ଜୁନ୍ ୧୨ ତାରିଖ। ଆଉ ମାତ୍ର ୨୦ ଦିନ। ଏ ଦିନଟି ବର୍ତ୍ତମାନର ଓଡ଼ିଶା ରାଜନୀତି ପରପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଏହିଦିନ ପ୍ରଥମଥର ପାଇଁ ବିଜୁ ଜନତା ଦଳର ଲୋକପ୍ରିୟତାକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା। ଏ ଘଟଣାକୁ କେହି କେହି ବାଇଚାନ୍ସ ବୋଲି କହିଛନ୍ତି। ଯାହା ବି ହେଉ ଏ ବର୍ଷଟିକୁ ଅତ୍ୟନ୍ତ ସଫଳତାର ବର୍ଷଭାବେ ବିଜେପି ସରକାର ଉପସ୍ଥାପନ କରିବା ଲାଗି ପୂରା ଦମରେ ଲାଗିପଡ଼ିଛନ୍ତି। ବିଭାଗଗୁଡ଼ିକ ପୋଷ୍ଟର, ବ୍ୟାନର ପ୍ରସ୍ତୁତି ତଥା କାର୍ଯ୍ୟକ୍ରମ ଆୟୋଜନରେ ବ୍ୟସ୍ତ ହୋଇସାରିଲେଣି। ହେଲେ ସମାଲୋଚକ କହୁଛନ୍ତି ଯେଉଁ ସରକାର ବର୍ଷକ ଭିତରେ ମନ୍ତ୍ରିମଣ୍ଡଳର ସମସ୍ତ ପଦବୀ ପୂରଣ କରିପାରିଲା ନାହିଁ, କି ଏ ପର୍ଯ୍ୟନ୍ତ ସରକାରୀ ଓକିଲ ପ୍ୟାନେଲ ନିଯୁକ୍ତି କରିପାରିନାହିଁ, ସେଠାରେ ରାଜ୍ୟର ଲୋକମାନେ ନିଯୁକ୍ତି ହେଉ ବା ବିକାଶ କଥା ଭାବିବେ କେମିତି? ଏ ବିଷୟକୁ ନେଇ ଆଜିର ଆଲୋଚନା।
ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ ଶାସନର ସାମ୍ବିଧାନିକ ମୁଖ୍ୟ କାର୍ଯ୍ୟ ନିର୍ବାହୀ। ତାଙ୍କୁ ସହାୟତା କରିବା ଲାଗି ଏକ ମନ୍ତ୍ରିମଣ୍ଡଳ ରହିଛି। ଏହି ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ସର୍ବନିମ୍ନ ୧୨ ଏବଂ ସର୍ବାଧିକ ନିର୍ବାଚିତ ପ୍ରତିନିଧିଙ୍କ ସମୁଦାୟ ସଂଖ୍ୟାର ୧୫% ହେବା ଆବଶ୍ୟକ। ଅର୍ଥାତ୍ ଓଡ଼ିଶାରେ ଯେହେତୁ ୧୪୭ଜଣ ବିଧାୟକ ରହିଛନ୍ତି, ମନ୍ତ୍ରୀଙ୍କ ସଂଖ୍ୟା ୨୨ ହୋଇପାରିବ। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ୧୬ ଜଣ ସଦସ୍ୟ ରହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ଚାହିଁଲେ ଆଉ ୬ ଜଣଙ୍କୁ ମନ୍ତ୍ରୀଭାବେ ଗ୍ରହଣ କରିପାରିବେ। କିନ୍ତୁ ଗତ ୧ ବର୍ଷ ହେଲା ସରକାରରେ ତାହା ହୋଇପାରୁ ନାହିଁ। ଏହା ପ୍ରକାରାନ୍ତେ ସ୍ପଷ୍ଟ କରୁଛି ଯେ ମୁଖ୍ୟମନ୍ତ୍ରୀ ନିଜର ୬୨ଜଣ ଦଳୀୟ ବିଧାୟକଙ୍କ ଯେଉଁମାନେ ମନ୍ତ୍ରୀ ହୋଇନାହାନ୍ତି ସେମାନଙ୍କ ଭିତରୁ ୬ଟି ନିର୍ଭରଯୋଗ୍ୟ ନାଁ ପାଇପାରୁ ନାହାନ୍ତି।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଦୁଇ ପ୍ରକାର ମନ୍ତ୍ରୀ ରହିପାରିବେ। ଜଣେ କ୍ୟାବିନେଟ୍ ପାହ୍ୟା ଏବଂ ଅନ୍ୟଜଣେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ବରିଷ୍ଠତା, ଅଭିଜ୍ଞତାକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଥାଏ। ପୁଣି ଏହି ନିଷ୍ପତ୍ତି ଆଧାରରେ ବିଭାଗ ବଣ୍ଟନ କରାଯାଇଥାଏ। ଯେହେତୁ ରାଜ୍ୟରେ ୪୨ଟି ବିଭାଗ ରହିଛି, ୨୨ଜଣ ମନ୍ତ୍ରୀ ହେଲେ ବି ଜଣେ ମନ୍ତ୍ରୀଙ୍କୁ ପ୍ରାୟ ୨ଟି ଲେଖାଏଁ ବିଭାଗ ଦାୟିତ୍ୱ ନେବାକୁ ହେବ। ଏବେ ୧୬ ଜଣ ଥିବାରୁ ଜଣେ ମନ୍ତ୍ରୀଙ୍କ ପାଖରେ ପ୍ରାୟ ୩ଟି ବିଭାଗ ପଡ଼ୁଛି। ଅଧିକ ବିଭାଗ ହେଲେ ଜଣେ ମନ୍ତ୍ରୀ ଠିକଣା ଭାବେ ସବୁ ବିଭାଗ ଉପରେ ନଜର ରଖିବା ସହଜ ହୋଇନଥାଏ।
ପୂର୍ବରୁ ବୁଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୀର୍ଘ କାଳ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରୁନଥିଲେ। ଏ ବାବଦରେ ଗଣମାଧ୍ୟମକୁ ଭେଟି ‘ଏକା ବିଜୁ’ ସକ୍ଷମ ବୋଲି କହିଥିବା ଚର୍ଚ୍ଚା ହୁଏ। ଏହା ଅତ୍ୟଧିକ ଆତ୍ମବିଶ୍ୱାସ ହୋଇପାରେ କିନ୍ତୁ ସରକାରଙ୍କୁ ଏକଛତ୍ରବାଦୀ ହେବାରେ ବି ସହାୟକ ହୋଇଥାଏ।
କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଅନୁଶୀଳନ କଲେ ଜଣାଯାଏ ଯେ, କେନ୍ଦ୍ରରେ ୯୧ଟି ମନ୍ତ୍ରଣାଳୟ ଓ ବିଭାଗ ରହିଛି। ଏଥିଲାଗି ୮୧ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରିବାର କ୍ଷମତା ପ୍ରଧାନମନ୍ତ୍ରୀଙ୍କର ରହିଛି। କିନ୍ତୁ ଏବେ କେନ୍ଦ୍ରମନ୍ତ୍ରିମଣ୍ଡଳରେ ୭୧ ଜଣ ମନ୍ତ୍ରୀ ରହିଛନ୍ତି।
ଏଣୁ ମନ୍ତ୍ରିମଣ୍ଡଳରେ ସର୍ବନିମ୍ନ ସଂଖ୍ୟାକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରିମଣ୍ଡଳ ଗଠନ କେତେ ସଂଖ୍ୟାକୁ ନେଇ କରିବେ ତାହା ତାଙ୍କ ଉପରେ ନିର୍ଭର କରିଥାଏ। ଏହା କୌଣସି ଭାବେ ଆଇନଗତ ତର୍ଜମାର ଦିଗକୁ ସୂଚିତ କରେ ନାହିଁ।
ଓଡ଼ିଶାରେ କିନ୍ତୁ ଗଲା ଅନେକ ଦିନ ହେଲା ଏ ବାବଦରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏତେ ସଂଖ୍ୟାରେ ପଦବୀ ଖାଲି ପଡ଼ିଥିବାରୁ ଏପରି ଚର୍ଚ୍ଚା ଉଠିବା ସ୍ୱାଭାବିକ। ପୁଣି ଏବେ ରାଜ୍ୟରେ ପ୍ରଥମ ବିଜେପି ସରକାର ନିଜର ଏକ ବର୍ଷ ପୂରଣ କରୁଥିବାରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ପୁଣି ଚର୍ଚ୍ଚାକୁ ଫେରିଛି। ନିଜ ପାଇଁ ମନ୍ତ୍ରୀ ପଦଟିଏ ଯୋଗାଡ଼ କରିବା ଲାଗି କିଛି ବରିଷ୍ଠ ନେତାମାନଙ୍କୁ ଭେଟୁଛନ୍ତି। କିଏ ଦିଲ୍ଲୀରେ ଯାଇ ସାଂଗଠନିକ ନେତାଙ୍କୁ ଭେଟୁଛନ୍ତି ତ ଆଉ କିଏ ଭୁବନେଶ୍ୱରରେ ପ୍ରଭାବଶାଳୀ ଗୋଷ୍ଠୀଙ୍କ ପାଖରେ ଚକ୍କର କାଟୁଛନ୍ତି । ଲକ୍ଷ୍ୟ ଗୋଟିଏ-ମନ୍ତ୍ରୀ ପଦ।
ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ ୬ଟି ମନ୍ତ୍ରୀପଦ ଦୀର୍ଘଦିନ ଖାଲି ରହିବା ଭଲ ନୁହେଁ। ଦୀର୍ଘ ୨୪ ବର୍ଷର ସରକାରକୁ ହଟାଇ ଶାସନକୁ ଆସିଥିବା ଦଳକୁ ଦକ୍ଷତାର ଅନେକ ପ୍ରମାଣ ଦେବାକୁ ହେବ। ବିରୋଧୀ ଦଳ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆଣୁଛି, ବଜେଟ୍ ପାଣ୍ଠି ଖର୍ଚ୍ଚ ହୋଇପାରୁନାହିଁ। ଏକାଧିକ ବିଭାଗ ଚାପରେ କିଛି ମନ୍ତ୍ରୀ ଏଯାଏଁ ନିଜ ଦକ୍ଷତା ପ୍ରମାଣିତ କରିପାରୁ ନାହାନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା। ତେଣୁ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପାଇଁ ତାଲିକା ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।
ଆଶାୟୀଙ୍କ ବ୍ୟାକୁଳତା ବଢ଼ୁଛି। ବିଜେପି ବିଧାୟକ ଜିତିଥିବା ଜିଲ୍ଲା ଭିତରୁ ଏବେ ବି ୧୪ ଜିଲ୍ଲା ମନ୍ତ୍ରୀ ଶୂନ୍ୟ। ବରଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି। ଏ ଜିଲ୍ଲାରୁ ବହୁ ଟାଣୁଆ ନେତା ବିଧାନସଭାକୁ ଆସିଛନ୍ତି।
ମନ୍ତ୍ରୀ ପଦ ପାଇବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କିଛି ବିଧାୟକ। ଏପରିକି ଏଥିରୁ କିଛି ନେତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ବି ମିଳିଛି। ହାଇକମାଣ୍ଡ କିଭଳି ପ୍ରତିଶ୍ରୁତି ପୂରଣ କରିବେ, ସେଥିପାଇଁ ନିଜ ଲବିକୁ ତେଜିଛନ୍ତି ଆଶାୟୀ। ମନ୍ତ୍ରୀ ପଦ ନ ମିଳିଥିବାରୁ ଦଳର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଖପ୍ପା ଥିବା ତାଙ୍କ ହାବଭାବ କହୁଛି । ଯଦି ଦଳ ଏବେ ତାଙ୍କୁ ମନ୍ତ୍ରୀ ପଦ ଅଫର ଦିଏ, ସେ ସାମିଲ ହେବେ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ଅନ୍ୟ ଆଶାୟୀଙ୍କ ଭିତରେ ଭୁବନେଶ୍ୱରର ଏକମାତ୍ର ବିଧାୟକ ବାବୁ ସିଂଙ୍କୁ ନେଇ ଚର୍ଚ୍ଚା ବେଶି। ବିଧାନସଭାରେ ତାଙ୍କ ପ୍ରଦର୍ଶନ ବି ଦଳୀୟ ନେତୃତ୍ୱଙ୍କ ନଜର ଟାଣିଛି।
ମୟୂରଭଞ୍ଜ ଜିଲ୍ଲାରୁ ଭାସ୍କର ମଢ଼େଇ, ସନାତନ ବିଜୁଳି ଓ ସଞ୍ଜାଳୀ ମୁର୍ମୁ ମନ୍ତ୍ରୀ ପଦ ଆଶାୟୀ ଅଛନ୍ତି। ଏମାନଙ୍କ ପାଇଁ ସମସ୍ୟା ହେଲା, ଏ ଜିଲ୍ଲାରୁ ଦୁଇଜଣ ମୋହନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଗଞ୍ଜାମରୁ ଆସିକା ବିଧାୟକ ସରୋଜ ପାଢ଼ୀ ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ବି ଏହି ରେସ୍ରେ ଅଛି । ମାତ୍ର ଗଞ୍ଜାମରୁ ବି ପୂର୍ବରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଯାଜପୁର ଜିଲ୍ଲାରୁ ଜଣେ ମନ୍ତ୍ରୀ ଥିବାବେଳେ କୋରେଇ ବିଧାୟକ ଆକାଶ ଦାସନାୟକ ଅନ୍ୟତମ ଟାଣୁଆ ଦାବିଦାର ଅଛନ୍ତି।
ବରଗଡ଼ ଜିଲ୍ଲାରୁ ୫ରୁ ୪ ବିଧାୟକ ବିଜେପିର। ମାତ୍ର ଜଣେ ବି ମନ୍ତ୍ରୀ ନାହାନ୍ତି। ଯୁବ ଚେହେରା ଭାବେ ଇରାଶିଷ ଆଚାର୍ଯ୍ୟଙ୍କ ନାମ ଚର୍ଚ୍ଚାରେ ଆଗରେ ଅଛି। ବାଲେଶ୍ୱର ଜିଲ୍ଲା ଆଶାୟୀଙ୍କ ଭିତରେ ଭେଟେରାନ ପଦ୍ମଲୋଚନ ପଣ୍ଡା ନିଜ ଦାବିଦାରୀକୁ ସବୁବେଳେ ରଖିଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଧାୟକ ବି ନଜର ରଖିଛନ୍ତି ମନ୍ତ୍ରୀ ପଦ ଉପରେ। ମାଲକାନଗିରି, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ବିଜେପିର ଜଣେ ଲେଖାଏଁ ବିଧାୟକ, ସେମାନଙ୍କ ନଜର ବି ମନ୍ତ୍ରୀ ଆସନ ଉପରେ। କୋରାପୁଟ ଜିଲ୍ଲାରେ ଏଥର ଡବଲ୍ ପଦ୍ମ ଫୁଟିଥିବାବେଳେ ଉଭୟ ବିଧାୟକ ମନ୍ତ୍ରୀ ପଦ ପାଇଁ ଆଶାୟୀ।
ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି, ଦକ୍ଷତା ମାପକାଠିରେ କିଛି ମନ୍ତ୍ରୀ ପଦ ହରାଇପାରନ୍ତି। ତେଣୁ ଅନେକ କୁହାଳିଆ ଏବଂ ଦାୟିତ୍ୱ ତୁଲାଇବାରେ ବିଫଳ ମନ୍ତ୍ରୀ ଏବେ ବଡ଼ ଚିନ୍ତାରେ ଅଛନ୍ତି। ଏମିତି ହେଲେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇପାରେ। ତେବେ ଏ ସମ୍ପର୍କରେ କେହି କିଛି ଠଉରାଇ ପାରୁନାହାନ୍ତି । ସଭିଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ-ମନ୍ତ୍ରୀ ପଦ ପାଇଁ କାହା ନମ୍ବର ଲାଗିବ? ମନ୍ତ୍ରୀ ଚୟନର ମାପକାଠି କ’ଣ ରହିବ? ଏହାକୁ ନେଇ ହିସାବ ନିକାସ ଚାଲିଛି ବିଜେପି ଶିବିରରେ।
Also readhttps://purvapaksa.com/social-media-is-frustrating-children/
Social media is frustrating children ।। ସୋସିଆଲ ମିଡିଆ ପିଲାମାନଙ୍କୁ ହତାଶ୍ କରୁଛି