ରାଜ୍ୟ ରାଜନୀତିର ପାୱାର କରିଡରରେ ଏବେ ଜୋରଦାର ହଲଚଲ ହେବାର ଅନୁଭବ ହେଉଛି । ଲାଗୁଛି ଆଗକୁ କିଛି ବଡ ଯୋଜନା ଚାଲିଛି । ତାକୁ ତନାଘନା ମଧ୍ୟ ଜୋରଦାର ହେଉଛି । ଜଣକ ପରେ ଜଣେ ମନ୍ତ୍ରୀଙ୍କୁ ଭେଟୁଛନ୍ତି ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପଟି । ଗତ ମଙ୍ଗଳବାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଛନ୍ତି । ସୋମବାର ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିଥିଲେ ଓ ପରେ ବିଳମ୍ବିତ ସଂଧାରେ ରାଜ୍ୟପାଳ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ମଙ୍ଗଳବାର ହଠାତ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ପୂଜାରୀଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଏହି ଆଲୋଚନା କାଳରେ ଉପସ୍ଥିତ ରହିଥିଲେ ।
କିନ୍ତୁ ଏସବୁ ଭିତରେ ସଭିଏଁ ସୌଜନ୍ୟ ମୁଳକ ସାକ୍ଷାତ ବା ସେମାନଙ୍କ ବିଭାଗ ବିଷୟରେ ଆଲୋଚନା କଥା କହୁଛନ୍ତି ସତ କିନ୍ତୁ ବାସ୍ତବ କଥା କଣ ତାହା କାହାକୁ ବି ଜଣାପଡୁନାହିଁ । ଅନ୍ୟ ପକ୍ଷରେ ଯାହା ଚର୍ଚ୍ଚା ହେଉଛି ମହାମହିମ ରାଜ୍ୟପାଳ କାଳେ ମନ୍ତ୍ରୀମାନଙ୍କ ଠୁ ରିପୋର୍ଟ କାର୍ଡ ନେଉଛନ୍ତି । ଯାହା ଫଳରେ ଆଗାମୀ ଦିନରେ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏହି ରିପୋର୍ଟ ଅନୁଯାୟୀ କରାଯିବ । ବର୍ଷେ ଭିତରେ କିଏ କେତେ ମାତ୍ରାରେ ରାଜ୍ୟବାସୀଙ୍କ ପାଇଁ କେତେ କଣ କରିଛନ୍ତି । ଲୋକେ କଣ କହୁଛନ୍ତି ଏ ସବୁର ବି ଏବେ ସର୍ଭେ ଚାଲିଛି । ଖାଲି ସେତିକି ନୁହେଁ କେନ୍ଦ୍ରୀୟ ସର୍ଭେ ସଂସ୍ଥାମାନେ ବି ମନ୍ତ୍ରୀ ବିଧାୟକଙ୍କ ପରଫୋମାନ୍ସ ଉପରେ ତାଙ୍କର ସର୍ଭେ ପାଖାପାଖି ଶେଷ କରିସାରିଲେଣି । ତେବେ ଏ ସବୁକୁ ନେଇ ଖୁବଶୀଘ୍ର ମନ୍ତ୍ରୀ ମଣ୍ଡଳ ନୁଆ ନବକଳେବର କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ଯେତେବେଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ସେତେବେଳେ ପାୱାର କରିଡରରେ ହଲଚଲ ଆରମ୍ଭ ହୋଇଥିଲା । ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାକ୍ଷାତ କରିଛନ୍ତି ଏବଂ ରାଜ୍ୟର ବିକାଶ ନେଇ ଆଲୋଚନା କରିଛନ୍ତି ବୋଲି ରାଜ୍ୟପାଳ ନିଜଆଡୁ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମଧ୍ୟ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତର ସୂଚନା ଦିଆଯାଇଥିଲା ।
ହଠାତ ବିଳମ୍ବିତ ସଂଧ୍ୟାରେ ବା ରାତିରେ ରାଜ୍ୟପାଳ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ ସେଠାରେ ବିତାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ଓ ପରବର୍ତ୍ତି ସମୟରେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କ ଘରେ ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ସଂପର୍କରେ ମଧ୍ୟ ଟ୍ଵିଟ କରି ବା ‘ଏକ୍ସ’ରେ ସୂଚନା ଦେଇଥିଲେ।
କୁହାଯାଉଛି ରାଜ୍ୟପାଳ ରାଜସ୍ବମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ବାହାରିଥିଲେ। ତେବେ ରାଜସ୍ବମନ୍ତ୍ରୀଙ୍କର ବାହାରକୁ ଯିବାର ଥିଭବାରୁ ସେ ନିଜେ ଯାଇ ରାଜଭବନରେ ପହଞ୍ଚିଗଲେ।
ଗୋଟିଏ ପଟରେ ନୂଆ ସରକାରଙ୍କର ବର୍ଷ ପୂର୍ତ୍ତି ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଏବଂ ଅଦଳବଦଳ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟପାଳ ଏକ ଭିନ୍ନ ଭୂମିକାରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା, ମଙ୍ଗଳବାର ରାଜସ୍ବମନ୍ତ୍ରୀ
ଦୁଇ ଦିନରେ ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କର ହଠାତ ଏହି ସକ୍ରିୟତା ଏବଂ ପ୍ରୋଟୋକଲ ବାହାରେ ରାତିରେ ଜଣେ ମନ୍ତ୍ରୀଙ୍କ ବାସଭବନରେ ରାଜ୍ୟପାଳ ପହଞ୍ଚିବା ରାଜ୍ୟ ରାଜନୀତିରେ ବଡ ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ପୁଣି ଜଣେ ବରିଷ୍ଠ ମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରୀଙ୍କ ବାସଭବନକୁ ଯିବା, ପୁଣି ଜଣେ ମନ୍ତ୍ରୀଙ୍କୁ ଭେଟିବା ଏସବୁ ରାଜ୍ୟ ରାଜନୀତି ପାଇଁ ବଡ ଆଲୋଚନାର ବିଷୟ। ପୂର୍ବରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ମଧ୍ୟ ପହଞ୍ଚିଥିଲେ ।
ALSO READ https://purvapaksa.com/why-is-dhankhad-so-busy/
