IAS Sujata Raut: ଏବେ ସୁଜାତା ଚାକିରି ଛାଡ଼ିବା ନେଇ ପ୍ରଶ୍ନ ଉଠୁଛି ବିଜେଡିର ଏବେ କ’ଣ ହେବ? ଦଳର ସାଢ଼େ ଛଅଶହ କୋଟି ଟଙ୍କାର ପାଣ୍ଠି ଓ ସଂଗଠନ କିପରି ପରିଚାଳନା ହେବ? ଏନେଇ ଭାଗବଣ୍ଟା ଛିଣ୍ଡିଛି ତ? ନା ପାଣ୍ଡିଆନ ବିଦେଶରୁ ନିୟନ୍ତ୍ରଣ କରିବେ ବିଜେଡି ବ୍ୟାପାର?
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଚାକିରିରୁ ବାହାରିଛନ୍ତି। ସ୍ୱେଚ୍ଛାକୃତଭାବେ ସେ ଚାକିରି ଛାଡ଼ିଛନ୍ତି ଓ ତାଙ୍କ ଆବେଦନ ଗ୍ରହଣ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଆଜି ଖବର ହୋଇଛି।
ଏହା ପୂର୍ବରୁ ପାଣ୍ଡିଆନ୍ ଓଡ଼ିଶା ଛାଡ଼ି ବିଦେଶ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଶ୍ରୀମତୀ ପାଣ୍ଡିଆନ୍ଙ୍କ ଚାକିରି ଛାଡ଼ିବା ଏହି ଚର୍ଚ୍ଚାକୁ ଖୋରାକି ଦେଇଛି। ପ୍ରଶ୍ନ ଉଠୁଛି ବିଜେଡିର ଏବେ କ’ଣ ହେବ? ଦଳର ସାଢ଼େ ଛଅଶହ କୋଟି ଟଙ୍କାର ପାଣ୍ଠି ଓ ସଂଗଠନ କିପରି ପରିଚାଳନା ହେବ? ଏନେଇ ଭାଗବଣ୍ଟା ଛିଣ୍ଡିଛି ତ? ନା ପାଣ୍ଡିଆନ ବିଦେଶରୁ ନିୟନ୍ତ୍ରଣ କରିବେ ବିଜେଡି ବ୍ୟାପାର? ଏ ବିଷୟକୁ ନେଇ ଆଜିର ଆଲୋଚନା।
ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ। ବିଜେଡି ସରକାର ସମୟରେ ଏହି ଦୁଇ ଆଇଏଏସ ଦମ୍ପତ୍ତି ରାଜ୍ୟର ବିଶିଷ୍ଟ ପଦାଧିକାରୀଭାବେ ପରିଚୟ ହାସଲ କରିଥିଲେ। ଏପରି ପାଣ୍ଡିଆନଙ୍କୁ ଛାଡ଼ି କାର୍ତ୍ତିକେୟ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥାଇ ରାଜ୍ୟର ସମସ୍ତ ବିଭାଗକୁ ପଙ୍ଗୁ କରିଥିଲେ। ୨୦୨୪ ନିର୍ବାଚନର ମୁଖ୍ୟ ବିନ୍ଧାଣୀ ଥିଲେ। ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଥିବା ସୁଜାତା ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ ବୋଲି ଚର୍ଚ୍ଚା ହୁଏ। ଏପରିକି ଚର୍ଚ୍ଚା ହୁଏ ସୁଜାତାଙ୍କୁ ଦେଖିଲେ ବରିଷ୍ଠ ଅଧିକାରୀମାନେ ଭୟରେ ପ୍ରଥମେ ନମସ୍କାର କରିପକାଉଥିଲେ।
ଏହି ସମୟରେ ମିଶନ ଶକ୍ତି ଅର୍ଥାତ୍ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ମହିଳାଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏଣୁ ତାଙ୍କୁ ମିଶନ ଶକ୍ତି ଓ ମହିଳା ଶିଶୁ କଲ୍ୟାଣ ବିଭାଗରୁ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ବିଜେଡି ସହ ତାଙ୍କ ସମ୍ପର୍କ ରହିଛି ଏବଂ ପ୍ରଶାସନିକ ଦାୟିତ୍ୱରେ ଥାଇ ବିଜେଡିକୁ ନିର୍ବାଚନରେ ସହାୟତା କରୁଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏଣୁ ତାଙ୍କୁ ନିର୍ବାଚନ କମିଶନ ବଦଳି କରି ଅର୍ଥ ବିଭାଗରେ ବସାଇଥିଲେ।
କିନ୍ତୁ ନିର୍ବାଚନ ପରେ ନୂତନ ସରକାର ଗଠନ ହେଉଥିବା ଯେତେବେଳେ ଜାଣିଲେ ସେତେବେଳେ ସୁଜାତା ଛୁଟି ଆବେଦନ କଲେ। ନିଜ ପରିବାର ପାଇଁ ସମୟ ଦେବା ଲାଗି ତାଙ୍କର ଏହି ଛୁଟି ଆବେଦନ ଥିଲା। ଝିଅର ପାଠପଢ଼ା ଯତ୍ନ ନେବେ ବୋଲି ସେ ଉଲ୍ଲେଖ କରିଥିଲେ। ତତ୍କାଳୀନ ବିଜେଡି ସରକାରଙ୍କ ପ୍ରଶାସନ ତାଙ୍କୁ ଜୁନ୍ ୮ ତାରିଖରେ ଛୁଟି ଦେଇଥିଲେ। ହେଲେ ଛୁଟି ସରିବା ପୂର୍ବରୁ ପୁଣିଥରେ ଛୁଟିକୁ ଆଉ କିଛିମାସ ବଢ଼ାଇବାକୁ ବି ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। କିନ୍ତୁ ନୂଆକରି କ୍ଷମତାକୁ ଆସିଥିବା ବିଜେପି ସରକାର ତାଙ୍କୁ ଛୁଟି ଦେଇନଥିଲେ। ଫଳରେ ୨୮ ନଭେମ୍ବରରେ ସୁଜାତା ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବଭାବେ ଦାୟିତ୍ୱକୁ ଫେରିଥିଲେ। ଏହି ବିଭାଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି।
ଆଇଏଏସ ଚାକିରିରେ ଥାଇ ରାଜନୀତିକ ପ୍ରଭାବ ବିସ୍ତାର କରୁଥିବା ନେଇ ଏହି ଦୁଇ ଆଇଏଏସ ଅଧିକାରୀଙ୍କ ବିରୁଦ୍ଧରେ ପୂର୍ବରୁ ଅନେକ ଅଭିଯୋଗ ହୋଇ ଆସିଛି। ନବୀନ ନିବାସରେ ନିଜ ସ୍ଥାନକୁ ନିରାପଦ କରି ଆଉ କୌଣସି ବରିଷ୍ଠ ନେତାଙ୍କୁ ନବୀନଙ୍କ ପାଖ ଆଖକୁ ଆସିବାକୁ ଦେଉନଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଏକ ଅଫିସର ବଳୟ ସୃଷ୍ଟି କରି ସାରାରାଜ୍ୟର ଶାସନକୁ ସେ ଏଠାରୁ ନିୟନ୍ତ୍ରଣ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।
ବିଜେପି ଏଥିରେ ଅତିଷ୍ଠ ହୋଇ ଶ୍ରୀ ପାଣ୍ଡିଆନଙ୍କୁ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଥିଲା। କୁହାଯାଏ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ୨୦୨୩ ଦଶହରା ଦିନ ପାଣ୍ଡିଆନ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ।
ପ୍ରାର୍ଥୀ ହୋଇନଥିଲେ ମଧ୍ୟ ୨୦୨୪ ନିର୍ବାଚନକୁ ସେ ସମ୍ପୂର୍ଣ୍ଣଭାବେ ପରିଚାଳନା କରିଥିଲେ। କିନ୍ତୁ ଜଣେ ଅଣ ଓଡ଼ିଆ ଅଧିକାରୀ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କବଜା କରି ନେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥିଲା।
ଫଳରେ ନବୀନଙ୍କୁ ଭଲ ପାଉଥିବା ଭୋଟର ବିଜେପିକୁ ବାଛି କ୍ଷମତାରେ ବସାଇଥିଲେ। ଏହାପରେ ନିଜ ଦୋଷ ସ୍ୱୀକାର କରିନଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନ ଲୋକଙ୍କ ଆଗରେ କ୍ଷମା ପ୍ରାର୍ଥନା କରି ପ୍ରତ୍ୟକ୍ଷ ରାଜନୀତିରୁ ଅପସାରିତ ହେବେ ବୋଲି କହିଥିଲେ।
ହେଲେ ନବୀନଙ୍କ ସହ ବେଶ୍ ଭଲ ସମ୍ପର୍କ ରକ୍ଷା କରୁଥିବା ପାଣ୍ଡିଆନ କିନ୍ତୁ ନବୀନ ନିବାସରେ ପରୋକ୍ଷଭାବେ ରାଜନୀତିକ ପ୍ରଭାବ ବିସ୍ତାର କରୁଥିବା ନେଇ ବିଜେଡିର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି। ଫଳରେ ଦଳ ଏବେ ସଂଗଠିତ ହେବା ବଦଳରେ ବିଭାଜିତ ହେବାରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି।
ଏହି ସାଂଗଠନିକ ଦୁର୍ବଳତାକୁ କିନ୍ତୁ ଦଳୀୟ ସୁପ୍ରିମୋ ଅଣଦେଖା କରିଥିଲେ। ଅର୍ଥାତ୍ ପାଣ୍ଡିଆନଙ୍କୁ ପୂର୍ବପରି ନିଜର ପ୍ରିୟଜନଭାବେ ଗ୍ରହଣ କରି ଦଳୀୟ କର୍ମୀଙ୍କୁ ଅସନ୍ତୁଷ୍ଟ କରିଥିଲେ। ଯେଉଁ ପାଣ୍ଡିଆନଙ୍କ ଯୋଗୁ ଦଳ ବିପର୍ଯ୍ୟୟରେ ପଡ଼ିଲା ତାଙ୍କୁ ପ୍ରାଧାନ୍ୟ ଦେବାକୁ ନେଇ ଦଳୀୟ କର୍ମୀମାନେ କ୍ଷୁବ୍ଧ ହୋଇଥିଲେ, ଯାହା ଏବେବି ଜାରି ରହିଛି।
ଏବେ କିଛିଦିନ ହେଲା ଉଭୟ କାର୍ତ୍ତିକେୟ ଓ ନବୀନ ଓଡ଼ିଶାରେ ନାହାନ୍ତି। ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଚାଲୁଥିବାବେଳେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ବି ସମାଲୋଚନା କରିଛନ୍ତି। ଅପର ପକ୍ଷେ ରାଜ୍ୟର ପ୍ରକୃତ ବିରୋଧୀ ଦଳ ବିଜେଡି ନୁହେଁ ବୋଲି କଂଗ୍ରେସ କହିବା ସହ ତାହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛି। ବିଗତ ଦିନଗୁଡ଼ିକରେ ହେଉଥିବା ଆନ୍ଦୋଳନ ଏହାକୁ ସ୍ପଷ୍ଟ କରୁଛି। ଏପରି ମୁହୂର୍ତ୍ତରେ ନବୀନ କିନ୍ତୁ ପାଣ୍ଡିଆନଙ୍କ ସହ କୋଏମ୍ବାଟୁର ଯାଇଥିବା ଚର୍ଚ୍ଚା ହେଉଛି।
ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ି ବିଦେଶ ଯିବେ ବୋଲି ମଧ୍ୟ ବିଜେଡି କର୍ମୀମାନେ କୁହାକୁହି ହେଉଛନ୍ତି। ଏହି ସମୟରେ ଏବେ ଶ୍ରୀମତୀ ପାଣ୍ଡିଆନଙ୍କ ଚାକିରିରୁ ଇସ୍ତଫା କିଛି ବଡ଼ ଧରଣର ପରିବର୍ତ୍ତନକୁ ସୂଚନା ଦେଉଛି।
କୁହାଯାଉଛି, ଯେହେତୁ ବିଜେଡିର ସମସ୍ତ ଅର୍ଥନୀତିକ ଓ ରାଜନୀତିକ କାର୍ଯ୍ୟକୁ ପାଣ୍ଡିଆନ ହିଁ ପରିଚାଳନା କରୁଥିଲେ, ଏବେ ବିଜେଡିର ପାଣ୍ଠି କିଏ ଆୟତ୍ତ କରିବ। ଘୋଷିତ ଆକାଉଣ୍ଟ ଅନୁସାରେ ବିଜେଡି ପାଖରେ ୬୫୦ କୋଟିରୁ ଅଧିକ ନଗଦ ଅର୍ଥ ରହିଛି। ଏବେ ପାଣ୍ଡିଆନ ତାହାକୁ ବିଦେଶରୁ ନିୟନ୍ତ୍ରଣ କରିବେ ନା ଏଥିଲାଗି ନୂଆ ଲୋକ ନିଯୁକ୍ତ ହେବେ? କିଏ ନେବ ପାଣ୍ଡିଆନଙ୍କ ସ୍ଥାନ? ପୁଣି କିଏ ଅଘୋଷିତ ପାଣ୍ଠିକୁ ନିୟନ୍ତ୍ରଣ କରିବ?
ଅବଶ୍ୟ ଏହା ସ୍ପଷ୍ଟ ଯେ, ପାଣ୍ଡିଆନ କିଛି ସରକାରୀ ଅଧିକାରୀ ଓ କିଛି ଯୁବ ନେତାଙ୍କୁ ନେଇ ନିଜର ଏକ ସ୍ଥାୟୀ ବଳୟ ଗଢ଼ିଥିଲେ। ସେମାନେ ପାଣ୍ଡିଆନଙ୍କ ନିକଟତର ହୋଇ ଏବେ ଅନେକ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସେମାନେ ଏବେ ପାଣ୍ଡିଆନଙ୍କ କା’ ହୋଇ ରାଜ୍ୟରେ ରହିବେ କି?
ଏହି ବଳୟରେ ଆସୁଥିବା ନେତାଙ୍କ ଭିତରେ ଟମତାକୁ ନେଇ ପ୍ରଣବ ପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ଭିତରେ ଛକାପଞ୍ଝା ହେବ ନାହିଁତ? ଏମାନଙ୍କ ଭିତରେ କ୍ଷମତା ଭାଗବଣ୍ଟା ତୁଟିଛି ତ? ନ ହେଲେ ୨୦୨୯ ବେଳକୁ ଓଡ଼ିଶା ଫେରିଲେ ଆଉ ପାଣ୍ଡିଆନଙ୍କ ପାଇଁ ରାଜନୀତିରେ ଜାଗାଟିଏ ବି ନ ଥିବ ! ନୁହେଁକି?
Also readhttps://purvapaksa.com/who-is-the-boss-modi-or-rss/
