Seikh Hasina : ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛି। ଅନ୍ତରୀଣ ସରକାର ଶେଖ ହସିନାଙ୍କୁ ଏକ କୂଟନୈତିକ ଚିଠିରେ କୋର୍ଟରେ ହାଜର ହୋଇଥିବା ଦର୍ଶାଇ ବାଂଲାଦେଶ ପଠାଇବାକୁ କହିଛନ୍ତି। ଶେଖ୍ ହସିନା ଅଗଷ୍ଟ ୫ ତାରିଖରେ ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଆସନ୍ତୁ ଜାଣିବା କେଉଁ ଚୁକ୍ତି ଅନୁଯାୟୀ ବାଂଲାଦେଶ ଭାରତଠାରୁ ଶେଖ୍ ହସିନାଙ୍କୁ ଚାହୁଁଛି?
୨୦୨୪ ଅଗଷ୍ଟ ୫ତାରିଖରେ ବାଂଲାଦେଶରେ ବିଦ୍ରୋହ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନିଜ ଜୀବନ ବଞ୍ଚାଇବା ପାଇଁ ଭାରତ ଆସିବାକୁ ପଡ଼ିଥିଲା। ସେବେଠାରୁ ହସିନା ଭାରତରେ ରହୁଛନ୍ତି। ଏବେ ବାଂଲାଦେଶର ଅନ୍ତରୀଣ ୟୁନୁସ୍ ସରକାର ହସିନାଙ୍କୁ ଫେରାଇ ଆଣିବା ପାଇଁ ଭାରତକୁ ଏକ କୂଟନୈତିକ ଚିଠି ପଠାଇଛନ୍ତି।
ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଦେଶଦ୍ରୋହ ଭଳି ଗୁରୁତର ଅଭିଯୋଗରେ ୟୁନୁସ୍ ସରକାର ୨୨୫ରୁ ଅଧିକ ମାମଲା ରୁଜୁ କରିଛନ୍ତି। ଭାରତରେ ହସିନାଙ୍କ ଉପସ୍ଥିତି ଏବଂ ତାଙ୍କ ବୟାନ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ବଢ଼ାଇପାରେ ବୋଲି ଚେତାବନୀ ଦିଆଯାଇଛି। ସେପଟେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି- ଶେଖ୍ ହସିନାଙ୍କୁ ବାଂଲାଦେଶ ହସ୍ତାନ୍ତର କରିବ କି ଭାରତ ? ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ନିୟମ କ’ଣ? ଆସନ୍ତୁ ଜାଣିବା।
୨୦୧୩ ମସିହାରୁ ଦୁଇ ଦେଶ ମଧ୍ୟରେ ପ୍ରତ୍ୟାର୍ପଣ ଚୁକ୍ତି
ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ପ୍ରଥମେ ୨୦୧୩ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୦୧୬ରେ ସଂଶୋଧିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗର ମୁକାବିଲା ପାଇଁ ଏହି ଚୁକ୍ତି ଏକ ରଣନୈତିକ ପଦକ୍ଷେପ ଥିଲା। ଏହି ଚୁକ୍ତିର ପ୍ରଥମ ଉଦ୍ଦେଶ୍ୟ ଥିଲା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ପଳାତକ ଏବଂ ଅପରାଧୀଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ସରଳ କରିବା।
ବାସ୍ତବରେ ଏହା ୨୦୧୩ ମସିହାର କଥା। ଭାରତର ଉତ୍ତର-ପୂର୍ବ ଆତଙ୍କବାଦୀ ସଂଗଠନର ସଦସ୍ୟ ବାଂଲାଦେଶରେ ଲୁଚି ରହିଥିଲେ। ସରକାର ସେମାନଙ୍କୁ ବାଂଲାଦେଶରେ ଆଶ୍ରୟ ନେବାରୁ ରୋକିବାକୁ ଚାହୁଁଥିଲେ। ସେପଟେ ବାଂଲାଦେଶର ନିଷିଦ୍ଧ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନର ଲୋକମାନେ ଭାରତରେ ଲୁଚି ରହିଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ ଦୁଇ ଦେଶ ଏକ ପ୍ରତ୍ୟର୍ପଣ ରାଜିନାମାରେ ପହଞ୍ଚିଥିଲେ।
ତେବେ ଗୋଟେ ପେଞ୍ଚ ଅଛି…
ତେବେ ଏଥିରେ ଏକ ପେଞ୍ଚ ରହିଛି। ରାଜନୀତି ସହ ଜଡ଼ିତ ମାମଲାରେ ଭାରତ କୌଣସି ବ୍ୟକ୍ତିଙ୍କ ପ୍ରତ୍ୟାର୍ପଣକୁ ମନା କରିପାରେ ବୋଲି ଆଲୋଚନା ହେଉଛି। କିନ୍ତୁ ଯଦି ସେହି ବ୍ୟକ୍ତିଙ୍କର ହତ୍ୟା ଓ ଅପହରଣ ଭଳି ଗମ୍ଭୀର ମାମଲା ରହିଛି, ତେବେ ତାଙ୍କ ପ୍ରତ୍ୟାର୍ପଣକୁ ରୋକାଯାଇ ପାରିବ ନାହିଁ।
ତେବେ ୩ ବର୍ଷ ପରେ ୨୦୧୬ରେ ଏହି ଚୁକ୍ତିରେ ସଂଶୋଧନ କରାଯାଇଥିଲା। ଯାହା ଅନୁଯାୟୀ ପ୍ରତ୍ୟାର୍ପଣ ଚାହୁଁଥିବା ଦେଶକୁ ଅପରାଧର ପ୍ରମାଣ ଦେବାକୁ ମଧ୍ୟ ପଡ଼ିବ ନାହିଁ। ଏଥିପାଇଁ ଅଦାଲତ ଜାରି କରିଥିବା ୱାରେଣ୍ଟ ଯଥେଷ୍ଟ। ଏହି ସଂଶୋଧନ ହସିନାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ହସିନାଙ୍କୁ ବାଂଲାଦେଶ ପଠାଇବ କି ଭାରତ ?
ଏବେ ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କୁ ପ୍ରତ୍ୟାର୍ପଣ ପାଇଁ ଆନୁଷ୍ଠାନିକଭାବେ ଅନୁରୋଧ କରିଥିବାରୁ ଏହା ସ୍ପଷ୍ଟ ହୋଇଛି ଯେ ମନା କରିବାର ଯଥାର୍ଥ କାରଣ ନ ଥିଲେ ଭାରତ ପ୍ରତ୍ୟାର୍ପଣ ପାଇଁ ଆଇନଗତ ଭାବେ ବାଧ୍ୟ। ତେବେ ଭାରତ ମଧ୍ୟ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ମନାକରିପାରେ। ଭାରତ-ବାଂଲାଦେଶ ପ୍ରତ୍ୟର୍ପଣ ଚୁକ୍ତିର ଧାରା ୮ ରେ ପ୍ରତ୍ୟାର୍ପଣକୁ ମନାକରିବାର ଅନେକ ଆଧାର ରହିଛି।
ଏହି ଧାରାରେ କୁହାଯାଇଛି ଯେ ଯେଉଁ ମାମଲାରେ ଅଭିଯୋଗ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ କିମ୍ବା ସାଧାରଣ ଅପରାଧିକ ଆଇନ ଅନୁଯାୟୀ ଗ୍ରହଣୀୟ ନ ଥିବା ସାମରିକ ଅପରାଧ ସହିତ ଏହି ଅଭିଯୋଗ ସମ୍ପୃକ୍ତ ଅଟେ ତେବେ ପ୍ରତ୍ୟାର୍ପଣକୁ ମନା କରାଯାଇପାରେ। ହସିନାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହି ଭାରତ ପ୍ରତ୍ୟାର୍ପଣରୁ ଓହରିଯାଇପାରେ।
ତେବେ ପ୍ରତ୍ୟାର୍ପଣ ପାଇଁ ମନାକରିବା ଦ୍ୱାରା ନୂଆଦିଲ୍ଲୀ ଓ ଢାକାର ନୂଆ ସରକାର ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇପାରେ। ଅନ୍ୟପକ୍ଷରେ ହସିନାଙ୍କ ପ୍ରତ୍ୟେର୍ପଣ ବାଂଲାଦେଶର ବିଭିନ୍ନ ରାଜନୈତିକ ଗୋଷ୍ଠୀ ସହ ଭାରତର ସମ୍ପର୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ।
Also readhttps://purvapaksa.com/bangladesh-demand-extradiction-of-seikh-hasina/
