କାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଶୁକ୍ରବାରଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ। ସ୍ୱାନ ନଦୀ କୂଳରେ ଅବସ୍ଥିତ ଅପ୍ଟସ ଷ୍ଟାଡ଼ିୟମରେ ପ୍ରଥମ ଟେଷ୍ଟ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଲକ୍ଷ୍ୟରେ ଉଭୟ ଦଳ ରହିଥିବାରୁ ସମ୍ପୂର୍ଣ୍ଣ ସିରିଜଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ। ବିଶେଷ କରି ପ୍ରଥମ ଟେଷ୍ଟରୁ ବିଜୟ ଖାତା ଖୋଲିବାକୁ ଉଭୟ ଦଳ ପ୍ରୟାସ କରିବେ। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ପେସ ବାହିନୀ। କାରଣ ଅପ୍ଟସ ଷ୍ଟାଡ଼ିୟମ୍ର ପିଚ୍ ପେସ ବୋଲରଙ୍କୁ ଭରପୁର ଫାଇଦା ଯୋଗାଇବ।
ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ୱାକା ଗ୍ରାଉଣ୍ଡର ପିଚ୍ ଭଳି ପେସ୍ ବୋଲରଙ୍କୁ ସହାୟତା କରିବ । ଏହି ପିଚରେ ବହଳିଆ ଘାସର ଆବରଣ ରହିବ ବୋଲି କ୍ୟୁରେଟର ମଧ୍ୟ ସ୍ପଷ୍ଟ କରିଛନ୍ତି । ତେଣୁ ପେସ୍ ବୋଲରମାନେ ଦିନ ତମାମ ବଲ୍କୁ ସୁଇଂ କରାଇପାରିବେ । ତଥାପି ପାରମ୍ପରିକ ୱାକା ପିଚ ଭଳି ଏଠାରେ ପିଚ୍ ଫାଟିବ ନାହିଁ । ତେଣୁ ବ୍ୟାଟରଙ୍କୁ ବିଶେଷ ସଂଘର୍ଷ କରିବାକୁ ପଡ଼ିବ ନାହିଁ । କ୍ରିଜରେ ଥରେ ଜମିଗଲେ ଓ ବଲ୍ର ଗତି ଓ ବାଉନ୍ସ ସହ ଖାପ ଖୁଆଇ ନେଲେ ରନ୍ ସଂଗ୍ରହ ସହଜ ହୋଇଯିବ । ସୂଚନାଯୋଗ୍ୟ, ୱାକା ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ୍ ସମୟରେ ଦ୍ୱିତୀୟ କିମ୍ବା ତୃତୀୟ କଠିନ ଆଡକୁ ପିଚରେ ଫାଟ ସୃଷ୍ଟି ହୋଇଥାଏ । ଫଳରେ ଏହି ଫାଟରେ ବଲ୍ ପଡ଼ିବା ମାତ୍ରେ ଖେଳିବା କଷ୍ଟକର ହୋଇଯାଏ । ଏଥର ପର୍ଥରେ ଅଦିନିଆ ବର୍ଷା ହେଉଥିବାରୁ ପିଚ୍କୁ ସେଭଳି ଶୁଷ୍କ ରଖିବା କଷ୍ଟକର ହୋଇଯାଉଛି । ପିଚରେ ପାଖା ପାଖି ୧୦ମିଲି ମିଟର ଉଚ୍ଚର ଘାସ ରହିଛି । ଜଳବାୟୁରେ ଆଦ୍ରତା ଯୋଗୁଁ ପିଚରେ ଫାଟ ସୃଷ୍ଟି ହେବ ନାହିଁ ବୋଲି କ୍ୟୁରେଟର ପ୍ରକାଶ କରିଛନ୍ତି ।
ଫୋକସରେ ପେସ୍ ବୋଲିଂ ବିଭାଗ
ପ୍ରଥମ ଟେଷ୍ଟ ପଇଁ ଭାରତ ବର୍ତ୍ତମାନ ଏକାଦଶ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି । ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ପହଞ୍ଚି ନଥିବାବେଳେ ଶୁଭମନ ଗିଲ ଆହତ ହୋଇ ବାଦ ପଡ଼ିଛନ୍ତି । ଫଳରେ ବ୍ୟାଟିଂ ବିଭାଗରେ ବଡ଼ ପରିବର୍ତ୍ତନ ନିଶ୍ଚିତ ରହିଛି । ପେସ୍ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ନିଶ୍ଚିତ ।
ପ୍ରଥମ ଟେଷ୍ଟରେ ଭାରତର ୨ଜଣ ଖେଳାଳି ପଦାର୍ପଣ କରିବେ ବୋଲି ଜଣା ପଡ଼ିଛି । ବ୍ୟାଟିଂ ବିଭାଗ ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି । କେଏଲ ରାହୁଲ ଓପନର ଓ ଦେବଦତ୍ତ ପଡ଼ିକଲ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ସେହିପରି ଫର୍ମରେ ଥିବା ଧ୍ରୁବ ଜୁରେଲଙ୍କୁ ୬ନଂ ସ୍ଥାନ ମିଳିବ । ବ୍ୟାଟିଂ ବିଭାଗର ସବୁ ସଦସ୍ୟ ଟେଷ୍ଟ ପଦାର୍ପଣ କରିସାରିଛନ୍ତି । ତେଣୁ ବୋଲିଂ ବିଭାଗ ଉପରେ ବର୍ତ୍ତମାନ ନଜର । ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଅନ୍ୟ ଯୁବ ପେସ୍ ବୋଲର ହର୍ଷିତ ରାଣାଙ୍କୁ ଖେଳାଇବାକୁ ଯୋଜନା ହେଉଛି । ସେ ଖେଳିଲେ ଆକାଶ ଦୀପ ଏକାଦଶରୁ ବାଦ ପଡ଼ିବେ ।
previous article:https://purvapaksa.com/spicy-pitch-prepared-for-first-test/
