High Coart: ରାଜନଗରନିବାସୀ ହରିହର ସାହୁ ଏହି ପିଟିସନ ଦାଖଲ କରିଥିବା ବେଳେ ତାଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଯୁକ୍ତି ଉପସ୍ଥାପନ କରିଥିଲେ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଜନଗର ଗ୍ରାମରେ ଜବରଦଖଲ ହୋଇଥିବା ଗୋଚର ଜମିରେ ମନ୍ଦିର ନିର୍ମାଣ ଓଡ଼ିଶା ହାଇକୋର୍ଟଙ୍କ ନଜରକୁ ଆସିଛି। ମନ୍ଦିର ନିର୍ମାଣ ବିରୋଧରେ ହସ୍ତକ୍ଷେପ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ପାଣିଗ୍ରାହୀ ଗତ ଫେବ୍ରୁଆରି ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଯେ ଗୋଚର ଜମିରେ ମନ୍ଦିର ନିର୍ମାଣ କରିଥିବା ଜବରଦଖଲକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ସେନେଇ ଜଳେଶ୍ୱର ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୦ ତାରିଖରେ ହେବ। ରାଜନଗରନିବାସୀ ହରିହର ସାହୁ ଏହି ପିଟିସନ ଦାଖଲ କରିଥିବା ବେଳେ ତାଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଯୁକ୍ତି ଉପସ୍ଥାପନ କରିଥିଲେ।୨୦୨୩ ଅକ୍ଟୋବର ୩୧ ତାରିଖରେ ୪ ସପ୍ତାହ ମଧ୍ୟରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ହାଇକୋର୍ଟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ମନ୍ଦିର ନିର୍ମାଣ ଜାରି ରହିଛି। ଶ୍ରୀ ସାହୁ ୨୦୨୫ ଜାନୁଆରି ୯ ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ବିସ୍ତୃତ ଦାବିପତ୍ର ପ୍ରଦାନ କରିଥିଲେ।
୨୦୨୩ ଅକ୍ଟୋବର ୩୧ ତାରିଖରେ ହାଇକୋର୍ଟ କହିଥିଲେ, “ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଅନୁସନ୍ଧାନ ପରେ ପ୍ରମାଣିତ ହୋଇଥିବା ଏଭଳି ଜବରଦଖଲକୁ ହଟାଇବା ପାଇଁ ତହସିଲଦାରଙ୍କ ତରଫରୁ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଅଦାଲତ ମତ ଦେଇଛନ୍ତି। ୨୦୨୨ ନଭେମ୍ବର ୩୦ ତାରିଖରେ ତହସିଲଦାର ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଗତ ଦୁଇ ବର୍ଷ ହେଲା ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଆବେଦନରେ ଦର୍ଶାଯାଇଛି।
ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଓ ଆବେଦନରେ ତହସିଲଦାରଙ୍କୁ ଗୋଚର ଜମିରେ ବେଆଇନ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା, ସେଠାରେ ଅନଧିକୃତ ସମାବେଶକୁ ରୋକିବା ପାଇଁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରିବା ଏବଂ ଅନଧିକୃତ ଢାଞ୍ଚା ଉଚ୍ଛେଦ ପାଇଁ ପୁଲିସ ଫୋର୍ସ ମୁତୟନ କରିବାକୁ ଉପଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।
previous article:https://purvapaksa.com/tomatoes-sold-at-rs-2-per-kg/


