Potatoes truck: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି।
ଟ୍ରକ ଛାଡ଼ୁନି ଦିଦି ସରକାର
ପୁଣି ବଢ଼ିବ ଆଳୁ ଦର। ଏବେ ବି ବଜାରରେ ଆଳୁପିଆଜ, ଅଦାରସୁଣ ଠୁ ନେଇ ପରିବାର ଦର ଉଚ୍ଚାରେ ଥିବା ବେଳେ ପୁଣି ଯଦି ଆଳୁ ଦର ବୃଦ୍ଧି ପାଏ ତାହା ଖାଉଟୀଙ୍କୁ ବେଶୀ ବାଧିବ। କାରଣ ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଓଡ଼ିଶାକୁ ଆଳୁ ପଠାଇବା ଉପରେ ପୁଣି କଟକଣା ଲାଗୁ କଲେ କି ମମତା ସରକାର। ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୁଲିସ। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ମେଦିନୀପୁର ଜିଲ୍ଲା ପୁଲିସ ନାକାରେ ଆଳୁ ଗାଡ଼ି ଅଟକ ରଖା ଯାଇଛି ଏବଂ ପ୍ରଶାସନ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନି ବନ୍ଦ କରିଦେଇଥିବା ଜଣାଯାଇଛି। ବେଲଦା, ଦାତନ, ସୋନାକୋଣିଆ ନାକାରେ ବି ଆଳୁ ଟ୍ରକ୍ ଅଟକାଯାଇଥିବା ସୂଚନା ରହିଛି।
ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ହଠାତ୍ ଗତକାଲିଠୁ ପଶ୍ଚିମବଙ୍ଗ ସରକାର ଏକ ମୌଖିକ ନିର୍ଦ୍ଦେଶ ଜାରି କରିଛନ୍ତି। ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଛଡ଼ା ଯାଉନାହିଁ। ସରକାର ତୁରନ୍ତ ଶୀଘ୍ର ବିଚାରକୁ ନେଇ କିପରି ଏହାର ସମାଧାନ ହେବ ତାହାର ବାଟ ବାହାର କରନ୍ତୁ। ସୀମାରେ ଅଟକି ରହିଥିବା ଗାଡ଼ି କିପରି ଓଡ଼ିଶା ଭିତରକୁ ଆସିବ ସେନେଇ ସରକାର ବ୍ୟବସ୍ଥା କରନ୍ତୁ । କାରଣ ଆମ ପାଖରେ ଆଳୁର ପୁରୁଣା ଷ୍ଟକ୍ ନାହିଁ। ମାସକ ପରେ ବଜାରକୁ ଆଳୁର ନୂଆ ଷ୍ଟକ୍ ଆସିବ ବୋଲି ଆଶା କରାଯାଉଛି। ଏବେ ଆମ ପାଖରେ କୌଣସି ବିକଳ୍ପ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି। ଆନ୍ତଃ ରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଚାଲାଣ ବନ୍ଦ କରାଯାଇଛି। ରାଜ୍ୟରେ ଆଳୁର ମୂଲ୍ୟ ହ୍ରାସ ନହେବାରୁ ରାଜ୍ୟରେ ଉତ୍ପାଦିତ ଆଳୁକୁ ଗ୍ରାହକ ଅଧିକ ମୂଲ୍ୟରେ କିଣିବାକୁ ପଡୁଛି । ତେଣୁ ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
previous article:https://purvapaksa.com/after-opposition-bjp-mp-seeks-more-time-for-parliamentary-panel-on-waqf-bill/