ବିଧାନସଭା ଚାଲିଛି କିନ୍ତୁ ବିରୋଧୀ ଦଳ ନେତା ଗୃହରେ ନାହାନ୍ତି। ତାଙ୍କର ଏମିତି କେଉଁ କାମ ଜରୁରୀ ପଡ଼ିଛି ଯେ ସେ ଅଧିବେଶନ ଆସିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପ୍ରଥମ ଦିନରେ ବିରୋଧୀ ଦଳ ନେତାଙ୍କ ଚାମ୍ବର ଖୋଜି ତାଙ୍କୁ ନପାଇବା ଏବଂ ଚତୁର୍ଥ ଦିନରେ ଏପରି ମନ୍ତବ୍ୟ ଦେବା ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହା ଇଙ୍ଗିତ କରୁଛି ଯେ ବିରୋଧୀ ଦଳ ଭୂମିକା ଠିକଣା ଭାବେ ନିର୍ବାହ କରିପାରୁନି ବିଜେଡି।
ରାଜ୍ୟରେ ପ୍ରକୃତ ବିରୋଧୀ ଦଳ କିଏ? ସାମ୍ବିଧାନିକ ଭାବେ ବିଜେଡିକୁ ଗୃହରେ ବିରୋଧୀ ଦଳର ମର୍ଯ୍ୟାଦା ମିଳିଥିଲେ ମଧ୍ୟ ବିଜେଡି ଯେଉଁ କାର୍ଯ୍ୟ କରୁଛି ତାହାକୁ ନେଇ ସମାଲୋଚନା କରିଛି କଂଗ୍ରେସ। ଆଜି କଂଗ୍ରେସ ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି ବିଜେଡି ଯୋଗୁ କଂଗ୍ରେସର କଣ୍ଠରୋଧ ହୋଇଛି। ସାରା ରାଜ୍ୟରେ ପ୍ରସଙ୍ଗ ଇଲହଡ଼ି ପରି ସରକାରଙ୍କ ବିରୋଧରେ ସୁଅ କାଟୁଥିବା ବେଳେ ବିଧାନସଭାରେ ଆଲୋଚନା ହୋଇପାରୁ ନାହିଁ। ଏହାର କାରଣ ହେଉଛି ଗୃହରେ ଅଚଳାବସ୍ଥା। ଆଉ ଏଥିପାଇଁ ବିଜେଡିକୁ ପ୍ରକାରାନ୍ତେ ଦାୟୀ କରିଛନ୍ତି କାଡ଼ାମ।
ଗତ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାନସଭାରେ ପ୍ରମୁଖ ଭାବେ ସରକାରଙ୍କୁ ଘେରିଥିଲେ। ରାଜରାସ୍ତାରେ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ବିଜେଡି ପାଣି ଫୋଟକା ଭଳି ବିଲୀନ ହୋଇଯାଇଥିଲା। ଏଥର କିନ୍ତୁ ସପ୍ରସଙ୍ଗ ଆଲୋଚନା ବଦଳରେ ବିଜେଡି ପକ୍ଷରୁ ଗୃହକୁ ଅଚଳ କରିବା ରଣନୀତି ଆପଣା ଯାଇଥିବାରୁ କଂଗ୍ରେସ ଆଉ ସୁଯୋଗ ପାଇପାରୁ ନାହିଁ। ଅପରପକ୍ଷେ କଂଗ୍ରେସ ଏଥର ଗୃହରେ ଅନାସ୍ଥା ପ୍ରସ୍ତାବ ଆଣି ବିଜେଡିକୁ ସମାଲୋଚିତ କରିବାକୁ ଚାହିଁଥିଲେ ମଧ୍ୟ ସେ ସୁଯୋଗ ପାଇପାରି ନାହିଁ।
ଗୋଟିଏ ପଟେ ବିଜେଡି ସମର୍ଥନ ଆଶା କରି କଂଗ୍ରେସ ଅନାସ୍ଥା ଅନାସ୍ଥା ଆଣିଥିଲେ ମଧ୍ୟ ତାହା ହୋଇ ନପାରିବାରୁ କଂଗ୍ରେସ ପ୍ରସ୍ତାବ ପାଣିଫାଟ ହୋଇ ଯାଇଛି। ଏଭଳି ସ୍ଥଳରେ ଶ୍ରୀ କାଡ଼ାମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଏପରି କି କାମ ରହିଛି ଯେ ସେ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଅଧିବେଶନକୁ ଛାଡ଼ି ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଶ୍ରୀ କାଡ଼ାମ କହିଛନ୍ତିୟ, ନବୀନ ବିଜେଡିର ନେତାମାନଙ୍କୁ ସମ୍ଭାଳିବାରେ ତଥା ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ଏଣୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହେଉଛି ବୋଲି ସେ ଇଙ୍ଗିତ କରିଛନ୍ତି। ବିଜେପି-ବିଜେଡିକୁ ଭାଇ ଭାଇ ବୋଲି କହିଛନ୍ତି ଶ୍ରୀ କାଡ଼ାମ।
ଏଠାରେ ସୂଚନା ଦିଆଯାଇପାରେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଅଧିବେଶନର ତାରିଖ ଘୋଷଣା ପୂର୍ବରୁ ଦିଲ୍ଲୀ ଗସ୍ତରେ ରହିଛନ୍ତି। ରାଜ୍ୟ ବିଜେଡିରେ ଗୋଷ୍ଠୀବାଦ ଚାଲିଥିବା ବେଳେ ତାଙ୍କର ଓଡ଼ିଶାଠୁ ଦୂରେଇ ରହିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ବିଧାନସଭାରେ ତାଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସର ଇଙ୍ଗିତ ନବୀନଙ୍କ ପ୍ରତିଚ୍ଛବିରେ ଦାଗ ଆଣିପାରେ।
ALSO READ https://purvapaksa.com/ins-trikand-docks-at-limassol-port-cyprus-a-message-to-turkey/
