ପୁରୀରେ ସୋସିଆଲ୍ ମିଡିଆ ମାଧ୍ୟମରେ ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିବା ଘଟଣାର ସଫଳ ପର୍ଦାଫାଶ କରିଛି ପୁରୀ ପୋଲିସ । ଏହି ମାମଲାରେ ପୁରୀ ବାସେଳୀସାହି ଥାନା ଅନ୍ତର୍ଗତ ନୀଳାଦ୍ରିବିହାର ଅଞ୍ଚଳର ପ୍ରତୀକ ମିଶ୍ରଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି ।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରତୀକ ମିଶ୍ର ଜୁଲି ରାଣୀ ପଣ୍ଡା ନାମକ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଜୁଲି ରାଣୀ ପ୍ରତୀକଙ୍କ ପ୍ରେମ ପ୍ରସ୍ତାବକୁ ଅସ୍ୱୀକାର କରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଓ ଝଗଡ଼ା ଆରମ୍ଭ ହୋଇଥିଲା। ଏହା ପରେ ପ୍ରତୀକ ପ୍ରତିଶୋଧ ମନୋଭାବରେ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି।
ପୋଲିସ କହିଛି ଯେ, ପ୍ରତୀକ ନିଜ ସିମ୍ କାର୍ଡ ବ୍ୟବହାର କରି ଗତ ୧୧ ତାରିଖରେ ଜୁଲି ରାଣୀ ପଣ୍ଡାଙ୍କ ନାମରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲିଥିଲେ। ସେହି ଫେକ୍ ଆକାଉଣ୍ଟ ମାଧ୍ୟମରେ ଜୁଲିଙ୍କୁ ବଦନାମ କରିବା ସହ ସମାଜରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିଲା।
ଅଭିଯୁକ୍ତ ଫେସବୁକରେ ପୋଷ୍ଟ କରି ପୁରୀ ଜଗନ୍ନାଥ ମନ୍ଦିରରେ ଶୀଘ୍ର ବୋମା ପଡ଼ିବ, ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି ମାଡ଼ କରାଯିବ ଓ ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବା ଭଳି ଧମକ ଦେଇଥିଲେ। ଏହି ପୋଷ୍ଟ ଜୁଲି ରାଣୀ ପଣ୍ଡା ନାମରେ ଥିବା ଫେସବୁକ୍ ଆକାଉଣ୍ଟରୁ କରାଯାଇଥିଲା।
ଏହି ଘଟଣା ପରେ ପୁରୀ ପୋଲିସର ସୋସିଆଲ୍ ମିଡିଆ ସେଲ୍ ତୁରନ୍ତ ସକ୍ରିୟ ହୋଇଥିଲା। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇବର ପୋଲିସର ସହଯୋଗରେ ଫେସବୁକ୍ କର୍ତ୍ତୃପକ୍ଷଙ୍କୁ ଉକ୍ତ ଆଇଡି ସମ୍ପର୍କିତ ସମସ୍ତ ତଥ୍ୟ ମଗାଯାଇଥିଲା। ତଦନ୍ତ ପରେ ପ୍ରତୀକ ମିଶ୍ର ଏକାକୀ ଏହି ସମସ୍ତ କାର୍ଯ୍ୟ କରିଥିବା ପ୍ରମାଣ ମିଳିଥିଲା। ପୋଲିସ ସୂଚନା ଅନୁସାରେ, ପ୍ରତୀକଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ପୁରୀ ଟାଉନ୍ ଥାନାରେ ୨ଟି, ବଳଙ୍ଗା ଥାନାରେ ୩ଟି, କେନ୍ଦ୍ରାପଡ଼ାରେ ୨ଟି ଓ ପାଟକୁରା ଥାନାରେ ୨ଟି ମାମଲା ରୁଜୁ ହୋଇଛି।
ଏହି ମାମଲାରେ ସିଂହଦ୍ୱାର ଥାନାରେ BNS ଧାରା ୩୫୧(୩), ୩୫୧(୪), ୩୧୮(୪), ୩୧୯(୨), ୧୧୧(୨)(ବି) ଓ IT ଆକ୍ଟ ୬୬(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସପି କହିଛନ୍ତି ଯେ, କେବଳ ପ୍ରେମିକା ଉପରେ ପ୍ରତିଶୋଧ ନେବା ପାଇଁ ପ୍ରତୀକ ଏଭଳି ଗୁରୁତର ଅପରାଧ କରିଥିବାକୁ ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି।
also read https://purvapaksa.com/gold-rate-2/
Gold Rate ।। ବୃଦ୍ଧି ପାଇଲା ସୁନା ଦର, ଓଡ଼ିଶାରେ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର…


