ଶ୍ରୀମୟୀ ମିଶ୍ର । ୨୦୨୪ ବେଳକୁ ଶ୍ରୀମୟୀଙ୍କ ଗ୍ରାଫ୍ ବିଜେଡିରେ ଜୋରଦାର ଭାବେ ବଢୁଥିଲା । ୨୦୨୪ ନିର୍ବାଚନ ଘୋଷଣା ପୂର୍ବରୁ ଦଳ ପକ୍ଷରୁ ସେ ଥିଲେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅଘୋଷିତ ପ୍ରାର୍ଥୀ । ଶ୍ରୀମୟୀ ଭୁବନେଶ୍ୱର ତଳି ଗ୍ରାମ ପଂଚାୟତ ଗୁଡ଼ିକୁ ତୋଫାନୀ ଗସ୍ତ କରୁଥିଲେ । ଏଥିରେ ମିଶନ ଶକ୍ତିର ମା’ମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ସାହାଯ୍ୟ କରିବାକୁ ଉପରୁ ନିର୍ଦ୍ଦେଶ ଥିଲା । ଶ୍ରୀମୟୀ ଯେଉଁଠାକୁ ଯାଉଥିଲେ,ସେଠାରେ ମିଶନ ଶକ୍ତିର କର୍ମୀ ତାଙ୍କୁ ଏମିତି ସ୍ୱାଗତ କରୁଥିଲେ ସତେ ଯେମିତି ସେ ସିଟିଂ ଏମପି । ଶ୍ରୀମୟୀ, ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିଲେ ।
ମୈଦାନକୁ ପୂର୍ଣ୍ଣରୁପେ ଓହ୍ଲାଇବା ଆଗରୁ କ୍ଷେତ୍ର ପ୍ରସ୍ତୁତ କରୁଥିଲେ ଶ୍ରୀମୟୀ । ପଶ୍ଚିମ ଓଡ଼ିଶାରୁ ଆସୁଥିବା ଶ୍ରମୀୟୀଙ୍କୁ ଲାଗୁଥିଲା ସେ ଏଥର ଅପରାଜିତାଙ୍କୁ ଚେକମେଟ୍ କରିପାରିବେ । କିନ୍ତୁ… ଠିକ୍ ସମୟରେ ଶ୍ରୀମୟୀଙ୍କ ସହ ଖେଳ ହେଇଗଲା । ଶ୍ରୀମୟୀଙ୍କୁ ଜଳକା କରି କଂଗ୍ରେସ ବାଟ ଦେଇ ବିଜେଡିକୁ ଆସିଥିବା ସୁର ନନ୍ଦନ ମନ୍ମଥ ଟିକେଟ୍ ନେଇଗଲେ । ପ୍ରତାରଣାର ଶିକାର ହୋଇଥିବା ଶ୍ରୀମୟୀଙ୍କ ପାଖରେ ଚୁପ ରହିବା ଛଡ଼ା ଆଉ କୌଣସି ବାଟ ନଥିଲା । ଏହା ପରେ ସେ ବିଜେଡି ରାଜନୀତିରୁ ପୁରା ଦୁରେଇ ଯାଇଛନ୍ତି କହିଲେ ଭୁଲ ହେବନି । ମଝିରେ ମଝିରେ ସୋସିଆଲ ମିଡ଼ିଆରେ ସମ୍ବଲପୁରୀ ଶାଢି ପ୍ରୀତି ଦେଖାଇବାକୁ ଯାଇ କିମ୍ବା ଛୁଟି ବିତାଉଥିବା କାଳର ଫଟୋ ଅପୋଲଡ୍ କରିବା ଛଡ଼ା ଶ୍ରୀମୟୀ ରାଜନୀତିକୁ ନେଇ କେବେ କିଛି ବୟାନବାଜୀ କରିନଥିଲେ । ତେବେ ସୋମବାର ତାଙ୍କ ଫେସବୁକ୍ ପୋଷ୍ଟ ତାଙ୍କ ମନ କଥା କହୁଛି । ଯେଉଁଥିରେ ଶ୍ରୀମୟୀ ତାଙ୍କ ସହିତ ଲୋକସଭା ନିର୍ବାଚନ କାଳରେ ଅନ୍ୟାୟ ହୋଇଥିବା କଥା ପ୍ରଥମ ଥର ପାଇଁ କହିଛନ୍ତି । ସିଧାସଳଖ ନହେଲେ ବି ବୁଲାଇ ବଙ୍କେଇ କହିଛନ୍ତି । ସେଥିରେ ପୁଣି ନବୀନଙ୍କୁ ତେରଛା ବାଣ ମାରି ଅଯୋଗ୍ୟ ରାଜା ବୋଲି କହିଛନ୍ତି ।
ଅଯୋଗ୍ୟ ରାଜାଙ୍କଠାରୁ ଦୁର୍ଯ୍ୟୋଧନ ପର୍ଯ୍ୟନ୍ତ
ଶ୍ରୀମୟୀ ତାଙ୍କ ପୋଷ୍ଟରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ପ୍ରସଙ୍ଗ ଉଠାଇଛନ୍ତି । ଲେଖିଛନ୍ତି ଧ୍ରୁତରାଷ୍ଟ୍ରଙ୍କ ଉପସ୍ଥିତିରେ କୁରୁସଭା ଚାଲୁଥିଲା । ହସ୍ତିନାପୁର ରାଜାଙ୍କ ଉପସ୍ଥିତିରେ ଦ୍ରୌପଦୀଙ୍କ ଅପମାନ ହୋଇଥିଲା । କିନ୍ତୁ ଧ୍ରୁତରାଷ୍ଟ୍ର ପୁତ୍ର ପ୍ରିତିରେ ଅନ୍ଧ ହୋଇ ପୁଅ ଦୁର୍ଯ୍ୟୋଧନକୁ କିଛି କହିନଥିଲେ । ସବୁ ଜାଣି ମଧ୍ୟ ଅନ୍ୟାୟ ରୋକିବାକୁ ଧ୍ରୁତରାଷ୍ଟ୍ର କିଛି ମଧ୍ୟ କଲେନାହିଁ । ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ ମଧ୍ୟ କ୍ଷମା କରିବ ନାହିଁ ।
ଅଯୋଗ୍ୟ ରାଜା କିଏ ?
ଶ୍ରୀମୟୀ କ’ଣ ବୁଲାଇ ବଙ୍କାଇ ନବୀନଙ୍କୁ ଅଯୋଗ୍ୟ ରାଜା ବୋଲି କହିଛନ୍ତି କି ? ଏବେ ସୋସିଆଲ ମିଡିଆରେ ଏହି ପ୍ରଶ୍ନ ପଚରାଯାଉଛି । କାରଣ ଶ୍ରୀମୟୀଙ୍କ ପାଇଁ ଟିକେଟ୍ ରେଡି ଥାଇ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍ କାଟି ଦିଆଯାଇଥିଲା । ଏହା ତ ସତ ଯେ, ନବୀନ ନାଁକୁ ଦଳ ଚଳାନ୍ତି । ତାଙ୍କ ଦସ୍ତଖତ ବାଲା ଷ୍ଟାମ୍ପ ଧରି ଆଉ ଜଣେ ‘କିଏ’ ଦଳକୁ ଚଳାନ୍ତି । ତେବେ ସେହି ‘ଆଉ ଜଣେ କିଏ’ ଯାହାଙ୍କ ନାମ ନନେଇ ଶ୍ରୀମୟୀ ତାଙ୍କୁ ଦୁର୍ଯ୍ୟୋଧନ କହିଛନ୍ତି,ସିଏ କ’ଣ ସେହି ପାର୍ଟ୍ ଟାଇମ୍ ରାଜନେତା,ପାର୍ଟ୍ ଟାଇମ୍ ସନ୍ୟାସୀ ? ଯିଏ ଏଯାଏ ବି ନବୀନ ନିବାସର କଣ୍ଟ୍ରୋଲ ୟୁନିଟର ସର୍ବେସର୍ବା ? ଦୁର୍ଯ୍ୟୋଧନ (ପାର୍ଟ୍ ଟାଇମ୍ ସନ୍ୟାସୀ)ଙ୍କ ପାଇଁ କ’ଣ ଶ୍ରୀମୟୀଙ୍କ ଟିକେଟ୍ କଟି ଯାଇଥିଲା ? ଯଦି କଟିଥିଲା କାହିଁକି କଟିଥିଲା ? ହୁଏତ ଦିନେ ଶ୍ରୀମୟୀ ସିଧା ପୋଷ୍ଟ କରି ଏସବୁର ଉତ୍ତର ଦେବେ ।
ALSO READ https://purvapaksa.com/war-begins-between-america-and-china-wetlands-in-nepal/
