ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଗତ ରବିବାର ରେ ନିଜ ପ୍ରେମିକା ଗୌରୀ ସ୍ପ୍ରାଟ୍ଙ୍କ ସହ ତୃତୀୟ ବିବାହ କରି ଏକ ନୂଆ ସଂସାର ଆରମ୍ଭ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଅତି ସାଧାରଣ ଭାବେ ଏକ ରେଜିଷ୍ଟ୍ରି ମ୍ୟାରେଜ୍ ମାଧ୍ୟମରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିରଙ୍କ ଏହି ତୃତୀୟ ବିବାହର ସୁନ୍ଦର ଚିତ୍ର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଯେଉଁଠି ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି, ଅନ୍ୟପଟେ ବଲିଉଡର ‘ଭାଇଜାନ୍’ ସଲମାନ ଖାନଙ୍କ ଏକ ପୁରୁଣା ଓ ମଜାଦାର ବୟାନ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ସଲମାନଙ୍କର ଏହି ଭିଡିଓଟି ‘ଦ କପିଳ ଶର୍ମା ଶୋ’ ସମୟର, ଯେଉଁଥିରେ ସେ ଆମିରଙ୍କ ବିବାହକୁ ନେଇ ଏକ ବଡ଼ ଚୁଟ୍କି ନେଇଥିଲେ।

ଏହି ସୋ’ରେ ହୋଷ୍ଟ କପିଳ ଶର୍ମା ସଲମାନ ଖାନଙ୍କୁ ଚିଢ଼ାଇବାକୁ ଯାଇ କହିଥିଲେ, “ଆମିର ସାର୍ ନିକଟରେ ସମସ୍ତଙ୍କୁ ନିଜ ଗାର୍ଲଫ୍ରେଣ୍ଡ୍ଙ୍କ ସହ ପରିଚିତ କରାଇଛନ୍ତି ଏବଂ ଆପଣ ତ ତାଙ୍କଠାରୁ ୬ ମାସ ଛୋଟ ମଧ୍ୟ। ସେ ଆଦୌ ଅଟକୁନାହାନ୍ତି (ବିବାହ କରିବାରେ) ଏବଂ ଆପଣ କରୁନାହାନ୍ତି।” କପିଳଙ୍କ ଏହି ମଜାଦାର ପ୍ରଶ୍ନର ଉତ୍ତର ଦେଇ ସଲମାନ ନିଜର ସ୍ୱତନ୍ତ୍ର ଶୈଳୀରେ କହିଥିଲେ, “ଦେଖ ୟାର୍, ଆମିରଙ୍କ କଥା ସମ୍ପୂର୍ଣ୍ଣ ଅଲଗା। ସେ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ସାରା ଦୁନିଆ ତାଙ୍କୁ ପରଫେକ୍ସନିଷ୍ଟ ବୋଲି ଭାବେ। ସେଥିପାଇଁ ସେ ଯେପର୍ଯ୍ୟନ୍ତ ନିଜ ବିବାହକୁ ସମ୍ପୂର୍ଣ୍ଣ ଭାବେ ‘ପରଫେକ୍ଟ’ ନ କରିଦେବେ, ସେ ସେପର୍ଯ୍ୟନ୍ତ ବିବାହ କରୁଥିବେ।” ସଲମାନଙ୍କ ଏହି ଉତ୍ତର ଶୁଣି ସେତେବେଳେ ପୂରା ସେଟ୍ ହସରେ ଫାଟି ପଡ଼ିଥିଲା। ଆଜି ଆମିରଙ୍କ ତୃତୀୟ ବିବାହ ପରେ ଲୋକମାନେ ସଲମାନଙ୍କ ଏହି ପୁରୁଣା କଥାକୁ ବର୍ତ୍ତମାନର ସ୍ଥିତି ସହ ଯୋଡ଼ି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ରବିବାର ଆମିର ଓ ଗୌରୀଙ୍କ ବିବାହ ଉତ୍ସବକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ପାରିବାରିକ ରଖାଯାଇଥିଲା। ଏହି ଘରୋଇ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଆମିରଙ୍କ ଏହି ତୃତୀୟ ବିବାହରେ ତାଙ୍କ ପୂର୍ବ ଦୁଇଟି ବିବାହରୁ ଥିବା ତିନି ସନ୍ତାନ— ଜୁନୈଦ୍ ଖାନ, ଆଇରା ଖାନ ଏବଂ ଆଜାଦ୍ ରାଓ ଖାନ ଉପସ୍ଥିତ ରହି ପିତାଙ୍କୁ ଶୁଭକାମନା ଜଣାଇଥିଲେ। ଏହା ସହିତ ଆମିରଙ୍କ ଜ୍ୱାଇଁ ନୂପୁର ଶିଖରେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର, ଅଭିନେତ୍ରୀ ଏଲି ଅବରାମ, ରିଆ ଚକ୍ରବର୍ତ୍ତୀ, ପୂର୍ବତନ କ୍ରିକେଟର ଇରଫାନ ପଠାନ, ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଏମଏନଏସ ମୁଖ୍ୟ ରାଜ ଠାକରେ ମଧ୍ୟ ଏହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପହଞ୍ଚିଥିଲେ।

ଆମିର ଏବଂ ଗୌରୀ ପରସ୍ପରକୁ ପ୍ରାୟ ୨୫ ବର୍ଷରୁ ଅଧିକ ସମୟ ହେବ ଜାଣିଥିଲେ ହେଁ ଗତ ଦୁଇ ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ନିଜର ୬୦ତମ ଜନ୍ମଦିନ ଅବସରରେ ଆମିର ପ୍ରଥମ ଥର ପାଇଁ ଗୌରୀଙ୍କୁ ଗଣମାଧ୍ୟମ ସହ ପରିଚିତ କରାଇଥିଲେ। ପୂର୍ବରୁ ଆମିର ୧୯୬ ରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ ଏବଂ ୨୦୦୨ ରେ ସେମାନଙ୍କର ବିଚ୍ଛେଦ ହୋଇଥିଲା। ଏହାପରେ ୨୦୦୫ ରେ ସେ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ୨୦୨୧ ରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଗୌରୀଙ୍କ ଆଗମନ ପରେ ସେ ନିଜ ଜୀବନରେ ଶାନ୍ତି ପାଇଛନ୍ତି ଏବଂ ନିଜକୁ ସମ୍ପୂର୍ଣ୍ଣ ମନେ କରୁଛନ୍ତି ବୋଲି ଆମିର ପ୍ରକାଶ କରିଛନ୍ତି। ବଲିଉଡର ଏହି ବଡ଼ ବିବାହ ଏବେ ସିନେପ୍ରେମୀଙ୍କ ମଧ୍ୟରେ ଏକ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।
Also read : https://purvapaksa.com/you-may-have-to-take-the-driving-test-again-for-dl-know-what-are-the-new-rules/


