ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୧୧ବର୍ଷ ତୃତୀୟ ପାଳିର ସରକାରକୁ ଏକ ବର୍ଷ ପୂରୁଛି। ଜୁନ୍ ୯, ୨୦୨୪ରେ ଅର୍ଥାତ୍ ଠିକ୍ ବର୍ଷକ ତଳେ ନରେନ୍ଦ୍ର ମୋଦୀ ସରକାର ଗଠନ ପାଇଁ ଏକ ଭବ୍ୟ ସମାବେଶରେ ଶପଥ ନେଇଥିଲେ। ଲଗାତାର ତୃତୀୟ ଥର ପାଇଁ ଜଣଙ୍କ ନେତୃତ୍ୱକୁ ଦେଶ ସମର୍ଥନ କରିବା ଆଦୌ ଛୋଟିଆ କଥା ନୁହେଁ। କିନ୍ତୁ ଏହି ସରକାର ଗଠନରେ ଓଡ଼ିଶାର ଅନେକ ଅବଦାନ ରହିଛି। ତାହାକୁ ଦେଶର ରାଜନୀତିକ ପଣ୍ଡିତ ଓ ସ୍ୱୟଂ ମୋଦୀ କେବେ ଭୁଲିପାରିବେ ନାହିଁ। କାରଣ ଯେଉଁ ରାଜ୍ୟରେ ଦୁଇ ଅଙ୍କ ସଂଖ୍ୟା ଛୁଇଁବା ବିଜେପି ପାଇଁ କାଠିକର ପାଠ ଥିଲା, ସେହି ରାଜ୍ୟର ୨୧ରୁ ୨୦ ଆସନରେ ବିଜେପି ପ୍ରତିନିଧିଙ୍କୁ ରାଜ୍ୟବାସୀ ଲୋକସଭାକୁ ପଠାଇଛନ୍ତି। ଫଳରେ ସଂଖ୍ୟା ଖେଳରେ ମୋଦୀଙ୍କୁ ଅନେକ ଆଶ୍ୱସ୍ତି ମିଳିପାରିଛି। ଏହି ଅନୁସାରେ ଓଡ଼ିଶାକୁ ମଧ୍ୟ ମୋଦୀ ଯଥେଷ୍ଟ ସୁଯୋଗ ସରକାରରେ ଦେବାକୁ ଭୁଲି ନାହାନ୍ତି। ଯେମିତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଆ ଅଫିସରଙ୍କ ଗୁରୁତ୍ୱ ବଢ଼ିଛି ସେମିତି ମନ୍ତ୍ରିମଣ୍ଡଳରେ ଅଢ଼େଇଜଣ ଓଡ଼ିଆ ପ୍ରତିନିଧିଙ୍କୁ ମନ୍ତ୍ରୀ କରିଛନ୍ତି ମୋଦୀ। ଅଢ଼େଇ କହିବାର ଅର୍ଥ ହେଉଛି ଜଣେ ମନ୍ତ୍ରୀ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ରାଜସ୍ଥାନର ବାସିନ୍ଦାଭାବେ ପରିଚିତ। ସେ ହେଉଛନ୍ତି ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟ ଦୁଇଜଣ ହେଲେ ସମ୍ପୂର୍ଣ୍ଣ ଓଡ଼ିଆ। ଜଣେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ଅନ୍ୟ ଜଣକ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସଙ୍ଗ ହେଉଛି ବର୍ଷେ ଭିତରେ ଏମାନଙ୍କ ସ୍ଥିତି କେଉଁଠି? ଆଗକୁ ଯାଇଛନ୍ତି ନା ମୋଦୀ ବିଶ୍ୱାସ ତାଲିକାରୁ ତଳକୁ ଖସୁଛନ୍ତି? ଏହାକୁ ଆଧାର କରି ଆଜିର ଆଲୋଚନା।
ଇତି ମଧ୍ୟରେ ମୋଦୀଙ୍କ ତୃତୀୟ ପାଳିର ସରକାରକୁ ୧ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ମୋଦୀ ସରକାର ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏପରିକି ମୋଦୀଙ୍କର ‘ସବକା ସାଥ୍ ସବକା ବିକାଶ’ ସ୍ଳୋଗନ ମଧ୍ୟ ପରିବର୍ତ୍ତନ ହୋଇଛି। ଜୁନ୍ ୨୨ ତାରିଖରେ ପହଲଗାମରେ ୨୬ଜଣ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ପାକ୍ ସମର୍ଥୀତ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଜୁନ୍ ୭ତାରିଖରେ ପାକିସ୍ତାନ ଉପରେ ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୁର ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି।
ମୋଦୀଙ୍କ ତୃତୀୟ ସରକାରରେ ୫ବର୍ଷର ବନବାସ ପରେ ପାଳିର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମଙ୍କୁ। ଜୁଏଲଙ୍କୁ ତାଙ୍କର ସେହି ପୁରୁଣା ଆଦିବାସୀ କଲ୍ୟାଣ ବିଭାଗ ମିଳିଛି। ଝାଡ଼ଖଣ୍ଡର ଅର୍ଜୁନ ମୁଣ୍ଡା ପରାଜିତ ହୋଇନଥିଲେ ଜୁଏଲଙ୍କୁ ଏ ସୌଭାଗ୍ୟ ମିଳିଥାନ୍ତା କି ନାହିଁ, ତାହା ମଧ୍ୟ ଏକ ବଡ଼ ବିତର୍କର ବିଷୟ। ହୁଏତ ବୈଜୟନ୍ତ ପଣ୍ଡା କିମ୍ବା ଅପରାଜିତା ଷଡ଼ଙ୍ଗୀଙ୍କ ଭିତରେ କାହାଙ୍କ ମୁଣ୍ଡରେ ମନ୍ତ୍ରୀ ଶିରୋପା ଲାଗିଥାନ୍ତା।
ମୋଦୀଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ତୃତୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଆସନ ବଜାୟ ରଖିଛନ୍ତି। ତେବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ରେଳବାଇ ବିଭାଗ ମିଳିଥିଲା। ମୋଦୀଙ୍କ ତୃତୀୟ ପାଳି ସରକାରରେ ଅଶ୍ୱିନୀ ରେଳବାଇ ସହ ଦକ୍ଷତା ବିକାଶ, ସୂଚନା ପ୍ରସାରଣ ଏବଂ ଆଇଟି ବିଭାଗର ମନ୍ତ୍ରୀ ହୋଇଛନ୍ତି।
ଯଦି ତିନି ମନ୍ତ୍ରୀଙ୍କ ପ୍ରଦର୍ଶନର ଅନାସକ୍ତ ବିଶ୍ଲେଷଣ କରାଯାଏ, ତେବେ ଏକ ବିଚିତ୍ର ଉପଲବ୍ଧି ଦେଖିବାକୁ ମିଳିବ। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସର୍ବ ବରିଷ୍ଠ। କିନ୍ତୁ ଗତ ୧ବର୍ଷ ଭିତରେ ଜୁଏଲ ଏକପ୍ରକାର ହଜିଗଲା ପରି ଲାଗୁଛନ୍ତି। ତେଣୁ ପ୍ରଦର୍ଶନ ଦୃଷ୍ଟିରୁ କହିବାକୁ ପଡ଼ିବ ଯେ ଜୁଏଲଙ୍କ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ। କେବଳ ସୁନ୍ଦରଗଡ଼ରେ ସେ ସକ୍ରିୟ।
ରାଜ୍ୟରେ ୨୩% ଆଦିବାସୀ ଥିଲେ ହେଁ କେନ୍ଦ୍ରରୁ କୌଣସି ଆଖିଦୃଶିଆ ଯୋଜନା ଓଡ଼ିଶା ପାଇଁ ସେ ଆଣିପାରିଥିବା ମନେହେଉ ନାହିଁ। ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦାୟିତ୍ୱ ନେବାପରେ ଲାଗୁଛି ଜୁଏଲ୍ ଗୁରୁତ୍ୱ ହରାଇ ବସିଛନ୍ତି। ଏପ୍ରିଲ ୪ରେ ୱାକଫ୍ ସଂଶୋଧନ ବିଧେୟକ ବିଲ୍-୨୦୨୫କୁ ନେଇ ସଂସଦରେ ଭୋଟିଂରେ ଜୁଏଲ ଅନୁପସ୍ଥିତ ରହି ନିଜର ଦାୟିତ୍ୱହୀନତାକୁ ପ୍ରଦର୍ଶୀତ କରିଛନ୍ତି।
ଏପରିକି ନିଜର ବ୍ୟକ୍ତିଗତ ସଚିବଙ୍କୁ ପରିବର୍ତ୍ତନ କରିବା ପାଇଁ ଜିଦ୍ ଧରିବାରୁ ଏକଥା ପ୍ରଧାନମନ୍ତ୍ରୀଙ୍କ କାନକୁ ମଧ୍ୟ ଯାଇଥିଲା। ରାଜ୍ୟରେ ଆଦିବାସୀ ଛାତ୍ରଛାତ୍ରୀ ଅକାଳରେ ମୃତ୍ୟୁବରଣ କରିବା, ନାବାଳିକା ଛାତ୍ରୀମାନେ ହଷ୍ଟେଲରେ ଗର୍ଭବତୀ ହେବା ଘଟଣାରେ ଜୁଏଲଙ୍କ ନୀରବତା ରାଜ୍ୟ ପ୍ରତି ତାଙ୍କର ଉଦାସୀନତାକୁ ପ୍ରକାଶ କରିଛି। ଅପରପକ୍ଷରେ ଅଯଥା କାରଣରୁ ଜୁଏଲ ମଇ ମାସରେ ଚର୍ଚ୍ଚାରେ ଥିଲେ। ଗୋଣ୍ଡୱାନା ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ଦାମୋହ ଷ୍ଟେସନରୁ ମଇ ୪ ତାରିଖରେ ସେ ନିଖୋଜ ହେବା ଓ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ସିହୋରା ରୋଡ୍ ଷ୍ଟେସନରୁ ଖଣ୍ଡିଆଖାବରା ଅବସ୍ଥାରେ ଉଦ୍ଧାର ହେବା ଖବର ସମଗ୍ର ଦେଶରେ ପ୍ରଚାରିତ ହୋଇଥିଲା। ଏହିସବୁ ଘଟଣାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁନଜରରେ ନ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି।
୨୦୧୪ରୁ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୭ବର୍ଷରୁ ଊର୍ଦ୍ଧ୍ୱ କାଳ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ବିଭାଗର ଦାୟିତ୍ୱରେ ଥିଲେ ଧର୍ମେନ୍ଦ୍ର। ସେହି ସମୟରେ ଓଡ଼ିଶା ପାଇଁ ଅନେକଗୁଡ଼ିଏ ପ୍ରକଳ୍ପ ଏବଂ ଯୋଜନା ଆଣିବାରେ ତାଙ୍କ ଭୂମିକା ପ୍ରଶଂସାଯୋଗ୍ୟ ଥିଲା। ଏପରିକି ମୋଦୀଙ୍କ ଉଜ୍ୱଳା ଯୋଜନାକୁ ସଫଳତାର ସହିତ ଲାଗୁ କରାଇବାରେ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦିଆଯାଉଛି। ୨୦୧୯ରେ ଦଳ ତାଙ୍କରି ନେତୃତ୍ୱରେ ଓଡ଼ିଶା ନିର୍ବାଚନ ଲଢ଼ିଥିଲା, କିନ୍ତୁ ସଫଳତା ମିଳିନଥିଲା। କିନ୍ତୁ ଦ୍ୱିତୀୟ ମୋଦୀ ସରକାରରେ ପ୍ରଥମ ସମ୍ପ୍ରସାରଣବେଳେ ତାଙ୍କୁ ପେଟ୍ରୋଲିୟମ ବିଭାଗରୁ ହଟାଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ କରାଯାଇଥିଲା। ମୋଦୀଙ୍କ ଦ୍ୱିତୀୟ ପାଳିରେ ସେ ଶିକ୍ଷାମନ୍ତ୍ରୀ ଥିଲେ। ତୃତୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ସେହି ବିଭାଗ ବଜାୟ ରଖିଲେ। କିନ୍ତୁ ଦକ୍ଷତା ବିକାଶ ବିଭାଗ ତାଙ୍କ ହାତରୁ କାଢ଼ି ନିଆଯାଇଥିଲା।
ଗତ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ମୋଦୀଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳବେଳେ ତାଙ୍କର ଓଡ଼ିଶା କୈନ୍ଦ୍ରିକ ବିକଳ୍ପ ପାଇଁ ଯେଉଁ ଆଭିମୁଖ୍ୟ ଏବଂ ପ୍ରୟାସ ଥିଲା, ଗତ ୧ବର୍ଷ ହେଲା ସେଭଳି ଦେଖାଯାଉନାହିଁ। କିନ୍ତୁ ଅପରପକ୍ଷରେ ରାଜ୍ୟ ରାଜନୀତିରେ ତାଙ୍କ ରୁଚି ଯଥେଷ୍ଟ କମିଯାଇଛି। ବିଜେପି ମନ୍ତ୍ରିମଣ୍ଡଳ ଗଠନ ପରେ ସେ ଏକ ଦ୍ୱିତୀୟ ଶକ୍ତିକେନ୍ଦ୍ରଭାବେ ଉଭା ହୋଇଛନ୍ତି। ତେବେ ସେ ଓଡ଼ିଶା ପାଇଁ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ଆଣିବାରେ ସଫଳ ହୋଇଛନ୍ତି। ଏବେ ଇଗ୍ନୋୟୁ ଏମବିଏ ପାଠ୍ୟକ୍ରମ ଓଡ଼ିଆରେ ଆରମ୍ଭ ହୋଇଛି। ଏବେ ପୁରୁଣା ଢାଞ୍ଚାରେ ସେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। କେନ୍ଦ୍ରମନ୍ତ୍ରୀମାନଙ୍କୁ ଚିଠି ଲେଖୁଛନ୍ତି। ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଧର୍ମେନ୍ଦ୍ର। ଦଳର ଜାତୀୟ ସଭାପତି ଦୌଡ଼ରେ ଥିବା ତିନିଜଣ ନେତାଙ୍କ ମଧ୍ୟରୁ ସେ ଜଣେ ବୋଲି ଚର୍ଚ୍ଚା ହେଉଛି।
ତୃତୀୟ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ। ମୁଣ୍ଡ ଉପରେ ତାଙ୍କର ଅଣଓଡ଼ିଆ ଅପବାଦ। ଏପରିକି ମେଣ୍ଟ ପ୍ରୟାସ ଚାଲିଥିବାବେଳେ ଅଶ୍ୱିନୀଙ୍କ ନାମକୁ ମଧ୍ୟ ଯୋଡ଼ି ଦିଆଯାଇଥିଲା। ତେବେ ନିରବରେ ମୋଦୀ ଦ୍ୱିତୀୟ ପାଳିରେ ଓଡ଼ିଶା ପାଇଁ ଯେଭଳି କାର୍ଯ୍ୟ କରୁଥିଲେ, ଗତ ୧ ବର୍ଷ ଭିତରେ ତା’ଠୁ ବରଂ ଅଧିକ କାର୍ଯ୍ୟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। କୌଣସି ଓଡ଼ିଆ ମନ୍ତ୍ରୀ ଏହି ସମୟ ଭିତରେ ଓଡ଼ିଶା ସ୍ୱାର୍ଥ ସଂଶ୍ଳିଷ୍ଟ ସେତିକି କାର୍ଯ୍ୟ କରିନାହାନ୍ତି। ରାଜ୍ୟ ରାଜନୀତିରେ ମୁଣ୍ଡ ପୁରାଇବାକୁ ଚାହାନ୍ତି ନାହିଁ ଅଶ୍ୱିନୀ ବୈଷ୍ଣବ। ଓଡ଼ିଆ ଅଣଓଡ଼ିଆ ବିବାଦ ପରିପ୍ରେକ୍ଷୀରେ ସକ୍ରିୟ ହେବାକୁ ପସନ୍ଦ କରନ୍ତି ନାହିଁ ଅଶ୍ୱିନୀ। ତାଙ୍କରି ଅମଳରେ ଓଡ଼ିଶାକୁ ରେଳବାଇ ଅନୁଦାନ ହାରାହାରି ୧୦ହଜାର କୋଟି ଟଙ୍କାରେ ପହଞ୍ଚିଛି। ୨୪୩ ରେଲ ଟ୍ରାକ୍, ୧୩ଟି ନୂଆ ଲାଇନ, ଗୋଟିଏ ଗଜ ପରିବର୍ତ୍ତନ, ୨୬ଟି ଟ୍ରାକ ଦୋହରିକରଣ କାମ ତାଙ୍କରି ଅମଳରେ ଆରମ୍ଭ ହୋଇଛି । ଗତ ଡିସେମ୍ବରରେ ମୟୂରଭଞ୍ଜ ଜିଲାରେ ରାଷ୍ଟ୍ରପତି ଦ୍ରୌଦୀ ମୁର୍ମୁଙ୍କ ଉପସ୍ଥିତିରେ ୩ଟି ରେଳଲାଇନର ଭିତ୍ତିପ୍ରସ୍ତର ପଡ଼ିଛି।
ଓଡ଼ିଶାରେ ଚାଲୁଛି ୬ଟି ବନ୍ଦେ ଭାରତ ଟ୍ରେନ୍। ୫୯ଟି ଷ୍ଟେସନର ଆଧୁନିକୀକରଣ କାମ ହାତକୁ ନିଆଯାଇଛି। କଟକ ରେଳଷ୍ଟେସନକୁ ଦେଖିଲେ ଏହା ଏକ ର୍ଯ୍ୟଟନ କେନ୍ଦ୍ର ବୋଲି ଭ୍ରମ ସୃଷ୍ଟି ହେଉଛି। ଭୁବନେଶ୍ୱର ଷ୍ଟେସନ ଏକ ବିଶ୍ୱସ୍ତରୀୟ ଷ୍ଟେସନ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ରେଳମନ୍ତ୍ରୀ। ନିକଟରେ ନୟାଗଡ଼ର ଦଶପଲାରୁ ପୁରୁଣା କଟକ ପର୍ଯ୍ୟନ୍ତ ୭ଟି ଟନେଲ ନିର୍ମାଣ କାମକୁ ବଡ଼ ସଫଳତା ଭାବରେ ଗଣାଯାଉଛି। କେବଳ ସେତିକି ନୁହେଁ, ରାଜ୍ୟକୁ ଆଇଟି ହବ୍ରେ ପରିଣତ କରିବା ପାଇଁ ରୋଡ୍ମ୍ୟା ପ୍ରସ୍ତୁତ ହୋଇଛି। ୫୩୩୩ଟି ମୋବାଇଲ ଟାୱାର ସ୍ଥାପିତ ହୋଇଛି। ତାଙ୍କରି ସମୟରେ ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ଦୂରଦର୍ଶନ ଖବର ପ୍ରସାରଣ ଆରମ୍ଭ କରିଛି।
ମୋଦୀ ତୃତୀୟପାଳିର ଶାସନର ଦ୍ୱିତୀୟ ବର୍ଷରେ ୩ ମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଶା ବିକାଶ ପଥେ ଆଉ ପାଦେ ଆଗେଇଯିବ ବୋଲି ସମସ୍ତେ ଆଶା କରୁଛନ୍ତି।
Also readhttps://purvapaksa.com/a-murder-took-place-700-years-ago-now-its-known-who-the-murderer-is/
2 Comments
Pingback: Hospital in Odishaଓଡ଼ିଶାରେ କେମିତି ଚାଲିଛି ଶିଶୁମାନଙ୍କ ଚିକିତ୍ସା
Pingback: Rain odisha ରଜରେ ବର୍ଷା ହେବାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ ।