Odisha Police: ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ଟି ନବନିର୍ମିତ ଥାନା ଗୃହର ଉଦ୍ଘାଟନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମିସନରେଟ ପୁଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଠାରେ ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ସହିତ ଅନୁଗୁଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କମିଶନରେଟ ପୁଲିସ ଅନ୍ତର୍ଗତ କଟକର ସିଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି ।
ଏହି ଅବସରରେ ନବନିର୍ମିତ ନୟାପଲ୍ଲୀ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସମୁଦାୟ ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୪ଟି ଥାନାର ଅଧିକାରୀ ଓ କର୍ମଚାରୀ ମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ । ଏହି ଥାନା ଗୁଡିକ ଦ୍ଵାରା ଲୋକମାନେ ଉନ୍ନତ ମାନର ସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟଯେ, ଏହି ନବ ନିର୍ମିତ ଥାନା ଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା, ରିସିପସନ ସେଣ୍ଟରe ଏବଂ ମହିଳା ଓ ଶିଶୁ ହେଲପ ଡେସ୍କ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନ ବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଥାନାର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ଆମ ସରକାର ଆସିବା ପରେ ଥାନା ଗୁଡିକୁ ଆଧୁନକୀକରଣ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଥାନାରେ କର୍ତ୍ତବ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମୋର ପରାମର୍ଶ, ଥାନାକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣ ମାନଙ୍କୁ ଉତ୍ତମ ବ୍ୟବହାର କରନ୍ତୁ। କାରଣ ସେମାନେ ଅସୁବିଧାରେ ପଡି ମନଦୁଃଖରେ ଆପଣଙ୍କ ପାଖକୁ ଆସୁଛନ୍ତି। ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତୁ।
ସେ କହିଥିଲେଯେ, ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଆମ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଆଗାମୀ ଦିନରେ ସମସ୍ତ ଥାନା ମାନଙ୍କରେ ଅତିରିକ୍ତ ଯାନ ଉପଲବ୍ଧ କରିବା ନିମନ୍ତେ ଉଚ୍ଚ ମାନର ଦ୍ରୁତଗାମୀ ମହିନ୍ଦ୍ରା ସ୍କର୍ପିଓ ଗାଡି ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଛି । ଏତଦ ବ୍ୟତୀତ ପ୍ରତ୍ୟକ ଥାନାକୁ ୬ ଗୋଟି ମୋଟର ସାଇକେଲ ମଧ୍ୟ ଦିଆ ଯିବାକୁ ପଦକ୍ଷେପ ନିଆ ଯାଇଛି । ଏହି ଯାନ ବାହନର ସଠିକ ଉପଯୋଗ ଦ୍ୱାରା ଅପରାଧ ନିୟନ୍ତ୍ରଣ ତଥା ଆଇନ ଶୃଙ୍ଖଳା ରକ୍ଷା ଭଳି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇପାରିବ ବୋଲି ମୁଁ ଆଶାପ୍ରକଟ କରୁଛି । ପୁଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମି ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ । 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା ଅପରାଧର ଆଉ ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିବାପାଇଁ ଉପସ୍ଥିତ ପୁଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଥାନାକୁ ଆସୁଥିବା ସାଧାରଣ ଲୋକ ମାନଙ୍କୁ ଭଲ ବ୍ୟବହାର କରିବା ପାଇଁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କଡା ଚେତାବନୀ ଦେଇଥିଲେ ଏବଂ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ପାଖରୁ ତୁରନ୍ତ ଏଫଆଇଆର ଗ୍ରହଣ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ନୟାପଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ପାଲଲହଡା ବିଧାୟକ ଅଶୋକ ମହାନ୍ତି ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ସାଂସଦ,ବିଧାୟକ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୁଲିସ କମିଶନର, ଏସ. ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ ।
previous article: https://purvapaksa.com/3-important-trains-to-originate-from-bhubaneswar-new-station/


