ରାଜନୀତି କୌଣସି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦ୍ୱାରା ଚାଲେ ନାହିଁ। ଏହା ଚାଲେ ଅନୁଭବ, ସମୟ ବୁଝିବା କ୍ଷମତା, ପ୍ରତିପକ୍ଷଙ୍କ ଚାଲ୍ ପଢ଼ିବା ଶକ୍ତି ଓ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଜ ଅହଂକାରକୁ ଜ୍ଞାନରେ ନିୟନ୍ତ୍ରଣ କରିବା । ଯେଉଁଠି ଏହି ଶିକ୍ଷା ନ ଥାଏ, ସେଠି ନେତା ନିଜେ ନିଜର ଶତ୍ରୁ ପାଲଟିଯାଏ। ରାଜ୍ୟ ରାଜନୀତିରେ ସେହିଭଳି ଅନେକ ରାଜନତା ଅଛନ୍ତି। କିନ୍ତୁ ଓଡ଼ିଶା ରାଜନୀତିର ଏବେର ଚର୍ଚ୍ଚିତ ନାଁ ହେଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ—ସେହି ଦୁଃଖଦ ରାଜନୈତିକ ମହାମୁର୍ଖ ଚରିତ୍ରର ଉଦାହରଣ। ତେଣୁ ଓଡ଼ିଶା ରାଜନୀତିରେ ଏବେ ଚର୍ଚ୍ଚାରେ ଥିବା ବବି ଦାସ ସେ ଦିଗରୁ ଜଣେ ମହାମୁର୍ଖ ବୋଲି କୁହାଯାଉଛି।

ରାଜନୀତିକ ପରିବାରର ଉତ୍ତରାଧିକାର, କିନ୍ତୁ ଶିକ୍ଷା ଅନୁପସ୍ଥିତ
ବବି ଦାସ କୌଣସି ସାଧାରଣ ପରିବାରରୁ ଆସିନାହାନ୍ତି । ସେ ହେଉଛନ୍ତି ପ୍ରଖ୍ୟାତ ଜନତା ଦଳ ନେତା ଅଶୋକ ଦାସଙ୍କ ପୁଅ। ରାଜନୀତିରେ ଅଶୋକ ଦାସ ଯେତେ ଦୃଢ଼, ସେତେ ସ୍ପଷ୍ଟ ଓ ଧୋକାବାଜୀ ବିରୋଧୀ ଥିଲେ। ବିଜୁ ଜନତା ଦଳ ଗଠନ ସମୟରେ ତତ୍କାଳୀନ ଜନତା ଦଳର ଅନେକ ନେତା ଯେପରି କ୍ଷମତାରେ ରାଜନୀତିରେ ରହିବା ପାଇଁ ଧୋକା ଓ ପ୍ରଲୋଭନର ରାସ୍ତା ଆପଣାଇ ନେଇଥିଲେ, ତାହାକୁ ଅଶୋକ ଦାସ ଭଲ ଭାବରେ ଚିହ୍ନିଥିଲେ। ସେହି କାରଣରୁ ସେ ବିଜେଡିରେ ଯୋଗ ଦେଲେ ନାହିଁ। ବହୁ ପ୍ରକାରର ପ୍ରଲୋଭନ ପରେ ବି ସେ ଜନତା ଦଳ ଛାଡ଼ି ବିଜେଡିରେ ଯୋଗ ଦେଇନଥିଲେ। କାରଣ ସେ ରାଜ୍ୟର ଧୋକାବାଜ ନେତାମାନଙ୍କୁ ହାଡ଼େ ହାଡ଼େ ଚିହ୍ନିଥିଲେ।
କିନ୍ତୁ ବବି ଦାସ—ବାପାଙ୍କ ଏହି ରାଜନୀତିକ ଅନୁଭବକୁ ଗୁରୁତ୍ୱ ଦେଲେ ନାହିଁ। ୨୦୦୯ରେ ସେ ବିଜୁ ଜନତା ଦଳରେ ଯୋଗ ଦେଲେ। ଏହାପରେ ବିଜେଡି ରାଜନୀତିରେ ଆରମ୍ଭ ହେଲା ତାଙ୍କର ଦ୍ରୁତ ଉତ୍ଥାନ।
ନବୀନଙ୍କ ଆଶିର୍ବାଦ ଓ ଅଖଣ୍ଡ କ୍ଷମତାର ମାୟା

ବିଜେଡିରେ ଯୋଗ ଦେବା ପରେ ବବି ଦାସ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ଦଳର ଶକ୍ତିକେନ୍ଦ୍ରରେ ପହଁଚିଗଲେ। ଗୋଟିଏ ସମୟ ଆସିଲା, ଯେଉଁ ସମୟରେ ଦଳର ବରିଷ୍ଠ ତଥା କନିଷ୍ଠ ନେତାମାନେ ତାଙ୍କ ଘର ଦ୍ୱାରରେ ଲାଇନ୍ ଲଗାଉଥିଲେ। ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଟିକେଟ, ଦଳୀୟ ସଂଗଠନରେ ପଦପଦବୀ ଓ ଏଥିପାଇଁ ଆବଶ୍ୟକ ସୁପାରିଶ—ସବୁକିଛି ବବିଙ୍କ ଦୟା ଉପରେ ନିର୍ଭର କରୁଥିଲା।
ଦଳର ଯେଉଁ ନେତାମାନେ ବବିଙ୍କଠାରୁ ସବୁ ପ୍ରକାରର ସହଯୋଗ ପାଇବା ପାଇଁ ତାଙ୍କ ଚାରିପାଖରେ ଘୁରି ବୁଲୁଥିଲେ ଏବେ ସେମାନଙ୍କର ଦେଖାଦର୍ଶନ ମିଳୁନାହିଁ, ବରଂ ସମାଲୋଚନା କରିବାରେ ଲାଗିଛନ୍ତି। ଦଳରେ ପାଣ୍ଡିଆନ ସମର୍ଥକମାନେ ଏବେ ବବିଙ୍କୁ ସମାଲୋଚନା କରିବା ସହିତ ତାଙ୍କୁ ଏକ ଘରିକିଆ କରିବାରେ ଲାଗିଛନ୍ତି।
କିନ୍ତୁ ଏଇଠୁ ଆସିଲା ବବିଙ୍କ ରାଜନୈତିକ ଜୀବନର ସବୁଠାରୁ ବଡ଼ ଭୁଲ। ବବି ଏହି କ୍ଷମତାକୁ ସ୍ଥାୟୀ ବୋଲି ଭାବି ନେଲେ। ସେ ବୁଝିଲେ ନାହିଁ ଯେ ବିଜେଡିରେ କ୍ଷମତା ଜଣେ ନେତାଙ୍କର ନୁହେଁ—ତାହା ସଦାସର୍ବଦା ନେତୃତ୍ୱର ଇଚ୍ଛାରେ ଚାଲେ। ଯାହାକି ନବୀନ ପଟ୍ଟନାୟକ ତାଙ୍କ ଅଫିସର ମଣ୍ଡଳୀ ଖାସ୍ କରି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରାମର୍ଶରେ ନିଅନ୍ତି।
ବିଜେଡିର ଇତିହାସ: ନିରବତାର ରାଜନୀତି
ବିଜେଡିର ଇତିହାସ ଯଦି ଦେଖାଯାଏ, ତେବେ ଏହା ନିରବତାର ଏକ ଦୀର୍ଘ କାହାଣୀ। ୨୦୦୦ ମସିହାରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କ ସହ ଯାହା ଘଟିଲା ତାହା ହେଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳୀୟ ନେତୃତ୍ୱର ଧୋକା। ତାଙ୍କଠାରୁ ଦଳୀୟ ଟିକଟ ଫେରାଇ ନେଇ ସାମ୍ବାଦିକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଦେଲେ। ହାତରେ ସମୟ ନ ଥିବାରୁ ବିଜୟ ମହାପାତ୍ର ସ୍ୱାଧୀନ ଭାବରେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିପାରିଲେ ନାହିଁ। ସେତେବେଳେ ବିଜୟଙ୍କ ସମର୍ଥନରେ ଦଳର ପଦକ୍ଷେପ ବିରୋଧରେ କେହି ମୁହଁ ଖୋଲିଲେ ନାହିଁ। ବିଜୟ ମହାପାତ୍ରଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା କଳ୍ପତରୁ ଦାସ, ଦେବୀ ପ୍ରସାଦ ମିଶ୍ର, ସୂର୍ଯ୍ୟନାରାୟଣ ପାତ୍ର, ବିଷ୍ଣୁ ଦାସ, ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷମତା ନିଶାରେ ନିରବ ରହିବାକୁ ଉଚିତ ମନେକଲେ।
ପରେ ନଳିନୀ ମହାନ୍ତି ଓ ଡା. କମଳା ଦାସ ମଧ୍ୟ ଛାୟା ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳ ତଥା ଦଳରୁ ବିଦା ହେଲେ, ସେତେବେଳେ ବି କେହି ବିରୋଧ କଲେ ନାହିଁ।
ପ୍ୟାରୀ ମୋହନ ପର୍ବ ଓ ଶିକ୍ଷା ନ ନେବାର ଭୁଲ
![]()
ବିଜେଡିର ଇତିହାସରେ ସବୁଠାରୁ ବଡ଼ ରାଜନୀତିକ ଘଟଣା ଥିଲା ପ୍ୟାରୀ ମୋହନ ମହାପାତ୍ରଙ୍କ ତଥାକଥିତ ‘ମିଡନାଇଟ ଅପରେସନ’। କୁହାଯାଏ ପ୍ୟାରୀଙ୍କୁ ନବୀନଙ୍କ ପରାମର୍ଶଦାତା ପଦରୁ ହଟାଇବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଆଇଏଏସ ଙ୍କ ଦ୍ୱାରା ସେହି ଷଡ଼ଯନ୍ତ୍ର ରଚାଯାଇଥିଲା। ପ୍ୟାରୀଙ୍କୁ ଯେତେବେଳେ ନବୀନ ପଟ୍ଟନାୟକ ବେଇମାନ ଆଖ୍ୟା ଦେଇ ଦଳରୁ ବିଦାକଲେ ସେତେବେଳେ ପ୍ୟାରୀଙ୍କ ଶିଷ୍ୟ ବୋଲି କୁହାଯାଉଥିବା ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା—କେହି ବି ତାଙ୍କ ସମର୍ଥନରେ ବାହାରିଲେ ନାହିଁ। ବରଂ ସମସ୍ତେ ନିଜର ରାଜନୈତିକ କ୍ୟାରିୟରର ସୁରକ୍ଷା ପାଇଁ ନୂଆ ଶକ୍ତିକେନ୍ଦ୍ର ଦିଗରେ ଦୌଡ଼ିଲେ। ଆଉ ଏଥିରେ ମଧ୍ୟ ସଫଳ ହୋଇ ମନ୍ତ୍ରୀ ବି ହେଲେ।
ଏହି ଘଟଣାଗୁଡ଼ିକୁ ବବି ଦାସ ଦେଖିଥିଲେ। କିନ୍ତୁ ସେ ଶିଖିଲେ ନାହିଁ। ସେ ଭାବିଲେ—“ଏହା ମୋ ସହ କେବେ ହେବ ନାହିଁ।” ବରଂ କ୍ଷମତା ନିଶାରେ ମଦମତ ହୋଇ ଧରାକୁ ସରା ମଣିଲେ।
ପାଣ୍ଡିଆନ ତାଙ୍କୁ ଦଳରେ ଆଗାମୀ ଦିନର ଶତ୍ରୁ ଭାବି ଗତ ନିର୍ବାଚନରେ ବବି ଓ ତାଙ୍କ ମାଆଙ୍କୁ ହରାଇ ରାଜନୈତିକ ଅନ୍ତ କରିବା ଆରମ୍ଭ କରିଛନ୍ତି। ଏବେ ସନା ଓ ଅରବିନ୍ଦ ପ୍ରକରଣରେ ତାଙ୍କୁ ମଧ୍ୟ ଦଳରୁ ବାହାର କରିବାର ରାସ୍ତା ଖୋଜୁଛନ୍ତି।
ପାଣ୍ଡିଆନ ପର୍ବ ଓ ବବିଙ୍କ ପତନ

ଯେଉଁ ମୁହୂର୍ତ୍ତରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦଳର ଶକ୍ତିକେନ୍ଦ୍ର ହେଲେ, ସେହି ମୁହୂର୍ତ୍ତରୁ ବବିଙ୍କ ପାଇଁ ଘଣ୍ଟା ବାଜିବା ଆରମ୍ଭ ହେଲା। ବବି ପାଣ୍ଡିଆନଙ୍କୁ ଅଣଦେଖା କଲେ, ନିଜକୁ ଭବିଷ୍ୟତର ନେତା ଭାବିଲେ। ଏହି ଅହଂକାର ତାଙ୍କୁ ରାଜନୀତିର ମୂଳ ନିୟମ- “ଶକ୍ତି ସଦା ସ୍ଥାୟୀ ନୁହେଁ” ଭୁଲାଇ ଦେଲା।
ଗତ ନିର୍ବାଚନରେ ବବି ଓ ତାଙ୍କ ମାଆଙ୍କ ପରାଜୟ କେବଳ ନିର୍ବାଚନୀ ଫଳାଫଳ ନୁହେଁ, ତାହା ଏକ ଯୋଜନାବଦ୍ଧ ରାଜନୀତିକ ଅନ୍ତର ଆରମ୍ଭ ଥିଲା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବିଜୁ ଓ ନବୀନଙ୍କ ମଧ୍ୟରେ ଥିବା ତଫାତ
ବିଜୁ ପଟ୍ଟନାୟକ ସାହସୀ ରାଜନେତା ଥିଲେ। ସେ ଦଳରେ ବିଭିନ୍ନ ମତକୁ ଶୁଣୁଥିଲେ। କିନ୍ତୁ ନବୀନ ପଟ୍ଟନାୟକ ଅନେକ ସମୟରେ ସନ୍ଦେହ ପ୍ରବଣ ଓ ଭୟଭୀତ। ଯାହାଠାରୁ ସେ ଆଗାମୀ ବିପଦ ଦେଖନ୍ତି, ସେହି ନେତାକୁ ସେ ଧୀରେ ଧୀରେ କୋଣଠେସା କରି ଦିଅନ୍ତି। ଏହି ପ୍ରକ୍ରିୟାରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରଫୁଲ ଘଡ଼େଇ, ଦାମୋଦର ରାଉତ, ରାମକୃଷ୍ଣ ପଟ୍ଟନାୟକ, ରଘୁ ମହାନ୍ତି—ସମସ୍ତେ ପ୍ରଭାବହୀନ ହେବା ସହିତ ରାଜନୀତରେ ନିଜର ଗୁରୁତ୍ୱ ହରାଇଛନ୍ତି। ସେତେବେଳେ ବବି ଦାସ ଏହାକୁ ଉପଭୋଗ କରୁଥିଲେ। ଆଜି ସେହି ଚକ୍ର ବୁଲି ବୁଲି ତାଙ୍କ ପାଖକୁ ଫେରିଆସିଛି।
ରାଜନୀତିର ସବୁଠାରୁ ବଡ଼ ଶତ୍ରୁ—ଅହଂକାର
ବବି ଦାସଙ୍କ ପତନର କାରଣ କେବଳ ପାଣ୍ଡିଆନ କିମ୍ବା ନବୀନ ନୁହଁନ୍ତି। ତାଙ୍କର ସବୁଠାରୁ ବଡ଼ ଶତ୍ରୁ ଥିଲା—ନିଜର ଅହଂକାର, ରାଜନୀତିକ ଅନଭିଜ୍ଞତା ଓ ଇତିହାସରୁ ଶିଖିବାର ଅସମର୍ଥତା। ରାଜନୀତିକ ପରିବାରରୁ ଆସିଥିଲେ ବି, ଯଦି ଜଣେ ନେତା ରାଜନୀତିର ମୌଳିକ ନିୟମ ବୁଝିପାରେ ନାହିଁ, ତେବେ ସେ ନିଜେ ନିଜର ଶବଦାହ ସଜାଇ ଥାଏ। ସେହି ଅର୍ଥରେ—ଓଡ଼ିଶା ରାଜନୀତିରେ ବବି ଦାସଙ୍କୁ “ମହାମୁର୍ଖ” କୁହାଗଲେ, ସେହି କଥା ଅତିଶୟୋକ୍ତି ନୁହେଁ—ଏହା ଏକ ରାଜନୀତିକ ନିଷ୍କର୍ଷ।
also read https://purvapaksa.com/when-will-the-government-appointed-in-contract/
When will the government appointed in contract? || କେବେ ଠିକାରେ ନିଯୁକ୍ତି ହେବେ ସରକାର?


