ୟ ଓଡ଼ିଶା। ଖଣିଜ ସମ୍ପଦରେ ଭରପୂର ଏକ ରାଜ୍ୟ। ପ୍ରକୃତି ଆମକୁ ଯାହା ଦେଇଛି, ତାହା ଦେଶର ବହୁ କମ୍ ରାଜ୍ୟ ପାଖରେ ଅଛି। କିନ୍ତୁ ଏହି ସମ୍ପଦ ଆଜି କିଛି ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ଯେଉଁ ଅଞ୍ଚଳରୁ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି, ସେଠାକାର ବାସିନ୍ଦା ନିଜ ଜଳ, ଜଙ୍ଗଲ ଏବଂ ଜମି ହରାଉଛନ୍ତି। ସେମାନଙ୍କ ଜୀବନଶୈଳୀ ଧ୍ୱଂସ ହୋଇଯାଉଛି। ସେହି ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ, ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପାନୀୟ ଜଳ ପାଇଁ କେନ୍ଦ୍ର ସରକାର ଏକ ଆଇନ ଆଣିଥିଲେ, ଯାହା ଅଧୀନରେ ଗଠନ ହୋଇଥିଲା ଡିଏମଏଫ୍ (District Mineral Foundation)।
କିନ୍ତୁ ସଦ୍ୟ ପ୍ରକାଶିତ କମ୍ପ୍ଟ୍ରୋଲର୍ ଆଣ୍ଡ ଅଡିଟର୍ ଜେନେରାଲ୍ (CAG)ଙ୍କ ମାର୍ଚ୍ଚ ୨୦୨୬ ର ଏକ ଡ୍ରାଫ୍ଟ ଅଡିଟ୍ ରିପୋର୍ଟ ଏମିତି କିଛି ତଥ୍ୟ ସାମ୍ନାକୁ ଆଣିଛି, ଯାହା ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।”
ସିଏଜି ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟ
ସିଏଜି (CAG) ରିପୋର୍ଟ କଣ କହୁଛି। ବର୍ଷ ୨୦୧୫-୧୬ରୁ ଆରମ୍ଭ କରି ୨୦୨୩-୨୪ ମସିହା ପର୍ଯ୍ୟନ୍ତ… ଏହି ପାଖାପାଖି ୯ ବର୍ଷ ଭିତରେ, ଓଡ଼ିଶାର ଡିଏମଏଫ୍ ପାଣ୍ଠିରୁ ୯୮୩.୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ଼ ପରିମାଣର ଅର୍ଥ କେଉଁଠି ଖର୍ଚ୍ଚ ହୋଇଛି ଜାଣିଛନ୍ତି? ଏହି ଟଙ୍କା ଖର୍ଚ୍ଚ ହୋଇଛି ରାଜ୍ୟର ୯୭୬ଟି ଗାଁରେ। ଆଉ ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି, ଏହି ୯୭୬ଟି ଗାଁ ଉପରେ ଖଣି ବା ମାଇନିଂର କୌଣସି ପ୍ରଭାବ ହିଁ ନାହିଁ! ସେଠାକାର ଲୋକମାନେ ଖଣି କ’ଣ ଜାଣି ନାହାନ୍ତି।
ଯେଉଁ ଗାଁରେ ଗୋଟିଏ ବି ଖଣିଜ ବୋଝେଇ ଟ୍ରକ୍ ଯାଏନି, ଯେଉଁ ଗାଁର ପବନରେ କୋଇଲା କିମ୍ବା ଲୁହା ପଥରର ଗୁଣ୍ଡ ଉଡ଼େନି, ସେହି ଅଣପ୍ରଭାବିତ ଗାଁ ଗୁଡ଼ିକରେ ଖର୍ଚ୍ଚ ହୋଇଗଲା ୯୮୩ କୋଟି ଟଙ୍କା।
କିନ୍ତୁ ଏହି ଖର୍ଚ୍ଚର ଅପର ପାର୍ଶ୍ୱଟି ଆହୁରି ହୃଦୟ ବିଦାରକ। ଯେଉଁମାନଙ୍କ ହକ୍ର ଟଙ୍କା, ସେମାନଙ୍କ ଅବସ୍ଥା କଣ? ସିଏଜି ରିପୋର୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ରାଜ୍ୟର ୪୮୮ଟି ଗାଁ, ଯାହାକି ‘ପ୍ରତ୍ୟକ୍ଷ ଭାବେ’ ବା ସିଧାସଳଖ ଖଣିଦ୍ୱାରା ପ୍ରଭାବିତ ଏବଂ ୯୬ଟି ଗାଁ ଯାହା ପରୋକ୍ଷ ଭାବେ ପ୍ରଭାବିତ, ସେହି ଗାଁ ଗୁଡ଼ିକୁ ଗୋଟିଏ ବି ପ୍ରକଳ୍ପ ମିଳିନାହିଁ!
ମାନେ, ସମ୍ପୂର୍ଣ୍ଣ ଶୂନ! ଯେଉଁ ଆଦିବାସୀ ମହିଳା ନିଜ ପିଲାକୁ କାଖେଇ ମାଇନ୍ସର ଧୂଳି ଭିତରେ ଶ୍ୱାସରୋଗରେ ପୀଡ଼ିତ ହେଉଛି, ତାର ଗାଁରେ ଗୋଟିଏ ଡାକ୍ତରଖାନା ତିଆରି ହୋଇପାରିଲାନି। ଯେଉଁ ପିଲାମାନେ ବ୍ଲାଷ୍ଟିଂ ଶବ୍ଦରେ ରାତିରେ ଶୋଇ ପାରୁନାହାନ୍ତି, ସେମାନଙ୍କ ପାଇଁ ଭଲ ସ୍କୁଲଟିଏ ତିଆରି ହେଲାନି। ଏହି ୪୮୮ଟି ପ୍ରତ୍ୟକ୍ଷ ପ୍ରଭାବିତ ଗାଁକୁ ସମ୍ପୂର୍ଣ୍ଣରୂପେ ଅଣଦେଖା କରିଦିଆଗଲା। ଏହା ପ୍ରଶାସନିକ ଭୁଲ୍ ନା ଜାଣିଶୁଣି କରାଯାଇଥିବା ଏକ ଅପରାଧ?”
କେଉଁ କେଉଁ ଜିଲ୍ଲାରେ ଏହି ଅଡିଟ୍ କରାଯାଇଥିଲା। ସିଏଜି ରାଜ୍ୟର ୬ଟି ପ୍ରମୁଖ ଖଣିଜ ସମୃଦ୍ଧ ଜିଲ୍ଲା ଉପରେ ନିଜର ଫୋକସ୍ ରଖିଥିଲେ। ସେହି ଜିଲ୍ଲାଗୁଡ଼ିକ ହେଲା- ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ସୁନ୍ଦରଗଡ଼।
ବିଶେଷ କରି କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର କଥା ଯଦି ଆମେ ବିଚାରକୁ ନେବା, ଏହା ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ। ଏହି ଜିଲ୍ଲାର ମାଟି ତଳୁ ବାହାରୁଥିବା ଲୁହାପଥର, ମାଙ୍ଗାନିଜ୍, କୋଇଲା ଏବଂ ବକ୍ସାଇଟ୍ କେବଳ ରାଜ୍ୟ ନୁହେଁ ସାରା ଦେଶର ଇସ୍ପାତ ଏବଂ ଶିଳ୍ପ କାରଖାନାକୁ ବଞ୍ଚାଇ ରଖିଛି। ଆଜି ଆପଣ ଯଦି କେନ୍ଦୁଝରର ଯୋଡ଼ା କିମ୍ବା ବଡ଼ବିଲ ଅଞ୍ଚଳକୁ ଯିବେ, ଦେଖିବେ ସେଠାକାର ଗଛପତ୍ରର ରଙ୍ଗ ସବୁଜ ନୁହେଁ, ଲାଲ୍। ସୁନ୍ଦରଗଡ଼ ଓ ତାଳଚେରର କୋଇଲା ଖଣି ଅଞ୍ଚଳର ପାଣିରେ କଳା ଆସ୍ତରଣ।
ଏହି ଲୋକଙ୍କ ଜୀବନ ବଞ୍ଚିବା ପାଇଁ ଏକ ସଂଘର୍ଷ ପାଲଟିଛି। ଆଶା ଥିଲା, ଡିଏମଏଫ୍ ଫଣ୍ଡ ଆସିଲେ ଏହି ଲୋକଙ୍କ ଭାଗ୍ୟ ବଦଳିବ। ଖଣି ମାଲିକମାନେ ଯେଉଁ ଅତିରିକ୍ତ ଅର୍ଥ ଦେଉଛନ୍ତି, ସେଥିରେ ଏହି ଅଞ୍ଚଳରେ ଅତ୍ୟାଧୁନିକ ମେଡିକାଲ ହେବ, ପିଇବା ପାଣିର ବ୍ୟବସ୍ଥା ହେବ। କିନ୍ତୁ ବାସ୍ତବତା କଣ? ବାସ୍ତବତା ହେଉଛି, ଯେଉଁ ମାଟି ସୁନା ଫଳାଉଛି, ସେହି ମାଟିର ମଣିଷ ଆଜି ଶୋଷିତ ଏବଂ ପ୍ରତାରିତ।”
ନିୟମର ଖୋଲା ଉଲ୍ଲଂଘନ
“ଏବେ ପ୍ରଶ୍ନ ଉଠୁଛି, କଣ ସରକାରୀ ବାବୁମାନେ ନିୟମ ଜାଣି ନାହାନ୍ତି? କଣ କଲେକ୍ଟରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରର ବରିଷ୍ଠ ଅଧିକାରୀମାନେ ଜାଣି ନାହାନ୍ତି ଯେ ଏହି ପାଣ୍ଠି କାହା ପାଇଁ ଉଦ୍ଦିଷ୍ଟ?
କେନ୍ଦ୍ର ସରକାରଙ୍କ ଏକ ସ୍ପଷ୍ଟ ଗାଇଡଲାଇନ୍ ରହିଛି। ଯାହାର ନାଁ ହେଲା ପିଏମକେକେକେୱାଇ (PMKKKY) ଅର୍ଥାତ୍ ‘ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା’। ଏହି ଯୋଜନାର ରୂପରେଖ ଖୁବ୍ ସ୍ପଷ୍ଟ। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଖଣି ପ୍ରଭାବିତ ଲୋକଙ୍କ କଲ୍ୟାଣ ଏବଂ ବିକାଶ। ନିୟମ କହୁଛି, ଡିଏମଏଫ୍ର ସିଂହଭାଗ ଅର୍ଥ କେବଳ ଏବଂ କେବଳ ସେହି ଗାଁ ଗୁଡ଼ିକରେ ଖର୍ଚ୍ଚ ହେବ ଯେଉଁମାନେ ସିଧାସଳଖ ଖଣିର ପ୍ରଭାବରେ ଅଛନ୍ତି। ଯେଉଁଠି ପରିବେଶ ନଷ୍ଟ ହୋଇଛି, ଯେଉଁଠି ଲୋକଙ୍କ ଜୀବିକା ଯାଇଛି, ସେଠାରେ ହିଁ ପ୍ରଥମେ ପ୍ରକଳ୍ପ ହେବ।
କିନ୍ତୁ ସିଏଜି ଅଡିଟ୍ ସ୍ପଷ୍ଟ କରୁଛି ଯେ, ଏହି ପିଏମକେକେକେୱାଇର ମୂଳ ଉଦ୍ଦେଶ୍ୟକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି। ମନଇଚ୍ଛା ଫଣ୍ଡକୁ ଡାଇଭର୍ଟ କରାଯାଇଛି। ଖଣି ଅଞ୍ଚଳରୁ ଟଙ୍କା ଉଠାଇ ନେଇ ଅଣ-ଖଣି ଅଞ୍ଚଳରେ ରାସ୍ତାଘାଟ, କୋଠାବାଡ଼ି ତିଆରି କରାଯାଇଛି। ଏହା କ’ଣ କ୍ଷମତାର ଅପବ୍ୟବହାର ନୁହେଁ? ଏହା କଣ ସେହି ଆଦିବାସୀ ଓ ଗରିବ ଲୋକଙ୍କ ସହ ବିଶ୍ୱାସଘାତକତା ନୁହେଁ?”
ସରକାରୀ କାଗଜପତ୍ରର ମିଛ ଚିତ୍ର
ଗୋଟିଏ ପଟେ ସିଏଜି ରିପୋର୍ଟ ପୋଲ୍ ଖୋଲୁଛି ଯେ ପ୍ରଭାବିତ ଅଞ୍ଚଳକୁ ଅଣଦେଖା କରାଯାଇଛି। ଅନ୍ୟ ପଟେ, ଆପଣ ଯଦି ରାଜ୍ୟ ସରକାର ଏବଂ ଡିଏମଏଫ୍ ଓଡ଼ିଶାର ରିପୋର୍ଟ କାର୍ଡ଼ ଦେଖିବେ, ତେବେ ଆପଣଙ୍କୁ ଲାଗିବ ଯେମିତି ସବୁ କିଛି ରାମରାଜ୍ୟ ଚାଲିଛି!
ଡିଏମଏଫ୍ ଓଡ଼ିଶାର ରିପୋର୍ଟ ଦର୍ଶାଉଛି ଯେ ସେମାନେ ‘ହାଇ-ପ୍ରାୟୋରିଟି ଏରିଆ’ ବା ଉଚ୍ଚ ପ୍ରାଥମିକତା ଥିବା କ୍ଷେତ୍ରରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି। ଯେପରିକି ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ୱାସ୍ଥ୍ୟ ସେବା। କାଗଜ କଲମରେ ଦେଖାଇ ଦିଆଗଲା ଯେ ହଜାର ହଜାର କୋଟି ଟଙ୍କାର ମେଗା ପାଇପ୍ ୱାଟର ପ୍ରୋଜେକ୍ଟ ହେଲା, ସ୍କୁଲ୍ ଗୁଡ଼ିକ ସ୍ମାର୍ଟ ହେଲା, ହସ୍ପିଟାଲ୍ ତିଆରି ହେଲା।
ଏସବୁ ବିକାଶମୂଳକ କାର୍ଯ୍ୟ ହୋଇଛି, ଏହାକୁ କେହି ଅସ୍ୱୀକାର କରୁନାହାନ୍ତି। କିନ୍ତୁ ପ୍ରଶ୍ନ ହେଉଛି- କାହା ପାଇଁ ହୋଇଛି ଏବଂ କେଉଁଠି ହୋଇଛି? ଅର୍ଥ ଥିଲା ରାମ ପାଇଁ, ଖର୍ଚ୍ଚ କରାଗଲା ଶ୍ୟାମ ପାଇଁ! ବିକାଶ ହେଲା, କିନ୍ତୁ ଯାହାର ବିକାଶ ହେବା କଥା ତାକୁ ଛାଡ଼ି ଅନ୍ୟ ଜାଗାରେ ହେଲା।
ଯେଉଁ ୪୮୮ ଟି ଗାଁ ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ, ସେମାନଙ୍କ ପାଇଁ ପାନୀୟ ଜଳ କାହିଁ? ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର କାହିଁ? ଏହି ପ୍ରଶ୍ନର ଉତ୍ତର ସରକାରୀ ରିପୋର୍ଟରେ ନାହିଁ। କେବଳ ଆଖିରେ ଧୂଳି ଦେବା ପାଇଁ, ମୋଟା ଅଙ୍କର ଟଙ୍କାକୁ ଅନ୍ୟ ଅଞ୍ଚଳରେ ଖର୍ଚ୍ଚ କରି ଡିଏମଏଫ୍ ର ସଫଳତା ବୋଲି ପ୍ରଚାର କରାଯାଇଛି। ଏହା ଏକ ବିରାଟ ବଡ଼ ବିଡ଼ମ୍ବନା ନୁହେଁ ତ ଆଉ କଣ?”
ଆଇନ, ରିପୋର୍ଟ, କୋଟି କୋଟି ଟଙ୍କାର ହିସାବ… ଏସବୁ ବାହାରେ ବି ଗୋଟିଏ ବାସ୍ତବତା ଅଛି। ଆପଣ କେବେ ମୟୂରଭଞ୍ଜର ଖଣି ଅଞ୍ଚଳ ବା କେନ୍ଦୁଝରର ସୁଆକାଟି, ଯୋଡ଼ା ଯାଇଛନ୍ତି? ସେଠାକାର ଗୋଟିଏ ସାଧାରଣ ଲୋକର ଦିନଚର୍ଯ୍ୟା କିପରି ବିତେ ଜାଣିଛନ୍ତି? ସକାଳୁ ଉଠିଲେ ତାଙ୍କ ଘର ଅଗଣାରେ ଲାଲ ଧୂଳି। ପିଲାମାନେ ସେହି ଧୂଳିରେ ଖେଳୁଛନ୍ତି। ଘରର ରୋଜଗାରିଆ ମଣିଷଟି ଖଣିରେ କାମ କରି, ବିଷାକ୍ତ ବାୟୁ ସେବନ କରି ଯକ୍ଷ୍ମା ବା ଟିବି ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡୁଛି।
ଡିଏମଏଫ୍ ଆସିବା ପରେ ସେମାନଙ୍କ ଆଖିରେ ଏକ ଆଶାର କିରଣ ଥିଲା। ସେମାନେ ଭାବିଥିଲେ ବୋଧହୁଏ ଏବେ ସରକାର ଆମ କଥା ଶୁଣିବେ। ଆମ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ୍ ହେବ, ଆମ ପିଲାଙ୍କ ପାଇଁ ଭଲ ସ୍କୁଲ୍ ହେବ। କିନ୍ତୁ ବାସ୍ତବରେ କଣ ହେଲା? ରାଜନୈତିକ ଫାଇଦା ପାଇଁ, ବା ଅଧିକାରୀମାନଙ୍କର ଅଦୂରଦର୍ଶିତା କାରଣରୁ ଏହି ଟଙ୍କାକୁ ବିଜେଡି ସରକାର ସମୟରେ ଏମିତି ଅଞ୍ଚଳକୁ ନେଇଯିବାକୁ ଦିଆଗଲା ଯେଉଁଠି ନେତାମାନଙ୍କର ଭୋଟ୍ ବ୍ୟାଙ୍କ ଥିଲା। ଯେଉଁ ଗାଁ ସହ ଖଣିର କୌଣସି ସମ୍ପର୍କ ନାହିଁ, ସେଠାରେ ଡିଏମଏଫ୍ ଫଣ୍ଡରେ ଷ୍ଟାଡିୟମ୍ ହେଉଛି, ପାର୍କ ହେଉଛି। କିନ୍ତୁ ଖଣି ଅଞ୍ଚଳର ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଟୋପାଏ ମିଳୁନି।
ଏହି ଯେଉଁ ୯୮୩ କୋଟି ଟଙ୍କା ଅନ୍ୟତ୍ର ଖର୍ଚ୍ଚ ହୋଇଛି, ଏହା କେବଳ ଏକ ସଂଖ୍ୟା ନୁହେଁ। ଏହା ହେଉଛି ସେହି ୪୮୮ ଗାଁର ଲୋକଙ୍କ ଲୁହ। ଏହା ହେଉଛି ସେହି ଗରିବ ମା’ର ସ୍ୱପ୍ନର ଚିତା ଭସ୍ମ, ଯିଏ ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିଥିଲା। ନ୍ୟାୟ ନାଁରେ କିଭଳି ଅନ୍ୟାୟ ହୁଏ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ।”
କାହାର ଦାୟିତ୍ୱ?
“ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ। ଏଥିପାଇଁ ଦାୟୀ କିଏ?
• ଜିଲ୍ଲା ସ୍ତରରେ ଥିବା ଡିଏମଏଫ୍ ଟ୍ରଷ୍ଟ ବୋର୍ଡ, ଯାହାର ଅଧ୍ୟକ୍ଷ ଜିଲ୍ଲାପାଳ ଥାଆନ୍ତି, ସେମାନେ କଣ ଆଖି ବନ୍ଦ କରି ବସିଥିଲେ?
• ଯେତେବେଳେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଉଥିଲା, ସେତେବେଳେ କେହି ଦେଖିଲେ ନାହିଁ ଯେ ଏହି ଗାଁ ଗୁଡ଼ିକ ଖଣି ଦ୍ୱାରା ପ୍ରଭାବିତ ନୁହେଁ?
• କେନ୍ଦ୍ର ସରକାରଙ୍କ ପିଏମକେକେକେୱାଇ ଗାଇଡଲାଇନକୁ କେଉଁ ସାହସରେ ବେଖାତିର୍ କରାଗଲା?
• ଏବଂ ସବୁଠୁ ବଡ଼ କଥା ହେଲା, ବିଗତ ୯ ବର୍ଷ ଧରି ଏହି ଖେଳ ଚାଲିଥିଲାବେଳେ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ବିଭାଗ କଣ କରୁଥିଲା?
କ’ଣ ଏଥିରେ କୌଣସି ରାଜନୈତିକ ଚାପ ଥିଲା? ନିଜ ନିର୍ବାଚନମଣ୍ଡଳୀକୁ ବିକଶିତ ଦେଖାଇବା ପାଇଁ ପ୍ରଭାବଶାଳୀ ନେତାମାନେ ଖଣି ଅଞ୍ଚଳର ଟଙ୍କାକୁ ହାଇଜାକ୍ କରିନେଲେ କି? ଏସବୁ ପ୍ରଶ୍ନର ଉତ୍ତର ଆଜି ଓଡ଼ିଶାର ଜନସାଧାରଣ ଖୋଜୁଛନ୍ତି।
ସିଏଜି (CAG) ନିଜର ଡ୍ରାଫ୍ଟ ରିପୋର୍ଟ ଦେଇସାରିଛନ୍ତି। ଏହା ଏକ ଚେତାବନୀ ଘଣ୍ଟି। ବେଳ ଥାଉ ଥାଉ ଯଦି ପ୍ରଶାସନ ନିଜର ଭୁଲ୍ ନ ସୁଧାରେ, ତେବେ ଏହା କେବଳ ସାମ୍ବିଧାନିକ ନିୟମର ଉଲ୍ଲଂଘନ ହେବ ନାହିଁ, ବରଂ ଗଣତନ୍ତ୍ର ଉପରୁ ସାଧାରଣ ଲୋକଙ୍କର ବିଶ୍ୱାସ ତୁଟିଯିବ।”
ଡିଏମଏଫ୍ ହେଉଛି ସେହି ଲୋକଙ୍କ ଅଧିକାର, ଯେଉଁମାନେ ଆମ ରାଜ୍ୟ ଓ ଦେଶର ଅର୍ଥନୀତି ପାଇଁ ନିଜର ଭିଟାମାଟିକୁ ବଳିଦାନ ଦେଇଛନ୍ତି। ସେହି ଅର୍ଥକୁ ବାଟମାରଣା କରିବା ବା ଅଣ-ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବା କୌଣସି ଗୁଣରେ କ୍ଷମଣୀୟ ଅପରାଧ ନୁହେଁ। ୪୮୮ଟି ପ୍ରତ୍ୟକ୍ଷ ଏବଂ ୯୬ଟି ପରୋକ୍ଷ ପ୍ରଭାବିତ ଗାଁର ଲୋକେ ଆଜି ବି ନ୍ୟାୟ ଅପେକ୍ଷାରେ ଅଛନ୍ତି।
ଯେଉଁମାନେ ଏହି ପାଣ୍ଠି ହେରଫେରରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଭବିଷ୍ୟତରେ ଯେପରି ପ୍ରତ୍ୟେକଟି ପଇସା କେବଳ ଓ କେବଳ ଖଣି ପ୍ରଭାବିତ ଲୋକଙ୍କ ଉନ୍ନତି ପାଇଁ ଖର୍ଚ୍ଚ ହେବ, ତାହା ସୁନିଶ୍ଚିତ କରାଯିବ।
AlsoRead; https://purvapaksa.com/will-the-lockdown-return/


