ଜୟନ୍ତ ସେଠ୍
ଜାଣନ୍ତି କି, ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତାରୁ ସୃଷ୍ଟି କରାଯାଏ, ସେଥିରେ ପ୍ରାୟ ୧୦ ହଜାର ରୁ ୧୫ ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ। ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣିରେ ପକାଇବା ବେଳେ ପୋକ ସବୁ ମରନ୍ତି। ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା। ଏପରିକି ଶ୍ରୀ ମନ୍ଦିର ରେ ଲାଗି ହେଉଥିବା ମହାପ୍ରଭୁଙ୍କର ଯାବତୀୟ ପାଟ ବସ୍ତ୍ର ପାଇଁ କେତେ ଯେ ରେଶମ କୀଟ ବଳି ପଡ଼ିଛନ୍ତି ତା’ର ହିସାବ ନାହିଁ।
କିନ୍ତୁ ୨୦୨୩ ବେଳକୁ ଏଥିରେ ରୋକ ଲାଗିବାର ପ୍ରକ୍ରିୟା ଆରମ୍ଭ ହେଲା। ରାଜ୍ୟ ସରକାରଙ୍କ ସଚିବ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ କେମିତି ରେଶମ ପୋକଙ୍କୁ ହତ୍ୟା ନ କରି, ସେମାନଙ୍କର ଜୀବନ ଚକ୍ରକୁ ଅକ୍ଷୁର୍ଣ୍ଣ ରଖାଯାଇ ପାଟ ସୁତା ସୃଷ୍ଟି କରାଯାଇ ପାରିବ ସେ ଦିଗରେ ଚିନ୍ତନ କରାଗଲା।
ସେତେବେଳେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କୁସୁମା ରାଜାୟିୟା ଆରମ୍ଭ କରିଥିବା ଅହିଂସା ସିଲ୍କକୁ ଆଖି ଆଗରେ ରଖି କୀଟଙ୍କୁ ହତ୍ୟା ନ କରି ସ୍ୱତନ୍ତ୍ର ପାଟ ସୁତା ସୃଷ୍ଟି ପାଇଁ ଉଦ୍ୟମ କରାଗଲା। ପୁରା ପ୍ରକ୍ରିୟାରେ ଅରବିନ୍ଦ ପାଢ଼ୀ ଏବଂ ତତ୍କାଳୀନ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଶୋଭନ ସାହୁ ବହୁ ପରିଶ୍ରମ କରୁଥାଆନ୍ତି। ରେଶମ ପୋକ ପାଳନ (ସେରି କଲଚର) କରୁଥିବା ଚାଷୀମାନଙ୍କୁ ବାରମ୍ବାର ବୁଝାଇ, ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଏହି ନୂତନ ପଦ୍ଧତିରେ ଅଭ୍ୟସ୍ତ କରାଇବା କାଠିକର ପାଠ ହେଇପଡ଼ିଲା।
ଅନେକ ଦିନର ଚେଷ୍ଟା ପରେ ଚାଷୀମାନେ ରେଶମ ପୋକଙ୍କୁ ଜୀବିତ ରଖି ସୁତା ସୃଷ୍ଟି କରିବାର କୌଶଳଟି ହାସଲ କରିପାରିଲେ। ଆନ୍ଧ୍ରପ୍ରଦେଶର ‘ଅହିଂସା ସିଲ୍କ’ ଉତ୍ପାଦନ କିନ୍ତୁ ଥିଲା ବହୁତ କମ। କିନ୍ତୁ ଆମ ଅଧିକାରୀମାନଙ୍କର ଆଗ୍ରହ ଓ ନିଷ୍ଠାର ଫଳ ସ୍ୱରୂପପ୍ରାୟ ୨୦୦୦ ରେଶମ ଚାଷୀଙ୍କୁ ଏଥିରେ ସାମିଲ କରାଗଲା।
ତତ୍କାଳୀନ ବିଜେଡି ସରକାର ଙ୍କ ୫-ଟି କାର୍ଯ୍ୟକ୍ରମରେ ମଧ୍ୟ ଏହା ଏକ ଅଂଶ ହେଲା। ସେ ବର୍ଷ ପ୍ରାୟ ୮ ହଜାର ମିଟର କରୁଣା ସିଲ୍କ ଉତ୍ପାଦିତ ହେଲା। ପୁଣି ଶ୍ରୀମନ୍ଦିରରେ ଆମ ଠାକୁରମାନେ ପରିଧାନ କଲେ ବିନା ଜୀବ ହତ୍ୟାରେ ପ୍ରସ୍ତୁତ ହୋଇଥିବା କରୁଣା ସିଲ୍କ ଖଣ୍ଡୁଆ ପାଟ ବସ୍ତ୍ର। ଏହା ଥିଲା ସରକାରଙ୍କ ବହୁତ ବଡ଼ ସଫଳତା। କିନ୍ତୁ ଦୁଃଖର କଥା ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବାରମ୍ବାର ବିଭିନ୍ନ ସଫଳ କାର୍ଯ୍ୟକ୍ରମର ପ୍ରଚାର ହେଲା ସିନା କିନ୍ତୁ କରୁଣା ସିଲ୍କର ସଫଳତାର କାହାଣୀ କିନ୍ତୁ ଅକୁହା ହୋଇ ରହିଗଲା।
ଓଡ଼ିଶାର ଗଣମାଧ୍ୟମମାନେ ବି ଏଭଳି ଏକ ରୋଚକ କାହାଣୀକୁ ନେଇ ବିଶେଷ ଖବର ପ୍ରସାର କଲେନି। ଗଣମାଧ୍ୟମ ମୁଖ୍ୟମାନେ ଏମିତି ଏକ ଭିନ୍ନ ଏବଂ ଅନନ୍ୟ ପ୍ରୟାସ ଓଡ଼ିଶାରେ ଆରମ୍ଭ ହୋଇଛି, ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋର ଯାହା ମନେପଡ଼ୁଛି ଇଣ୍ଡିଆନ ଏକ୍ସପ୍ରେସରେ ଡାଏନା ସାହୁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏବଂ ଯେତେବେଳ ୨୦୨୩ରେ ଏହା ନୂଆଦିଲ୍ଲୀରେ ଆଇଆଇଟିଏଫରେ ପ୍ରଦର୍ଶିତ ହୋଇଥିଲା ଟାଇମ୍ସ ଅଫ୍ ଇଣ୍ଡିଆ, ଦି ଟେଲିଗ୍ରାଫ୍, ପିଟିଆଇ, ସିଏମବିସି ଏସମ୍ପର୍କିତ ଖବର ପ୍ରକାଶ କରିଥିଲେ।
ତେବେ କିଛି ସ୍ଥାନୀୟ ୱେବ୍ସାଇଟ୍, ଯେଉଁମାନଙ୍କର ସଂସ୍ଥା ହସ୍ତ ତନ୍ତ ବିଭାଗ ପକ୍ଷରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରଚାର ପ୍ରସାର ଏବଂ ଭିଡିଓ ଡକୁମେଣ୍ଟେସନ କାମ ନେଇଥିଲେ କେବଳ ସରକାରୀ ବିଧି ବ୍ୟବସ୍ଥାକୁ ଆଖିଠାର ମାରିବା ପାଇଁ ଛୋଟିଆ ଛୋଟିଆ ଲେଖାମାନ ପ୍ରକାଶ କରିଥିଲେ, ଆଉ ସେତକ ବି ଭିଜିବଲ ହେଇନଥିଲା।
କହି ରଖେ, ଆନ୍ତର୍ଜାତିକ ବଜାରରେ କରୁଣା ସିଲ୍କର ବହୁତ ଚାହିଦା ରହିଛି। ପେଟା ପରି ଆନ୍ତର୍ଜାତିକ ସଂଗଠନ ଏହାକୁ ବ୍ୟାପକଭାବେ ସମର୍ଥନ କରୁଛନ୍ତି। ପ୍ରଚୁର ପରିମାଣରେ ଅର୍ଡର ପହଞ୍ଚୁଛି। ପୁରୀରେ ଏହାର ଏକ ସ୍ୱତନ୍ତ୍ର ଶୋ’ ରୁମ ମଧ୍ୟ ଖୋଲିଛି।
ଦେଶ ବିଦେଶର ଧର୍ମପ୍ରାଣ ବ୍ୟକ୍ତି ବିଶେଷ କରି ଭାରତୀୟ ଅହିଂସା ନୀତିରେ ବିଶ୍ୱାସ ରଖୁଥିବା ସମ୍ପ୍ରଦାୟ ପରମ ଆଗ୍ରହର ସହିତ କରୁଣା ସିଲ୍କ ବସ୍ତ୍ର କିଣୁଛନ୍ତି। କିନ୍ତୁ ନା ପୂର୍ବ ସରକାର, ନା ନୂଆ ସରକାର, କେହି ବି କରୁଣା ସିଲ୍କର ମହତ୍ତ୍ୱ ବୁଝିଲେ ନାହିଁ।
ଦେଶରେ ଓଡ଼ିଶା ପ୍ରଚୁର ପରିମାଣରେ ଏଭଳି କୀଟ ହତ୍ୟା ବିହୀନ ପାଟବସ୍ତ୍ର ଉତ୍ପାଦନ କରୁଥିବା ପ୍ରଥମ ରାଜ୍ୟ; ଏକଥା ସମସ୍ତେ ଭୁଲିଗଲେ। କିଛିଦିନ ତଳେ ରାଜ୍ୟ ସରକାର ଆୟୋଜନ କରିଥିଲେ ଟେକ୍ସ ୨୦୨୫। ସେଠାରେ କରୁଣା ସିଲ୍କ, ଯାହାକି ଓଡ଼ିଶାର ଅନନ୍ୟ କୃତିତ୍ୱ, ସେ ବିଷୟରେ ଆଲୋକପାତ ବି କରାଗଲା ନାହିଁ।
ଗତକାଲି ମହାସମାରୋହରେ ପାଳିତ ହେଲା ଜାତୀୟ ହସ୍ତତନ୍ତ ଦିବସ। କିନ୍ତୁ ସେଠାରେ ବି ଏ ବିଷୟରେ କିଛି ବି ଆଲୋଚନା ନ ଥିଲା। ହସ୍ତତନ୍ତ ବିଭାଗର କିଛି ନିଷ୍ଠାପର ଅଧିକାରୀ ଯେଉଁମାନେ କରୁଣା ସିଲ୍କ ପାଇଁ ଦିନ ରାତି ଏକ କରି ଦେଇଛନ୍ତି ସେମାନେ କେବଳ ମନକୁ ମାରି ବସିଛନ୍ତି।
ALSO READ https://purvapaksa.com/who-is-blocking-the-expansion-of-the-cabinet/
Who is blocking the expansion of the cabinet? II ମନ୍ତ୍ରିମଣ୍ଡଳ ବିସ୍ତାରରେ ବାଧକ କିଏ?
