ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଓ ଏହାର ମାଲିକାନା କମ୍ପାନୀ ମେଟାକୁ ସୁପ୍ରିମକୋର୍ଟ ତରଫରୁ କଡ଼ା ଭାଷାରେ ଭର୍ତ୍ସନା କରାଯାଇଛି । ତଥ୍ୟ ସେୟାରିଂ ଆଳରେ ଉପଭୋକ୍ତାଙ୍କ ଗୋପନୀୟତା ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ନେଇ ଆଦାଲତ ସ୍ପଷ୍ଟ ମତ ରଖିଛନ୍ତି ଯେ କୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ଭାରତର ଆଇନ ଓ ନାଗରିକଙ୍କ ଅଧିକାରକୁ ଅବହେଳା କରିପାରିବ ନାହିଁ।

ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ—ଯେଉଁଥିରେ ବିଚାରପତି ଜୟମାଳା ବାଗଚୀ ଓ ବିଚାରପତି ବିପୁଲ ଏମ୍. ପାଞ୍ଚୋଲି ସାମିଲ ଥିଲେ—ସ୍ପଷ୍ଟ କହିଛନ୍ତି ଯେ ଯଦି ହ୍ୱାଟ୍ସଆପ୍ ଭାରତୀୟ ଆଇନ ମାନିବାକୁ ପ୍ରସ୍ତୁତ ନୁହେଁ, ତେବେ ଏହା ଦେଶ ଛାଡ଼ି ଯିବା ଉଚିତ।
ଏହି ମାମଲା ମେଟା ଓ ହ୍ୱାଟ୍ସଆପ୍ ଦ୍ୱାରା ଭାରତୀୟ ପ୍ରତିଯୋଗିତା ଆୟୋଗ (CCI)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । CCI ହ୍ୱାଟ୍ସଆପ୍ ଉପରେ ୨୧୩.୧୪ କୋଟି ଟଙ୍କା ଜରିମାନା ଲଗାଇଥିଲା। ଏହି ଜରିମାନା WhatsAppର ୨୦୨୧ ଗୋପନୀୟତା ନୀତି ସହ ସମ୍ପୃକ୍ତ, ଯାହାକୁ CCI ଆଇନ ଉଲ୍ଲଂଘନ ବୋଲି ମନେ କରିଥିଲା।
ଭାରତୀୟ ପ୍ରତିଯୋଗିତା ଆୟୋଗ ନଭେମ୍ବର ୨୦୨୪ରେ ଜାରି କରିଥିବା ନିର୍ଦ୍ଦେଶରେ କହିଥିଲା ଯେ WhatsApp ବ୍ୟବହାରକାରୀଙ୍କ ଉପରେ “Take it or Leave it” ନୀତି ଲାଗୁ କରିଥିଲା। ଅର୍ଥାତ୍, ନୂଆ ଗୋପନୀୟତା ନୀତିକୁ ମାନିବା ଛଡ଼ା ଉପଭୋକ୍ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଏହା ସହ ବ୍ୟବହାରକାରୀଙ୍କୁ ତଥ୍ୟ ସେୟାରିଂରୁ ବାଦ୍ ଦେବାର ସୁଯୋଗ ମଧ୍ୟ ଦିଆଯାଇନଥିଲା।

କୋର୍ଟ ଏହି ପ୍ରସଙ୍ଗରେ କଡ଼ା ଟୀକା କରି କହିଛନ୍ତି ଯେ ଭାରତରେ ଗୋପନୀୟତାର ଅଧିକାର ସଂବିଧାନସମ୍ମତ ଅଧିକାର ଭାବରେ ସୁରକ୍ଷିତ। ପ୍ରଯୁକ୍ତି ମହାରଥୀମାନେ ଯେଭଳି ଚତୁର ଓ ଜଟିଳ ଭାଷାରେ ଗୋପନୀୟତା ସର୍ତ୍ତାବଳୀ ପ୍ରସ୍ତୁତ କରୁଛନ୍ତି, ସାଧାରଣ ନାଗରିକଙ୍କ ପାଇଁ ସେଗୁଡ଼ିକୁ ବୁଝିବା ଅସମ୍ଭବ ହୋଇପଡ଼ୁଛି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଫେବୃଆରୀ ୯ ତାରିଖରେ ଏହି ମାମଲାରେ ଜରିମାନା ସମ୍ପର୍କିତ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରାଯିବ। ଏହି ମାମଲା ଦେଶରେ ଡିଜିଟାଲ ଗୋପନୀୟତା, ଡାଟା ସୁରକ୍ଷା ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଦାୟିତ୍ୱକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମିଶାଲ ସୃଷ୍ଟି କରିପାରେ।
also read https://purvapaksa.com/do-your-feet-smell-bad-after-taking-off-your-shoes-heres-how-to-treat-it/


