ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସୁବିଧାଜନକ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ରାଜସ୍ୱ ସମ୍ପର୍କିତ ସେବା ପାଇଁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସିଧାସଳଖ ହ୍ୱାଟସଆପ୍ ମାଧ୍ୟମରେ ଲୋକେ ଜମିଜମା ସମ୍ପର୍କିତ ସମସ୍ତ ଅଭିଯୋଗ ଓ ଆବେଦନ କରିପାରିବେ । ଏହି ସୂଚନା ଦେଇଛନ୍ତି ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ରାଜସ୍ୱ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ । ଜମି ପଟ୍ଟା, ରେକର୍ଡ ସଂଶୋଧନ, ମିଉଟେସନ୍, ସୀମା ବିବାଦ, ଅବୈଧ ଦଖଳ ଭଳି ସମସ୍ତ ପ୍ରକାର ଜମିଜମା ସମସ୍ୟା ସମ୍ପର୍କରେ ହ୍ୱାଟସଆପ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯିବ । ଏହା ସହିତ ଆବେଦନକୁ ସମୟ ସୀମା ମଧ୍ୟରେ ସମାଧାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଏହି ବ୍ୟବସ୍ଥା ଲୋକଙ୍କୁ ନ୍ୟାୟ ପାଇଁ ଏକ ସହଜ ମାର୍ଗ ପ୍ରଦାନ କରିବା ସହ ରାଜସ୍ୱ ବିଭାଗରେ ଦୁର୍ନୀତି ରୋକିବାରେ ବଡ଼ ଭୂମିକା ନେବ । ଆଗରୁ ଜମିଜମା ସମସ୍ୟା ନେଇ ଲୋକମାନେ ଦିନକୁ ଦିନ ତହସିଲ ଅଫିସକୁ ଯାଇ ହେରାଣ ହେଉଥିଲେ । ଏବେ ଘରେ ବସି ମୋବାଇଲ ଫୋନ୍ ମାଧ୍ୟମରେ ସମସ୍ତ କାମ ହୋଇପାରିବ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଭିଯୋଗର ସମାଧାନ ହେଉନାହିଁ କିମ୍ବା ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଆସେ, ତେବେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହା ସହ ଏକ ଆହୁରି ବଡ଼ ଘୋଷଣା କରିଛନ୍ତି ମନ୍ତ୍ରୀ । ଯଦି ତହସିଲ ସ୍ତରରେ ସମସ୍ୟାର ସମାଧାନ ହୁଏନାହିଁ, ତେବେ ଅଭିଯୋଗକାରୀ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ହ୍ୱାଟସଆପ୍ ନମ୍ବରକୁ ମେସେଜ୍ କରି ଅଭିଯୋଗ ଦେଇପାରିବେ । ଏହା ଦ୍ୱାରା ଦାୟିତ୍ୱବୋଧ ବଢ଼ିବା ସହ ସରକାରୀ କାର୍ଯ୍ୟପ୍ରଣାଳୀ ଅଧିକ ସ୍ୱଚ୍ଛ ହେବ ।
ଏହି ହ୍ୱାଟସଆପ୍ ସେବାକୁ ଆସନ୍ତାକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାକୁ ଡିଜିଟାଲ୍ ଓଡ଼ିଶା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ସେହିପରି ରାଜ୍ୟରେ ପ୍ରଶାସନିକ ସୁଧାର ଆଣିବା ପାଇଁ ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଜମି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଅଧିକ ସହଜ, ତ୍ୱରିତ ଓ ପାରଦର୍ଶୀ ହେବ ବୋଲି ଆଶା କରାଯାଉଛି ।
also read https://purvapaksa.com/gold-rate-today-4/
Gold rate today ।। ସୁନାପ୍ରେମୀଙ୍କୁ ଲାଗିଲା ଝଟକା, ଆଜି ପୁଣି ହେଲା ବଢ଼ିଲା


