ନୂଆପଡ଼ା ଉପନିର୍ବାଚନରେ ଭୋଟ୍ ହାତେଇବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ମାଳ ମାଳ ନେତାଙ୍କୁ ଦାୟିତ୍ଵ ଦେଇଛି। ୨୦୨୪ ନିର୍ବାଚନରେ ବିଜେଡି ହାତରେ ଥିବା ଏହି ଆସନ କାହା ପାଖକୁ ଯିବ ସେକଥା ଫଳାଫଳ ବାହାରିବା ପୂର୍ବରୁ ଆକଳନ କରିବା କଷ୍ଟକର ବ୍ୟାପାର। ହେଲେ କେଉଁ ଦଳ କେମିତି ଲଢୁଛି, ତାକୁ ଦେଖିଲେ ଅନେକ କିଛି ଅନୁମାନ କରାଯାଇ ପାରିବ। ଏହାକୁ ଭିଭିକରି ରାଜନୈତିକ ବିଶ୍ଳେଷକମାନେ ବିଭିନ୍ନ ମତ ଦେଉଛନ୍ତି।

ବିଜେପି ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ବିଜେଡି ଛାଡ଼ିବା ପରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା। ରାଜ୍ୟସଭାରେ ଖାଲି ହେବାକୁ ଥିବା ୪ଟି ଆସନର ଗଣିତରେ ଶାସକ ବିଜେପିକୁ ସମର୍ଥନ ଦେବାଲାଗି ବିଜେଡି ଚାହୁଁଥିବା ବିଷୟ ଜୟ ଦଳ ପରିବର୍ତ୍ତନ କରିବା ପରେ ଆଲୋଚନା ହେଲା। ବର୍ତ୍ତମାନ ସମୟରେ ବିଜେଡି ଏବଂ କଂଗ୍ରେସର ଉପନିର୍ବାଚନ ଲଢ଼ିବା ଶୈଳୀକୁ ଦେଖିଲେ ଉଭୟ ବିଜେପିକୁ ଉକ୍ତ ଆସନ ଟେକିଦେବା ଭଳି ରାସ୍ତା ପ୍ରସ୍ତୁତ କରୁଥାଇପାରନ୍ତି ବୋଲି ଚାଲିଥିବା ଆଲୋଚନାକୁ ଏଡ଼ାଇ ଦିଆଯାଇ ନ ପାରେ। ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ନେତାଙ୍କୁ ଦାୟିତ୍ଵ ଦେଇସାରିଛି। ସେମାନଙ୍କ ସହିତ କର୍ମୀ ଭାବେ ଅନେକ କାମକରୁଛନ୍ତି।
ସେହିପରି କଂଗ୍ରେସର ବହୁ ନେତା ଏଠାରେ ପ୍ରଚାର କାମରେ ଲାଗିଥିଲେ ମଧ୍ୟ ଅନେକଙ୍କୁ ଲୋଡ଼ା ନ ଯିବା ଭବିଷ୍ୟତରେ ବିଜେପିକୁ ସୁହାଇବାର ପଥ ପ୍ରସ୍ତୁତି ବୋଲି ତାଙ୍କରି ଭିତରେ ଚର୍ଚ୍ଚା ଚାଲିଛି। ଏପରିକି ଦ୍ୱିତୀୟ ସ୍ଥାନରେ ରହିବା ଲାଗି ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।
ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ନୂଆପଡ଼ା ଉପନିର୍ବାଚନର ମଙ୍ଗ ଧରିଥିବା ନେଇ ଦୁଇଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଲା। ରବିବାର ନୂଆପଡ଼ା ଏନ୍ଏସି ଏବଂ ନିର୍ବାଚନମଣ୍ଡଳୀର କେତେକ ସ୍ଥାନରେ କନକବର୍ଦ୍ଧନ ଦଳୀୟ କାର୍ଯ୍ୟରେ ବୁଲୁଥିବା ଦେଖିବାକୁ ମିଳିଛି। ସେହିପରି ବିଜେପି ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ଏହି ଉପନିର୍ବାଚନର ଜୋନ୍ୱାରି ଦାୟିତ୍ଵ ବଣ୍ଟନ କରିଛି । ଏହାଦ୍ଵାରା ପଶ୍ଚିମ ଓଡ଼ିଶାରେ ସେମାନଙ୍କ ସ୍ଥାନୀୟ ନେତାଙ୍କ ଗୁରୁତ୍ୱ ଦଳ ଭିତରେ ବଢ଼ିଥିବା ନେଇ ବିଜେପି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ଏହି ଉପନିର୍ବାଚନରେ ବିଜେପି ଉପକୂଳିଆ ନେତାଙ୍କୁ ଦାୟିତ୍ଵ ଦେଇଥିଲେ ମଧ୍ୟ ଆଗଧାଡ଼ିରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ରଖୁଛି।
ହେଲେ ପୂର୍ବଭଳି ବିଜେଡି ପୁଣିଥରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ଅବହେଳା କରିବାର ବାର୍ତ୍ତା ସେହି ଅଞ୍ଚଳକୁ ଆସି ଦେଉଛି ବୋଲି ତାଙ୍କ ଦଳରେ ଚର୍ଚ୍ଚା କରାଯାଉଛି। ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାର ଅନେକ ନେତା ଏବେ ଅସୁସ୍ଥତା ଏବଂ ଅନ୍ୟାନ୍ୟ ବାହାନା ଦେଖାଇ ଉପନିର୍ବାଚନରୁ ନିଜକୁ ଦୂରେଇ ରଖୁଛନ୍ତି। ଜଣେ ବିଜେଡି ନେତାଙ୍କ କହିବା ମୁତାବକ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ, ଟୁକୁନି ସାହୁ, ପଦ୍ମନାଭ ବେହେରା, ଭୁପିନ୍ଦର ସିଂହ ଭଳି ଅନେକ ପଶ୍ଚିମ ଓଡ଼ିଶା ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳୁନାହିଁ।
ଅନେକ ଉପକୂଳିଆ ନେତା ଆସି ଉପନିର୍ବାଚନରେ ମାମଲାତି କରିବା ଆଗକୁ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି। ବିଜେଡି ପକ୍ଷରୁ ଖରିଆର ରୋଡ୍ ଏନ୍ଏସି, ନୂଆପଡା ଏନ୍ଏସି, କୋମନା ଏବଂ ନୂଆପଡ଼ା ବ୍ଲକର ଦାୟିତ୍ଵ ସମ୍ପୂର୍ଣ୍ଣ ଉପକୂଳ ନେତାଙ୍କ ହାତରେ ଟେକି ଦିଆଯାଇଛି। ଖରିଆର ରୋଡ୍ ଏନ୍ଏସି ଦାୟିତ୍ଵ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦିଆଯାଇଛି। ସେହିପରି କୋମନା ବ୍ଲକରେ ପ୍ରଣବ ପ୍ରକାଶ ଦାସ(ବବି), ନୂଆପଡା ଏନ୍ଏସିରେ ଅତନୁ ସବ୍ୟସାଚୀ ନାଏକ ଏବଂ ନୂଆପଡ଼ା ବ୍ଲକରେ ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ପ୍ରତାପ ଜେନା ମୁଖ୍ୟ ଦାୟିତ୍ଵ ତୁଲାଉଛନ୍ତି । ଏମାନେ ସମସ୍ତେ ଉପକୂଳ ନେତା ହୋଇଥିବାବେଳେ ଜଣେ ହେଲେ ପଶ୍ଚିମ ଓଡ଼ିଶା ନେତାଙ୍କୁ ମୁଖ୍ୟ ଭୂମିକାରେ ରଖାଯାଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଆଉ ଜଣେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀର ରିପୋର୍ଟ ସଂଗ୍ରହ କରି ନବୀନ ନିବାସ ପଠାଉଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଉପକୂଳର ଏହି ମାମଲାତି ଭୋଟିଂ ପ୍ରକ୍ରିୟାକୁ ଯେ କେବଳ ପ୍ରଭାବ ପକାଇବ ତାହା ନୁହେଁ, ଏହା ବିଜେପିକୁ ମଧ୍ୟ ସୁହାଇବ ବୋଲି କୁହାଯାଉଛି। ଏପରିକି ଦଳ ଏଠାରେ ହାରୁଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆଣି ପ୍ରଚାର କରାଯିବ କି ନାହିଁ ବିଚାର ବିମର୍ଶ ଚାଲିଛି।
ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ପୂର୍ବରୁ ଲଢ଼ିଥିବା କଳାହାଣ୍ଡି ଲୋକସଭା ଆସନ ଅଧୀନରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି। ସ୍ଵାଭାବିକ ଭାବେ ଭକ୍ତ ନୂଆପଡ଼ାରେ ଜଣେ ପରିଚିତ ଏବଂ ପୁରୁଖା ନେତା। ହେଲେ କଂଗ୍ରେସ ସଭାପତିଙ୍କ ଦୁଇଟି ଚିଠି ଦଳୀୟ ମହଲରେ ନିରାଶା ସୃଷ୍ଟି କରିବା ସହ ତାଙ୍କର କିଛି ନ୍ୟସ୍ତସ୍ୱାର୍ଥ ଉପନିର୍ବାଚନକୁ ନେଇ ରହିଛି ବୋଲି ବହୁନେତା କହିବା ଆରମ୍ଭ କଲେଣି। ଗୋଟିଏ ଚିଠିରେ ଭକ୍ତ ଉଲ୍ଲେଖ କରିଛନ୍ତି, ଅଯଥାରେ ଏଠାକୁ ଆସି କେହି ଗହଳି କରନ୍ତୁ ନାହିଁ। ଆଉ ଏକ ଚିଠିରେ ଉଲ୍ଲେଖ କରିଛନ୍ତି, ଯାହା ପାଖରେ ସମ୍ଭବ କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ବିଧିବଦ୍ଧ ଭାବେ ସବୁ ଅଞ୍ଚଳର ନେତାମାନଙ୍କୁ ଉପନିର୍ବାଚନରେ ସାମିଲ କରିବାକୁ ଭକ୍ତ ନ ଚାହିଁବା ନେଇ ଦଳରେ ଅସନ୍ତୋଷ ଦାନା ବାନ୍ଧିଲାଣି। ଉପକୂଳର ଜଣେ ବରିଷ୍ଠ ନେତା କହିଛନ୍ତି, ଆମେମାନେ ପଚାଶ ବର୍ଷ ହେଲା କଂଗ୍ରେସରେ କାମ କରୁଛୁ। ଅନେକ ନୂଆ ଏବଂ ଯୁବନେତା ଦଳରେ ଯୋଡ଼ି ହେବାକୁ ଚାହୁଁଛନ୍ତି। ଉପନିର୍ବାଚନରେ ଯଦି ସବୁ ପ୍ରାନ୍ତର ନୂଆ ପିଲାଙ୍କୁ ଏବଂ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଥାନ୍ତା, ତେବେ ଲଢ଼େଇରେ ଦଳୀୟ ପ୍ରାର୍ଥୀଙ୍କୁ ଆଉ ଟିକିଏ ବଳ ମିଳିଥାନ୍ତା। ଶୁଣିବାକୁ ମିଳୁଛି, ବରିଷ୍ଠ ନେତା ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ, ବିଧାୟକ ରମେଶ ଜେନା ଏବଂ ତାରାପ୍ରସାଦ ବାହିନୀପତିଙ୍କ ଭଳି ବହୁନେତା ଏବେ ଉପନିର୍ବାଚନ ପାଇଁ ଡାକରା ପାଇନାହାନ୍ତି। ଭକ୍ତଙ୍କ ଏହି ରଣନୀତି କାହା ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଲାଣି I
also read https://purvapaksa.com/bhubaneswar-baliyatra-festival-from-november-5/
Bhubaneswar Baliyatra festival from November 5 ।। ନଭେମ୍ବର ୫ରୁ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ


