କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ ନ କରି ଟାଟା ପାୱାର ଏବେ ରାଜ୍ୟ ସରକାରଙ୍କୁ ବଦନାମ କରୁଛି। ଏଥିପାଇଁ ବିରୋଧୀଦଳ ସରକାରଙ୍କୁ ସମାଲୋଚନା କରିବାକୁ ବି ପଛାଉ ନାହିଁ। ଏହି ଯୋଜନା ରାଜ୍ୟରେ ଅତ୍ୟନ୍ତ କଚ୍ଛପ ଗତିରେ ଚାଲିଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା ୧୫ ହଜାର ବି ଟପି ପାରିନାହିଁ।
ଲୋକଙ୍କୁ ମାଗଣା ବିଜୁଳି ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଛି ପିଏମ୍ ସୂର୍ଯ୍ୟଘର ଯୋଜନା। ସୌର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୋକେ ଏହି ଯୋଜନାରେ ମାଗଣା ବିଜୁଳି ପାଇପାରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ସବସିଡି ଯୋଗାଇ ଦେଉଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବାର ଭାର ରହିଛି ଓଡ଼ିଶାରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ହାତରେ। ହେଲେ ଟାଟା ପାୱାର କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଏବେ ପ୍ରକାର ଅମନଯୋଗୀ ହେବାରୁ ସରକାର ଏବେ ବଦନାମ ହେବାରେ ଲାଗିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ଏହି ପ୍ରକଳ୍ପ ବସାଇବାପାଇଁ ୧ଲକ୍ଷ ୩୮ ହଜାରରୁ ଅଧିକ ଆବେଦନକାରୀ ଥିବାବେଳେ ୧୪ ହଜାରରୁ ସାମାନ୍ୟ ଅଧିକ ଲୋକଙ୍କ ଘରେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି। ଟାଟା ପାୱାର ଏ କ୍ଷେତ୍ରରେ ଯେତିକି ଆଗ୍ରହ ଦେଖାଇବା କଥା ତାହା ହେଉନାହିଁ ।
ଏକ କିଲୋୱାଟ ପ୍ରକଳ୍ପ ପାଇଁ ମାତ୍ର ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ବିଜ୍ଞାପନ ଦେଉଥିବାବେଳେ ବାସ୍ତବରେ କିନ୍ତୁ ଏ ବାବଦରେ ଲୋକଙ୍କୁ ସାଢ଼େ ୮ ହଜାର ଟଙ୍କା ଦେବାକୁ ପଡୁଛି। ହେଲେ ବିଜ୍ଞାପନରେ ଏନେଇ କିଛି ବି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉନାହିଁ। ସେହିଭଳି ଭେଣ୍ଡରଙ୍କ ଜରିଆରେ ୨ ଓ ୩ କିଲୋୱାଟ କ୍ଷମତା ପ୍ରକଳ୍ପ ସ୍ଥାପନ କରାଯାଉଛି। ଟାଟା ପାୱାର ଗୋଟିଏ କିଲୋୱାଟ ପାଇଁ ୫ ହଜାର ଟଙ୍କା ଖର୍ଚ୍ଚର ବିଜ୍ଞାପନ ଦେଉଥିବାରୁ ୨ ଓ ୩ କିଲୋୱାଟ ବସାଇବାକୁ ଲୋକେ ୧୦ ହଜାର ୧୫ ହଜାର ଟଙ୍କା ଦେବାକୁ ଦାବି କରୁଛନ୍ତି। ଏହାକୁ ନେଇ ଭେଣ୍ଡରମାନେ ଅଡ଼ୁଆରେ ପଡୁଛନ୍ତି। କେତେ କିଲୋୱାଟ ବସାଇଲେ କେତେ ଟଙ୍କା ଖର୍ଚ୍ଚ ହେବ ଓ ଲୋକେ ଏଥିରୁ କିଭଳି ସୁଫଳ ପାଇବେ ସେ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଟାଟା ପାୱାର ଦେଉନାହିଁ। ଆହୁରି ଟାଟା ପାୱାର ପକ୍ଷରୁ କେଉଁ ଅଞ୍ଚଳ ପାଇଁ କେଉଁ ଭେଣ୍ଡର ରହିଛନ୍ତି ଓ ସେମନେ କ’ଣ କ’ଣ ସୁବିଧା ଯୋଗାଇବେ ତାହାର ତାଲିକା ପ୍ରକାଶ ପାଉନାହିଁ।
ଟାଟା ପାୱାର ପକ୍ଷରୁ ହିତାଧିକାରୀଙ୍କ ଫୋନ୍ ନମ୍ବର ଭେଣ୍ଡରଙ୍କୁ ଧରାଇ ଦିଆଯାଉଛି। ଭେଣ୍ଡରମାନେ ହିତାଧିକାରୀଙ୍କୁ ଫୋନ୍ କଲେ ଲୋକେ ସେମାନଙ୍କୁ ବିଶ୍ୱାସକୁ ନେଉନାହାନ୍ତି। ସବୁଠାରୁ ବଡ଼କଥା ହେଲା, ଏପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସରେ ସୌର ପ୍ରକଳ୍ପ ବସିବା ନେଇ କିଛି ନିଷ୍ପତ୍ତି ହୋଇପାରୁନାହିଁ। ଫଳରେ ସରକାରୀ ଘରେ ରହୁଥିବା ଲୋକେ ଚାହିଁଲେ ମଧ୍ୟ ତାହା ସ୍ଥାପନ କରିପାରୁନାହାନ୍ତି।
ସେହିଭଳି ଗୋଟିଏ କିଲୋୱାଟ ପ୍ରକଳ୍ପ ବସାଇବାପାଇଁ ଏକ ମହଲାରୁ ଅଧିକ ଉଚ୍ଚର କୋଠା ହେଲେ କେହି ରାଜି ହେଉନାହାନ୍ତି। ଭେଣ୍ଡରମାନେ ବି ଏକ କିଲୋୱାଟ ପ୍ରକଳ୍ପ ବସାଇବେ ନାହିଁ ବୋଲି ରୋକ୍ ଠୋକ୍ ମନାକରି ଦେଉଛନ୍ତି। ଏଭଳି ସ୍ଥିତିରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଓଡ଼ିଶାରେ ଏକ ପ୍ରକାରର ଆଣ୍ଠେଇ ଥିବାବେଳେ ସରକାର ବଦନାମ ହେବାରେ ଲାଗିଛନ୍ତି। ବିରୋଧୀଦଳମାନେ ମାଗଣା ବିଜୁଳି ଯୋଗାଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଶକ୍ତି ବିଭାଗ ସବୁ ଜାଣି ନଜାଣିଲା ଭଳି ହେଉଛି । ଟାଟା ପାୱାର ପାଇଁ ସରକାର ବଦନାମ ହେଉଥିବା ଜାଣୁଥିଲେ ମଧ୍ୟ ଶକ୍ତି ବିଭାଗ କାହିଁକି ନିରବ ରହୁଛି, ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି।
also read https://purvapaksa.com/subarnarekha-and-budhabalanga-out-from-plan/
subarnarekha and budhabalanga out from plan ।। ବାଦ୍ ପଡ଼ିଲା ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ
