ଓଡ଼ିଶା ରାଜନୀତିର ପାଣିପାଗ ଏବେ ପୁରା ଗରମ ହେଇକି ଅଛି । ସାଧାରଣ ନିର୍ବାଚନ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟର ୪ଟି ରାଜ୍ୟସଭା ଆସନ ଉପରେ। ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେଉଁ ସମୀକରଣ ଅତି ସରଳ ଲାଗୁଥିଲା , ତାହା ଏବେ ରୋଚକ ମୋଡ଼ ନେବାରେ ଲାଗିଛି। ବିଶେଷ କରି ଚତୁର୍ଥ ଆସନ ପାଇଁ ଯେଉଁଭଳି ଭାବେ ରଣନୀତି ପ୍ରସ୍ତୁତ ହେଉଛି, ତାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଅପେକ୍ଷା ‘ସଂଖ୍ୟା ଓ ଅର୍ଥ’ର ଲଢ଼େଇ ପରି ମନେହେଉଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପ୍ରଭାବଶାଳୀ ଶିଳ୍ପପତି ଦିଲୀପ ରାୟ ଏବଂ ବିରୋଧୀ ବିଜେଡି-କଂଗ୍ରେସ-ସିପିଆଇ(ଏମ୍) ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଏବେ ଏକ ଅଘୋଷିତ ‘ସମ୍ମାନର ଲଢ଼େଇ’ ଆରମ୍ଭ ହୋଇଛି।
ରାଜ୍ୟସଭା ନିର୍ବାଚନର ଗଣିତ ଅନୁସାରେ, ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ୍ ଆବଶ୍ୟକ। ବିଜେପି ପାଖରେ ନିଜର ୩ଟି ଆସନ ସୁରକ୍ଷିତ ରଖିବା ପରେ ଚତୁର୍ଥ ଆସନ ଲାଗି ମାତ୍ର ୨୨ ଖଣ୍ଡ ବଳକା ଭୋଟ୍ ରହିଛି। ଜିତିବା ପାଇଁ ଅତିକମରେ ଆହୁରି ୮ଟି ଭୋଟ୍ର ଆବଶ୍ୟକତା ଥିବାବେଳେ ଦିଲୀପ ରାୟ ଯେଉଁଭଳି ଭାବେ ଗଣମାଧ୍ୟମରେ ନିଜର ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ୮ଟି ଭୋଟ୍ କେଉଁଠୁ ଆସିବ? ଏହା କ’ଣ କେବଳ ରାଜନୈତିକ ସମର୍ଥନ ନା ଏହା ପଛରେ ‘ଅର୍ଥବଳ’ର ଏକ ବଡ଼ ଖେଳ ରହିଛି? ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଗୋଟିଏ ଗୋଟିଏ ଭୋଟ୍ ପାଇଁ ୭ରୁ ୧୦ କୋଟି ଟଙ୍କାର କାରବାର ହୋଇପାରେ। ଯଦି ଏହି ଚର୍ଚ୍ଚା ସତ ହୁଏ, ତେବେ ଏହା ଓଡ଼ିଶା ସଂସଦୀୟ ଇତିହାସରେ ଏକ କଳା ଅଧ୍ୟାୟ ଭାବେ ଲିପିବଦ୍ଧ ହେବ।
ଦିଲୀପ ରାୟଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ତଥା ଶିଳ୍ପପତି ମଇଦାନକୁ ଓହ୍ଲାଇବା ପରେ ବିରୋଧୀ ବିଜେଡି ଓ କଂଗ୍ରେସ ଶିବିରରେ ହଲଚଲ ଆରମ୍ଭ ହୋଇଛି। ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଡାକ୍ତର ହୋତାଙ୍କୁ ସମର୍ଥନ କରୁଥିଲେ ହେଁ, ଭିତରେ ଭିତରେ ବିଧାୟକମାନଙ୍କୁ ଦିଲୀପଙ୍କ କ୍ୟାମ୍ପରୁ ଫୋନ୍ କଲ୍ ଯାଉଥିବା ଅଭିଯୋଗ ହେଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଦିଲୀପ ରାୟଙ୍କ ରଣନୀତି ହେଉଛି “ଭୟ ଓ ଆକର୍ଷଣ”। ସେ ବିରୋଧୀ ଭୋଟ୍ ଭାଙ୍ଗିବା ପାଇଁ ମୋଟା ଅଙ୍କର ପ୍ରଲୋଭନ ଦେଉଥିବା ଚର୍ଚ୍ଚା ହେଉଛି।
ଏହି ନିର୍ବାଚନର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଶାସକ ଦଳ ବିଜେପିର ବିଧାୟକମାନଙ୍କ ମାନସିକତା। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଜଣେ ବିଧାୟକଙ୍କ ନୈତିକ କର୍ତ୍ତବ୍ୟ ହୋଇଥିବାବେଳେ, ଏଠାରେ ବିଧାୟକମାନେ ନିଜ ନାମ ‘ଶେଷ ୨୨ ଜଣ’ଙ୍କ ଭିତରେ ରଖିବାକୁ ମନ୍ତ୍ରୀ ଓ ନେତୃତ୍ୱଙ୍କ ନିକଟରେ ଦାବି କରୁଛନ୍ତି। ସୂତ୍ର ଅନୁସାରେ, ସେମାନଙ୍କ ଯୁକ୍ତି ହେଉଛି – “ଯଦି ଦିଲୀପ ବାବୁ ଜିତିବା ପାଇଁ ବିରୋଧୀ ବିଧାୟକଙ୍କୁ ମୋଟା ଅଙ୍କର ଟଙ୍କା ଦେଇପାରୁଛନ୍ତି, ତେବେ ଶାସକ ଦଳର ବିଧାୟକଙ୍କୁ କାହିଁକି ଉପେକ୍ଷା କରାଯାଉଛି?”
ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କିଛିଦିନ ତଳର ବୟାନ ଏହି ଯୁକ୍ତିକୁ ଅଧିକ ବଳ ଦେଇଛି। ସେ କହିଥିଲେ ଯେ କର୍ମୀମାନଙ୍କ ଚା’-ଜଳଖିଆ ଖର୍ଚ୍ଚରେ ହିଁ ମାସକୁ ଲକ୍ଷେ ଟଙ୍କା ପଳାଉଛି। ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ କାମ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ଯଦି ଜଣେ ଶିଳ୍ପପତି ପ୍ରାର୍ଥୀ ହୋଇଛନ୍ତି, ତେବେ ସେ ନିଜ ଦଳର ବିଧାୟକମାନଙ୍କୁ ମଧ୍ୟ ‘ଖୁସି’ କରିବା ଦରକାର ବୋଲି ଏକ ଗୋଷ୍ଠୀ ମତ ରଖୁଛନ୍ତି।
ରାଜନୈତିକ କରିଡରରେ ଏକ ନୂଆ ଗୁଜବ ଜୋର୍ ଧରିଛି। ନିକଟରେ ନିଜ ଦଳରୁ ବହିଷ୍କୃତ ବା ନିଲମ୍ବିତ ହୋଇଥିବା ଜଣେ ବିଧାୟକଙ୍କ ପାଖରେ ଦିଲୀପ ରାୟଙ୍କ ଶିବିରରୁ ସାହାଯ୍ୟ ପହଞ୍ଚି ସାରିଲାଣି। ଉକ୍ତ ବିଧାୟକଙ୍କ ପିତାଙ୍କ ସହ ଦିଲୀପଙ୍କ ବହୁ ପୁରୁଣା ଓ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଏହି ‘ସାହାଯ୍ୟ’ କେବଳ ବନ୍ଧୁତା ନା ଏହା ଏକ ‘ସଂଖ୍ୟା ଯୋଗାଡ଼’ର ଅଂଶବିଶେଷ, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ରାଜ୍ୟସଭା ନିର୍ବାଚନରେ ଅର୍ଥବଳର ବ୍ୟବହାର ନୂଆ କଥା ନୁହେଁ, କିନ୍ତୁ ଓଡ଼ିଶାରେ ଏହା ଯେଉଁ ସ୍ତରକୁ ଯାଉଛି, ତାହା ଶୁଭଙ୍କର ନୁହେଁ। ଯଦି ବିଧାୟକମାନେ ଟଙ୍କା ପାଇଁ ନିଜର ବିବେକ ବଳି ଦିଅନ୍ତି, ତେବେ ଲୋକପ୍ରତିନିଧିତ୍ୱ ବ୍ୟବସ୍ଥା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଯିବ। ଦିଲୀପ ରାୟଙ୍କୁ ଜିତାଇବା ବିଜେପି ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ, ଏହି ‘ସମ୍ମାନ’ ଯେପରି ଗଣତନ୍ତ୍ରର ‘ଅପମାନ’ ନହେଉ, ତାହା ହିଁ ଦେଖିବାକୁ ବାକି ରହିଲା।
ଓଡ଼ିଶାର ରାଜନୀତିରେ ରାଜ୍ୟସଭା ନିର୍ବାଚନ ସାଧାରଣତଃ ଏତେ ଚର୍ଚ୍ଚିତ ହୋଇନଥାଏ।
କିନ୍ତୁ ଏଥର ପରିସ୍ଥିତି ଭିନ୍ନ।
ଭୋଟ୍ ଗଣିତ, ଦଳୀୟ ରାଜନୀତି, ଧନଶକ୍ତି ଓ ବିଧାୟକମାନଙ୍କ ମନୋଭାବ—ସବୁ ମିଶି ଏହି ନିର୍ବାଚନକୁ ଏକ ନୂଆ ରାଜନୀତିକ ନାଟକରେ ପରିଣତ କରିଦେଇଛି।
ଚତୁର୍ଥ ଆସନ କିଏ ଜିତିବେ, ସେଥିର ଉତ୍ତର ଆଗାମୀ ଦିନରେ ମିଳିବ।
କିନ୍ତୁ ଏ କଥା ସ୍ପଷ୍ଟ ଯେ—
ଓଡ଼ିଶା ରାଜନୀତିରେ ଏହି ନିର୍ବାଚନ ଏକ ନୂଆ ଅଧ୍ୟାୟ ଲେଖିପାରେ।ଶାସକଦଳ ବିଧାୟକ କହିଲେଣି “ଆମେ ବି ନବୁ”
AlsoRead; https://purvapaksa.com/fake-superstar/
ବଙ୍କର, ବାରୁଦ ଓ ବଲିଉଡ୍: ସଙ୍କଟ ସମୟରେ ‘ନକଲି’ ସୁପରଷ୍ଟାର୍ ଏବଂ ‘ଅସଲି’ ଭାରତର ବାସ୍ତବତା || Fake Superstar


