ପାକିସ୍ତାନର ଅବସ୍ଥା ଏବେ “କୂଳ ଖାଇବ ନା କୂମ୍ଭୀର ଖାଇବ” ଭଳି ହୋଇଛି। ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ନୂଆ ବିପଦ ମାଡ଼ି ଆସିଛି। ଇରାନ ସହ ବନ୍ଧୁତା ବଢ଼ାଇବା ପାକିସ୍ତାନ ପାଇଁ ଏତେ ମହଙ୍ଗା ପଡ଼ିବ ବୋଲି ହୁଏତ ଇସ୍ଲାମାବାଦ କେବେ ଭାବି ନଥିଲା। ସବୁବେଳେ ସାହାଯ୍ୟ କରୁଥିବା ୟୁଏଇ ବର୍ତ୍ତମାନ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ପାକିସ୍ତାନ ସେନା ମୁଖ୍ୟ ଆସିମ୍ ମୁନିରଙ୍କ ଇରାନ ରଣନୀତିରେ ୟୁଏଇ ଏତେ ରାଗିଛି ଯେ, ସେ ନିଜର ବକେୟା ୩.୫ ବିଲିୟନ ଡଲାର ମାତ୍ର ୩୦ ଦିନରେ ଫେରସ୍ତ କରିବାକୁ କହିଛି। କାହିଁକି ୟୁଏଇ ଏତେ ରାଗିଛି? କେଉଁଠୁ ଆସିବ ଏତେ ଟଙ୍କା? ଆସନ୍ତୁ ଜାଣିବା ଆଜିର ଏହି ବିଶେଷ ରିପୋର୍ଟରେ।
ପାକିସ୍ତାନ ସରକାର ୟୁଏଇର ୩.୫ ବିଲିୟନ ଡଲାରର ସମସ୍ତ ଋଣ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ୟୁଏଇ ଏହି ଅର୍ଥକୁ ତୁରନ୍ତ ଫେରସ୍ତ କରିବାକୁ ଜିଦ୍ ଧରିଛି। ୨୦୧୯ ମସିହାରେ ‘ଅବୁଧାବି ଫଣ୍ଡ ଫର ଡେଭଲପମେଣ୍ଟ’ ମାଧ୍ୟମରେ ପାକିସ୍ତାନକୁ ଏହି ସାହାଯ୍ୟ ମିଳିଥିଲା, ଯାହାଫଳରେ ପାକିସ୍ତାନ ନିଜର ବିଦେଶୀ ମୁଦ୍ରା ଭଣ୍ଡାରକୁ ସମ୍ଭାଳି ପାରିଥିଲା।

କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ୟୁଏଇ ଅଭିଯୋଗ କରିଛି ଯେ, ଇରାନ-ଇସ୍ରାଏଲ୍ କିମ୍ବା ଆମେରିକା-ଇରାନ ବିବାଦ ସମୟରେ ପାକିସ୍ତାନର ଆଭିମୁଖ୍ୟ ୟୁଏଇ ବିରୋଧରେ ରହିଛି। ୟୁଏଇ କହିବା କଥା ଯେ, ଇରାନ ଅକାରଣରେ ତାଙ୍କ ଉପରେ ଆକ୍ରମଣ କଲାବେଳେ ପାକିସ୍ତାନ ତେହେରାନକୁ ସମର୍ଥନ କରୁଛି। ଜେନେରାଲ୍ ଆସିମ୍ ମୁନିରଙ୍କ ୟୁଏଇ ଗସ୍ତ ସମୟରେ ତାଙ୍କୁ ସ୍ପଷ୍ଟ କରି ଦିଆଯାଇଛି ଯେ, ୟୁଏଇର କ୍ଷତି ହେଉଥିବାବେଳେ ପାକିସ୍ତାନ କୌଣସି ପଦକ୍ଷେପ ନେଲାନି କିମ୍ବା ୟୁଏଇକୁ ସମର୍ଥନ ଜଣାଇଲା ନାହିଁ।

ପାକିସ୍ତାନ ପାଖରେ ଏବେ ମୋଟ ୧୬.୩ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ଅଛି। ଯଦି ପାକିସ୍ତାନ ୟୁଏଇ କୁ ୩.୫ ବିଲିୟନ ଡଲାର ଫେରସ୍ତ କରେ, ତେବେ ଏହି ଭଣ୍ଡାର ୧୮ ପ୍ରତିଶତ ପର୍ଯ୍ୟନ୍ତ କମିଯିବ। ପାକିସ୍ତାନର ଯେଉଁ ‘ଡନ୍’ ଖବରକାଗଜ ଅଛି, ସେ ଅନୁଯାୟୀ ପାକିସ୍ତାନ ନିଜର ‘ରାଷ୍ଟ୍ରୀୟ ସମ୍ମାନ’ ରକ୍ଷା ପାଇଁ ଏହି ଟଙ୍କା ଫେରସ୍ତ କରିବାକୁ ବାଧ୍ୟ ହେଉଛି।
ପ୍ଲାନ୍ ଅନୁଯାୟୀ:
• ଆସନ୍ତା ସପ୍ତାହରେ ପ୍ରାୟ ୪୫୦ ମିଲିୟନ ଡଲାର।
• ମାସ ଶେଷ ସୁଦ୍ଧା ଅବଶିଷ୍ଟ ୩ ବିଲିୟନ ଡଲାର ଫେରସ୍ତ କରିବାକୁ ପଡ଼ିବ।
ଏହାଫଳରେ ପାକିସ୍ତାନର ଅର୍ଥନୀତି ଉପରେ ପ୍ରବଳ ଚାପ ପଡ଼ିବ। ଏପରିକି ୟୁଏଇ ପାଖରୁ ମିଳିବାକୁ ଥିବା ଅନ୍ୟ ୨ ବିଲିୟନ ଡଲାରର ସହାୟତା ପ୍ୟାକେଜ୍ ଏବେ ଅନିଶ୍ଚିତ ହୋଇଯାଇଛି।
ପାକିସ୍ତାନ ସବୁବେଳେ ଦୁଇଟି ଡଙ୍ଗାରେ ଗୋଡ଼ ଦେଇ ଚାଲିବାକୁ ଚେଷ୍ଟା କରେ। ଗୋଟିଏ ପଟେ ଆରବ ଦେଶମାନଙ୍କ ପାଖରୁ ଟଙ୍କା ନେବା ଏବଂ ଅନ୍ୟପଟେ ଇରାନ ସହ କୂଟନୈତିକ ବନ୍ଧୁତା ରଖିବା। ୟୁଏଇ କର୍ତ୍ତୃପକ୍ଷ କୁହନ୍ତି ଯେ, ଇରାନ ୟୁଏଇ ଉପରେ ହେଉଥିବା ଆକ୍ରମଣର ମାଷ୍ଟରମାଇଣ୍ଡ। ଏଭଳି ସ୍ଥିତିରେ ପାକିସ୍ତାନର ଇରାନ ପ୍ରୀତି ୟୁଏଇ ପାଇଁ ଅସହ୍ୟ ହୋଇଛି। ଆସିମ୍ ମୁନିରଙ୍କ ଅବୁଧାବି ଗସ୍ତ ସମୟରେ ୟୁଏଇ ନେତୃତ୍ୱ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ପାକିସ୍ତାନର ବିଦେଶ ନୀତି ଉପରେ ସନ୍ଦେହ କରୁଛନ୍ତି।

ପାକିସ୍ତାନ ପାଇଁ ବର୍ତ୍ତମାନ ଏହା ସବୁଠାରୁ ବଡ଼ ପରୀକ୍ଷା। ଋଣ ଫେରସ୍ତ କଲେ ଅର୍ଥନୀତି ବୁଡ଼ିବ, ଆଉ ଫେରସ୍ତ ନକଲେ ୟୁଏଇ ଭଳି ଏକ ବଡ଼ ବନ୍ଧୁ ରାଷ୍ଟ୍ରକୁ ସବୁଦିନ ପାଇଁ ହରାଇବାକୁ ପଡ଼ିବ। ଶାହବାଜ ସରିଫ୍ ଏବଂ ଆସିମ୍ ମୁନିରଙ୍କ ଏହି ‘ଇରାନ-କାର୍ଡ’ ପାକିସ୍ତାନ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି।
ଆପଣଙ୍କୁ କ’ଣ ଲାଗୁଛି? ପାକିସ୍ତାନ କ’ଣ ଏହି ଋଣ ଫେରସ୍ତ କରିପାରିବ? କିମ୍ବା ଆଇଏମଏଫ୍ ପାଖରେ ପୁଣି ଥରେ ହାତ ପାତିବ?
also read : https://purvapaksa.com/kanya-sumangala-yojana-to-be-launched-in-odisha-what-is-the-scheme/


