ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ୨ଟି କିସ୍ତି
ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୮୦,୨୯.୭୪୨୧ ଜଣଙ୍କ ଆବେଦନକୁ (ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ) ମଞ୍ଜୁର କରାଯାଇଛି। ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ଅଛି। ବର୍ତ୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆବେଦନ କରିବାର କୌଣସି ଶେଷ ତାରିଖ ରଖାଯାଇ ନଥିଲା। ରାଜ୍ୟ କ୍ୟାବିନେଟ୍ରେ ଏହି ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦୨୪-୨୫ ଆର୍ଥିକ ବର୍ଷର ସୁଭଦ୍ରା ପଞ୍ଜୀକରଣ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷ କିମ୍ବା ତା’ଠୁ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ ପ୍ରତିଶତ କିମ୍ବା ତା’ଠୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ଭତ୍ତା ରାଶି ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଚଳିତ ମାସରୁ ହିଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି। ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି। ଜାନୁଆରି ୧୫ ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସୂଚନା ଦେଇନାହାନ୍ତି।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆବଦେନକାରୀଙ୍କର ୫ ଏକର ଜମି ଅଛି କି ନା, ଡିସେମ୍ବର ୩୦ ତାରିଖ ଯାଏଁ ଏହାର ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ହେଲେ ଏବେ ଏହି ସମୟ ଅବଧିକୁ ଜାନୁଆରି ୧୫ ଯାଏଁ ବୃଦ୍ଧି କରାଯାଇଛି, ଏବେ ବ୍ୟାଙ୍କଗୁଡ଼ିକ ସହିତ ବୈଠକ ସରିଲାଣି। ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି। ସେ ଆହୁରି କହିଛନ୍ତି, ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରେ ଦୁଇଟି କିସ୍ତି ମିଳିବ । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ପରିଡ଼ା।
ସୁଭଦ୍ରା ଯୋଜନା ପାଇଁ ଏପର୍ଯ୍ୟନ୍ତ ୧.୦୬ କୋଟିରୁ ଅଧିକ ମହିଳା ନାମ ପଞ୍ଜୀକରଣ କରିସାରିଲେଣି। ବର୍ତ୍ତମାନ ସୁଦ୍ଧା ସରକାର ତିନୋଟି ପର୍ଯ୍ୟାୟରେ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ୫ ହଜାର ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ୨୦୨୪ ସେପ୍ଟେମ୍ବର ୧୭ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ରାଜ୍ୟରେ କୋଟିଏରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ୨୦୨୪-୨୫ ଓ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ।
previous article:https://purvapaksa.com/pm-modi-to-visit-odisha-on-8/
