ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧାରିତ ଭାଷଣ ଶେଷ ମୁହୂର୍ତ୍ତରେ ଟାଳି ଦିଆଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଭାରି ଚର୍ଚ୍ଚା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନ ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ସମ୍ବୋଧିତ କରିବାକୁ ଆସିଥିଲେ, କିନ୍ତୁ ଶେଷ ସମୟରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା । ଏହାର କାରଣକୁ ନେଇ ଗୁରୁବାର ଲୋକସଭାରେ ଖୋଦ୍ ବାଚସ୍ପତି ଓମ ବିର୍ଲା ସ୍ପଷ୍ଟୀକରଣ ଦେଇଛନ୍ତି।

ଗୁରୁବାର ସଦନ କାର୍ଯ୍ୟକ୍ରମ ସମୟରେ ଓମ ବିର୍ଲା କହିଛନ୍ତି ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ଅପ୍ରତ୍ୟାସିତ ଘଟଣା ଘଟିବାର ଆଶଙ୍କା ଥିଲା । ଏହି କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସଦନକୁ ନ ଆସିବାକୁ ଆଗ୍ରହ୍ୟ କରିଥିଲେ ଓ ପ୍ରଧାନମନ୍ତ୍ରୀ ତାହାକୁ ସମ୍ମାନ ଦେଇଥିଲେ। “ସଦନର ମର୍ଯ୍ୟାଦା ଓ ସୁରକ୍ଷା ସର୍ବୋପରି,” ବୋଲି ବାଚସ୍ପତି କହିଥିଲେ।
ଏହି ଅବସରରେ ବାଚସ୍ପତି ଓମ ବିରଳା ବିରୋଧୀ, ବିଶେଷକରି କଂଗ୍ରେସ ସାଂସଦମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ପୋଷ୍ଟର ଓ ପ୍ଲାକାର୍ଡ ନେଇ ସଦନକୁ ଆସିଲେ ଗୃହକାର୍ଯ୍ୟ ସ୍ମୂଥ୍ ଭାବେ ଚାଲିପାରିବ ନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଓ ବାରମ୍ବାର ବାଧା ଯୋଗୁ ଗୁରୁବାର ଲୋକସଭା କାର୍ଯ୍ୟକ୍ରମ ଅନେକଥର ସ୍ଥଗିତ କରାଯାଇଥିଲା।

ବାଚସ୍ପତି ଏହି ବୟାନ ପରେ ବିରୋଧୀ ଶିବିରରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି (ଭଦ୍ରା) କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ପଛରେ ଲୁଚୁଛନ୍ତି। କାଲି ସଦନକୁ ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ସାହସ ହେଲାନି।” ସେ ଅଭିଯୋଗ କରିଛନ୍ତି ଯେ, ତିନିଜଣ ମହିଳା ସାଂସଦ ବାଚସ୍ପତିଙ୍କ ସାମ୍ନାରେ ଦଢ଼ା ହୋଇ ରହିଥିବାରୁ ପ୍ରଧାନମନ୍ତ୍ରୀ ସଦନକୁ ଆସିଲେ ନାହିଁ। ପ୍ରିୟଙ୍କା ଗାନ୍ଧି ଆହୁରି କହିଛନ୍ତି ଯେ, ଗୃହରେ କୌଣସି ମୁଖ୍ୟ ମୁଦ୍ଦା ଉପରେ ଚର୍ଚ୍ଚା ହେଉନାହିଁ ଏବଂ ସରକାର ବିରୋଧୀଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି।
ଉଲ୍ଲେଖନୀୟ ଯେ, ବୁଧବାର ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିଲା। ବାଚସ୍ପତି ଏଥିପାଇଁ ଶାନ୍ତି ରଖିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନାହିଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହି ଘଟଣାକୁ ନେଇ ସଂସଦରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତଣାତଣି ଆହୁରି ବଢ଼ିବାର ସମ୍ଭାବନା ରହିଛି।
also read https://purvapaksa.com/mamata-banerjee/
Mamata Banerjee ।। SIRକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ଅନ୍ୟାୟ ହେଉଛି …


