୨୦୨୪ ନିର୍ବାଚନର ଫଳାଫଳ ଓଡ଼ିଶାର ରାଜନୀତିରେ ଦୀର୍ଘବର୍ଷର ପରିବର୍ତ୍ତନ ଅପେକ୍ଷାକୁ ଭାଙ୍ଗି ଦେଇଥିଲା। ଦୀର୍ଘଦିନ ଧରି ବିରୋଧୀ ଦଳରେ ରହିଥିବା ଭାରତୀୟ ଜନତା ପାର୍ଟି ରାଜ୍ୟର ଶାସନ କ୍ଷମତାକୁ ନିଜ ବଳରେ ଆସିଲା- ତାହା ମଧ୍ୟ ପ୍ରଥମଥର ପାଇଁ। କିନ୍ତୁ ଏହି ସଫଳତା ଯୋଗୁ ଦଳର ନେତା ଓ ମନ୍ତ୍ରୀମାନେ ସଂଯମୀ ହେବା ପରିବର୍ତ୍ତେ ଯେଉଁ ଅତିରିକ୍ତ ଆତ୍ମବିଶ୍ୱାସ ସହିତ ଅହଂକାରୀ ହୋଇଗଲେ। ଫଳରେ ଗୋଷ୍ଠୀବିବାଦ ଦଳ ଭିତରେ ଗଢ଼ିଉଠିଲା, ତାହା ଏବେ ଶାସନ ବ୍ୟବସ୍ଥା ଓ ଦଳର ନୀତିକୁ ଚ୍ୟାଲେଞ୍ଜ କରୁଛି। ଏହି ପରିସ୍ଥିତିରେ ରାଜ୍ୟ ବିଜେପି କେବଳ ବିରୋଧୀ ଦଳମାନଙ୍କର ସାମ୍ନା କରୁନାହିଁ; ସେ ନିଜେ ନିଜକୁ ମଧ୍ୟ ସାମ୍ନା କରୁଛି; ଏବଂ ସେହି ସଂଘର୍ଷ ଏବେ ସଂଘ ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପର୍ଯ୍ୟନ୍ତ ଧକ୍କା ଦେଉଛି।

ନିର୍ବାଚନୀ କ୍ୟାଲେଣ୍ଡର: ସମୟ ଅତ୍ୟନ୍ତ ସୀମିତ
୨୮ଟି ନୂଆ ଏନଏସି ଓ ୭ଟି ନୂଆ ମ୍ୟୁନିସିପାଲିଟି ସହିତ ପୁରୀ ଓ ସମ୍ବଲପୁର ମହାନଗର ନିର୍ବାଚନ; ସବୁକିଛି ମିଶି ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବୃଆରୀରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ। ପ୍ରାୟ ୧୦୦ ପୌର ପରିଷଦର ଅବଧି ୨୦୨୭ ମାର୍ଚ୍ଚରେ ସମାପ୍ତ ହେବ। ଅର୍ଥାତ୍ ହାତରେ ସମୟ ଅତ୍ୟନ୍ତ କମ୍ ରହିଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ଦଳୀୟ ଗଠନକୁ ସୁଦୃଢ଼ କରିବା, ସରକାରୀ କାର୍ଯ୍ୟକୁ ଲୋକାଭିମୁଖୀ କରିବା ଓ ନେତୃତ୍ୱ ମଧ୍ୟରେ ସମନ୍ୱୟ ଗଢ଼ିବା- ଏସବୁ ଏକାସାଥିରେ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ଏହି କଠିନତା ହିଁ ଆଜି ରାଜ୍ୟ ବିଜେପିର ସବୁଠାରୁ ବଡ଼ ପରୀକ୍ଷା।
ପୌର–ପଞ୍ଚାୟତ ଫଳାଫଳ ଓ ବିଧାନସଭା: ଇତିହାସ କ’ଣ କହେ?
ଇତିହାସ ଦର୍ଶାଏ; ପୌର କିମ୍ବା ପଞ୍ଚାୟତ ନିର୍ବାଚନର ଫଳ ଅନିବାର୍ଯ୍ୟ ଭାବେ ବିଧାନସଭା ନିର୍ବାଚନରେ ପୁନରାବୃତ୍ତି ହୁଏନାହିଁ। କାରଣ ୨୦୧୭ରେ ବିଜେପି ପଞ୍ଚାୟତ ନିର୍ବାଚନରେ ବଡ଼ ସଫଳତା ଆଣିଥିଲା, କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ସରକାର ଗଠନର ସ୍ୱପ୍ନ ଭାଙ୍ଗିଗଲା। ସେହିପରି ୨୦୨୨ରେ ବିଜେଡି ପଞ୍ଚାୟତରେ ଏକତରଫା ବିଜୟ ପାଇଥିଲେ ମଧ୍ୟ ୨୦୨୪ରେ ନିର୍ବାଚନ ହାରିଗଲା। ଏହି ଦୁଇ ଉଦାହରଣ ଏକ ଗଭୀର ସତ୍ୟକୁ ଉଜାଗର କରେ, ଯାହାକି ସ୍ଥାନୀୟ ନିର୍ବାଚନ ଲୋକଙ୍କ ତତ୍କାଳୀନ ଅନୁଭୂତିକୁ ପ୍ରତିବିମ୍ବିତ କରେ; କିନ୍ତୁ ରାଜ୍ୟ ନିର୍ବାଚନରେ ମନୋଭାବ ଅଲଗା ପ୍ରତିଫଳିତ ହୋଇଥାଏ। ରାଜ୍ୟରେ ଦୀର୍ଘମିଆଦୀ ଶାସନ ପାଇଁ ଏହି ଦୁଇଟି କଥାରୁ ବିଜେପି ଶିକ୍ଷା ନେବା ଆବଶ୍ୟକ।
ନବୀନ ଯୁଗରୁ ଶିକ୍ଷା: ଭୁଲ ସଂଶୋଧନର ମୂଲ୍ୟ

ବିଜେଡି ଯେତେବେଳେ ୨୦୧୭–୧୯ ମଧ୍ୟରେ ଝଟକା ଖାଇଥିଲା, ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଭୁଲର ସାହସିକ ସଂଶୋଧନ କରିଥିଲେ-ଯାହା ଥିଲା ମନ୍ତ୍ରିମଣ୍ଡଳରେ ଯୁବମନ୍ତ୍ରୀଙ୍କୁ ସାମିଲ କରିବା, ନୂଆ ନେତୃତ୍ୱ, ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଗଠନ ଓ ସାଧାରଣ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା।
ଫଳାଫଳ- ୨୦୧୯ ନିର୍ବାଚନରେ ଦଳକୁ ପୁଣି ବହୁମତ ମିଳିଲା। ଏହି ଇତିହାସ ଆଜି ରାଜ୍ୟ ବିଜେପିକୁ ପ୍ରଶ୍ନ କରୁଛି—ସେ କ’ଣ ସେହିପରି ସାହସିକ ସୁଧାରକୁ ଗ୍ରହଣ କରିପାରିବ?
ଦଳୀୟ କନ୍ଦଳ: ନେତୃତ୍ୱର ଅସମନ୍ୱୟ
ରାଜ୍ୟ ବିଜେପିର ସବୁଠାରୁ ବଡ଼ ଦୁର୍ବଳତା ହେଲା ଦଳୀୟ କନ୍ଦଳ। ମୁଖ୍ୟମନ୍ତ୍ରୀ ଶିବିର, କେନ୍ଦ୍ରୀୟ ନେତୃତ୍ୱ ଓ ଅନ୍ୟାନ୍ୟ ଶକ୍ତି କେନ୍ଦ୍ର ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ–ବୋର୍ଡ ନିଯୁକ୍ତିରେ ହେଉଥିବା ବିଳମ୍ବ କେବଳ ପ୍ରଶାସନିକ ସମସ୍ୟା ନୁହେଁ; ଏହା ଦଳୀୟ ଅସନ୍ତୋଷକୁ ଅଧିକ ଘନୀଭୁତ କରୁଛି। ନିର୍ବାଚନ ଆସିଲେ ଏହି କନ୍ଦଳ “ପରସ୍ପରର ଗୋଛି କାଟିବା”ରେ ପରିଣତ ହେବ- ଏହି ଆଶଙ୍କାକୁ ଅସ୍ୱୀକାର କରାଯାଇନପାରେ।
ପୁରୁଣା କାର୍ଯ୍ୟକର୍ତ୍ତା: ଅଲୋଡ଼ା ଓ ଅଖୋଜା
ଦଳ କ୍ଷମତାକୁ ଆସି ସରକାର ଗଢ଼ିବା ପରେ ଯେଉଁ ପୁରୁଣା କାର୍ଯ୍ୟକର୍ତ୍ତାମାନେ ଦୀର୍ଘବର୍ଷ ଧରି ଲଢ଼େଇ କରିଥିଲେ, ସେମାନେ ଆଜି ନିଜକୁ ଅଲୋଡ଼ା ମନେ କରୁଛନ୍ତି। ଅନ୍ୟ ଦଳରୁ ଆସିଥିବା ନେତାମାନେ ଯଦି ଦଳର ଚେହେରା ହୋଇଯାନ୍ତି, ତେବେ ତଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଭାଙ୍ଗିଯିବା ସ୍ୱାଭାବିକ କଥା। ଏହି ମନୋବଳ ଭାଙ୍ଗିଲେ ନିର୍ବାଚନରେ ନିରବ ବିଦ୍ରୋହ- ଭୋଟ ନ ଦେବା, ପ୍ରଚାରରେ ଯୋଗ ନ ଦେବା ଆଦି ଘଟଣା ଦେଖାଯାଇପାରେ।
ଜନଅସନ୍ତୋଷ: ଶାସନ ଓ ସହରୀୟ ଚାପ
କେତେକ ମନ୍ତ୍ରୀଙ୍କ ବିବାଦୀୟ ନିଷ୍ପତ୍ତି, ପରିବହନ–ଟ୍ରାଫିକ୍ ସମସ୍ୟା, ଆଇନ–ଶୃଙ୍ଖଳା ନେଇ ଚିନ୍ତା- ଏସବୁ ସହରାଞ୍ଚଳରେ ଅସନ୍ତୋଷ ଜନ୍ମାଉଛି। ସହରୀ ମଧ୍ୟମବର୍ଗ ସରକାରକୁ ପୂର୍ବ ସରକାର ସହିତ ତୁଳନା କରୁଛି ଏବଂ ଏହି ତୁଳନା ପୌର ନିର୍ବାଚନରେ ଭୋଟରେ ପରିଣତ ହେବାର ଆଶଙ୍କା ରହିଛି।
ଯଦି ଏପରି ହୁଏ ତେବେ ବିଜେପି ସହଜରେ ଜିତିବା ନେଇ ଯେଉଁ ଦିବା ସ୍ୱପ୍ନ ଦେଖୁଛି ତାହା ଦୁଃସ୍ୱପ୍ନରେ ପରିଣତ ହୋଇପାରେ। ସେତେବେଳକୁ ଦଳର ବରିଷ୍ଠନେତାମାନଙ୍କର ହୋସ୍ ଠିକଣା ଧରିବ। ସ୍ଥିତି ସମ୍ଭାଳିବା ପାଇଁ ଆଉ କିଛି ନ ଥିବ ଏମାନଙ୍କ ହାତରେ।
ଉତ୍ସବ ରାଜନୀତି: କାମ ନା ଦୃଶ୍ୟ?
୨୦୨୪ ଜୁନ୍ଠାରୁ ଉତ୍ସବ ପରେ ଉତ୍ସବ ଚାଲିଛି, ଯାହାକି ବନ୍ଦ ହେବାର ନାଁ ଧରୁ ନାହିଁ। ରାଜ୍ୟକୁ ଭିଆଇପି ଆଗମନ, ରୋଡ୍ ଶୋ, ସମ୍ମିଳନୀ- ଲୋକଙ୍କ ଧୈର୍ଯ୍ୟକୁ ପରୀକ୍ଷା କରୁଛି। ବିଜେପି ନେତାମାନେ ଜାଣି ରଖିବା ଉଚିତ ଲୋକମାନେ କାମ ଚାହାଁନ୍ତି; ଉତ୍ସବ ନୁହେଁ। ଯେତେବେଳେ ଉତ୍ସବ ଦୈନନ୍ଦିନ ଜୀବନକୁ ବାଧା ଦେଇଥାଏ- ଟ୍ରାଫିକ୍ ଜାମ୍, ସେବା ବିଘ୍ନ ହେଉଛି; ସେତେବେଳେ ଏହା ଶାସନ ବିରୋଧରେ ରୋଷକୁ ଜନ୍ମ ଦିଏ।
ସଂଘ–ମୋଦୀ ଫ୍ୟାକ୍ଟର: ନିୟନ୍ତ୍ରଣ କେତେଦୂର?

ବିଜେପିର ଦଳୀୟ ଶୃଙ୍ଖଳା ସାଧାରଣତଃ ଆରଏସ୍ଏସ୍ ଓ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ସମନ୍ୱୟିତ ହୁଏ। କିନ୍ତୁ ଓଡ଼ିଶାରେ ଏସବୁ କିଛି କାର୍ଯ୍ୟକାରୀ ହେଲା ଭଳି ମନେ ହୁଏନାହିଁ। ରାଜ୍ୟର ଗୋଟିଏ ଗୋଷ୍ଠୀ ନିରନ୍ତର ଭାବରେ ସଂଗଠନ ଓ ସରକାରକୁ ଅସ୍ଥିର କରିବାକୁ ଚାହୁଁଛି। ତେଣୁ ଦଳୀୟ କନ୍ଦଳ ଗଭୀର ହେବାରେ ଲାଗିଛି। ତେବେ କେନ୍ଦ୍ରୀୟ ହସ୍ତକ୍ଷେପର ସୀମା ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟ ବିଜେପି ଯଦି ନିଜ ଘରକୁ ନିଜେ ସମ୍ଭାଳିପାରୁନାହିଁ, ତେବେ ଏହା ସଂଘ–ମୋଦୀ ମଡେଲ୍ ପାଇଁ ମଧ୍ୟ ଏକ ପରୀକ୍ଷା। କାରଣ ସଂଘ ସଂଗଠନରେ ନିରନ୍ତର ଉନ୍ନତି ଚାହୁଁଥିଲାବେଳେ ରାଜ୍ୟ ବିଜେପି ନେତାମାନେ ଏବେ ପରସ୍ପର ଗୋଛି କଟାକଟିରେ ମାତିଛନ୍ତି। ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱ ଦେବାକୁ କହୁଥିବାବେଳେ ଓଡ଼ିଶା ବିଜେପି ଓ ସରକାରରେ ଏମାନେ ସବୁଠାରୁ ଅବହେଳିତ ହେଉଛନ୍ତି।
ଆଗାମୀ ୧୦ ମାସ: କ’ଣ କରିପାରିବ ବିଜେପି?
ବଜେଟ୍ ଅଧିବେଶନ, ଖରାଦିନର ସମସ୍ୟା, ରଥଯାତ୍ରା, ବର୍ଷା- ସମୟ ଦ୍ରୁତଗତିରେ ଆସିବ ଓ ଚାଲିଯିବ। ଏହି ଅଳ୍ପ ସମୟରେ ବିଜେପି ପାଖରେ ତିନିଟି ମୂଳ ଅଭିଯାନ ରହିଛି-
(୧) ଦଳୀୟ ସମନ୍ୱୟ ଓ କନ୍ଦଳକୁ ଦୂର କରିବା,
(୨) ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇ ସେମାନଙ୍କ ଭୂମିକାକୁ ଗୁରୁତ୍ୱ ଦେବା,
(୩) ଲୋକାଭିମୁଖୀ ଶାସନ—ଉତ୍ସବ ନୁହେଁ, ସେବାକୁ ଗୁରୁତ୍ୱ ଦେବାକୁ ପଡ଼ିବ।
ସୁଧାର ନା ସଙ୍କଟ?
ରାଜ୍ୟ ବିଜେପି ଆଜି ଏକ ସଙ୍କଟରେ ପଡ଼ିଛି। ସୁଧାର କଲେ; ପୌର–ପଞ୍ଚାୟତରେ ସମ୍ମାନଜନକ ଫଳ ଆସିପାରେ, ଯାହା ୨୦୨୯ ପାଇଁ ଆଧାର ହେବ। ସୁଧାର ନ କଲେ- ଦଳୀୟ କନ୍ଦଳ, ନିରବ ବିଦ୍ରୋହ ଓ ଜନଅସନ୍ତୋଷ ମିଶି ବିପଦକୁ ୧୦୦ଗୁଣ ବଢ଼ାଇ ଦେବ। ଏହି ପରୀକ୍ଷା କେବଳ ଓଡ଼ିଶା ବିଜେପିର ନୁହେଁ; ଏହା ସଂଘ–ମୋଦୀ ନେତୃତ୍ୱର ରାଜ୍ୟସ୍ତରୀୟ ପ୍ରୟୋଗର ମଧ୍ୟ ପରୀକ୍ଷା। ବରିଷ୍ଠ ନେତୃତ୍ୱମାନଙ୍କୁ ଏହିପରି ଟ୍ରେଣ୍ଡରେ ଚାଲିଥିବା କାର୍ଯ୍ୟକର୍ତ୍ତାମାନଙ୍କ ପୋଷ୍ଟ ଉପରେ ତର୍ଜମା କରିବାର ଅବସର ଦେଇଛି। ଅଣଦେଖା ନୁହେଁ।
also read https://purvapaksa.com/yogi-govt-new-rule/
ଯୋଗୀ ସରକାରଙ୍କ ନୂଆ ନିୟମ, ଏବେ ସବୁ ଟାଇଟ୍ ।। yogi govt. new rule


