ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ଵାଧୀନତା ପାଳନ ଉତ୍ସବରେ ଯୋଗ ଦେଇ ଦେଶର ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି । ଘରୋଇ କ୍ଷେତ୍ରରେ ଚାକିରି ଆରମ୍ଭ କରୁଥିବା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଛି । ଏହାର ନାମ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ରଖାଯାଇଛି । ଘରୋଇ କ୍ଷେତ୍ରରେ ପ୍ରଥମେ ଚାକିରି ଆରମ୍ଭ କରୁଥିବା ଯୁବକ ଓ ଯୁବତୀମାନଙ୍କୁ ଏହି ଯୋଜନାରେ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସରକାର ଯୋଗାଇ ଦେବେ । ଯେଉଁ କମ୍ପାନି ଅଧିକ ନିଯୁକ୍ତି ସୃଷ୍ଟି କରିବେ ସେମାନଙ୍କୁ ଏଥିରେ ପ୍ରୋତ୍ସାହନ ମିଳିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୂଆ ସ୍କିମ ଦ୍ଵାରା ଯୁବବର୍ଗଙ୍କ ପାଇଁ ସାଢ଼େ ୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହି ସ୍କିମ ଉଭୟ ନିଯୁକ୍ତି ଆଶାୟୀ ଏବଂ ଘରୋଇ କମ୍ପାନିଙ୍କୁ ଉତ୍ସାହିତ କରିବ ନୂଆ ନିଯୁକ୍ତି ସୃଷ୍ଟି ସହିତ ପ୍ରଯୁକ୍ତି ଉପରେ ମଧ୍ୟ ସରକାର ଗୁରୁତ୍ଵ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ ଚିନ୍ତାଧାରା ୫୦ରୁ ୬୦ ବର୍ଷ ତଳେ ଆସିଥିଲା। କିନ୍ତୁ ଭାରତ ସେହି ସମୟକୁ ହରାଇ ଦେଇଛି। ଗର୍ଭାଶୟରେ ୫୦ରୁ ୬୦ ବର୍ଷ ତଳେ ସେହି ଚିନ୍ତାଧାରାକୁ ହତ୍ୟା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ସରକାର ମିସନ ମୋଡ଼ରେ ଏବେ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଭାରତୀୟଙ୍କ ଦ୍ଵାରା ଏବଂ ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ଚଳିତବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ALSO READ https://purvapaksa.com/star-air-introduces-direct-bhubaneswar-jharsuguda-flights/
