ରାଜନୀତିରେ ଏକ ପ୍ରଚଳିତ ଉକ୍ତି ଅଛି— “ଯିଏ ଇତିହାସରୁ ଶିଖେ ନାହିଁ, ସେ ପୁରୁଣା ଭୁଲକୁ ଦୋହରାଇ ଦୁଃଖ ଭୋଗ କରେ।” ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ — ଏ ଦୁଇଟି ନିର୍ବାଚନ ଏକ ସଙ୍ଗେ ବିଜୁ ଜନତା ଦଳ ପାଇଁ ଅଭୂତପୂର୍ବ ବିପର୍ଯ୍ୟୟ ଡାକି ଆଣିଥିଲା। ୨୪ ବର୍ଷ ଧରି ଓଡ଼ିଶାର ରାଜ୍ୟ ଶାସନ ପରିଚାଳନା କରୁଥିବା ବିଜୁ ଜନତା ଦଳ ଗୋଟିଏ ଝଟ୍କାରେ ଉଭୟ ବିଧାନସଭା ଓ ଲୋକସଭାରୁ ପ୍ରାୟ ଅଦୃଶ୍ୟ ହୋଇଗଲା। ଜନତା ସ୍ପଷ୍ଟ ରାୟ ଦେଲେ। ସଂଗଠନ ଦୁର୍ବଳ ହୋଇଛି, ନେତୃତ୍ୱ ଦିଗଭ୍ରଷ୍ଟ ହୋଇଛି, ଦଳ ଭିତରେ ଗଣତନ୍ତ୍ର ନାହିଁ — ଏ ସମସ୍ତ ଅଭିଯୋଗ ମଧ୍ୟ ଖୋଲାଖୋଲି ଆଲୋଚନା ହୋଇଥିଲା।
ସ୍ୱାଭାବିକ କଥା ଥିଲା ଯେ ଏ ବିଶାଳ ପରାଜୟ ପରେ ଦଳ ଆତ୍ମ-ସମୀକ୍ଷା କରିବ। ପୁରୁଖା ନେତାଙ୍କ ଅଭିଜ୍ଞତା ମୂଲ୍ୟ ଦିଆଯିବ। ଜନ-ସଂଯୋଗ ବଢ଼ାଯିବ। ସଂଗଠନ ଢାଞ୍ଚା ସୁଦୃଢ଼ ହେବ। ଦଳ ଏକ ସ୍ୱଚ୍ଛ, ଗଣତାନ୍ତ୍ରିକ ଓ ବିଶ୍ୱସ୍ତ ବିରୋଧ ଦଳ ଭୂମିକା ଗ୍ରହଣ କରିବ। ମାତ୍ର ଯାହା ଘଟୁଛି, ତାହା ସମ୍ପୂର୍ଣ୍ଣ ଭିନ୍ନ। ଦଳ ଆତ୍ମ-ଶୁଦ୍ଧି ବଦଳରେ ପୁଣି ଥରେ ସେ ପୁରୁଣା ବ୍ୟକ୍ତି-ନିର୍ଭର, ଅଗଣତାନ୍ତ୍ରିକ ଏବଂ ଗୋଷ୍ଠୀ-ସ୍ୱାର୍ଥ-ଚାଳିତ ରଣନୀତିର ରାସ୍ତାକୁ ଫେରୁଛି।

୨୦୨୪ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିପର୍ଯ୍ୟୟ ପରେ ଦଳର କର୍ମୀ ଏବଂ ପୁରୁଖା ନେତାମାନେ ଭାବୁଥିଲେ ଯେ, ପରାଜୟର ମୁଖ୍ୟ କାରଣ ସାଜିଥିବା ‘ଅଣ-ଓଡ଼ିଆ’ ଅଧିକାରୀଙ୍କ ପ୍ରଭାବ ଏବଂ ଅମଲାତାନ୍ତ୍ରିକ ନିୟନ୍ତ୍ରଣରୁ ବିଜେଡି ମୁକ୍ତ ହେବ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ପ୍ରଦାନ କରୁଛି। ଦଳର ସର୍ବେସର୍ବା କୁହାଯାଉଥିବା ତାମିଲ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣିଥରେ ପରଦା ପଛରେ ରହି ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଓଡ଼ିଆ ନେତାମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କ ଉପରେ ରାଜୁତି କରିବାର ଯୋଜନା କରିଛନ୍ତି। ରାଜ୍ୟସଭାରେ ଦଳର ଶାଣିତ ସ୍ୱର ସାଜିଥିବା ସାଂସଦ ସସ୍ମିତ ପାତ୍ରଙ୍କର ସଂସଦୀୟ ନେତା ପଦରୁ ଅଚାନକ ଇସ୍ତଫା ଏବଂ ସନ୍ତୃପ୍ତ ମିଶ୍ରଙ୍କ ଅଭ୍ୟୁଦୟ—ଏହା କେବଳ ଏକ ସାଧାରଣ ପରିବର୍ତ୍ତନ ନୁହେଁ, ବରଂ ବିଜେଡି ଭିତରେ ଚାଲିଥିବା ଏକ ବଡ଼ ଧରଣର ‘ପାୱାର ଗେମ୍’ର ସଙ୍କେତ।
ପ୍ରଶ୍ନ ଉଠୁଛି — ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଯିଏ ଏ ରାଜ୍ୟର ଅଧିବାସୀ ନୁହେଁ, ଯାହାର ଓଡ଼ିଶାର ଜନ-ଜୀବନ ସହ ପ୍ରତ୍ୟକ୍ଷ ଯୋଗାଯୋଗ ନାହିଁ, ସେ କେତେ ଯୁକ୍ତିସଙ୍ଗତ ଭାବେ ଏ ଦଳ ଓ ଏ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରୁଛନ୍ତି?
ସସ୍ମିତ ପାତ୍ରଙ୍କ ଇସ୍ତଫା: ଏକ ସୁଚିନ୍ତିତ ଷଡ଼ଯନ୍ତ୍ର?
![]()
ସାମ୍ପ୍ରତିକ ଘଟଣାକ୍ରମରେ ସବୁଠାରୁ ଚକିତ କଲାଭଳି ଖବର ହେଲା ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା। ସସ୍ମିତଙ୍କୁ ଦଳର ଜଣେ ଉଚ୍ଚଶିକ୍ଷିତ, ସୌମ୍ୟ ଏବଂ ସଂସଦୀୟ କାର୍ଯ୍ୟରେ ଅତି ଦକ୍ଷ ନେତା ଭାବେ ଗଣାଯାଏ। ଜାତୀୟ ସ୍ତରରେ ବିଜେଡିର ପକ୍ଷ ରଖିବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତେବେ କୌଣସି ନିର୍ଦ୍ଦିଷ୍ଟ ତ୍ରୁଟି ନ ଥାଇ ତାଙ୍କୁ କାହିଁକି ହଟାଗଲା, ତାହା ରହସ୍ୟାବୃତ୍ତ।
ସୂଚନା ଅନୁସାରେ, ଏହି ପୂରା ଗୋଟିଚାଳନା ପଛରେ ପାଣ୍ଡିଆନଙ୍କ ଅତି ଘନିଷ୍ଠ ସହଯୋଗୀ ମାନସ ମଙ୍ଗରାଜ ରହିଛନ୍ତି। ଦଳର କିଛି ସାଂସଦଙ୍କୁ ଏକଜୁଟ କରି ନବୀନ ନିବାସକୁ ଚିଠି ପଠାଯାଇଥିଲା, ଯେଉଁଥିରେ ସସ୍ମିତଙ୍କୁ ହଟାଇବାକୁ ଦାବି ହୋଇଥିଲା। ଏହି ଚିଠିରେ ମାନସ ମଙ୍ଗରାଜଙ୍କ ସ୍ୱାକ୍ଷର ରହିବା ଏବଂ ସେ ପରେ ଏହାକୁ ଏଡ଼ାଇ ଯିବା, ଦଳ ଭିତରେ ଚାଲିଥିବା ‘ଭିତିରି ଖେଳ’କୁ ସ୍ପଷ୍ଟ କରୁଛି। ଏଠାରେ ପ୍ରଶ୍ନ ଉଠୁଛି, ଜଣେ ଦକ୍ଷ ନେତାଙ୍କୁ ଅପଦସ୍ତ କରି ପାଣ୍ଡିଆନ ଗୋଷ୍ଠୀ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
ପାଣ୍ଡିଆନଙ୍କ ନୂଆ କ୍ଷମତା କେନ୍ଦ୍ର: ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ନିୟନ୍ତ୍ରଣ
![]()
ଭିକେ ପାଣ୍ଡିଆନ ନିର୍ବାଚନ ପରେ କିଛି ଦିନ ନୀରବ ରହିବା ପରେ ଏବେ ‘ରିମୋଟ୍ କଣ୍ଟ୍ରୋଲ୍’ ମାଧ୍ୟମରେ ଦଳକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ୁଛି। ତାଙ୍କର ନୂଆ ରଣନୀତି ହେଉଛି—ଦିଲ୍ଲୀରେ ସନ୍ତୃପ୍ତ ମିଶ୍ର ଏବଂ ଓଡ଼ିଶାରେ ମାନସ ମଙ୍ଗରାଜ। ଉଭୟ ନେତା ରାଜନୈତିକ ପୃଷ୍ଠଭୂମିରୁ ଆସିନାହାନ୍ତି, ମାତ୍ର ପାଣ୍ଡିଆନଙ୍କ ଆଶୀର୍ବାଦରୁ ସେମାନେ ଏବେ ଦଳର ଶୀର୍ଷ ନିଷ୍ପତ୍ତି ଗ୍ରହଣକାରୀ ସାଜିଛନ୍ତି।
କୁହାଯାଉଛି ଯେ, ଗତକାଲି ପାଣ୍ଡିଆନଙ୍କ ଭୁବନେଶ୍ୱରରେ ଉପସ୍ଥିତ ଥିଲେ। ତେଣୁ ସଂତୃପ୍ତ ମିଶ୍ର ଶପଥ ଗ୍ରହଣ ପରେ ତୁରନ୍ତ ଭୁବନେଶ୍ୱର ଫେରି ଆସିଥିଲେ। ତା’ ପରେ ପରେ ସସ୍ମିତଙ୍କ ବିଦାୟ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି। ପାଣ୍ଡିଆନ ଏବେ ପୁରୁଖା ଏବଂ ଜନଭିତ୍ତି ଥିବା ନେତାମାନଙ୍କୁ ପ୍ରଭାବହୀନ କରିବାକୁ ଏକ ସୁଚିନ୍ତିତ ପ୍ରୟାସ ଚଳାଇଛନ୍ତି। କେବଳ ସସ୍ମିତ ନୁହଁନ୍ତି, ବରଂ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳରୁ ବହିଷ୍କାର କରିବା ମଧ୍ୟ ପାଣ୍ଡିଆନ କ୍ୟାମ୍ପର ଶକ୍ତି ପ୍ରଦର୍ଶନର ଏକ ଅଂଶ।
ନବୀନ ନିବାସରେ ପାଣ୍ଡିଆନଙ୍କ ସକ୍ରିୟତା: ପୁରୁଖା ନେତାଙ୍କ ପାଇଁ ଶକ୍ତ ଚାପୁଡ଼ା

ନିକଟରେ ପାଣ୍ଡିଆନ ନବୀନ ନିବାସରେ ଦଳର କିଛି ନେତାଙ୍କୁ ଭେଟି ସାଂଗଠନିକ ଆଲୋଚନା କରିଛନ୍ତି। ନିର୍ବାଚନ ପରେ ଯେଉଁ ନେତାମାନେ ପାଣ୍ଡିଆନଙ୍କୁ ବିପର୍ଯ୍ୟୟ ପାଇଁ ଦାୟୀ କରିଥିଲେ, ସେମାନଙ୍କ ପାଇଁ ଏବେ ପରିସ୍ଥିତି ଅଡ଼ୁଆ ହୋଇଛି। ପାଣ୍ଡିଆନ ପୁଣିଥରେ ସକ୍ରିୟ ହେବା ସନ୍ଦେଶ ଦେଇ ନିଜର ଦୁଇ ସହଯୋଗୀଙ୍କୁ ଓଡ଼ିଶା ଓ ଦିଲ୍ଲୀର ଦାୟିତ୍ୱ ଦେଇଛନ୍ତି। ଏହା ଦର୍ଶାଉଛି ଯେ, ବିଜେଡି ଏବେ ବି ସେହି ପୁରୁଣା ‘କୋଟେରୀ ଶାସନ’ରୁ ମୁକ୍ତି ପାଇନାହିଁ।
ବିଜେଡିର ଭବିଷ୍ୟତ କେଉଁଆଡ଼େ?

ସସ୍ମିତ ପାତ୍ରଙ୍କ ଭଳି ଜଣେ ଶିକ୍ଷିତ ଏବଂ ମେଧାବୀ ସାଂସଦଙ୍କୁ ଅପଦସ୍ତ କରି ହଟାଇବା ଏବଂ ପାଣ୍ଡିଆନଙ୍କ ଅନୁଗତଙ୍କୁ କ୍ଷମତା ଅର୍ପଣ କରିବା ବିଜେଡିର ଅନ୍ତଃକନ୍ଦଳକୁ ଆହୁରି ତୀବ୍ର କରିବ। ଦଳ ଯଦି ନିଜର ଭୁଲ୍ ନ ସୁଧାରି ବ୍ୟକ୍ତିଗତ ସ୍ୱାର୍ଥ ଏବଂ ଅନୁଗତ ରାଜନୀତିକୁ ଗୁରୁତ୍ୱ ଦିଏ, ତେବେ ଜନସାଧାରଣଙ୍କଠାରୁ ଏହା ଆହୁରି ଦୂରେଇ ଯିବ। ରାଜ୍ୟସଭାରେ ସନ୍ତୃପ୍ତଙ୍କ ଏଣ୍ଟ୍ରି ଓ ସସ୍ମିତଙ୍କ ଏକଜିଟ୍ ଆଗାମୀ ଦିନରେ ବିଜେଡିରେ କେଉଁ ନୂଆ ଝଡ଼ ସୃଷ୍ଟି କରିବ, ତାହା ଦେଖିବାକୁ ବାକି ରହିଲା।
ଗଣତନ୍ତ୍ରରେ ଜନସାଧାରଣଙ୍କ ସ୍ୱର ହିଁ ଶେଷ ନିଷ୍ପତ୍ତି, କିନ୍ତୁ ବିଜେଡି ଏବେ ବି ନିଜର ଆଭ୍ୟନ୍ତରୀଣ ‘ରିମୋଟ୍ କଣ୍ଟ୍ରୋଲ୍’ ରାଜନୀତିରୁ ବାହାରି ପାରୁନାହିଁ। ଏହି ପ୍ରକ୍ରିୟା ଦଳକୁ ଶକ୍ତିଶାଳୀ କରିବ ନା ସମ୍ପୂର୍ଣ୍ଣରୂପେ ଦୁର୍ବଳ କରିଦେବ, ତାହା ଓଡ଼ିଶାବାସୀ ବିଚାର କରିବେ।
“ସସ୍ମିତ ପାତ୍ରଙ୍କ ଭଳି ଉଚ୍ଚଶିକ୍ଷିତ ସାଂସଦଙ୍କୁ ଅପଦସ୍ତ କରିବା ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳକୁ ନିୟନ୍ତ୍ରଣ କରିବା କ’ଣ ବିଜେଡି ପାଇଁ ମଙ୍ଗଳମୟ ହେବ ତ ? ରାଜ୍ୟସଭାରେ ସନ୍ତୃପ୍ତଙ୍କ ଏଣ୍ଟ୍ରି ଓ ସସ୍ମିତଙ୍କ ଏକଜିଟ୍ ଆଗାମୀ ଦିନରେ ବିଜେଡିରେ କେଉଁ ନୂଆ ଝଡ଼ ସୃଷ୍ଟି କରିବ, ତାହା ଦେଖିବାକୁ ବାକି ରହିଲା।
also read : https://purvapaksa.com/indian-railways-is-improving-deployment-of-armour-in-various-zones/


