ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ଖରପାରୁ ଅତି ଖରାପ ହୋଇଯାଇଛି। ତେବେ ଏହାରି ଭିତରେ ଆସିଛି ଏକ ବଡ ଖବର। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରୀଡା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଟିମକୁ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବାକୁ ଅନୁମତି ମିଳିଥିବା ସୂଚନା ମିଳିଛି। ଆସନ୍ତା ମାସରେ ଭାରତରେ ହକି ଏସିଆ କପ୍ ଆୟୋଜନ ହେବାକୁ ଯାଉଛି ଏବଂ ଏଥିପାଇଁ ପାକିସ୍ତାନ ହକି ଦଳକୁ ଭାରତ ଆସିବାକୁ ପଡିବ। ଜୁନିୟର ହକି ବିଶ୍ବକପ୍ ପାଇଁ ପାକିସ୍ତାନ ଭାରତ ଆସିବ ଏଥିରେ ତାକୁ ବାଧା ଦିଆଯିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟରୁ ଜଣାପଡିଛି ଯେ, ଅଗଷ୍ଟ-ସେପ୍ଟେମ୍ବରରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ହକି ଏସିଆ କପ୍ ପାଇଁ ପାକିସ୍ତାନୀ ଦଳକୁ ଭାରତ ଆସିବାରୁ ରୋକାଯିବ ନାହିଁ। ପାକ୍ ହକି ଟିମ୍ ଏସିଆ କପ୍ ସାଙ୍ଗକୁ ଜୁନିଅର ହକି ବିଶ୍ଵକପ ଖେଳିବାକୁ ଭାରତ ଆସିବ।
ରିପୋର୍ଟରେ କୁହାଯାଇଛି ଯେ, ସରକାର ଭାରତରେ ଅନୁଷ୍ଠିତ ହେବାକୁ ଥିବା ବହୁ-ରାଷ୍ଟ୍ରୀୟ ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା କୌଣସି ଦଳ ବିରୋଧରେ ନାହାନ୍ତି । ଋଷ ଏବଂ ୟୁକ୍ରେନର ଉଦାହରଣ ଦେଇ କ୍ରୀଡ଼ା ମନ୍ତ୍ରଣାଳୟର ଏକ ସୂତ୍ର କହିଛି, “ରୁଷ ଏବଂ ୟୁକ୍ରେନ ପରସ୍ପର ସହିତ ଲଢ଼ୁଛନ୍ତି କିନ୍ତୁ ସେମାନେ ବହୁ-ରାଷ୍ଟ୍ରୀୟ ଇଭେଣ୍ଟରେ ମଧ୍ୟ ଅଂଶଗ୍ରହଣ କରନ୍ତି।” ଏସିଆ କପ୍ ୨୭ ଅଗଷ୍ଟରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ନଭେମ୍ବର-ଡିସେମ୍ବରରେ ତାମିଲନାଡୁରେ ଜୁନିଅର ପୁରୁଷ ହକି ବିଶ୍ୱକପ୍ ମଧ୍ୟ ଆୟୋଜନ କରାଯିବ। ଏସିଆ କପ୍ ସହିତ, ପାକିସ୍ତାନୀ ଦଳକୁ ମଧ୍ୟ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିବାକୁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି।
ତେବେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁକୁ ମନପକାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ। ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟ ପରେ ସମଗ୍ର ଦେଶରେ କ୍ରୋଧ ପ୍ରକାଶ ପାଇଥିଲା। ଏହା ପରେ ଭାରତ ସରକାର ପାକିସ୍ତାନ ସହିତ ଏହାର ଅନେକ ଚୁକ୍ତିନାମା ଏବଂ ବାଣିଜ୍ୟକୁ ମଧ୍ୟ ବାତିଲ କରିଦେଇଥିଲା। ଏହା ସହିତ, ଭାରତରେ ପ୍ରାୟ ସମସ୍ତ ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ନିଷେଧ କରାଯାଇଥିଲା। ସେବେଠାରୁ, କ୍ରିକେଟ ବିଶ୍ୱକପ୍ ସମେତ ପ୍ରତ୍ୟେକ କ୍ରୀଡା ଇଭେଣ୍ଟରେ ପାକିସ୍ତାନ ବିରୁଦ୍ଧରେ ଖେଳିବା ବନ୍ଦ କରାଯିବା ଉଚିତ ବୋଲି ଦାବି ହୋଇଆସୁଛି। ଏବେ ମଧ୍ୟ ପାକିସ୍ତାନ ସହ ଭାରତ କୌଣସି ମ୍ୟାଚ ନଖେଳୁ ବୋଲି ଦାବୀ ଉଠୁଛି। ତେବେ ଦେଖାଯାଉ ପାକିସ୍ତାନ ନିଜ ଦଳକୁ ଭାରତ ଛାଡ଼ୁଛି ନା ନାହିଁ। ଅପରେସନ ସିନ୍ଦୂର କାରଣରୁ ଆସନ୍ତା ମାସରେ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା ଯାହାର ଦ୍ଵନ୍ଦ ଏବେ ଦୂର ହୋଇଛି।
Also read https://purvapaksa.com/after-failing-of-china-weapons-pak-air-chief-visit-us/
