ସ୍ଵାଧୀନତା ପ୍ରାପ୍ତି ବେଳକୁ ଓଡ଼ିଶା ସହିତ ମିଶିବା ପାଇଁ ମୋଟ ୨୬ ଟି ଦେଶୀୟ ରାଜ୍ୟ ଥିଲା। ଏଗୁଡ଼ିକ ଥିଲା ମୁଖ୍ୟତଃ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯାହା ଓଡ଼ିଆ ବଂଶୋଦ୍ଭବ ରାଜକୁମାରଙ୍କ ଦ୍ୱାରା ଶାସିତ ହେଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଷଢେଇକଳା ଓ ଖରସୁଆଁ ଏହି ଦୁଇଟି ରାଜ୍ୟ, ଯାହା ପ୍ରଥମେ ଓଡ଼ିଶାକୁ ଆବଣ୍ଟିତ ହୋଇଥିଲା, ସବୁଦିନ ପାଇଁ ବାହାରେ ରହିଗଲା। ଏହି ଦୁଇ ରାଜ୍ୟର ରାଜାମାନେ ଓଡ଼ିଆ ବଂଶୋଦ୍ଭବ ଥିଲେ। କିନ୍ତୁ ଏଠାକାର ଆଦିବାସୀମାନେ ସେମାନଙ୍କର ନିଜସ୍ୱ ଭିନ୍ନ ଉପଭାଷା କହୁଥିଲେ ଯାହା ଉଭୟ ଓଡ଼ିଆ ଏବଂ ହିନ୍ଦୀ ଦ୍ୱାରା ପ୍ରଭାବିତ ହୋଇଥିଲା । କିନ୍ତୁ ଉଚ୍ଚ ଜାତିର ହିନ୍ଦୁମାନେ ମୁଖ୍ୟତଃ ଓଡ଼ିଆ ଭାଷୀ ଥିଲେ।
ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଏହି ଦୁଇ ରାଜ୍ୟକୁ ଓଡ଼ିଶା ପ୍ରାଦେଶିକ କଂଗ୍ରେସର ଅଧିକାର କ୍ଷେତ୍ର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯେତେବେଳେ ୧୯୨୦ ରେ ଓଡିଶା ଗଠନ କରାଯାଇଥିଲା । ଉଲ୍ଲେଖ କରିବାର କଥା ଯେ ପ୍ରାଦେଶିକ କଂଗ୍ରେସ ଏହି ଅଞ୍ଚଳରେ ଉପନିବେଶବାଦ ବିରୋଧୀ ଆନ୍ଦୋଳନକୁ ସକ୍ରିୟ କରିଥିଲା।
ଏହି କଥାକୁ ପ୍ରାୟତଃ ସ୍ଵୀକାର କରାଯାଏ ଯେ ମୟୂରଭଞ୍ଜକୁ ଓଡ଼ିଶା ସହିତ ମିଶ୍ରଣ କରିବାରେ ବିଳମ୍ବ ହେତୁ ଷଢେଇକଳା ଓ ଖରସୁଆଁ ବିହାର ପ୍ରଶାସନ ଅଧୀନକୁ ଅସ୍ଥାୟୀ ଭାବରେ ଚାଲିଗଲା। ଏହା ପଛରେ ସେହି ଦୁଇ ରାଜ୍ୟର ରାଜାମାନଙ୍କ ବେଇମାନି ହିଁ ମୁଖ୍ୟ କାରଣ ଥିଲା। ସେମାନେ ଦେଶଦ୍ରୋହୀ ପାଲଟିଗଲେ। ମୟୂରଭଞ୍ଜ ବିନା ସେହି ଦୁଇ ରାଜ୍ୟ ସହିତ ଓଡ଼ିଶାର ଭୌଗୋଳିକ ସଂଯୋଗ କଦାପି ହୋଇପାରି ନ ଥାନ୍ତା। ଷଢେଇକଳା ଓ ଖରସୁଆଁ ସହିତ ରହି ଆସିଥିବା ଦୀର୍ଘ ଦୁଇ ଶତାବ୍ଦୀର ସାଂସ୍କୃତିକ ଏବଂ ଭାଷାଗତ ସମ୍ପର୍କ ହଠାତ ଜାତିଗତ ବା ନୃଜାତୀୟ ପ୍ରସଙ୍ଗରେ ରୂପାନ୍ତରିତ ହୋଇପଡ଼ିଲା । ସମାନ ଜାତିଗତ ମୂଳର ଆଦିବାସୀମାନେ ଅନେକ ବିଛିନ୍ନ ହୋଇ ଅନେକ ପ୍ରଦେଶରେ ରହୁଥିଲେ ଏବଂ ସେହି ଅଞ୍ଚଳର ଉପଭାଷା କହୁଥିଲେ। ଉପଭାଷା ବ୍ୟତୀତ ସେମାନଙ୍କର ନିଜସ୍ୱ ଆଞ୍ଚଳିକ ପରିଚୟ ଏବଂ ରୀତିନୀତି ବି ଥିଲା ।
ଷଢେଇକଳା ଓ ଖରସୁଆଁର ଆଦିବାସୀମାନେ ଓଡ଼ିଆ ଭାଷା କହୁଥିଲେ କାରଣ ଏହି ଅଞ୍ଚଳଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ରାଜବଂଶର ଅଂଶବିଶେଷ ଥିଲା। କିନ୍ତୁ ପ୍ରଭାବଶାଳୀ ବିହାରୀ ନେତାମାନଙ୍କର ଷଡ଼ଯନ୍ତ୍ର ହିଁ ନିର୍ଣ୍ଣାୟକ ପ୍ରମାଣିତ ହେଲା ଓ ସବୁକିଛି ବଦଳିଗଲା।
ବିହାରୀ ନେତାମାନେ ହିନ୍ଦୀ ଭାଷୀ ଆଦିବାସୀ ନେତାମାନଙ୍କୁ ଷଢେଇକଳା ଓ ଖରସୁଆଁର ପ୍ରବେଶ କରି ସ୍ଥାନୀୟ ଆଦିବାସୀମାନଙ୍କୁ ଓଡ଼ିଶା ବିରୁଦ୍ଧରେ ଏକତ୍ରିତ କରିବାରେ ସକ୍ଷମ ହୋଇଥିଲେ।
କୁହାଯାଏ ଓଡ଼ିଶା ସରକାର ବିହାର ସମର୍ଥକଙ୍କ ଦ୍ୱାରା କରାଯାଉଥିବା କୁତ୍ସିତ ଏବଂ ଜୋରଦାର ପ୍ରଚାରର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। ଆଦିବାସୀମାନେ ହଠାତ୍ ଓଡ଼ିଶା ବିରୋଧୀ ହୋଇଗଲେ ଏବଂ ବିହାରୀ ଶାସକମାନଙ୍କ ଦ୍ୱାରା ପ୍ରରୋଚିତ ହେଉଥିଲେ।
୧୯୪୮ ମସିହା ଜାନୁଆରୀ ୧ ଏବଂ ୨ ତାରିଖରେ ଆଦିବାସୀମାନେ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଦଙ୍ଗା ଆରମ୍ଭ କରିଦେଲେ। ବିହାର ସହିତ ମିଶ୍ରଣକୁ ଆଗେଇନେବାର କରଯାଇଥିଲା।ଲକ୍ଷ୍ୟ ନେଇ ଆଦିବାସୀମାନଙ୍କୁ ଉତ୍ତେଜିତ କରଯାଇଥିଲା। ବିହାର ଆଦିବାସୀ ନେତାମାନଙ୍କ ଦ୍ୱାରା ଏହା ଏକ ସୁଚିନ୍ତିତ ଯୋଜନା ଥିଲା।
ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବା ଯୋଗୁଁ ଓଡ଼ିଶା ପୋଲିସ୍ ଗୁଳି ଚଳାଇଲେ ଓ ଏଥିରେ ୪୦ ଜଣ ଆଦିବାସୀଙ୍କ ଜୀବନ ଯାଇଥିଲା। ଏହି ଗୁଳିକାଣ୍ଡ ଓଡ଼ିଶାର ଆଶାକୁ ସବୁଦିନ ପାଇଁ ଦୂରେଇ ଦେଇଥିଲା। ବିହାରର ଜଣେ ଅକ୍ସଫୋର୍ଡ-ଶିକ୍ଷିତ ଆନ୍ତର୍ଜାତୀୟ ହକି ତାରକା ଜୟପାଲ ସିଂ ଏହି ଆଂଦୋଳନର ନେତୃତ୍ଵ ନେଇଥିଲେ। ନିଜେ ସେ ଜଣେ ଜନଜାତିର ସଦସ୍ୟ ଥିଲେ ଏବଂ ଜଣେ ମହାନ ନେତା ଭାବରେ ତାଙ୍କୁ ଗ୍ରହଣ କରାଯାଉଥିଲା।
୧୯୪୮ରେ ଷଢେଇକଳା ଓ ଖରସୁଆଁର ଆଦିବାସୀମାନଙ୍କୁ ଏକତ୍ରିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପରବର୍ତୀ ସମୟରେ ସେ ଝାଡ଼ଖଣ୍ଡ ପାର୍ଟିର ପ୍ରତିଷ୍ଠାତା ହୋଇଥିଲେ।
ଷଢେଇକଳା ଓ ଖରସୁଆଁର ମିଶ୍ରଣ ପ୍ରସଙ୍ଗ ବିବାଦୀୟ ହୋଇପଡିବାରୁ ଭାରତ ସରକାର ଏହି ସମସ୍ୟାର ସର୍ଭେ କରିବା ପାଇଁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ବାଉଡେକରଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ସେ ତାଙ୍କ ରିପୋର୍ଟ ଦାଖଲ କରିବା ପୂର୍ବରୁ ଭାରତ ସରକାର ଏହି ଦୁଇଟି ରାଜ୍ୟର ବିହାର ସହିତ ମିଶ୍ରଣ ଘୋଷଣା କରିସାରିଥିଲେ।
ଉଭୟ ରାଜ୍ୟର ରାଜା ଓ ଆଦିବାସୀ ବଂଶୋଦ୍ଭବ ନେତାମାନେ ଗରିବ ଆଦିବାସୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏହିଭଳି କରିଥିଲେ। କାଳେ ଏହି ଆନ୍ଦୋଳନ ଓଡ଼ିଶାର ଅନ୍ୟ ଆଦିବାସୀ ଅଞ୍ଚଳକୁ ବ୍ୟାପିଯିବ ସେହି ଭୟରେ ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ।
ସେତେବେଳକୁ ଜାତୀୟ ରାଜନୀତିରେ ବିହାର, ବଙ୍ଗଳା ଏବଂ ଆନ୍ଧ୍ରପ୍ରଦେଶର ନେତାମାନଙ୍କର ଦବଦବା ଓଡ଼ିଶା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣରେ ଓଡିଶା ବ୍ୟାକଫୁଟରେ ରହିଲା। ଜାତୀୟ ସ୍ତରରେ ଓଡ଼ିଶାର ଦୁର୍ବଳ ରାଜନୈତିକ ପରିଚୟ ଷଢେଇକଳା ଓ ଖରସୁଆଁ ମିଶ୍ରଣ ଦାବିକୁ ଦୁର୍ବଳ କରିଦେଇଥିଲା ।
ଷଢେଇକଳା ଓ ଖରସୁଆଁ ଓଡ଼ିଶା ପାଇଁ ଏକ ଭାବପ୍ରବଣ ପ୍ରସଙ୍ଗ ହୋଇ ରହି ଆସିଛି।ଏହି କ୍ଷତି ଓଡିଶା ପାଇଁ ଏକ ଦୀର୍ଘସ୍ଥାୟୀ ଦୁଃଖ, ସାଂସ୍କୃତିକ ଉଚ୍ଛେଦ ଏବଂ ଓଡ଼ିଆମାନଙ୍କ ପାଇଁ ଆଞ୍ଚଳିକ ପରିଚୟ ନଷ୍ଟ ହେବାଭଳି ଘଟନା ହୋଇ ଆସିଛି। ଷଢେଇକଳା ଓ ଖରସୁଆଁ ଆନ୍ଦୋଳନ ଓଡ଼ିଶାର ଆଞ୍ଚଳିକ ରାଜନୀତିକୁ ବଦଳାଇ ଦେଇଥିଲା କେବଳ ନୁହେଁ , ଓଡିଶାର ନେତାମାନଙ୍କ ଦୁର୍ବଳତା ଏବଂ ପ୍ରଶାସନିକ ଅତିକ୍ରମଣକୁ ବି ପଦାରେ ପକାଇ ଦେଇଥିଲା।
ଆଜି ପର୍ଯ୍ୟନ୍ତ ଷଢେଇକଳା ଓ ଖରସୁଆଁ ବିଚ୍ଛେଦକୁ ଓଡ଼ିଶାରେ ସ୍ମରଣ କରାଯାଏ। ବାର୍ଷିକ ସ୍ମୃତି ଏବଂ ସେହି ଅଞ୍ଚଳ ପ୍ରତି ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଆମର ଭାବପ୍ରବଣତା ଓ ଯନ୍ତ୍ରଣାକୁ ସୂଚିତ କରିଥାଏ ।
କୁନ୍ତଳାକୁମାରୀ ସାବତ ଏବଂ ଗୋଦାବରୀଶ ମିଶ୍ରଙ୍କ ଭଳି ସାହିତ୍ୟିକ ସେମାନଙ୍କ ଆତ୍ମଜୀବନୀରେ ଏହି ବିଶ୍ୱାସଘାତକତାକୁ ବ୍ୟକ୍ତ କରିଛନ୍ତି। ଏହି ଦୁଇ ରାଜ୍ୟର ବିଚ୍ଛେଦ ଓଡ଼ିଶାର ପ୍ରାକୃତିକ ଏବଂ ସାଂସ୍କୃତିକ ସମ୍ପଦ ପାଇଁ କିପରି ଦୁଃଖ ଦେଇ ଯାଇଛି ଏବଂ ଓଡ଼ିଆମାନଙ୍କ ମଧ୍ୟରେ “ବିଦ୍ରୋହର ଭାବନା ସୃଷ୍ଟି କରିଛି” ତାହାର ପ୍ରଚୁର ଦୃଷ୍ଟାନ୍ତ ବିଭିନ୍ନ ଆତ୍ମଜୀବନୀରେ ପଢିବାକୁ ମିଳେ।
ALSO READ https://purvapaksa.com/oli-government-in-nepal-was-ousted-for-an-11-year-old-daughter/
