
ଭାସ୍କର ପରିଚ୍ଛା
ଓଡ଼ିଶାରେ ଛାତ୍ର ଆଂଦୋଳନର ଏକ ସୁଦୀର୍ଘ ଇତିହାସ ରହିଛି- ୧୯୫୧,୧୯୫୫ ଓ ୧୯୬୪। ଆଗ୍ରହର ବିଷୟ ଏହି ଯେ, ଏଥି ମଧ୍ୟରୁ ଦୁଇଟି ନବକୃଷ୍ଣ ଚୌଧୁରୀଙ୍କ ସରକାର ଥିବା ବେଳେ ହିଁ ଘଟିଥିଲା। ନବବାବୁଙ୍କ ସମୟର ଛାତ୍ର ଆନ୍ଦୋଳନ ପଛରେ ବିରୋଧୀମାନଙ୍କ ସ୍ପଷ୍ଟ ହାତ ଥିଲା। ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା ଯେତେବେଳେ ସରକାର ମାସିକ କଲେଜ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ। ସେହି ସମୟରେ କଟକର ରେଭେନ୍ସା କଲେଜର ହଲରେ ଓଡ଼ିଶା ବିଧାନସଭା ବସୁଥିଲା। ଏହା ଫଳରେ ଛାତ୍ରମାନଙ୍କ ପାଇଁ ପ୍ରତିବାଦ ଆରମ୍ଭ କରିବା ସହଜ ହୋଇଥିଲା। ସେମାନେ ବିଧାୟକମାନଙ୍କୁ ହଲରେ ପ୍ରବେଶ କରିବାକୁ ବାଧା ଦେଊଥିଲେ ଏବଂ ଆଖି ପିଛୁଳାକେ ପୋଲିସ ସହିତ ସଂଘର୍ଷ ଆରମ୍ଭ ହୋଇ ଯାଊଥିଲା।

ବିବାଦ ଆରମ୍ଭ ହେଲା ଯେତେବେଳେ ନବବାବୁଙ୍କ ସରକାର କଲେଜ ଫିକୁ ୧ଟଙ୍କାରୁ ୨ଟଙ୍କାକୁ ବୃଦ୍ଧି କଲେ। ଛାତ୍ର ଅସନ୍ତୋଷକୁ ଦେଖି ଫିକୁ ୨ଟଙ୍କାରୁ ୧ଟଙ୍କାକୁ ହ୍ରାସ କରିବା ପରେ ମଧ୍ୟ, କମ୍ୟୁନିଷ୍ଟ କର୍ମୀମାନେ ଆନ୍ଦୋଳନ ଜାରି ରଖିଥିଲେ, ଯାହା ଶେଷରେ ହିଂସାତ୍ମକ ହୋଇଥିଲା ଓ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା। ତତ୍କାଳୀନ ଶିକ୍ଷାମନ୍ତ୍ରୀ ଲିଙ୍ଗରାଜ ମିଶ୍ର ଏହି ସଙ୍କଟର କେନ୍ଦ୍ରରେ ଥିଲେ।
ବାମପନ୍ଥୀମାନେ ଏହି ମୁହୂର୍ତ୍ତକୁ ଆଦୌ ହାତଛଡ଼ା କରିବା ପାଇଁ ଚାହୁନଥିଲେ।୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନକୁ ବିରୋଧ କରିବା ଦ୍ୱାରା ସେମାନେ ହରାଇଥିବା ରାଜନୈତିକ ଭୂମିକୁ ପୁନରୁଦ୍ଧାର କରିବାର ଆଶା ପୋଷଣ କରି ସେମାନେ ଆନ୍ଦୋଳନାଲୁ ଉସୁକାଇଥିଲେ ଓ ଏହାର ଫାଇଦା ଉଠାଇବା ପାଇଁ ଚାହୁଥିଲେ।ଏହାର ନେତୃତ୍ଵ ନେଉଥିଲେ ଗୋବିବ୍ଦ ଦାସ,ପ୍ରବୀର ପାଲିତ,ରାଜେନ୍ଦ୍ର ପ୍ରସାଦ ଦାସ,ନନ୍ଦିନୀ ଶତପଥୀ ଓ ଶିବାଜୀ ପଟ୍ଟନାୟକ ।ଓଡ଼ିଶା କଂଗ୍ରେସ ଭିତରେ ଥିବା ତୀବ୍ର ଗୋଷ୍ଠୀବାଦର ପୃଷ୍ଠଭୂମିରେ ଏହି ଆନ୍ଦୋଳନଟି ଘଟିଥିଲା। ହରେକୃଷ୍ଣ ମହତାବ ଆଦର୍ଶଗତ ଭାବରେ ପଟେଲଙ୍କ ସହିତ ରହିଥିବା ବେଳେ ନବକୃଷ୍ଣ ଚୌଧୁରୀ ନେହେରୁଙ୍କ ନିକଟତର ଥିଲେ। ଯୁବ କଂଗ୍ରେସ ମହତାବଙ୍କ ସମର୍ଥକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। କିନ୍ତୁ ସମାଜବାଦୀମାନେ ଚୌଧୁରୀଙ୍କୁ ବାହାରୁ ସମର୍ଥନ ଦେଊଥିଲେ। ଠିକ ଏହି ସମୟରେ ହରେକୃଷ୍ଣ ମହତାବଙ୍କୁ ପଣ୍ଡିତ ନେହେରୁଙ୍କ କ୍ୟାବିନେଟରୁ ବାଦ କଦିଆଯାଇ ବମ୍ବେକୁ ରାଜ୍ୟପାଳ ଭାବରେ ପଠାଇ ଦିଆଯାଇଥିଲା। ମହତାବ ଏହାକୁ ଏକ ରାଜନୈତିକ ନିର୍ବାସନ ଭାବରେ ଦେଖୁଥିଲେ। ତେଣୁ ଓଡ଼ିଶା ରାଜନୀତିକୁ ଫେରିବାକୁ ଅତ୍ୟଧିକ ଆଗ୍ରହୀ ହୋଇ ପଡ଼ିଥିଲେ। ପୂର୍ବରୁ କୁହାଯାଇଛି ଯେ ଯେତେବେଳେ ସେ ଚାହିଁବେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବେ ମହତାବ ଏହି ଧାରଣାର ବଶବର୍ତ୍ତୀ ହୋଇଥିଲେ । ଛାତ୍ର ଆନ୍ଦୋଳନ ସହିତ ଏକ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ମହତାବ ଦେଖୁଥିଲେ।
ଏହି ପରିସ୍ଥିତିରେ, ମହତାବ ଏବଂ ତାଙ୍କ ସହଯୋଗୀମାନେ ଅଶାନ୍ତି ବୃଦ୍ଧି କରିବାକୁ ଛାତ୍ର ନେତାମାନଙ୍କୁ ଉତ୍ସାହିତ କରିଥିଲେ। ମହତାବଙ୍କ ସମର୍ଥକ, କଂଗ୍ରେସ କର୍ମୀ ଓ ଛାତ୍ର ଯେଉମାନେ ରେଭେନ୍ସା କଲେଜର ପଶ୍ଚିମ ହଷ୍ଟେଲରେ ରହୁଥିଲେ ସେମାନେ ମହତାବଙ୍କ କଥାରେ ଉତ୍ସାହିତ ହୋଇ ପଡ଼ିଥିଲେ। ମହତାବଙ୍କ ପଟ୍ଟଶିଷ୍ୟ ବିଜୁ ପଟ୍ଟନାୟକ ଏବଂ ବୀରେନ ମିତ୍ର ପ୍ରମୁଖ ସେତେବେଳର ରେଭେନ୍ସା ଅଧ୍ୟକ୍ଷ ଗୋଲକ ବିହାରୀ ବାନାର୍ଜୀଙ୍କୁ ସର୍ବସାଧାରଣରେ ଅପମାନିତ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳକୁ ଦୁର୍ବଳ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ଭାବରେ ଦେଖାଯାଉଥିଲା।

ଡ ଶ୍ରୀରାମ ଚନ୍ଦ୍ର ଦାଶ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’ରେ(କଟକ ଷ୍ଟୁଡେନ୍ସ ଷ୍ଟୋର/୧୯୯୨) ଏହି ଆଂଦୋଳନର ଏକ ବିସ୍ତୃତ ବିବରଣୀ ଦେଇଛନ୍ତି: ‘୧୯୫୧ ଜୁଲାଇ ମାସରେ ଯେଉଁ ଛାତ୍ର ଧର୍ମଘଟ ହେଲା ତାହାହିଁ ମୋତେ ଅଧ୍ୟକ୍ଷଙ୍କ ଦୃଷ୍ଟିରେ ସୁଦୃଢ଼ କରିଦେଲା । ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ମାସିକ ଦେୟ ବେତନକୁ ଟଙ୍କାଏ ଦୁଇଟଙ୍କା ଲେଖାଏଁ ବଢ଼ାଇ ଦେଲେ । କଟକ ସହରରେ ଥିବା କଲେଜଗୁଡ଼ିକର ଛାତ୍ରଛାତ୍ରୀମାନେ ଏହାର ଘୋର ବିରୋଧ କଲେ । ଗୋଟିଏ ବିରାଟ ଛାତ୍ର ଆନ୍ଦୋଳନ ତେଜି ଉଠିଲା । ରେଭେନ୍ସା କଲେଜରେ ଧର୍ମଘଟ ହେଲା । ରେଭେନ୍ସା କଲେଜ ହଲରେ ବିଧାନସଭାର ଅଧିବେଶନ ହେଉଥାଏ । ଛାତ୍ରଛାତ୍ରୀମାନେ ସେଠାରେ ପିକେଟିଂ ଆରମ୍ଭ କଲେ । ସେମାନେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ବିଧାନସଭା ଭିତରକୁ ଛାଡ଼ୁ ନଥାନ୍ତି । କ୍ରମେ ବିଧାନସଭାର କାର୍ଯ୍ୟକ୍ରମ ବନ୍ଦ ହେବାକୁ ବସିଲା । ଦିନେ କଂଗ୍ରେସ ଦଳର ଜଣେ ଟାଣୁଆ ସଭ୍ୟ ବିଜୁ ପଟ୍ଟନାୟକ ବିଧାନସଭାରୁ ଆସି ଅଧ୍ୟକ୍ଷଙ୍କ କୋଠରି ଭିତରକୁ ପଶିଯାଇ ଉଚ୍ଚ ସ୍ବରରେ କହିଲେ, ‘‘ତୁମ କଲେଜରେ ଧର୍ମଘଟ ହୋଇ ଛାତ୍ରଛାତ୍ରୀମାନେ ବିଧାନସଭାକୁ ଅଚଳ କରିଦେଲେଣି । ତୁମେ ସେମାନଙ୍କୁ ସମ୍ଭାଳି ପାରୁନ ।ତୁମେ ଅଧ୍ୟକ୍ଷ ନୁହେଁ, ଗୋଟିଏ କାଠଘୋଡ଼ା (Wooden Horse)” । ଅଧ୍ୟକ୍ଷ ଏଥ୍ରେ ବିଶେଷ ଅପମାନିତ ବୋଧ କଲେ ଓ ଅଧ୍ୟାପକମାନଙ୍କୁ କହିଲେ ଯେ ସେ ଆଉ ଅଧ୍ୟକ୍ଷ ହୋଇ ରହିବେ ନାହିଁ, ଇସ୍ତଫା ଦେଇଦେବେ ।
ଏହା ଜାଣି ଅଧ୍ୟାପକମାନେ ମଧ୍ୟ ଛାତ୍ରମାନଙ୍କ ସହିତ ଯୋଗ ଦେଲେ । ସମସ୍ତେ ଦାବୀ କଲେ, ବିଜୁ ପଟ୍ଟନାୟକ ସରକାରଙ୍କର କେହି ନୁହଁନ୍ତି, ସେ କାହିଁକି ଆସି ଅଧ୍ୟକ୍ଷଙ୍କୁ ଦପ୍ତର ଭିତରେ ଗାଳି ଦେଲେ ? ସମସ୍ତଙ୍କ ଦାବୀ ହେଲା ଯେ ବିଜୁ ପଟ୍ଟନାୟକ ସର୍ବସାଧାରଣରେ ଅଧ୍ୟକ୍ଷଙ୍କୁ କ୍ଷମା ନ ମାଗିଲେ କଲେଜକୁ ଅଚଳ କରିଦିଆଯିବ । ବିଧାନସଭା ସଦସ୍ୟ ଓ ମନ୍ତ୍ରୀମାନେ କ୍ଷମା ମାଗିବା ପାଇଁ ବିଜୁ ବାବୁଙ୍କୁ ପରାମର୍ଶ ଦେଲେ; କିନ୍ତୁ ସେ ଏହି ପରାମର୍ଶକୁ ଗ୍ରହଣ କଲେ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀ ତଥା କଂଗ୍ରେସ ଦଳର ସଭ୍ୟମାନଙ୍କୁ ବିଧାନସଭା ଭିତରକୁ ଛାଡ଼ିଲେ ନାହିଁ । ଅବସ୍ଥା କ୍ରମଶଃ ଅସମ୍ଭାଳ ହେଲା ।

‘ସେତେବେଳକୁ ଲୁହାବୁହା ଗ୍ୟାସ ବାହାରି ନଥାଏ । ପୂଲିସ୍ ଛାତ୍ରମାନଙ୍କ ଉପରେ ଲାଠି ମାଡ଼ କରିବାକୁ ମନ୍ତ୍ରୀ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ମାଗିଥାଆନ୍ତି ; କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଲାଠି ମାଡ଼ ହେଲେ ପିଲାମାନଙ୍କ ମୁଣ୍ଡ ଫାଟିଯିବ ଓ ଧର୍ମଘଟ ବ୍ୟାପକତର ହୋଇଯିବ ବୋଲି ଆଶଙ୍କା କରି ରାଜି ହେଉନଥାନ୍ତି । ଦିନେ ପରିସ୍ଥିତି ଏପରି ହେଲା ଯେ ନନ୍ଦିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଯେଉଁମାନେ ପିକେଟିଂ କରୁଥିଲେ ସେମାନଙ୍କ ଉପରେ ହୋସ ପାଇପରେ ଗରମ ପାଣି ଫୋପଡା ହେଲା । ତଥାପି ସେମାନେ ବିଧାନସଭା ଫାଟକରୁ ଉଠିଲେ ନାହିଁ । ପୁଲିସ୍ ଜଣ ଜଣ କରି ଛାତ୍ର-ଛାତ୍ରୀଙ୍କ ଗୋଡ଼କୁ ଟାଣି ଘୋଷାରି ନେଉଥାଆନ୍ତି । ଏଣେ ଗରମ ପାଣି ପଡ଼ୁଥାଏ ।
‘ହଠାତ୍ ଖବର ରଟିଲା ଯେ ପୂଲିସର ଆକ୍ରମଣରେ ନନ୍ଦିନୀ ମରିଯାଇଛି ଓ ଅନ୍ୟ କେତେଜଣ ବିଶେଷ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପୁଲିସ୍ ନନ୍ଦିନୀର ଶବ ଓ ଆହତମାନଙ୍କୁ କୁଆଡ଼େ ନେଇଯାଇଛି ।
ଏ ଅତ୍ୟାଚାର ଦେଖି ଓ ସେ ବିଷୟରେ ଶୁଣି ଛାତ୍ର ଓ ଅଧ୍ୟାପକମାନେ ବିଧାନସଭା ଆଡ଼କୁ ଦୌଡ଼ିଲେ । ଏହି ସମୟରେ ଲାଠିମାଡ଼ ଆରମ୍ଭ କରିବା ଲାଗି ପୁଲିସ୍କୁ କିଏ ଆଦେଶ ଦେଲା କେଜାଣି ସେମାନେ ବିଧାନସଭା ହତା ବାହାରକୁ ଆସି କଲେଜ ବାରଣ୍ଡା ଓ ପୂର୍ବ ଓ ପଶ୍ଚିମ ଛାତ୍ରାବାସରେ ପିଲାମାନଙ୍କୁ ଲାଠିରେ ପିଟିବାକୁ ଆରମ୍ଭ କରିଦେଲେ । ଏତିକିବେଳେ ମୁଁ ଅଧ୍ୟାପକ ବିଧୁଭୂଷଣ ଦାସ ଓ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପତି ଯେଉଁଠାରେ ଠିଆ ହୋଇଥୁଲୁ କେଜାଣି କାହିଁକି ଏସପି ଗୋକୁଳାନନ୍ଦ ମହାନ୍ତି ଲାଠି ଉଠାଇ ଆମକୁ ପିଟିବାଲାଗି ଦୌଡ଼ି ଆସିବାରୁ ଆମେ ଜୀବନ ବିକଳରେ ବାରଣ୍ଡା ଉପରେ ଚଢ଼ି ଅଧ୍ୟକ୍ଷଙ୍କ ଅଫିସ ଆଡ଼କୁ ଦୌଡ଼ିଲୁ । ଲାଠିମାଡ଼ ଭୟରେ ଅଧ୍ୟକ୍ଷ ଭିତରୁ ଅଫିସ କବାଟ ବନ୍ଦ କରିଦେଲେ । ଆମେ ତାଙ୍କ ଅଫିସ ଦୁଆର ମୁହଁରେ ଜଣକ ଉପରେ ଜଣେ ପଡ଼ିଗଲୁ। ଧୀରେନ୍ଦ୍ରନାଥ ବିଶ୍ୱାଳ କେଉଁଠି ରହି ଏକଥା ଦେଖିଲେ କେଜାଣି ସେ ଆମକୁ ଆବୋରି ଆମ ଉପରେ ପଡ଼ିଗଲେ । ଫଳରେ ଆମେ ତିନିହେଁ ରକ୍ଷା ପାଇଗଲୁ; କିନ୍ତୁ ଧୀରର ମୁଣ୍ଡ ଗୋକୁଳାନନ୍ଦ ମହାନ୍ତିଙ୍କ ଲାଠି ମାଡ଼ରେ ଫାଟିଗଲା ।‘
‘ଏପରି ଅନ୍ଧା ଧୁନିଆ ଲାଠି ମାଡ଼ର ପ୍ରତିବାଦ ଜଣାଇବା ଲାଗି ଶିକ୍ଷକ ଓ ଛାତ୍ରମାନେ ଶିକ୍ଷା ବିଭାଗ ଡିରେକ୍ଟର ମହେଶ ଚନ୍ଦ୍ର ପ୍ରଧାନଙ୍କ ବାସଗୃହକୁ ଶୋଭାଯାତ୍ରା କରି ଚାଲିଲେ ।ଲାଠି ମାଡ଼ ସମ୍ବାଦ ଡିରେକ୍ଟର ପାଇ ସାରିଥିଲେ ଓ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇବା ଲାଗି ନିଜେ ଘରୁ ବାହାରି ଅଧା ବାଟରେ ହୋଇଥିଲେ । ତାଙ୍କ ନେତୃତ୍ୱରେ ଆମେ ଯାଇ ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଆଗରେ ଦୃଢ଼ ପ୍ରତିବାଦ ଜଣାଇଲୁ ଏବଂ ଅଯଥା ଲାଠିମାଡ଼ କରିଥିବା ଏସ୍.ପି. ଶ୍ରୀ ଗୋକୁଳାନନ୍ଦ ମହାନ୍ତିଙ୍କ ପ୍ରତି ତତ୍କ୍ଷଣାତ ଦଣ୍ଡବିଧାନ ନ ହେଲେ ଡିରେକ୍ଟର ଓ ଅଧ୍ୟକ୍ଷଙ୍କ ସହିତ ସମବେତ ଅଧ୍ୟାପକମାନେ ନିଜ କାର୍ଯ୍ୟରୁ ତତ୍କ୍ଷଣାତ ଇସ୍ତଫା ଦେବେ ବୋଲି ଧମକାଇଲେ । ସେମାନେ ସବୁ କଥା ଶୁଣି ‘ବୁଝିବା ବୁଝିବା’ ବୋଲି କହିବାରୁ ଛାତ୍ରମାନେ ସେମାନଙ୍କୁ ଅକଥ୍ୟ ଭାଷାରେ ତିରସ୍କାର କଲେ।
also read https://purvapaksa.com/storm-of-rebellion-ahead-in-bjd/
Storm of rebellion ahead in BJD! ।। ବିଜେଡିରେ ଆଗକୁ ବିଦ୍ରୋହର ଝଡ଼!


