ଭୈରବ କାର୍ତ୍ତିକେୟନ ପାଣ୍ଡିଆନ- ଏହି ନାମ ଓଡ଼ିଶାର ରାଜନୀତିକ ଆଲୋଚନାରେ ଏମିତି ଏକ ପରିଚିତ ଶବ୍ଦ, ଯେଉଁଥିରେ ନବୀନ ପଟ୍ଟନାୟକଙ୍କ “ସହାୟକ ଓ ଛାଇ” ଦୁଇଟି ଭୂମିକା ମିଶିଥାଏ। ଗତ ଦୁଇ ଦଶନ୍ଧି ଧରି ନବୀନଙ୍କ ସବୁଠୁ ବିଶ୍ୱସ୍ତ ଅଧିକାରୀ ଭାବେ ଓଡ଼ିଶାର ପ୍ରଶାସନ ଓ ରାଜନୀତି ଉପରେ ଯିଏ ସ୍ୱତନ୍ତ୍ର ଛାପ ରଖିଥିଲେ, ସେହି ପାଣ୍ଡିଆନ ନିର୍ବାଚନ ପରେ ୨୦୨୪ ଜୁନ୍ ୯ ତାରିଖରେ ନିଜକୁ ସନ୍ୟାସୀ ରୂପେ ଘୋଷଣା କଲେ- କିନ୍ତୁ ପ୍ରକୃତରେ ସେ ବିଜେଡି ରାଜନୀତିରୁ ସନ୍ୟାସ ନେଇନାହାନ୍ତି। ବରଂ ସେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପରଦା ପଛରେ ରହି ଚଳାଉଛନ୍ତି ବୋଲି ଅତିୀତରେ ଅନେକ ନେତ ଅଭିଯୋଗ କରିଛନ୍ତି। ତାଙ୍କର ରାଜନୈତିକ ଚାଲ ଏବେ ଚତୁର ପଦକ୍ଷେପରେ ପରିଣତ ହୋଇଛି।

ସନ୍ୟାସ ନା କି ଗୁପ୍ତ ଚାଲ?
୨୦୨୪ ଜୁନ ୯ — ଯେତେବେଳେ ନିର୍ବାଚନରେ ବିଜୁ ଜନତା ଦଳ ଆଶାନୁରୂପ ସଫଳତା ପାଇଲା ନାହିଁ, ପାଣ୍ଡିଆନ ସାଧାରଣ ମଣିଷ ଭଳି “ମୁଁ ରାଜନୀତି ଛାଡ଼ୁଛି” ବୋଲି ଘୋଷଣା କରିଥିଲେ। ସେତେବେଳେ ଅନେକେ ଭାବିଥିଲେ ଯେ ଏହା ହୋଇପାରେ ଏକ ନିଜର ପରାଜୟ ଓ ତତ୍ଜନିତ ସମାଲୋଚନାରୁ ରକ୍ଷା ପାଇବା ପାଇଁ ପାଣ୍ଡିଆନ ଏଭଳି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏବେ ଜଣାପଡ଼ୁଛି- ସେହି ଘୋଷଣା ଥିଲା ଏକ ନିଖୁଣ ରାଜନୈତିକ ଅଭିନୟ, ଯାହାଦ୍ୱାରା ପାଣ୍ଡିଆନ ନିଜର ରଣନୀତିକୁ ଆହୁରି ଗଭୀର କରି ପାରିଛନ୍ତି।
ଆମେରିକାରେ ନୁହେଁ, ଭୁବନେଶ୍ୱରରେ
ସନ୍ୟାସ ପରେ ସେ ଆମେରିକାରେ ଅଛନ୍ତି ବୋଲି ତାଙ୍କ ଅନୁଗତମାନେ ପ୍ରଚାର କରିଥିଲେଲେ। କିନ୍ତୁ ବିଜେଡି ମହଲର ଅନେକ ନେତା କହୁଛନ୍ତି- ପାଣ୍ଡିଆନ ଭୁବନେଶ୍ୱର କିମ୍ବା ଦେଶ ଛାଡ଼ିନାହାନ୍ତି, ସେ ଭୁବନେଶ୍ୱରରେ ରହି ଦଳ ଭିତରୁ ଗୋପନୀୟ ନିୟନ୍ତ୍ରଣ ଚାଲାଉଛନ୍ତି।
କେବଳ ଏତିକି ନୁହେଁ; ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଚୟନଠାରୁ ନବୀନଙ୍କ ପ୍ରଚାର ଯାତ୍ରା ପର୍ଯ୍ୟନ୍ତ ପାଣ୍ଡିଆନଙ୍କ “ପରୋକ୍ଷ ନିର୍ଦ୍ଦେଶ” ଚାଲିଥିବା ଆଭାସ ମିଳିଛି। ଏପରିକି ସେ ରାୟପୁର ଦେଇ ନୂଆପଡ଼ା ନିକଟବର୍ତ୍ତୀ ଅଞ୍ଚଳରେ ଗୟୋପନରେ ରହି ଦଳ ତଥା ନବୀନଙ୍କ ପ୍ରଚାରର ଟିକିନିଖି ସବୁ ଖବର ବୁଝୁଥିଲେ ବୋଲି ଦଳୀୟ ନେତାମାନେ କହୁଛନ୍ତି।
ନୂଆପଡ଼ାରେ ପାଣ୍ଡିଆନଙ୍କ ଛାୟା
ନୂଆପଡ଼ା ଉପନିର୍ବାଚନ- ଏକ ଛୋଟ ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱିତା ହେଲେ ମଧ୍ୟ ସେଠାରେ ବିଜେଡି ପାଇଁ “ପ୍ରତିଷ୍ଠାର ପ୍ରଶ୍ନ” ଥିଲା।
ଦଳୀୟ ସ୍ତରରେ ଯେତେବେଳେ ଚର୍ଚ୍ଚା ହେଉଥିଲା କିଏ ପ୍ରାର୍ଥୀ ହେବେ, ସେତେବେଳେ ନିଜେ ପାଣ୍ଡିଆନଙ୍କ ଏକାନ୍ତ ବିଶ୍ୱସ୍ତ ସହାୟକମାନେ ଅନେକ ଜିଲ୍ଲା ନେତାଙ୍କ ସହିତ ମିଟିଂ କରିଥିଲେ।
ପ୍ରଚାର ସୂଚନା, ନବୀନଙ୍କ ଭ୍ରମଣ ପଥ, ସଭାସ୍ଥଳ ବିନ୍ୟାସ — ସବୁ କିଛି ହେଉଥିଲା ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ।
ଖାଉନ୍ଦଙ୍କୁ ରିପୋର୍ଟ ଓ ଦଳୀୟ ଗୁପ୍ତଚର

ନୂଆପଡ଼ା ଉପନିର୍ବାଚନ ପରେ ଖବର ଆସିଛି ଯେ ବିଜେଡିର ତିନିଜଣ ବରିଷ୍ଠ ଉପସଭାପତି ତଥା ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭୁବନେଶ୍ୱରରେ “ଖାଉନ୍ଦ” ରୂପେ ପାଣ୍ଡିଆନଙ୍କୁ ସମସ୍ତ ତଥ୍ୟ ଦେଇଥିଲେ। କିଏ କେତେ ମେହନତ କଲେ, କିଏ ଦଳ ପାଇଁ ଅବହେଳା କଲେ, କିଏ ପାଣ୍ଡିଆନଙ୍କ ନୀତିକୁ ସମର୍ଥନ କଲେ ଓ କିଏ ବିରୋଧ କଲେ; ସେ ସବୁ “ରିପୋର୍ଟ ଫାଇଲ୍” ଭାବେ ନିଜ ଖାଉନ୍ଦଙ୍କୁ ଏହି କର୍ମୀମାନେ କହିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ସବୁଠୁ ଆଗ୍ରହଜନକ କଥା ହେଉଛି — ଏହି ରିପୋର୍ଟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁଙ୍କ ନାମ ଉଲ୍ଲେଖ ହୋଇଥିବା କୁହାଯାଉଛି, ସେମାନେ ପାଣ୍ଡିଆନଙ୍କ “ବିରୋଧୀ ଗୋଷ୍ଠୀ” ଭାବେ ଦେଖାଯାଉଛନ୍ତି।
ଦଳ ମଧ୍ୟରେ ଅସନ୍ତୋଷ
ନୂଆପଡ଼ା ପ୍ରଚାର ସମୟରେ ନବୀନଙ୍କ ସହ ତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଗାଡ଼ିରେ ଥିବା ଦୃଶ୍ୟ ନେଇ ଦଳୀୟ ମହଲରେ ଅସନ୍ତୋଷ ରହିଛି। ଏପରିକି ଦଳକୁ ଆସିବା ଦୁଇ ବର୍ଷ ହୋଇନଥିଲେ ବି ଅନେକ ବରିଷ୍ଠ ନେତାମାନଙ୍କୁ ନୂଆପଡ଼ାରେ ପାଣ୍ଡିଆନ ବଳରେ ଅସମ୍ମାନ କରିଛନ୍ତି। ଏହାକୁ ନେଇ ଅନେକ କର୍ମୀ ମନେ କରୁଛନ୍ତି — ପାଣ୍ଡିଆନଙ୍କ ଅନୁପସ୍ଥିତିରେ ସଂତୃପ୍ତ ନବୀନଙ୍କ “ନୂଆ ପରିଛାୟା” ହେବାକୁ ଚାହୁଁଛନ୍ତି, ଯାହା ଭିତରୁ ଦଳୀୟ ଅସନ୍ତୋଷ ଓ ଗୋଷ୍ଠୀ ବିବାଦକୁ ଜନ୍ମ ଦେଉଛି। ପାଣ୍ଡିଆନଙ୍କ ଗୋପନ ନିୟନ୍ତ୍ରଣ ଓ ସଂତୃପ୍ତଙ୍କ ପ୍ରତ୍ୟକ୍ଷ ପ୍ରଭାବ — ଦୁଇଟି ମିଶି ବିଜେଡିକୁ ଭିତରୁ ଦୁଇ ଶିବିରରେ ଭାଗ କରୁଛି।
“ଛାୟା ସରକାର” ମଡେଲ୍
ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ରାଜ୍ୟ ଶାସନ କରିଛନ୍ତି, କିନ୍ତୁ ଗତ ଦଶବର୍ଷରେ ପ୍ରଶାସନ ଓ ନୀତି ନିଷ୍ପତ୍ତି ମୂଳତଃ ହେଉଥିଲା ପାଣ୍ଡିଆନଙ୍କ “ଛାୟା ସରକାର” ମାଧ୍ୟମରେ। ସେ ବିଜେଡିକୁ ପ୍ରଶାସନିକ ବିକେନ୍ଦ୍ରିକରଣ କରିଥିଲେ- ଯେଉଁଠି ଦଳରେ ମତଭେଦ ହେଲେ ମଧ୍ୟ ନିଷ୍ପତ୍ତି ତାଙ୍କ ହାତରେ ଥାଏ। ସେଇ ପ୍ରବୃତ୍ତି ଏବେ ସନ୍ୟାସ ପରେ ମଧ୍ୟ ଚାଲିଛି। ତାଙ୍କ ନିକଟ ସହାୟକମାନେ ଆଜି ମଧ୍ୟ ନବୀନଙ୍କ ନିକଟରେ “ପରୋକ୍ଷ ସମ୍ପର୍କ” ରଖୁଛନ୍ତି।
ବିଜେଡି ପାଇଁ ଦ୍ୱିମୁଖୀ ସଂକଟ
ଗୋଟିଏ ପଟେ ଦଳ ନିଜ ପରିଚୟ ରକ୍ଷା କରିବାକୁ ଚେଷ୍ଟା କରୁଛି, ଅନ୍ୟପଟେ ପାଣ୍ଡିଆନ ଭଳି ଜଣେ “ନିର୍ବାଚନୀ ରଣନୀତିକାର” ନିଜ ରୂପାନ୍ତରିତ ଶୈଳୀରେ ଆସିଛନ୍ତି। ସେ ଯେତେବେଳେ ମଞ୍ଚରେ ନାହାନ୍ତି, ସେତେବେଳେ ମଧ୍ୟ ତାଙ୍କ “ପ୍ରଭାବ ଓ ଆତଙ୍କ” ଦଳ ଭିତରେ ଅବିଚଳିତ ରହିଛି। ନୂଆପଡ଼ା ଉପନିର୍ବାଚନରେ ତାଙ୍କ ଦୂର ନିୟନ୍ତ୍ରଣ ମଡେଲ୍ ଏହି ଦଳର ଆଗାମୀ ରାଜନୀତିକ ଯାତ୍ରାକୁ ପ୍ରଭାବିତ କରିପାରେ।
ଆଗାମୀ ସମୟର ପ୍ରଶ୍ନ
ସବୁଠୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ନବୀନ ଓ ପାଣ୍ଡିଆନଙ୍କ ସମ୍ପର୍କ କେଉଁ ନୂଆ ଅଧ୍ୟାୟକୁ ପ୍ରବେଶ କରୁଛି? ନବୀନ ଯଦି ଆଗାମୀ ଦିନରେ ନିଜ ଉତ୍ତରାଧିକାରୀ ନିର୍ଦ୍ଧାରଣ ନ କରିବେ, ତେବେ ସେହି ଛାୟା ଆସନରେ ପାଣ୍ଡିଆନ ରହିବେ କି ଅନ୍ୟ କେହି ରହିବେ ତାହାହିଁ ଦଳ ଭିତରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି? ବିଜେଡି ଏବେ ଏକ ସନ୍ଧିକାଳରେ ରହିଛି- ଯେଉଁଠି ଦଳର ଭବିଷ୍ୟତ ପାଣ୍ଡିଆନଙ୍କ ଗୁପ୍ତ ରଣନୀତି ଉପରେ ଅଧିକ ନିର୍ଭର କରୁଛି, ନବୀନଙ୍କ ଖୋଲା ରାଜନୀତି ଉପରେ ନୁହେଁ।
ପାଣ୍ଡିଆନ ହୋଇପାରେ ଏବେ ଲୋକଦୃଷ୍ଟିରୁ ଅଲଗା, କିନ୍ତୁ ସେ ବିଜେଡି ରାଜନୀତିରେ ନବୀନ ପଟ୍ଟନାୟକଙ୍କ “ଛାୟା ସାରଥୀ” ଭାବେ ରହିଛନ୍ତି। ତାଙ୍କ ଲୁଚକାଳି ଖେଳ ଏକ ରାଜନୀତିକ ପରୀକ୍ଷା — ଯେଉଁଠି ସେ ଦେଖିବାକୁ ଚାହୁଁଛନ୍ତି, ନବୀନ ବିନା ସେ କିପରି ଚାଲିପାରିବେ। ଯଦି ସେହି ପରୀକ୍ଷା ସଫଳ ହେଉଛି, ତେବେ ଆସନ୍ତା ଅନେକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ରାଜନୀତି ପାଣ୍ଡିଆନଙ୍କ “ଅଦୃଶ୍ୟ ହସ୍ତ” ଦ୍ୱାରା ଚାଲିବ।
also read https://purvapaksa.com/?p=40604


