ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ଏବଂ ଦୂରଗାମୀ ପ୍ରଭାବ ସୃଷ୍ଟି କରୁଥିବା ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମାସିକ ଋତୁସ୍ରାବ ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ରକ୍ଷା କେବଳ ସୁବିଧା ନୁହେଁ, ବରଂ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ‘ଜୀବନ ଜିଇଁବାର ମୌଳିକ ଅଧିକାର’ର ଏକ ଅଂଶ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ରାୟ ମାଧ୍ୟମରେ ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ସୁରକ୍ଷା ଅଭାବ ଯୋଗୁଁ ଯେପରି କୌଣସି ଛାତ୍ରୀଙ୍କର ଶିକ୍ଷା ଓ ସ୍କୁଲ ଯାତ୍ରା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସରକାରୀ ପଦକ୍ଷେପ ଅତ୍ୟାବଶ୍ୟକ।
ସର୍ବୋଚ୍ଚ ଅଦାଲତ ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ଶୌଚାଳୟ ବ୍ୟବସ୍ଥା, ସାନିଟାରୀ ପ୍ୟାଡ୍ ପକାଇବା ପାଇଁ ଉଚିତ ଡିସପୋଜାଲ ମେକାନିଜମ ଏବଂ ପରିଚ୍ଛନ୍ନତା ରକ୍ଷା ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା କରିବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
![]()
କୋର୍ଟ କହିଛନ୍ତି ଯେ, ମାସିକ ଋତୁସ୍ରାବକୁ ନେଇ ଅଜ୍ଞାନତା, ଲଜ୍ଜା ଓ ସାମାଜିକ ଟାବୁ ଯୋଗୁଁ ଅନେକ ଝିଅ ପାଠପଢ଼ାରୁ ଦୂରେଇଯାଆନ୍ତି। ଏହା କେବଳ ତାଙ୍କର ଶିକ୍ଷା ନୁହେଁ, ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରେ। ତେଣୁ ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଜାତୀୟ ସ୍ତରର ନୀତି ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ବିଚାରପତି ଜେ.ବି. ପର୍ଦିୱାଲା ଏବଂ ବିଚାରପତି ଆର୍. ମହାଦେବନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ସାରା ଦେଶର ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ କେନ୍ଦ୍ର ସରକାରଙ୍କ ‘ମାସିକ ଧର୍ମ ସ୍ୱାସ୍ଥ୍ୟ ନୀତି’ କିପରି ପ୍ରଭାବଶାଳୀ ଭାବେ କାର୍ଯ୍ୟକରୀ କରାଯାଇପାରିବ, ସେହି ସମ୍ପର୍କିତ ଏକ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି।ଏହି ନିଷ୍ପତ୍ତିକୁ ମହିଳା ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସମାନ ଅଧିକାର ଦିଗରେ ଏକ ମାଇଲ୍ସ୍ଟୋନ୍ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି। ଏହା ଦେଶର ଲକ୍ଷଲକ୍ଷ ଛାତ୍ରୀଙ୍କ ପାଇଁ ସୁରକ୍ଷିତ, ସ୍ୱାସ୍ଥ୍ୟକର ଏବଂ ସମ୍ମାନଜନକ ଜୀବନର ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।
also read https://purvapaksa.com/dharmendras-revenge-against-modi/
Dharmendra’s Revenge Against Modi ! ମୋଦୀଙ୍କ ଉପରେ ଧର୍ମେନ୍ଦ୍ରଙ୍କ ପ୍ରତିଶୋଧ!


