VK Pandian : ଶ୍ରୀ ପାଣ୍ଡିଆନ ଲେଖିଛନ୍ତି, ‘ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା। ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ।’
ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ ଭୁଲ୍ କ’ଣ ତାହାକୁ ସ୍ପଷ୍ଟ କରି ନାହାନ୍ତି କିନ୍ତୁ କହିଛନ୍ତି, ‘ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା।’ ପାଣ୍ଡିଆନ୍ଙ୍କ ଏହି ଉକ୍ତିଟିରେ କ୍ଷମା ଶବ୍ଦ ଥିଲେ ମଧ୍ୟ ତାଙ୍କ ଆନ୍ତରିକତା ରହିଥିଲାପରି ମନେ ହେଉ ନାହିଁ।
ସୋସିଆଲ୍ ମିଡିଆରେ କାର୍ତ୍ତିକ ପାଣ୍ଡିଆନ୍ ନାଁରେ ତାଙ୍କ ଫଟୋ ଥାଇ ଏକ ଆଇଡି ପରିଚାଳିତ ହେଉଛି। ଏହା ବାସ୍ତବରେ ଏକ ଭେରିଫାଏଡ୍ ଆଇଡି ନୁହେଁ କି ଅନ୍ୟକେହି ଏହାକୁ ପରିଚାଳନା କରୁଛନ୍ତି ବୋଲି ଉଲ୍ଲେଖ ନାହିଁ। କିନ୍ତୁ ଏହି ଆଇଡିରେ ବିଜେଡିର ସମସ୍ତ ଖବର ତଥା ପରବର୍ତ୍ତୀ ରଣନୀତି ବାବଦରେ ସୂଚନା ରହିଛି। କାର୍ତ୍ତିକେୟ ପାଣ୍ଡିଆନ୍ଙ୍କ ଫଟୋଟିଏ ମଧ୍ୟ ରହିଛି। ଯେହେତୁ ସେ ନିର୍ବାଚନ ସମୟରେ ନିଜ ନାଁକୁ କାର୍ତ୍ତିକରେ ସୀମିତ ରଖିବାକୁ ପସନ୍ଦ କରୁଥିଲେ, ଏହି ଆଇଡି ତାଙ୍କରି ବୋଲି ଗଣମାଧ୍ୟମରେ କୁହାଯାଉଛି।

ଏହି ଆଇଡିରେ ଶ୍ରୀ ପାଣ୍ଡିଆନ ଲେଖିଛନ୍ତି, ‘ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା। ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ।’

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଛାଡ଼ିଲେନି। ନବୀନଙ୍କୁ ନିଜର ଗୁରୁ ତଥା ଆଦର୍ଶ କହୁଥିବା ପାଣ୍ଡିଆନ ଶେଷରେ ତାଙ୍କୁ ବି କଟାକ୍ଷ କରିବାକୁ ପଛାଇନାହାନ୍ତି । ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିବାର ମହତ୍ୱାକାଂକ୍ଷା ଓ ବିଜେପିର ଆକ୍ରୋଶରୁ ବର୍ତ୍ତିବା ପାଇଁ ବୋଧହୁଏ ପାଣ୍ଡିଆନ ନିଜର ଶେଷ ଚାଲ୍ ଭାବେ ନିଜ ଗୁରୁ ‘ନବୀନଙ୍କ ଭାବମୂର୍ତ୍ତିକୁ ବାଜି ଲଗାଇଥିବା’ ଚର୍ଚ୍ଚା ହେଉଛି। ବିଜେଡି ସରକାରର ପତନକୁ ନିଜର ଭୁଲ୍ ବୋଲି ପରୋକ୍ଷରେ ସ୍ୱୀକାର କରି କ୍ଷମା ମାଗିବା ସହ ଓଡ଼ିଶାରେ ଓଡ଼ିଆ କହିବା ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ବୋଲି ପାଣ୍ଡିଆନ ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସୋସିଆଲ ମିଡିଆ ‘ଏକ୍ସ’ର ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟରୁ ଆଜି ଦିନ ୧୨ଟା ୧୫ମିନିଟରେ ଓଡ଼ିଆ ଭାଷାରେ ଏଭଳି ପୋଷ୍ଟ ହୋଇଛି, ଯାହା ପାଣ୍ଡିଆନଙ୍କ ଅନୁଶୋଚନା ଓ ଭବିଷ୍ୟତ ମହତ୍ୱାକାଂକ୍ଷାର ପ୍ରମାଣ ଦେଇଛି । ନିଜର ‘ଏକ୍ସ’ ଆକାଉଣ୍ଟରେ ପାଣ୍ଡିଆନ ଦର୍ଶାଇଛନ୍ତି ଯେ “ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ।” ପାଣ୍ଡିଆନଙ୍କ ଏହି ପୋଷ୍ଟ ଉପରେ ବିଭିନ୍ନ ଲୋକେ ନିଜ ନିଜର ମତାମତ ଦେବାରେ ଲାଗିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି? ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଜାଣିବା ପାଇଁ ସମୀକ୍ଷା ବୈଠକ କରୁନଥିବା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗଙ୍କ ଉପରେ ଦୋଷଲଦି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିବାରେ ଲାଗିଛି । ଆଉ ଠିକ୍ ଏହି ସମୟରେ ପାଣ୍ଡିଆନ ନିଜର ‘ଏକ୍ସ’ରେ ଏଭଳି ପୋଷ୍ଟ କରିବା ବିଜେଡି ନେତାମାନଙ୍କ(ପାଣ୍ଡିଆନଙ୍କୁ ବିଜେଡି ବିପର୍ଯ୍ୟୟର କାରଣ ବୋଲି ଭାବୁଥିବା) ‘କଟା ଘା’ରେ ଚୂନ ଦେବା’ ସଦୃଶ ହୋଇଛି। ଶ୍ରୀ ପାଣ୍ଡିଆନ୍ଙ୍କ ଏହି ଉକ୍ତିରୁ ସ୍ପଷ୍ଟ ଯେ ସେ ଭୁଲ୍ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କ ଅନୁସାରେ ସମସ୍ତଙ୍କର ଭୁଲ ହୁଏ ଏଣୁ ତାଙ୍କର ବି ଭୁଲ୍ ହୋଇଛି । ଅର୍ଥାତ୍ ଏଇଟି କୌଣସି ବଡ଼ କଥା ନୁହେଁ। ପୁଣି ସେ କହୁଛନ୍ତି ତାଙ୍କର କାର୍ଯ୍ୟରେ ଯଦି କିଛି କାହାର ଅସୁବିଧା ହୋଇଥାଏ ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ଯଦି ସେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲେ, ତେବେ ସେଥିଜନିତ ହେଉଥିବା ଅସୁବିଧା କାହିଁକି ତାଙ୍କର ଭୁଲ୍ ଯୋଗୁ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ।
ଏହା ପୂର୍ବରୁ ସେ ଅନ୍ୟ ଏକ ଟ୍ୱିଟ୍ କରି କହିଛନ୍ତି ‘ସମଗ୍ର ଜୀବନ ଓଡ଼ିଶାବାସୀଙ୍କ ସେବାରେ ଉତ୍ସର୍ଗ କରିବା ପାଇଁ ଆଗେଇ ଆସିବା ଏବଂ ସଦା ସର୍ବଦା ତାଙ୍କ ପାଇଁ ଏକ ନୂଆ ସମୃଦ୍ଧ ଓଡ଼ିଶା ସ୍ୱପ୍ନ ଦେଖିବା।’ ଏ ଟ୍ୱିଟ୍ କାହିଁକି ଓ କେଉଁ ଅର୍ଥରେ ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ। ଯେଉଁ ଶବ୍ଦ ସେ ସଂଯୋଜନା କରିଛନ୍ତି ସେଥିରେ ଅନେକ କଥା ଉହ୍ୟ ରହିଛି। ପ୍ରଶ୍ନ ଉଠୁଛି ଏବେ କ୍ଷମା ମାଗିବା ପାଇଁ କାହିଁକି ପାଣ୍ଡିଆନ୍ ଚାହିଁଲେ? ଗୋଟିଏ ପଟେ ନବୀନଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ରମନ୍ତ୍ରୀ ସ୍ତରୀୟ ବିଜେପି ନେତା ଦାବି କରୁଥିବାବେଳେ ପାଣ୍ଡିଆନ୍ଙ୍କ ଏହି ମନ୍ତବ୍ୟ କି ବାର୍ତ୍ତା ଦେଉଛି? ପାଣ୍ଡିଆନ୍ ଆଗକୁ କିଛି କାର୍ଯ୍ୟାନୁଷ୍ଠାନ ଭୟ କରୁଛନ୍ତି କି?

ଏବେ ଓଡ଼ିଶାରେ ଚାଲିଥିବା ବିଜେପି ସରକାର ମଧ୍ୟ ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବେ ଫଁ ଫଁ ହେଉଥିଲା ଏବେ ତାହା ଆଉ ନାହିଁ। ଏପରିକି ପାଣ୍ଡିଆନ୍ଙ୍କ ସମସ୍ତ ବିଶ୍ୱସ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ଥଇଥାନ କରାଯାଇଛି। ନବୀନ ନିବାସର ରାସ୍ତା ସେହିପରି ଜବରଦଖଲ ହୋଇ ରହିଛି। ଆଜି ବି ନବୀନଙ୍କ ବିରୋଧରେ ବା ପାଣ୍ଡିଆନ୍ଙ୍କ ବାବଦରେ ପଦଟିଏ କହିବାକୁ ବିଜେପି ନେତାଏଁ ଚାହୁଁ ନାହାନ୍ତି।
ତଥାପି ପାଣ୍ଡିଆନ୍ ପର୍ଦ୍ଦା ବାହାରକୁ ଆସୁ ନାହାନ୍ତି। ପାଣ୍ଡିଆନ୍ଙ୍କ ନାଁରେ ରାଜନୀତିକ ସନ୍ନ୍ୟାସ ପଦଟି ବ୍ୟବହାର କରାଯାଉଛି। ଏକଦା ସେ ନବୀନ କ୍ଷମତାକୁ ନ ଆସିଲେ ରାଜନୀତିରୁ ଓହରିଯିବେ ବୋଲି କହିଥିଲେ। ବୋଧହୁଏ ଏହି ଟ୍ୱିଟର ବାର୍ତ୍ତାରେ ସେ ସେଥିନେଇ କ୍ଷମା ମାଗୁଥାଇପାରନ୍ତି। ଅର୍ଥାତ୍ ସେ ପୁଣିଥରେ ପର୍ଦ୍ଦା ଉପରକୁ ଆସି ବିଜେଡିର ମଙ୍ଗ ସମ୍ଭାଳିବାକୁ ଇଙ୍ଗିତ କରୁଥାଇପାରନ୍ତି।
ଏବେ ପ୍ରଶ୍ନ ଉଠିପାରେ, ‘ଏକ୍ସ’ ହ୍ୟାଣ୍ଡଲରେ ‘କାର୍ତ୍ତିକ ପାଣ୍ଡିଆନ’ ଆକାଉଣ୍ଟ ଫେକ୍ ନୁହେଁ ତ? କିନ୍ତୁ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ୨୦୨୩ ନଭେମ୍ବର ମାସରେ ପାଣ୍ଡିଆନ ବିଜେଡିର ସଦସ୍ୟତା ଗ୍ରହଣ କରିବା ପରେ ହିଁ ଏହି ଆକାଉଣ୍ଟ ଖୋଲାଯାଇଛି । ଯେଉଁଥିରେ ୨୨୩୦୦ ଫଲୋଅର ଅଛନ୍ତି । ଆଉ ଏହି ଆକାଉଣ୍ଟରେ ନିୟମିତଭାବେ ବିଭିନ୍ନ ପ୍ରସଙ୍ଗରେ ପାଣ୍ଡିଆନଙ୍କୁ ସୁହାଇବା ପାଇଁ ପୋଷ୍ଟ୍ କରାଯାଉଛି । ଯାହାକି ପାଣ୍ଡିଆନଙ୍କ ଜଣେ ଘନିଷ୍ଠ ସହଯୋଗୀ ପରିଚାଳନା କରୁଛନ୍ତି ଓ ଏହି ଆକାଉଣ୍ଟର ଫଲୋଅର ତାଲିକାରେ ତାଙ୍କର ପୂର୍ବତନ ସହଯୋଗୀ ଆଇଏଏସ୍ ରୂପାରୋଶନ ସାହୁ ଓ ଖଣି ବ୍ୟବସାୟୀ ପ୍ରଭାକରନ୍ ମଧ୍ୟ ରହିଛନ୍ତି । ତା’ଛଡ଼ା ପାଣ୍ଡିଆନ କେବେ ବି ଏହି ଆକାଉଣ୍ଟକୁ ନିଜର ନୁହେଁ ବୋଲି ପ୍ରତ୍ୟାଖ୍ୟାନ କରିନାହାନ୍ତି । ଭିକେ ପାଣ୍ଡିଆନ ନିଜର ନାମ ସମ୍ଭବତଃ ପରିବର୍ତ୍ତନ କରିସାରିଛନ୍ତି । କାରଣ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ନିର୍ବାଚନୀ ଖର୍ଚ୍ଚର ହିସାବରେ ଷ୍ଟାର ପ୍ରଚାରକଭାବେ ପାଣ୍ଡିଆନଙ୍କ ନାଁ ‘କାର୍ତ୍ତିକ ପାଣ୍ଡିଆନ’ ହିଁ ଦର୍ଶାଯାଇଥିବା ଜଣାପଡ଼ିଛି।
Also readhttps://purvapaksa.com/atals-dream-modis-reality/


