One picture opened up the air of powerful India and Trump’s ‘friendship’ claims!: ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଭଲ ରହିଛି। ଭାରତରୁ ମଧ୍ୟ ଆତଙ୍କବାଦୀ ରପ୍ତାନୀ ହୁଅନ୍ତି ନାହିଁ। ଏମିତିରେ ହାତଗୋଡ଼ ବନ୍ଧା ଭାରତୀୟଙ୍କ ଚିତ୍ର ଅନେକ ଦିନ ପର୍ଯ୍ୟନ୍ତ ଭାରତୀୟଙ୍କ ମନରେ ଛାପି ହୋଇ ରହିବ। କାରଣ ବର୍ତ୍ତମାନର ସରକାରଙ୍କ ଦାବି ଯେ, ୨୦୧୪ ପରଠାରୁ ବିଦେଶରେ ଭାରତର ପ୍ରଭାବ ବଢ଼ିଛି।
ଯେଉଁ ଢଙ୍ଗରେ ଆମେରିକା ବେଆଇନଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ହାତଗୋଡ଼ ବାନ୍ଧି ସାମରିକ ବିମାନରେ ଭାରତ ଫେରାଇଛି ତାକୁ ନେଇ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଉଜ୍ୱଳ ଭବିଷ୍ୟତ ସନ୍ଧାନରେ ବେଆଇନଭାବେ ଆମେରିକା ମଧ୍ୟକୁ ପ୍ରବେଶ କରିଥିବା ଭାରତୀୟଙ୍କ ହାତଗୋଡ଼ ବାନ୍ଧି ଭାରତ ଫେରାଇବାକୁ ହଜମ କରିହେଉନି। ଏହାକୁ ଅନେକ ଭାରତର ଅପମାନଭାବେ ନେଉଛନ୍ତି। ଏଭଳି ଭାବିବା ପଛରେ ଦମ୍ ମଧ୍ୟ ରହିଛି। କାରଣ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଭଲ ରହିଛି। ଭାରତରୁ ମଧ୍ୟ ଆତଙ୍କବାଦୀ ରପ୍ତାନୀ ହୁଅନ୍ତି ନାହିଁ। ଏମିତିରେ ହାତଗୋଡ଼ ବନ୍ଧା ଭାରତୀୟଙ୍କ ଚିତ୍ର ଅନେକ ଦିନ ପର୍ଯ୍ୟନ୍ତ ଭାରତୀୟଙ୍କ ମନରେ ଛାପି ହୋଇ ରହିବ। କାରଣ ବର୍ତ୍ତମାନର ସରକାରଙ୍କ ଦାବି ଯେ, ୨୦୧୪ ପରଠାରୁ ବିଦେଶରେ ଭାରତର ପ୍ରଭାବ ବଢ଼ିଛି।
ଟ୍ରମ୍ପଙ୍କ ଦାଦାଗିରି ଓ ଭାରତୀୟଙ୍କ ବିକଳ ଚିତ୍ର
କିଏ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆମେରିକାନ୍ ଡ୍ରିମ୍ ସନ୍ଧାନରେ ଆମେରିକା ଯାଇଥିଲା। କିଏ ସ୍ୱାମୀ ସହିତ ପୁଅର ମିଳନ କରାଇବାକୁ ଏକ କୋଟିରୁ ଅଧିକ ଖର୍ଚ୍ଚ କରି ଆମେରିକା ଯାଇଥିଲା। କିନ୍ତୁ ସେମାନଙ୍କ ଆମେରିକାନ ଡ୍ରିମ୍ ପଞ୍ଜାବର ଅମୃତସର ବିମାନବନ୍ଦରରେ କ୍ରାସ୍ ଲ୍ୟାଣ୍ଡିଂ କରିଛି। ଭାରତ ସରକାର ମୁଳରୁ ଅବୈଧ ପ୍ରବାସୀଙ୍କୁ ଫେରାଇନେବେ ବୋଲି କହିଥିଲେ। ଏହାସତ୍ତ୍ୱେ ଆମେରିକା ହାତଗୋଡ଼ ବାନ୍ଧି ଭାରତୀୟଙ୍କୁ ଅପରାଧୀ ଭଳି ଭାରତ ଫେରାଇ ଦେଲା। ଏହାର ଗୋଟିଏ ଅର୍ଥ ହେଉଛି ଯେ, ଆମେରିକା ନଜରରେ ଭାରତର ସମ୍ମାନ ନାହିଁ।
କଲମ୍ବିଆ ବିରୋଧ କରୁଛି, ଭାରତ ଚୁପ୍ କାହିଁକି?
ଟ୍ରମ୍ପଙ୍କ ଆମେରିକା ଫାଷ୍ଟ୍ ନୀତି ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେନାହିଁ। ଏହି ନୀତି ଅନୁସାରେ ସବୁର ଆଗରେ ଆମେରିକାର ସ୍ୱାର୍ଥ। ସ୍ୱାର୍ଥ ଆଗରେ ବନ୍ଧୁତା ନାହିଁ। ଆମେରିକା ତା’ ଦେଶରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ନିଜ ଦେଶରୁ ନିର୍ବାସିତ କରିପାରିବ। ଏହି ଅଧିକାର ତା’ପାଖରେ ଅଛି। କେବଳ ତା’ପାଖରେ ନାହିଁ, ସବୁ ଦେଶଙ୍କ ପାଖରେ ଅଛି। ଭାରତ ପାଖରେ ବି ଅଛି। ଭାରତ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଉଛି। କିନ୍ତୁ ଏମିତି ସାମରିକ ବିମାନରେ ହାତଗୋଡ଼ ବାନ୍ଧି ନୁହେଁ।
ଲାଟିନ ଆମେରିକାରେ ଆମେରିକାର ‘ହାତଗୋଡ଼ ବନ୍ଧା’ ପାର୍ସଲ ନୀତିକୁ ବିରୋଧ ଆରମ୍ଭ ହୋଇ ସାରିଲାଣି। ଲାଟିନ୍ ଆମେରିକୀୟ ଦେଶ କୋଲମ୍ବିଆ ରୋକଠୋକ କହିସାରିଛି, ଆମେ ଆମ ନାଗରିକଙ୍କୁ ଫେରାଇ ନେବୁ କିନ୍ତୁ ଏମିତି ନୁହେଁ। ତୁମେ ଆମ ଲୋକଙ୍କ ହାତଗୋଡ଼ ବାନ୍ଧି ସାମରିକ ବିମାନରେ ଆମ ଦେଶକୁ ଫେରାଇ ପାରିବନାହିଁ। କଲମ୍ବିଆ,ହଣ୍ଡୁରାସ୍ ଭଳି ଦେଶ କହୁଛନ୍ତି, ଆମେରିକା ସାମରିକ ବିମାନ ଆମ ଦେଶକୁ ପ୍ରବେଶ କରିବାର ମାନେ ହେଉଛି ଆମ ସାର୍ବଭୌମତ୍ୱର ଉଲ୍ଲଂଘନ। ଏମିତିରେ ଭାରତରେ ଆମେରିକା ମିଲିଟାରି ପ୍ଲେନ୍ ଅବତରଣକୁ କେମିତି ଅନୁମତି ଦିଆଗଲା?
ଟ୍ରମ୍ପ କାହିଁକି ସାମରିକ ବିମାନ ବ୍ୟବହାର କରୁଛନ୍ତି?
ଟ୍ରମ୍ପ୍ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଅବୈଧ ପ୍ରବାସୀଙ୍କୁ ମାଲବାହୀ ସାମରିକ ବିମାନରେ ନିଜ ଦେଶକୁ ନିର୍ବାସିତ କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ଯେ, ଆମେରିାକ ପାଖରେ କ’ଣ ବେସାମରିକ ବିମାନ ନାହିଁକି? ବେସାମରିକ ବିମାନରେ ଅବୈଧ ପ୍ରବାସୀଙ୍କୁ ଫେରାଇବାରେ ଯେତିକି ଖର୍ଚ୍ଚ ହୁଏ ତା’ର ଦୁଇଗୁଣ ଅଧିକ ଖର୍ଚ୍ଚ ସାମରିକ ବିମାନରେ ହୁଏ। ଏତେ ଖର୍ଚ୍ଚ ସତ୍ତ୍ୱେ ଆମେରିକା ସାମରିକ ବିମାନ ବ୍ୟବହାର କରିବା ପଛର କାରଣ ହେଉଛି, ଆମେରିକା ଦୁନିଆର ଚୌଧୁରୀ ହିସାବରେ ନିଜ ମିଲିଟାରି ମସଲ ଦେଖାଇବାକୁ ଚାହୁଁଛି। ଆମେରିକା ନିଜ ତାକତ ଦେଖାଇ ବାକି ଦେଶଙ୍କୁ କହିବାକୁ ଚାହୁଁଛି ଯେ, ବିଶ୍ୱର ଅସଲି ବସ୍ କିଏ?
ସଡ଼କରୁ ସଂସଦ, ସବୁଠି ହଙ୍ଗାମା
ଗୁରୁବାର ଦିନ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ଲୋକସଭାରେ ତୁମ୍ଭିତୋଫାନ କରିଛନ୍ତି। ଫଳରେ ଲୋକସଭାକୁ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏ ସ୍ଥଗିତ ରଖିଥିଲେ। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏହି ଘଟଣାକୁ “ନିରାଶାଜନକ” ବୋଲି ବର୍ଣ୍ଣନା କରିବା ସହିତ “ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (MEA) କାହିଁକି ନୀରବ” ବୋଲି ପ୍ରଶ୍ନ ପଚାରିଛନ୍ତି।
ସେହିଭଳି, କଂଗ୍ରେସ ସାଂସଦ ଗୌରବ ଗୋଗୋଇ ସରକାରଙ୍କୁ ନିଶାନାକୁ ନେଇ କହିଛନ୍ତି ଯେ, “ଆମେରିକୀୟ ସରକାରଙ୍କ ଏହି ଆଚରଣରେ ମୁଁ ବହୁତ ନିରାଶ। ଆମେରିକା ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କ ରହିଛି କିନ୍ତୁ ସେମାନେ ଯେଉଁଭଳି ଭାବରେ ୧୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ସାମରିକ ବିମାନରେ ହାତକଡ଼ି ଏବଂ ପାଦବାନ୍ଧି ଫେରାଇଦେବା ସମ୍ପୂର୍ଣ୍ଣ ଅମାନବୀୟ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ପ୍ରଧାନମନ୍ତ୍ରୀ ନୀରବ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କାହିଁକି ନୀରବ? ମୁଁ ଭାବୁଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ଏ ବିଷୟରେ ଏକ ବିବୃତ୍ତି ଦେବା ଉଚିତ।”
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ପ୍ରଶ୍ନ କରିଛନ୍ତି ‘ଏହା କ’ଣ ବିଶ୍ୱଗୁରୁ ହେବାର ଚିହ୍ନ’। ନିଶ୍ଚିତଭାବେ ଆଗକୁ ଭାରତ ସରକାର ଏହି ପ୍ରସଙ୍ଗକୁ ନେଇ ଦେଶ ଭିତରେ ଅନେକ ପ୍ରଶ୍ନର ସମ୍ମୁଖୀନ ହେବେ। ସୋସିଆଲ ମିଡିଆରେ ବୈଦେଶିକ ମାମଲାରେ ଜୟଶଙ୍କରଙ୍କୁ ଯେମିତି ସିଂହମ ଅବତାରରେ ଚିତ୍ରଣ କରାଯାଏ,ଏବେ ସେହି ଇମେଜର କ’ଣ ହେବ? ଋଷ୍-ୟୁକ୍ରେନ ଯୁଦ୍ଧ ହେଉ କି ଆରବରେ ହିଂସା, ସବୁବେଳେ ଭାରତୀୟ ଜାତୀୟପତାକାର ଶକ୍ତିକୁ ନେଇ ଅନେକ କଥା କୁହାଯାଇଛି। କେମିତି ଭାରତୀୟଙ୍କୁ ସୁରକ୍ଷିତ ପ୍ୟାସେଜ୍ ଦେବାକୁ ଋଷ୍ ବିମାନ ଆକ୍ରମଣ ବନ୍ଦ କରିଦିଏ, କେମିତି ପାକିସ୍ତାନୀ ଭାରତୀୟ ପତାକା ଧରି ଅଶାନ୍ତ ୟୁକ୍ରେନରୁ ଜୀବନ ବଞ୍ଚାନ୍ତି ତାକୁ ନେଇ ଢେର ପ୍ରଚାର ହୋଇଛି। ଏଭଳି ପ୍ରଚାର ପଛର ଅର୍ନ୍ତନିହିତ ଉଦ୍ଦେଶ୍ୟ ହେଉଛି ଭାରତୀୟ ନେତୃତ୍ୱର ଶକ୍ତି ପ୍ରଦର୍ଶନ କରିବା। ଏବେ ତୁଳନା ତ’ ହେବ ହିଁ ହେବ।


