ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ନୂଆପଡ଼ାର ଗୋଟିଏ ଆସନ ଲାଗି ଆସନ୍ତା କାଲି ନିର୍ବାଚନ ହେବ। ଏହି ନିର୍ବାଚନ ମଣ୍ଡଳୀ ନାଁ ନୂଆପଡ଼ା। ୨୦୨୪ରେ ଏଠାରୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଏ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ଜିତିବା ବା ହାରିବା ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ଏହା ତିନି ଦଳ ପାଇଁ ସମ୍ମାନ, ଉତ୍ସାହ ଏବଂ ଆତ୍ମବିଶ୍ୱାସର ପ୍ରଶ୍ନ ହୋଇ ରହିଛି। ଏଣୁ ତିନି ଦଳର ରାଜ୍ୟ ସଭାପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ଲାଗି ଭୋଟ ସଂଗ୍ରହରେ ଲାଗି ପଡ଼ିଛନ୍ତି।

ପ୍ରଚାର ସରିଛି। ଗତ ଅପରାହ୍ନରୁ ନୂଆପଡ଼ାକୁ ନେତାଙ୍କ ଯାତାୟାତରୁ ମୁକ୍ତ କରାଯାଇଛି। ଭୋଟରଙ୍କ ପାଇଁ ନୀରବରେ ପ୍ରାର୍ଥୀ ଚୟନ ଲାଗି ବାତାବରଣ ସୃଷ୍ଟି କରିବାକୁ ଚାହିଁଛି ପ୍ରଶାସନ। ଆଜି ଭୋଟ ଗ୍ରହଣ ଲାଗି ପୁଲିଂ ପାର୍ଟି ବୁଥକୁ ଯିବେ। ୮ଟି ସମ୍ବେଦନଶୀଳ ବୁଥ ଲାଗି ପୋଲିଂ ପାର୍ଟି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯିବାର ବ୍ୟବସ୍ଥା କରାଯାଇଛି।
ଏ ଭିତରେ ନୂଆପଡ଼ାର ପ୍ରାୟ ୨ ଲକ୍ଷ ୫୫ ହଜାର ଭୋଟର ଭୋଟ ଦେବା ଲାଗି ବି ପ୍ରସ୍ତୁତ ହେଲେଣି। କିଏ ବାହାର ରାଜ୍ୟର ଦାଦନ ଛାଡ଼ି ନିଜ ଅଞ୍ଚଳ ପାଇଁ ଲୋକ ପ୍ରତିନିଧି ବାଛିବାକୁ ଆସିଛି ତ ଆଉ କିଏ ଗାଡ଼ି ଚଢ଼ି କାଲି ସୁଦ୍ଧା ପହଞ୍ଚିବାକୁ ପ୍ରସ୍ତୁତ ହେଉଛି। ପୁଣି ଏ ଜିଲ୍ଲା ମାଓ ପ୍ରବଣ ଜିଲ୍ଲା ଭାବେ ଆଗରୁ ପରିଚିତ ଥିବାରୁ ପ୍ରଶାସନ ପକ୍ଷରୁ ୪୭ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଠାରେ ସ୍ଥାନୀୟ ପୁଲିସବଳ ସହ ୫ ପ୍ଲାଟୁନ ସ୍ୱତନ୍ତ୍ର ପୁଲିସ ବଳ ୧୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମହଜୁଦ ରହିଛନ୍ତି। ଅନ୍ୟ ବୁଥଗୁଡ଼ିକ ଭଳି ଏଠାରେ ମଧ୍ୟ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। କିନ୍ତୁ ୧ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୪ଟାରେ ଏହି ୪୭ ବୁଥରେ ଭୋଟ ଗ୍ରହଣ ଶେଷ ହେବ।
ସମୁଦାୟ ୩୫୮ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ। ପୂର୍ବରୁ ଏହା ୩୦୨ ଟି ବୁଥ ଥିଲା। ଭୋଟରଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏଥର ୫୬ଟି ବୁଥ ଅଧିକ ମତଦାନ ପାଇଁ ନିର୍ମାଣ କରାଯିବ। ଏହି ବୁଥଗୁଡ଼ିରେ ଭୋଟ ଗ୍ରହଣ ଲାଗି ଦୁଇଗୁଣା ଇଭିଏମ୍, ଭିଭିପାଟ ଏବଂ କଣ୍ଟ୍ରୋଲ ୟୁନିଟ ରାଜ୍ୟ ନିର୍ବାଚନ ଅଧିକାରୀ ମହଜୁଦ ରଖିଛନ୍ତି।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ମୋଟ ୨୫୪ ହଜାର ୨୬୩ ଜଣ ମତଦାତା ଏଥର ଭୋଟ ଦେବା ପାଇଁ ଯୋଗ୍ୟ ରହିଛନ୍ତି। ସେମାନଙ୍କ ଭିତରୁ ୨୦୦୭ ଜଣ ହେଉଛନ୍ତି ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଭୋଟର। ଏମାନଙ୍କ ଘରୁ ବ୍ୟାଲଟ ଯୋଗେ ଭୋଟ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ସେହିପରି ୪୦୦୦ ଜଣ ହେଉଛନ୍ତି ଭିନ୍ନକ୍ଷମ। ସମୁଦାୟ ୧ ଲକ୍ଷ ୨୯ ହଜାର ୧୦୨ ଜଣ ମହିଳା ଭୋଟର ଏହି ନିର୍ବାଚନରେ ଭୋଟ ଦାନ କରିବାକୁ ଯାଉଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୫ ହଜାର ୧୪୦। ୨୧ ଜଣ ହେଉଛନ୍ତି ତୃତୀୟ ଲିଙ୍ଗି ଭୋଟର।

ଏହି ନିର୍ବାଚନ ରଣାଙ୍ଗନରେ ୧୪ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ଭିତରୁ ଲଢ଼େଇ କିନ୍ତୁ ୩ ଜଣ ପ୍ରାର୍ଥୀଙ୍କ ଭିତରେ ହେବାକୁ ଯାଉଛି। ଯେଉଁ ତିନି ପ୍ରମୁଖ ପାର୍ଟି ପ୍ରାର୍ଥୀ ଦେଇଛନ୍ତି ସେମାନଙ୍କ ଭିତରୁ ଦୁଇଜଣ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ପ୍ରାର୍ଥୀ ଗତ ନିର୍ବାଚନରେ ସ୍ୱାଧୀନ ଭାବେ ନୂଆପଡ଼ାବାସୀଙ୍କ ସମ୍ମୁଖକୁ ଆସିଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝି ଦ୍ୱିତୀୟ ପସନ୍ଦ ପାଲଟିଥିଲେ। ଏଥର ସେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷେ ବିଜେଡି ପକ୍ଷରୁ ମତାବିରାର ଭୋଟର ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ପୂର୍ବ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବିଜେପିରେ ଯୋଗ ଦେଇ ସେଠାରୁ ପ୍ରାର୍ଥୀ ହୋଇଛି। ତାଙ୍କ ନାଁ ଜୟ ଢୋଲକିଆ।
ଏ ଭିତରେ ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର ଶେଷ ହୋଇଚି। ତିନି ବ୍ଲକ ନୂଆପଡ଼ା, କୋମନା ଏବଂ ସିନାପାଲିରେ ନିଜ ନିଜର ଭୋଟ ପ୍ରସ୍ତୁତ କରିଛନ୍ତି ତିନି ଦଳ। କିନ୍ତୁ ଏହି ଦୁଇଦିନ ଭିତରେ ଅର୍ଥ ବଣ୍ଟନ ଭୋଟକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥ କାରବାରକୁ ରୋକିବା ଲାଗି ପୁଲିସ ପ୍ରଶାସନ ଧର ପଗଡ଼ ଜାରି ରଖିଛି।
![]()
ଏଭଳି ପରିସ୍ଥିତିରେ ନୂଆପଡ଼ାର ପ୍ରମୁଖ ସମସ୍ୟା ପ୍ରଚାରରେ ଯେତିକି ସ୍ଥାନୀତ ହୋଇ ନାହିଁ ତାଠୁ ଅଧିକ ତିନି ଦଳର ପରସ୍ପର ବିରୋଧୀ ଆକ୍ଷେପ ହିଁ ଚର୍ଚ୍ଚାର ବିଷୟ ହୋଇଛି। ତିନି ଦଳର ସଭାପତି ଏହାକୁ ନିଜ ପାଇଁ ଏକ ସମ୍ମାନ ବୋଲି ଗ୍ରହଣ କରିଛନ୍ତି। ବିଜେପି ଓ କଂଗ୍ରେସ ସଭାପତି ନୂଆପଡ଼ାରେ ଡେରା ପକାଇ ରହୁଥିବାବେଳେ ବିଜେଡି ସଭାପତି ଦୁଇଥର ନୂଆପଡ଼ା ଯାଇ ନିର୍ବାଚନୀ ସଭାକୁ ଅଭିବାଦନ ଜଣାଇଛନ୍ତି। ସୋଶାଲ୍ ମିଡିଆରେ ପ୍ରଚାର ଜୋରଦାର ହୋଇଛି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଅନେକ ଚର୍ଚ୍ଚା ହୋଇଛି। ଏହାସହ ସେ ଦେଇଥିବା ‘ବେଇମାନୀ’ ମନ୍ତବ୍ୟ ବି ଭୋଟରଙ୍କୁ ନିଜ ମତ ପରିବର୍ତ୍ତନରେ କାରକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
also read https://purvapaksa.com/three-isis-terrorists-planning-attacks-in-india-arrested-from-gujarat/


