ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରର ସବୁଠାରୁ ବଡ଼ ସ୍ତମ୍ଭ କୁହାଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସପିଟାଲ ଆଜି ଏକ କଳା ଇତିହାସ ରଚିଛି। ଯେଉଁଠି ମୃତ୍ୟୁ ସହ ପଞ୍ଝା ଲଢ଼ୁଥିବା ରୋଗୀ ଜୀବନ ପାଇବା ଆଶାରେ ଆସନ୍ତି, ସେହି ଆଇସିୟୁ ଆଜି ପାଲଟିଲା ମୃତ୍ୟୁର ଚାମ୍ବର। ଭୋର ୩ଟାର ସେହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣ ରୋଗୀ ଛଟପଟ ହୋଇ ପ୍ରାଣ ହରାଇବା ଘଟଣା କେବଳ ଦୁଃଖଦାୟକ ନୁହେଁ, ବରଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଲଜ୍ଜା। ପ୍ରଶ୍ନ ଉଠୁଛି— କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଠା ଛିଡ଼ା କରାଯାଉଛି, କିନ୍ତୁ ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା କ’ଣ କେବଳ ଶୋଭାବର୍ଦ୍ଧନ ପାଇଁ?
ଅଭିଶପ୍ତ ଭୋର ୩ଟା: ଛଟପଟ ହୋଇଗଲା ୧୦ ଜୀବନ
ସେତେବେଳେ ସାରା ସହର ଶୋଇଥିଲା। ଏସସିବିର ଟ୍ରମା ଆଇସିୟୁରେ ଗୁରୁତର ରୋଗୀମାନେ ଭେଣ୍ଟିଲେଟର ଓ ବିଭିନ୍ନ ମେଡିକାଲ ଉପକରଣ ସହାୟତାରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ହଠାତ୍ ନିଆଁ ଲାଗିଲା। ଆଖି ପିଛୁଳାକେ ଚାରିଆଡ଼େ ଧୂଆଁ ଭରିଗଲା। ଆଇସିୟୁ ଭିତରେ ଥିବା ରୋଗୀମାନେ ଏଭଳି ଅବସ୍ଥାରେ ନଥିଲେ ଯେ ସେମାନେ ନିଜେ ବାହାରକୁ ଆସିପାରିବେ କିମ୍ବା କାହାକୁ ସାହାଯ୍ୟ ପାଇଁ ଚିତ୍କାର କରି ଡାକିପାରିବେ। ଉଦ୍ଧାର ବେଳକୁ ଅନେକ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁର ପ୍ରକୋପରେ ପ୍ରାଣ ହରାଇ ସାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଯିଏ ଦେଖିଛି ସିଏ ବିଚଳିତ ହୋଇପଡ଼ିଛି।

ବିଫଳ ସୁରକ୍ଷା କବଚ: ସ୍ପ୍ରିଙ୍କଲର ଓ ସାଇରନ୍ କାହିଁକି ହେଲେ ଶିଥିଳ?
ଆଇସିୟୁ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅତ୍ୟନ୍ତ ଆଧୁନିକ ହେବା କଥା। ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀଙ୍କ ବୟାନ ଅନୁସାରେ, ନିଆଁ ଲାଗିବା ପରେ ସାଇରନ୍ ବାଜିଥିଲା ଏବଂ ସ୍ୱୟଂଚାଳିତ ପାଣି ସ୍ପ୍ରେ ବ୍ୟବସ୍ଥା (Sprinkler System) ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ପର୍ଯ୍ୟାପ୍ତ ନଥିଲା। ଅଳ୍ପ ସମୟ ପରେ ସ୍ପ୍ରିଙ୍କଲରରୁ ପାଣି ବାହାରିବା ବନ୍ଦ ହୋଇଗଲା।
ଏହା ହିଁ ସବୁଠାରୁ ବଡ଼ ତ୍ରୁଟି। ଯଦି ସ୍ପ୍ରିଙ୍କଲର ଠିକ୍ ଭାବେ କାମ କରିଥାନ୍ତା, ତେବେ ନିଆଁର ବେଗକୁ କିଛି ମାତ୍ରାରେ ପ୍ରତିହତ କରାଯାଇ ପାରିଥାନ୍ତା। ମେଡିକାଲ ପରିସରରେ ଫାୟାର ଏକ୍ସଟିନଗ୍ୟୁସର ଥିଲେ ମଧ୍ୟ ସେଗୁଡ଼ିକର ଉପଯୁକ୍ତ ବ୍ୟବହାର ହୋଇଥିଲା କି ନାହିଁ, ତାହା ଏବେ ତଦନ୍ତ ସାପେକ୍ଷ।
ମେଡିକାଲ ଭିତରେ ଅଗ୍ନିଶମ କେନ୍ଦ୍ର, ତଥାପି ଆସିବାକୁ ଲାଗିଲା ଅଧଘଣ୍ଟା!
ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଅଗ୍ନିଶମ ବିଭାଗର ମନ୍ଥରତା। ଏସସିବି ମେଡିକାଲ ପରିସର ମଧ୍ୟରେ ହିଁ ଏକ ସ୍ୱତନ୍ତ୍ର ଅଗ୍ନିଶମ କାର୍ଯ୍ୟାଳୟ ରହିଛି। ତଥାପି, ନିଆଁ ଲାଗିବାର ଅଧଘଣ୍ଟା ପରେ ଯାଇ ଫାୟାର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଟ୍ରମା ସେଣ୍ଟରରୁ ଅଗ୍ନିଶମ କେନ୍ଦ୍ରର ଦୂରତା ମାତ୍ର କିଛି ମିଟର ହୋଇଥିବା ବେଳେ ଏହି ୩୦ ମିନିଟର ବିଳମ୍ବ ଅନେକଙ୍କ ଜୀବନ ନେଇଯାଇଛି। କେଉଁ କାରଣରୁ ଏହି ବିଳମ୍ବ ହେଲା, ତାହାର ଉତ୍ତର କାହା ପାଖରେ ନାହିଁ।

ଆଉଟସୋର୍ସିଂ କର୍ମଚାରୀଙ୍କ ସାହସିକତା ଓ ବାସ୍ତବ ଚିତ୍ର
ଯେତେବେଳେ ସରକାରୀ ବ୍ୟବସ୍ଥା ହାତ ଟେକି ଦେଇଥିଲା, ସେତେବେଳେ ସେଠାରେ ଥିବା ଆଇଟସୋର୍ସିଂ କର୍ମଚାରୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ରୋଗୀଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ କହିବା କଥା, ରୋଗୀଙ୍କ ଦେହରେ ଅନେକ ପାଇପ୍ ଓ ମେଡିକାଲ ଲାଇନ୍ ସଂଯୋଗ ହୋଇଥିବାରୁ ତାଙ୍କୁ ତୁରନ୍ତ ବାହାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ଏହି କର୍ମଚାରୀମାନେ କେବଳ ସେମାନଙ୍କ ଦକ୍ଷତା ମୁତାବକ ଚେଷ୍ଟା କରିଥିଲେ, କିନ୍ତୁ ବିଷାକ୍ତ ଧୂଆଁ ଓ ନିଆଁର ପ୍ରକୋପ ଆଗରେ ସେମାନେ ବି ହାର୍ ମାନିଥିଲେ।
କୋଟି କୋଟିର ଦରମା ବନାମ ଶୂନ ସୁରକ୍ଷା
ଏସସିବିରେ ଶହ ଶହ ଡାକ୍ତର ଓ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି। ସରକାର ସେମାନଙ୍କୁ କୋଟି କୋଟି ଟଙ୍କା ଦରମା ଓ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ବିରାଟ କୋଠା ନିର୍ମାଣ ଚାଲିଛି। କିନ୍ତୁ ଯେଉଁଠି ମୌଳିକ ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରୁଛି, ସେଠି ଏହି ଚକ୍ଚକ୍ କୋଠାର ମୂଲ୍ୟ କ’ଣ? ଆଇସିୟୁ ଭିତରେ ନିୟମିତ ଫାୟାର ଅଡିଟ୍ ହେଉଥିଲା କି? ଯଦି ହେଉଥିଲା, ତେବେ ସ୍ପ୍ରିଙ୍କଲର ଠିକ୍ରେ କାମ କଲାନି କାହିଁକି?
ଏହି ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚେହେରାକୁ ପଦାରେ ପକାଇଛି। ଏସସିବି ଭଳି ଏକ ସମ୍ମାନଜନକ ଅନୁଷ୍ଠାନରେ ଏଭଳି ଅଘଟଣ କ୍ଷମାହୀନ। ସରକାର କେବଳ ତଦନ୍ତ କରି ଚୁପ୍ ରହିଲେ ହେବ ନାହିଁ। ଯେଉଁମାନଙ୍କ ଅବହେଳା ପାଇଁ ଆଜି ୧୦ ଜଣ ରୋଗୀଙ୍କ ପରିବାର ଉଜୁଡ଼ି ଯାଇଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ନଚେତ୍, ଆଗକୁ ଏଭଳି ଘଟଣା ଘଟିଚାଲିବ ଏବଂ ଅସହାୟ ରୋଗୀମାନେ କେବଳ ବଳି ପଡ଼ୁଥିବେ।
AlsoRead; https://purvapaksa.com/rajya-sabha-elections/
ରାଜ୍ୟସଭା ଭୋଟ୍ ଓ ସୌଭିକଙ୍କ ‘ମଉନବ୍ରତ’ || Rajya Sabha Elections


